ତେବେ କାହିଁକି ମଣିଷ ଏହି ମଧୁମୟ ବିଶ୍ୱକୁ ଜଡ଼ପିଣ୍ଡ, ଜୀବନଧ୍ୱଂସୀ ଇତ୍ୟାଦି କହନ୍ତି? ଏହି ଜଡ଼ ପିଣ୍ଡ ଧାରଣା ବିଜ୍ଞାନ ଦେଲା । ଏଇଠି ସବୁ ସରିଯାଏ କହିଲେ ପଦାର୍ଥବିଜ୍ଞାନୀମାନେ । କହିଲେ "ଏଣ୍ଟ୍ରୋପି' ମରେନାହିଁ । ବିଂଶ ଶତାବ୍ଦୀରେ ଆଇନଷ୍ଟାଇନ, ସ୍କ୍ରୋର୍ଡଙ୍ଗର, ମିଚିକୋ କାକୁ, ହକିଂ, ଫ୍ରେଜର ପ୍ରଭୃତି ବିଶ୍ୱ ରହସ୍ୟକୁ ସାମାନ୍ୟ ବୁଝିଛନ୍ତି ଏବଂ ଭାରତୀୟ ଚିନ୍ତାଧାରାକୁ ଗ୍ରହଣ କରିଛନ୍ତି ।
ଆମର ପୃଥିବୀ ଭୂଗୋଳ ଇତିହାସରେ ଏକ ଭୂଖଣ୍ଡ ନୁହେଁ । ବିଶ୍ୱର ସବୁ ସୁଷମା ସୌଷ୍ଠବ, ପ୍ରାଣୀ, ଭାବବିଭାବ, ଭୀମକାନ୍ତ ରହସ୍ୟର ଏକ ପୂର୍ଣ୍ଣ ଗୌଲକ ଏହି ପୃଥିବୀ ଆମର ଇହପର ପୃଥିବୀ । ଜନ୍ମ ମୃତ୍ୟୁ ଜୀବନ ପ୍ରଦର୍ଶନର ମଞ୍ଚ । ଏଇଠି ଆମର ଅଭିନୟ ବାସ୍ତବ, ଆମର ଯୁଦ୍ଧ, ପ୍ରେମ, ରୋଷ, ଅହଂ ଆତ୍ମାରାଗର ମୂର୍ଚ୍ଛନା । ନଦୀ ପର୍ବତ ଝରଣା, ବଣ ମହାଦ୍ରୁମ ଆଲୁଅର ରଙ୍ଗଭୂମି । କୋଇଲିର ତାନ, ମୟୂରଚନ୍ଦ୍ରିକାର ଇନ୍ଦ୍ରଧନୁମିଶା ରୂପସମ୍ଭାର । ପଶୁପକ୍ଷୀଙ୍କର କୋଳାହଳ ଭିତରେ କ୍ଷୁଧା, ଯନ୍ତ୍ରଣା, ଚିନ୍ତା ମୈଥୁନର ନିତ୍ୟ ବେଭାର । ନଦୀ
ବୋହିଗଲା ବେଳେ କୂଳରେ ଠିଆହୋଇ ଯେ କୁଳୁନାଦର ସ୍ରୋତ ଛନ୍ଦ ଶୁଣିଛି, ମାଟି ଉପରେ କାନପାରି ଓଁକାରର ପ୍ରତିଧ୍ୱନି ଶୁଣିଛି ସେ କ’ଣ କେବେ କହିବ ମୋ ପୃଥିବୀ ଖାଲି ମାଟି ପାଣି ଆଲୁଅ ପବନ ଶବ୍ଦରେ ମିଥ୍ୟା ଭ୍ରମ? ଯେ ଭ୍ରମ କହେ ରହସ୍ୟ କହେ ସେ ରହସ୍ୟ ଭେଦିନାହିଁ ।
