ପ୍ରକୃତ କଥାଟି ଏଇ ଯେ, ଭାଷା ଏକ ରାଜନୈତିକ କୂଟର ଶିକାର । ଯେଉଁମାନେ ବିଶ୍ୱର ବୌଦ୍ଧିକ ଅଧିଗ୍ରହଣକୁ ପ୍ରଭୁତ୍ୱ ପ୍ରତିଷ୍ଠାର ସଂକେତ ବୋଲି ଭାବନ୍ତି ସେମାନେ ନିଜ ଭାଷା, ସଂସ୍କୃତି ଓ କୀର୍ତ୍ତିଗାଥାକୁ ଧୁଆପୋଛା, ଫେରବଦଳ, ମରାମତି କରି, ତାକୁଇ କେନ୍ଦ୍ରରେ ରଖି ସାରା ବିଶ୍ୱର ସାଂସ୍କୃତିକ ଅସ୍ତିତ୍ୱକୁ ଜବରଦସ୍ତି ତାହାରି ଚାରିଆଡ଼େ ଘୂରାନ୍ତି ।

ସବୁ ଇଣ୍ଡୋ ସାଙ୍ଗେ କାହିଁକି ୟୁରୋପିଆନ ଯୋଡ଼ାହୁଏ, କେବେ ଭାବିଚନ୍ତି? ବିଶେଷତଃ ସବୁ ମୌଳିକ ସଭ୍ୟତା ଓ ଭାଷା ସନ୍ଦର୍ଭରେ ଯାହା ଭାରତୀୟତାର ଶ୍ରେଷ୍ଠ ତାହା ସହିତ ୟୁରୋପିଆନ ଯୋଡ଼ା ହେବ କାହିଁକି?
ଆର୍ଯ୍ୟମାନେ ଇଣ୍ଡା-ୟୁରୋପିଆନ କାହିଁକି? ମଝିରେ ପୁଣି ଇରାନ ପଶିଲା କାହିଁକି? ପାର୍ସିଆନ ଭାଷାରେ ଆର୍ଯ୍ୟ ଶବ୍ଦର ବିବିଧ ଅପଭ୍ରଂଶ ପଶିବାର ଅର୍ଥ କ’ଣ ଏଇଆ ଯେ ସଂସ୍କୃତ ଗୋଟେ ମିଶ୍ର ଭାଷା । ମୋନିଅର ୱିଲିଅମ୍ସଙ୍କ ସଂସ୍କୃତ-ଇଂରେଜୀ ଅଭିଧାନରେ ଦଶ ବାରଟା ଶବ୍ଦର ଉଚ୍ଚାରଣଗତ ସାମ୍ୟ ଯଥେଷ୍ଟ କହିବାପାଇଁ ଯେ ଲାଟିନ ସାଙ୍ଗେ ସଂସ୍କୃତର ସମ୍ପର୍କ, ତେଣୁ ଏହା ଇଣ୍ଡୋ-ୟୁରୋପିଆନ?
ଦୁଃଖ ଲାଗେ, ଲଜ୍ଜା ବି ଲାଗେ ଆମର ଗୁଣୀ ପିତୃପୁରୁଷ କି କଳଙ୍କକୁ ମୁକୁଟ କଲେ! ଆମକୁ ଦରିଦ୍ର ଭାବିଦେଲେ ବି ଉତ୍ତରାଧିକାରରେ । ଏବେ କେମିତି ଜାଣିବା ସତ୍ୟ କ’ଣ? ଜଣେ ସାଧାରଣ ଅନୁସନ୍ଧିତ୍ସା ରଖୁଥିବା ଭାରତୀୟ ଭାବରେ ମୁଁ ଇଣ୍ଡୋ-ୟୁରୋପିଅନର ତର୍କ ପାଇନାହିଁ । ସଂସ୍କୃତ ଓ ତାମିଲ ଲାଟିନ ଓ ଗ୍ରୀକଠାରୁ ବହୁ ପୁରୁଣା । ଆର୍ଯ୍ୟ-ଦ୍ରାବିଡ଼ ସମ୍ପର୍କ ଆମର ସଭ୍ୟତାର ମୂଳ ପାଠ । ଏ ଲାଟିନ- ଗ୍ରୀକ ଯୋଡ଼ି ହେଇ ବାଜି ନିଜ ଆଡ଼କୁ ଢଳେଇବା ପାଇଁ ଅଇଲେ କୁଆଡ଼ୁ? ଏଥେନ୍ସରେ କ୍ଲାସିକାଲ ଭାଷାର ଜଣେ ବିଦ୍ୱାନ, ଯାହାଙ୍କୁ ମୁଁ ଜେନେଭାରେ ଥିଲାବେଳେ ଅଳ୍ପ ଜାଣିଥିଲି, ତାଙ୍କୁ ଏ ବିଷୟରେ ପଚାରିଥିଲି । ସେ ଏଭଳି ଏକ ଉତ୍ତର ଦେଲେ ଯାହାର ସ୍ପଷ୍ଟତା ଓ ତୀକ୍ଷ୍ଣତା ମତେ କଷ୍ଟଦେଲା । ସେ ଯାହା କହିଲେ ତାର ସିଧାସଳଖ ଅର୍ଥ ଏଇଆ ଥିଲା ଯେ, ସଂସ୍କୃତ ବିଶ୍ୱର ଶ୍ରେଷ୍ଠ ଭାଷା, କିନ୍ତୁ ଭାରତ ବିଶ୍ୱର ରାଜନୈତିକ କେନ୍ଦ୍ର ନୁହେଁ । ୟାର ତାତ୍ପର୍ଯ୍ୟ ତତ୍କ୍ଷଣାତ ବୁଝିହେଲା । ପ୍ରକୃତ କଥାଟି ଏଇ ଯେ, ଭାଷା ଏକ ରାଜନୈତିକ କୂଟର ଶିକାର । ଯେଉଁମାନେ ବିଶ୍ୱର ବୌଦ୍ଧିକ ଅଧିଗ୍ରହଣକୁ ପ୍ରଭୁତ୍ୱ ପ୍ରତିଷ୍ଠାର ସଂକେତ ବୋଲି ଭାବନ୍ତି ସେମାନେ ନିଜ ଭାଷା, ସଂସ୍କୃତି ଓ କୀର୍ତ୍ତିଗାଥାକୁ ଧୁଆପୋଛା, ଫେରବଦଳ, ମରାମତି କରି, ତାକୁଇ କେନ୍ଦ୍ରରେ ରଖି ସାରା ବିଶ୍ୱର ସାଂସ୍କୃତିକ ଅସ୍ତିତ୍ୱକୁ ଜବରଦସ୍ତି ତାହାରି ଚାରିଆଡ଼େ ଘୂରାନ୍ତି ।
ୟୁରୋପୀୟଙ୍କ ପାଇଁ ୟାର ସରଳତମ ଉପାୟ ଥିଲା ସବୁଥିରେ ୟୁରୋ ପ୍ରବେଶ କରାଇବା । ଏଥିପାଇଁ ସେମାନେ ବୁଦ୍ଧିଜୀବୀ, ଲେଖକ, ରାଜନୈତିକ ବ୍ୟକ୍ତିତ୍ୱ, ସାଂସ୍କୃତିକ ବ୍ୟକ୍ତିତ୍ୱ, କଳାକାର ଓ ଐତିହାସିକ ଗୋଷ୍ଠୀ ତିଆରି କଲେ । ପାଠ ନିର୍ମାଣ କଲେ । ଦୁଇଶହ ବର୍ଷ ଭିତରେ ନିଜର ପତିଆରା ପ୍ରତିଷ୍ଠିତ କରିଦେଲେ । ତାପରେ ତାଙ୍କର ଅତିକଳ୍ପନା ବି ସତ୍ୟ ଓ ତଥ୍ୟରେ ଗଣାହେଲା । ଅଲଂଘନୀୟ ହେଲା । ପରବର୍ତ୍ତୀ କାଳରେ ୟାକୁ ଧରିରଖିବା ପାଇଁ ସମର୍ଥକ ପାଠ ନିର୍ମାଣ, ଗବେଷଣା, ଜ୍ଞାନ ବିତରଣ ଓ ସଂକ୍ରମଣ ଚାଲିଲା । ଏବେ ଲିବେରାଲ ବୁଦ୍ଧିଜୀବୀ ସମସ୍ତେ ମନେକରନ୍ତି ଯେ ୟୁରୋ- ଆମେରିକାନ ବିକାଶଧାରା, ମାନବମୂଲ୍ୟ, ଶିକ୍ଷା, ଗବେଷଣା, ଜ୍ଞାନ-ବିଜ୍ଞାନ, ମାନବାଧିକାର, ଗଣତନ୍ତ୍ର, ବ୍ୟବସ୍ଥା, ବ୍ୟବସାୟ ଏପରିକି ବୁଦ୍ଧି, ଅତିବୁଦ୍ଧି, ଯୁଦ୍ଧାସ୍ତ୍ର, ବ୍ୟୋମବିଜୟ ଓ ସ୍ୱପ୍ନଦର୍ଶନରେ ବି ସେମାନେ ସର୍ବମାନ୍ୟ ଓ ଅଗ୍ରଗଣ୍ୟ । ପୃଥିବୀର ଧ୍ୱଂସ ଓ ବିଶ୍ୱର ଅମାନବୀୟ ଅସନ୍ତୁଳନ ପାଇଁ ସେମାନେ ଦାୟୀ ବୋଲି ସମସ୍ତେ ମାନିଲେ ବି କେହି କହୁନାହାନ୍ତି ତ! ଏବେ ଭାରତର ଆନ୍ତର୍ଜାତିକ ଉଦୟ ପରେ କଥା ରହିଚି ବିଶ୍ୱର ଭବିଷ୍ୟତରେ । ଭାରତ ଭୟର କାରଣ ହେଇଚି, କାରଣ ୟାର ପ୍ରତିଷ୍ଠା ଥରେ ସର୍ବମାନ୍ୟ ହେଇଗଲେ ବିଶ୍ୱର ମାନବ ସଂସ୍କାର ବଦଳିବ । ସମୟ ସଭ୍ୟତାମନସ୍କ ହେବ ।
