ଭୁବନେଶ୍ୱର ୩୦/୧୦ : କାର୍ତ୍ତିକ ମାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଦିନେ ଉପବାସ ରହିବା ପରେ ତୁଟିଲା ବିବାଦ। ଗୁରୁବାର ସ୍ୱାଭାବିକ ହେଲା ନୀତିକାନ୍ତି। ସକାଳୁ ମଙ୍ଗଳଆଳତି ଅବକାଶ ସରିଛି। ନୀତି ବଢ଼ିବା ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ହେବ। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ସମର୍ଥ ସେବାୟତଙ୍କ ବିବାଦାରୁ ବୁଧବାର ଦିନ ତମାମ ଏକାମ୍ର ଅଧିପତି ଶ୍ରୀଲିଙ୍ଗରାଜ ଉପବାସରେ ଥିଲେ । ପହିଲି ଉପଚାରରୁ ନୀତି ବିଭ୍ରାଟ ଯୋଗୁ ଭୋଗ ଲାଗିପାରିନଥିଲା।

ଠାକୁରଙ୍କ ସମର୍ଥା ସେବାୟତର ନିଅଂଶ(ଉତ୍ତରାଧିକାରୀ ନ ଥିବା) ପରିବାରର ୨ ଦିନ(ବୁଧ ଏବଂ ଗୁରବାର) ପାଳିଥିଲା । ଯାହା ଆଗରୁ ନିଜ ମଧ୍ୟରେ ଆଲୋଚନା କରି ସମର୍ଥା ସେବାୟତମାନେ ନିଅଂଶ ପାଳି ତୁଲାଉଥିଲେ । କିନ୍ତୁ ଗତ ମାସ ୪ ତାରିଖରେ ବିଏମ୍‌ସି ଓ ମନ୍ଦିର ପ୍ରଶାସନ ମିଳିତ ଭାବେ କିଛି ସମର୍ଥା ସେବାୟତଙ୍କ ଫୁଲ- ଦୀପ ଦୋକାନ ସିଂହଦ୍ୱାର ସମ୍ମୁଖରେ ଉଚ୍ଛେଦ କରାଇଥିବାରୁ ସେହିଦିନଠାରୁ ସେମାନେ ନୀତିରେ ସହଯୋଗ କରିବେନି ବୋଲି କଡ଼ା ଚେତାବନୀ ଦେଇଥିଲେ ।

କିଛିଦିନ ପରେ ଅର୍ଥାତ ୯ ତାରିଖରେ ଏହି ନିଅଂଶ ପାଳି ପାଇଁ ଅସହଯୋଗର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ସେଦିନ ନିଅଂଶ ପାଳିର ସେବାୟତ ନ ଆସିବାରୁ ସମସ୍ତ ନୀତି ଆଉ ଧୂପ ବେଳେ ବିନା ଘଣ୍ଟ ବାଦ୍ୟରେ କାମ ଚଳାଯାଇଥିଲା । କିନ୍ତୁ ୫୦ ଦିନ ବିତିଗଲା ପଛେ ସମସ୍ୟା ସମାଧାନ ହୋଇନଥିଲା । ଶେଷରେ ବାଧ୍ୟ ହୋଇ ନୀତିକାନ୍ତି ବନ୍ଦ ରହିଥିଲା । ଶେଷରେ ଗୁରୁବାର ନୀତିକାନ୍ତି ସ୍ୱାଭାବିକ ହୋଇଛି ।