ରହସ୍ୟ କିଛି ନାଇଁ ଏଠି । ପଞ୍ଚ ଉପାଦାନ, ଜୈବ ବିଭିନ୍ନତା ଆକାଶ ସମୁଦ୍ରର ମହାବିସ୍ତାର ଯନ୍ତ୍ରଣାର ଆର୍ତ୍ତନାଦ, ଆନନ୍ଦର ଚିତ୍କାର, ପକ୍ଷୀର କାକଳି, ସାପର ସଫେଣ ନିଶ୍ୱାସ, ବାଘ ଗର୍ଜନ, ରୁପା ମାଛଙ୍କର ଜହ୍ନଉଦିଆ ନୃତ୍ୟ, ପଦ୍ମପୋଖରୀର ଚାନ୍ଦିନୀରାତି ଦୃଶ୍ୟ, ଉଦୟଭାନୁର ଅରୁଣିମା, ଅସ୍ତଗାମୀ ସୂର୍ଯ୍ୟର ବର୍ଣ୍ଣାଳୀ, ମହାବଳ ବାଘର ରାଜକୀୟ ଗତି ରାଜହଂସୀର ଫେନମୟୀ ଛନ୍ଦ, ଉଦୁଉଦିଆ ଜ୍ୟେଷ୍ଠର ଜ୍ୱାଳା, ଅଦିନ ଶ୍ରାବଣର ରତିଉଛୁଳା ଟୋପା, ଶୀତରାତିର ଆତ୍ତି, ପୂର୍ଣ୍ଣିମା ଢେଉର ଲମ୍ବା ଫେରନ୍ତା ଚିତ୍କାର, ନାଏଗ୍ରା ସନ୍ଧ୍ୟାର ସୂର୍ଯ୍ୟଗାଧୁଆ ଫୁଆର- ଏଇତ ଆମର ପୃଥିବୀ । ହିମାଳୟ ଚୂଡ଼ାରେ ଲାଗିଥିବା ମୟୂରପୁଚ୍ଛ ମଣିଷର ଚିନ୍ତା କଳ୍ପନାର ଚରମ ଐଶ୍ୱର୍ଯ୍ୟ । ଏଇ ବିଶ୍ୱ ଉପରେ ଆମେ ଆସୁ କ୍ଷଣ ମାତ୍ରକ ପାଇଁ । ବଂଶୀରେ ମୋହନ ବଂଶୀରେ ମୋହ କରିବା ପାଇଁ ମହମହ ଗୋପାଙ୍ଗନା ଯମୁନା କାବେରୀ ମିସିସିପି ନାଇଲରେ ଦେହକୁ ଶକ୍ତ କରୁ, ଚେରମୂଳିରେ ଓଷଦ କରୁ ଯନ୍ତ୍ରଣା ଉପଶମ ପାଇଁ । ଦେହ ସ୍ଥିର ହେଇଗଲେ ପୋତିଦେଉ ଏଇ ମାଟିରେ ପୋଡ଼ିଦେଇ ଏଇ ଗଛମାନଙ୍କ କାଠରେ । ଏଇଠି ଅଭିସାର ରଚେ ରାଧା, ଏଇଠି ଆକ୍ରମଣ କରେ ଜରାସନ୍ଧ, ପଳାୟନ କଲେ କୃଷ୍ଣ ପ୍ରାଣ ଭୟରେ ଦ୍ୱାରକାକୁ ।
ଏଇଠି ବିମାନ ଉଡ଼େ, ମହାକାଶଯାନ ଉଡ଼େ, ଚନ୍ଦ୍ରଯାନ ଆଡ୍ଡା ମାରେ ଜହ୍ନର ଅନ୍ଧାରି ପିଠିରେ । ଏଇଠି ହିଟଲର ଧ୍ୱଂସ କରେ ମଣିଷର ଶତବ୍ଦୀ ଗଢ଼ା ସାମ୍ରାଜ୍ୟ ଆତ୍ମହତ୍ୟା ପୂର୍ବରୁ । ଏଇଠି ଧ୍ୱଂସ ହୁଏ ହିରୋସୀମା ନାଗାସାକି ମଣିଷ ତିଆରି ବ୍ରହ୍ମାସ୍ତ୍ରରେ । ଏଇଠି ବୁଡ଼େ ଦ୍ୱୀପ, ଏଇଠି ଉଭାହୁଏ ମାଟିଖଣ୍ଡ, ଟାଇଟାନିକ ବୁଡ଼େ, ଉଭେଇଯାଏ ବରମୁଡ଼ା ପାଖରେ । ଏଇଠି ଆମେ ଚାଲୁ ଅନ୍ଧାରରୁ ଆଲୁଅକୁ, ସେତୁ ବାନ୍ଧୁ ସବୁ ସମୁଦ୍ରରେ । କବିତା ଲେଖୁ, ଗୀତ ଗାଉ, ଛବି ଆଙ୍କୁ, ଏଇଠି ଖେଳୁ ଆମେ ଡୁଡୁ ଫୁଟବଲ କ୍ରିକେଟ ହକି ଓ ଗଣବଳାତ୍କାର ଗଣହତ୍ୟାର ହୋଲି ଖେଳୁ ନିର୍ଲଜ କ୍ରୁରତାରେ । ଏପରି ବିଶ୍ୱକୁ ହିଁ କହିଲେ ଗଙ୍ଗାଧର ମେହର- ବିଶ୍ୱ ଦେଖ ମଧୁମୟ ରେ ଜୀବନ । ଜୀବନ ପାଇଁ ଆଉ କ’ଣ ବେଶୀ ମଧୁମୟ ହେଇପାରେ କିଛି? ଦିନ ରାତି ଜୀବନ ରକ୍ଷା ଲାଗି ତନ୍ତରେ, ରାଜଦ୍ୱାରେ ଖଟୁଥିବା କବି ଭୋକ ରୋଗକୁ ଭୁଲିଯାଇଥିଲା ବିଶ୍ୱର ବହୁରୂପା ଆନନ୍ଦରେ । ଯନ୍ତ୍ରଣାର କୁଁ କୁଁ କୁହୁତାନ ପରି ଲାଗିଥିଲା କବିକୁ । ଅମୃତ ସାଗରର ବିନ୍ଦୁ ଥିଲେ କବି, ଜୀବନର ବିଷ ମନ୍ତ୍ରରେ ।
ତେବେ କାହିଁକି ମଣିଷ ଏହି ମଧୁମୟ ବିଶ୍ୱକୁ ଜଡ଼ପିଣ୍ଡ, ଜୀବନଧ୍ୱଂସୀ ଇତ୍ୟାଦି କହନ୍ତି? ଏହି ଜଡ଼ ପିଣ୍ଡ ଧାରଣା ବିଜ୍ଞାନ ଦେଲା । ଏଇଠି ସବୁ ସରିଯାଏ କହିଲେ ପଦାର୍ଥବିଜ୍ଞାନୀମାନେ । କହିଲେ "ଏଣ୍ଟ୍ରୋପି' ମରେନାହିଁ । ବିଂଶ ଶତାବ୍ଦୀରେ ଆଇନଷ୍ଟାଇନ, ସ୍କ୍ରୋର୍ଡଙ୍ଗର, ମିଚିକୋ କାକୁ, ହକିଂ, ଫ୍ରେଜର ପ୍ରଭୃତି ବିଶ୍ୱ ରହସ୍ୟକୁ ସାମାନ୍ୟ ବୁଝିଛନ୍ତି ଏବଂ ଭାରତୀୟ ଚିନ୍ତାଧାରାକୁ ଗ୍ରହଣ କରିଛନ୍ତି । ମୁଁ ବିଜ୍ଞାନ ଆଲୋଚନା କରିବି ନାହିଁ କାରଣ ବିଜ୍ଞାନୀ ଅପେକ୍ଷା ଏ କବି କଳାକାରମାନେ ବିଶ୍ୱକୁ ସମ୍ମାନ କଲେନାହିଁ । ବିଂଶ ଶତାବ୍ଦୀ ଦ୍ୱିତୀୟ ଦଶକ ବେଳେ "'The world revolve like ancient women gathering fuel in vacant lots.'' ତାଙ୍କର ୧୯୨୨ର କବିତା "ଦି ୱେଷ୍ଟଲାଣ୍ଡ'ରେ ବିଶ୍ୱକୁ ଏକ ନଷ୍ଟଭୂଇଁ କଲା ।
ମଣିଷକୁ ଅପାର ଯନ୍ତ୍ରଣାଗ୍ରସ୍ତ କହିଲା । ପାପୀ କହିଲା । ତାଙ୍କ ପ୍ରଭାବରେ ବିଶ୍ୱର ପ୍ରାୟ ଅଧିକାଂଶ କବି, ଚିତ୍ରକର, ଗାୟକ ମହାବିଶ୍ୱର ସୌନ୍ଦର୍ଯ୍ୟ, ରହସ୍ୟ ଓ ମଧୁମୟତାରୁ ଦୂରେଇଯାଇ ଲେଖିଲେ କେବଳ ମଣିଷର ବିଚ୍ଛିନ୍ନତା, ଏକାପଣ ଓ ଯନ୍ତ୍ରଣାର ଗାଥା, କବିତା ଓ ଉପନ୍ୟାସ । ଆମର ବିଶିଷ୍ଟ କବି ଗୁରୁପ୍ରସାଦ ମହାନ୍ତି ଲେଖିଲେ ‘ଏ ଗ୍ରହର ନଷ୍ଟ ଯାତ୍ରା ଆଜି ଯଦି ଅନ୍ଧାରକୁ...’ ଏବଂ ପରେ ଉମାକାନ୍ତ ରଥ ଭାଷାର ଉଷାର ଫୁଲପ୍ରେମର ବଡ଼ ଚିତ୍ର ଦେଇ ଅପାରଗ ମଣିଷର ପୃଥିବୀ ଗଢ଼ିଲେ । ଆଜି ଆମେ କେବଳ ଲେଖିଚାଲିଛୁ ଅଭାବର କାହାଣୀ । ଆମର ଛୋଟିଆ ସଂସାର ହେଇଯାଇଛି ପୃଥିବୀ କାବ୍ୟ କବିତାରେ । ଆମ ବିଶ୍ୱ ପ୍ରାୟ ଉଭେଇ ଯାଇଛି ରାସ୍ତା, ମୋଟର, ମାଂସ ଦୋକାନ, ଷ୍ଟେସନ ପାଖ ବେଶ୍ୟାପଡ଼ାର ଚିତ୍କାରରେ, ଛୋଟ ଛୋଟ ସନ୍ତୋଷ ଅସନ୍ତୋଷର ଚିତ୍ରକଳ୍ପରେ ।
ଏମିତି କାହିଁକି ହେଲା? କାରଣ ମଣିଷର ଭାତଛାତର ଅଭାବମେଣ୍ଟା ସଭ୍ୟତା ପ୍ରକୃତି ପୃଥିବୀଠାରୁ ଦୂରେଇ ଗଲା । ଏଲିୟଟ ଓ ଅନ୍ୟମାନେ କାବ୍ୟଶ୍ରୀକୁ ପ୍ରକୃତିରୁ ଆଣି ଡ୍ରଇଁରୁମ୍, ରାସ୍ତା, ହୋଟେଲ ବଜାରରେ ରଖିଲେ । କବି, ଦାର୍ଶନିକ, ପ୍ରକୃତିରୁ ସମାଜ ଭିତରକୁ ଆସି ଖାଲି ଆବର୍ଜନା ଦେଖିଲେ । ଚିତ୍ରକରମାନେ ସେଇ ଶୂନ୍ୟବୋଧ ଓ ବିଚ୍ଛିନ୍ନତାର ଦୃଶ୍ୟ ବାଢ଼ିଲେ । କମୋଡ଼ର ଚିତ୍ର ମଧ୍ୟ ଆକର୍ଷକ ହେଲା । ସବୁଠାରୁ ବଡ଼ କଥା ହେଲା ମଣିଷ ତାର ଛଳ-ପରିହାସ, ଖୋଲା ହସ ଭୁଲିଗଲା । ରାଜନୀତି, ଯୁଦ୍ଧ, ଶୀତଳ ଯୁଦ୍ଧ ଓ କବିର ଅଭ୍ୟନ୍ତର ପ୍ରବେଶ ପ୍ରକୃତିରେ ଆଉ ଦେଖିପାରିଲା ନାହିଁ ଆଧ୍ୟାତ୍ମିକ ଐଶ୍ୱର୍ଯ୍ୟ ।
ମଣିଷକୁ ଛୋଟ, ଅପାରଗ, ପ୍ରେମବିଶ୍ୱାସହୀନ କହି ସମସ୍ତେ ଆତ୍ମଗୋପନ କଲେ ଅଭ୍ୟନ୍ତରରେ । ସିନେମା ମଧ୍ୟ ବଦଳିଗଲା । ନାଟକ ପ୍ରାୟ ମରିଗଲା ବୁଡୱେରୁ ଆରମ୍ଭ କରି ଅନ୍ନପୂର୍ଣ୍ଣା ପର୍ଯ୍ୟନ୍ତ । ‘ତିନି ପଇସାର ଅପେରା’ ରାସ୍ତାକଡ଼ ନାଟକରେ ଦେବଦେବୀ, ଆଧ୍ୟାତ୍ମିକତା ଓ ବିଶ୍ୱ ପ୍ରକୃତିର ବ୍ରହ୍ମକୁ ଅସ୍ୱୀକାର କରାଗଲା । ପ୍ରଣୟବଲ୍ଲରୀ କାବ୍ୟରେ ଶକୁନ୍ତଳା ପ୍ରଥମ ଦର୍ଶନରେ ଦୁଷ୍ୟନ୍ତଙ୍କୁ ଭଲପାଇ ପଛକୁ ଅନାଇବା ଦେଖି ସଖୀମାନେ ପରିହାସ କଲେ ଅତି ଚମତ୍କାର ଭାଷାରେ । ମେହେର ଶକୁନ୍ତଳାକୁ ମଧ୍ୟ କୁମାରୀ ପ୍ରେମିକାର ଛଳଛଳ ଭାବ ଦେଇ ଲେଖିଲେକୁରୁବକ କଣ୍ଟା ଲାଗିଗଲା ବୋଲି ସଖୀଙ୍କୁ କହିଲା ଛକି, ପ୍ରିୟମ୍ବଦା କହେ ପୁରୁବକ କଣ୍ଠୀ ମିନାକ୍ଷୀ ଗଲା କି ଗକି । ଏହି ଭାବ ଓ ତାର ପ୍ରକାଶ ଆଉ ଗ୍ରହଣୀୟ ହେଲାନାହିଁ ।
ଶକୁନ୍ତଳାର ବିଦାୟବେଳେ (ଦୁଷ୍ୟନ୍ତ ପ୍ରସାଦକୁ) ଗଛଲତାମାନେ ଘେରିଯାଇ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ । ଏପରି ଦୃଶ୍ୟ ଅଗ୍ରାହ୍ୟ ହେଲା । କେତେକ କହିଲେ ଏହା ଭ୍ରମିତ ବିଷାଦ । ପ୍ରକୃତି ଓ ମଣିଷର ଛନ୍ଦାଛନ୍ଦି ସଂଯୋଗ ବିଚ୍ଛିନ୍ନ ହେଲା । ତେଣୁ ବିଶ୍ୱ ମଧୁହରା ହେଲା । କିଟ୍ସ ଯାହା ଲେଖିଥିଲେବିଶ୍ୱର କାବ୍ୟ କବିତା କେବେ ମରେନାହିଁ । ତାହା ମଧ୍ୟ ମିଥ୍ୟା ହେଲା । ଝିଙ୍କାରୀ ନିଜ ଯନ୍ତ୍ରଣାରେ ବିଳାପ କରୁଛି । ଏଥିରେ ଆମର କ’ଣ ଅଛି? କିନ୍ତୁ ଭାବନ୍ତୁ ତ! କ’ଣ ନାହିଁ ଆମ ପୃଥିବୀରେ? ଏବେ ମଧ୍ୟ ଶିଶିରଝରା ରାତିରେ କାର୍ ଚଢ଼ି ପ୍ରେମିକ ଯାଏ ବିମାନ ବନ୍ଦର ନିକଟସ୍ଥ ରେସ୍ତୋଁରାରେ ଅପେକ୍ଷା କରିଥିବା ପ୍ରେମିକା ପାଖକୁ । ଏବେ ମଧ୍ୟ ବଂଶୀସ୍ୱନ ଶୁଣାଯାଏ ଖୋଲା ପଡ଼ିଆରେ କୌଣସି ରେଡିଓ ଟିଭି କଳାକାର ବସିଥାଏ । ସକାଳୁ ତବଲା ଶବ୍ଦ ଶୁଭେ ପଡ଼ିଶା ଘରୁ ତିନି ବର୍ଷର ଝିଅଟିଏ ସକାଳୁ ଅଭ୍ୟାସ କରେ ।
ଆକାଶଭେଦୀ ମହତ୍ତ୍ୱାକାଂକ୍ଷା ଯୁବକକୁ ଉଡ଼ାଏ । ପାହାଡ଼ ପର୍ବତ ଚେଇଁଯିବା ପାଇଁ ପ୍ରେରଣା ଆସେ ମନରୁ । ଖୋଲା ପାଦରେ ଦରବୁଢ଼ୀମାନେ ସକାଳ ଘାସର ଶିଶିର ଉପରେ ଚାଲନ୍ତି । ସମୁଦ୍ର କୂଳରେ ବୃଦ୍ଧ ମଧ୍ୟ ଶାମୁକା ଗୋଟାଏ । ଚାଲିନପାରିବା ଲୋକେ ଉଡ଼ାଚଉକୀରେ ବସି ଦେଖନ୍ତି ଟୋକାଟୋକୀଙ୍କର ଦୁଆରଭଙ୍ଗା ଖେଳ । ଶୁଣନ୍ତି ମସଲା ମୁଢ଼ି ଖାଉ ଖାଉ ଅସଂଲଗ୍ନ କୋଳାହଳ ଶହ ଶହ ପୃଥବୀର । ବାଲି ମୁଠାରେ ଫିଙ୍ଗୁଥିବା ପିଲାର ହସ ଦିଶେ ସକାଳ ସୂର୍ଯ୍ୟର ନାଲିମିଶା ଆଲୁଅ ପରି । ଗୋପୀନାଥ ମହାନ୍ତିଙ୍କ ଖରା (ଲୟ ବିଲୟ) ଏବେ ମଧ୍ୟ ଦେଖନ୍ତି ଲୋକେ । ବିଫଳ ପ୍ରେମିକା (କା'), ଚାକିରିହରା ପୁରୁଷ, ପରକୀୟା ଯୁଗଳ ଆକାଶକୁ ଚାହିଁ ରହନ୍ତି ଘଣ୍ଟା ଘଣ୍ଟା। ଏମିତି କେତେ କଥା ଘଟେ । ସୂର୍ଯ୍ୟପରାଗ ଦେଖିବା ପାଇଁ ଦୌଡ଼ନ୍ତି ଲୋକେ କଳାଚଷମା ପନ୍ଧି । ବନ୍ଦେ ଭାରତ ଟ୍ରେନରେ ସାଣ୍ଡୱିଚ ଖାଇ ଧନ୍ୟ ହୁଅନ୍ତି ଶହ ଶହ । ମନ୍ଦିର ଯିବାଲାଗି ଝାଳବୁହା ଶ୍ରମ କରନ୍ତି କୋଟି କୋଟି ।
ମୁଣ୍ଡିଆ ମାରନ୍ତି, କାମନା କରନ୍ତି । ବାହାଘର ନିମନ୍ତ୍ରଣ ଦିଅନ୍ତି । ବହି ଭେଟି ଦିଅନ୍ତି କବିମାନେ । କିନ୍ତୁ ଏଇମାନେ ଡ୍ରଇଁ ରୁମ୍ରେ, ବିଶ୍ୱବିଦ୍ୟାଳୟ ଶ୍ରେଣୀରେ ଭାଷଣ ଦିଅନ୍ତି, କ’ଣ ଏ ପୃଥିବୀ? ପୃଥିବୀ ଖାଲି ଏକ ଅଳିଆ ଗଦା । ଜହ୍ନ ବିକଳାଙ୍ଗ ପରି ଚାହେଁ । ଏମାନେ ବିଶ୍ୱରେ ମଧୁ ଦେଖନ୍ତି ନାହିଁ । ବିଶ୍ୱ ମଧୁ ଚାଖିବାର ସୌଭାଗ୍ୟ ଏମାନଙ୍କର ନାହିଁ । ଏମାନେ ବିଶ୍ୱକୁ ହରାଇ ଦେଇଛନ୍ତି ନିଜ ନିଜର ଜଞ୍ଜାଳ ଭିତରେ । ସବୁ ଅଛି ପୃଥିବୀରେ । ଫରକ ହେଲା ନଦୀର ଲଳିତ ପ୍ରବାହ ବଦଳରେ ଆମେ ପୋଲକୁ ଆଦର କରୁ । ବାଃ କ’ଣ କାମ ହେଇଛି ମ! ତିରିଶ ମିନିଟରେ ଭୁବନେଶ୍ୱରରୁ କଟକ । ମହାନଦୀ ତ ଏକ ଭୋକିଲା ଶୋଷିଲା ନଦୀ, କାଠଯୋଡ଼ିକୁ କିଏ ମନେରଖେ? ଛି ଛି କି ନାଁ! କାଠଯୋଡ଼ି, କୁଆଖାଇ, କୋଚିଲାଖାଇ... ବଂଶଧାରା, ସୁବର୍ଣ୍ଣରେଖା ଲୋକଙ୍କର ମନେ ପଡ଼େନାହିଁ ।
କିନ୍ତୁ ଗଙ୍ଗାଧର ମେହେର ଦେଖିଥିଲେ ଜୀବନ ସାଧନା ଭିତରେ ହତାଶା ଦଂଗାର କାଳିମା ବାହାରେ ଦିବ୍ୟ ପୃଥିବୀର ମଧୁ । ଚାଖିଥିଲେ ଶବ୍ଦରେ, ଛନ୍ଦରେ, ସ୍ୱରବିତାନରେ । ମଣିଷ ତାଙ୍କ ପାଇଁ ଅମୃତସ୍ୟ ପୁତ୍ରଃମୁଁ ତ ଅମୃତ ସାଗର ବିନ୍ଦୁ କହିବାର ଦେବତ୍ୱ ଥିଲା ତାଙ୍କ ପାଖରେ । ମଣିଷର ବଡ଼ପଣ, ପୃଥବୀର ମହାନ ରୂପ ଦେଖିଥିଲେ ଗଙ୍ଗାଧର । ଲୁହଜକା ଆଖିରେ ମଧ୍ୟ ସେ ଚିହ୍ନିପାରିଥିଲେ ଜୀବନ ସୁଗନ୍ଧି ନିଜର ପୂତିଗନ୍ଧମୟ ଦିନଚର୍ଯ୍ୟାରେ । ଦରିଦ୍ରତା ପଙ୍କ ତାଙ୍କ ଜୀବନ ସରରେ ପଦ୍ମ ଫୁଟାଇଥିଲା । ସେ ବିଶ୍ୱକୁ ଦେଖିଥିଲେ ନିଜ ଭିତରେ ଓ ବାହାରେ । ଆମେ ଦେଖିପାରୁନାହୁଁ³ କାରଣ ଆମେ ଯେଉଁ କାଚଘର ତୋଳିଛୁ ସୂର୍ଯ୍ୟ ତାହା ଭେଦିପାରୁନାହିଁ । ଚନ୍ଦ୍ର ପଶିପାରୁନାହିଁ ଆମ ଝରକା ପାଖ ଖଟରେ- ଆମେ ବିଶ୍ୱର ମାଲିକ ବନିଯାଇଛୁ । ତେଣୁ ଉପେକ୍ଷା କରୁଛୁ ମହାବିଶ୍ୱର ଭାବବିଭାବକୁ । ଆମେ ଅମୃତ ଖୋଜିନାହୁଁ, ବିଷରେ ଆମେ ମଦମସ୍ତ- ଆମ କମ୍ପୁଟର ପରଦାରେ, ଟିଭି ପରଦାରେ ବିଶ୍ୱରେ କାଗଜର ଫୁଲ ଉପରେ ଏଭନ ଅତର- ବାଃ କି ଆନନ୍ଦ!