ଏହିଭଳି ସମୟରେ ଚାର୍ଲସ ଆଲେନଙ୍କର ‘ଆର୍ଯ୍ୟାନ୍ସ' (୨୦୨୩, ହାଚେଟ୍ ଇଣ୍ଡିଆ) ପଢ଼ିଲି । ଅତି ବେଶି ଗୁରୁତ୍ୱ ନଦେଇ କେତେଗୁଡିଏ କଥା କହିବି ବୋଲି ଭାବିଥିଲି, କିନ୍ତୁ ବହିର ଉପସଂହାର ଯାଏଁ ଆସିବାବେଳକୁ ସେ ଆଗ୍ରହ ଚାଲିଗଲା । ଉପସଂହାର ଉଦ୍ଧାର କରୁଚି: "ଜୀବକୋଷଗତ ପ୍ରମାଣରୁ ଜଣାପଡୁଛି ଯେ, ଏ ଆର୍ଯ୍ୟ ଲୋକଗୁଡ଼ା ଯାଯାବର ଥିଲେ ଓ ଦଶହଜାର ବର୍ଷର ଜୈବ ଇତିହାସର ଜୀବନକାଳ ଭିତରେ କଦାପି ‘ଶୁଦ୍ଧପ୍ରଜନ୍ମ' ବା ‘ପିଓର ବ୍ରିଡ’ ନଥିଲେ । ଏମାନେ ଅନ୍ୟ କାହାସଙ୍ଗେ ମିଶନ୍ତି ନାହିଁ, ଏମାନେ ଅଲଗା, ଏଇଟା ମିଛ । ତୃଣଭୂମିର ଏ ଯାଯାବରମାନେ ଗୋଟେ ବଡ଼ ଉପକାରୀ ଭାଷା ପାଇଗଲେ, ଯୋଉଟା ପ୍ରୋଟୋ-ଇଣ୍ଡୋ-ୟୁରୋପୀୟ । ଏହି ଯାଯାବର ଗୋଷ୍ଠୀର ତିଷ୍ଠି ରହିବାର ସଫଳତା ଯୋଗୁଁ ଭାଷାଟା ବି ପ୍ରସାରିତ ହୋଇଗଲା’ ।
ଆମେ କାନ୍ଦିବା ନା ହସିବା ଏ ନିଷ୍କର୍ଷ ପଢ଼ି? ଆର୍ଯ୍ୟମାନଙ୍କ ବିଷୟରେ ଏ ଯେଉଁ ନିଷ୍କର୍ଷ, ସେଇଟା କେବଳ ଗୋଟେ ମତ ନା ଏକ ଗଭୀର ତଥ୍ୟ ଅନୁସନ୍ଧାନର ଫଳ? ସ୍ମରଣରେ ରହୁ ଯେ ବୋପ, ସ୍ଲେଗେଲ ଓ ମାକ୍ସମୁଲାର ବେଦ, ସଂସ୍କୃତପାଠ ଓ ବ୍ୟାକରଣର ଅଧ୍ୟୟନ, ଅନୁଶୀଳନ ତଥା ଅନୁବାଦ କାର୍ଯ୍ୟ ଅଷ୍ଟାଦଶ ଶତାବ୍ଦୀରେ କଲାବେଳକୁ ଆର୍ଯ୍ୟ ଶବ୍ଦର ଧ୍ୱନି ବହନ କରି ଯେଉଁ ଶବ୍ଦସବୁ ଥିଲେ ସେଗୁଡ଼ିକ ଅନ୍ତତଃ ବେଦର ହଜାର ବର୍ଷ ପରର । ହଠାତ୍ ଇଣ୍ଡୋ, ୟୁରୋପିଆନ, ଇରାନୀୟାନଙ୍କୁ ମିଶେଇ ଗୋଟିଏ ଉତ୍ସ ତିଆରିବାର କି ଆବଶ୍ୟକତା ଥିଲା? ବିଲ୍କୁଲ ନଥିଲା । ଏଇଟା ଗୋଟେ ବୌଦ୍ଧିକ ଅସାଧୁତା । ମାକ୍ସମୁଲାର ଗୋଟିଏ ମନ୍ତବ୍ୟ ଦେଇ ଅସୁବିଧାରେ ପଡ଼ିଗଲେ । ସେଥିରୁ ଉଧୁରିବାର ଏକମାତ୍ର ବାଟ ଥିଲା କଥା ଗୋଲେଇବା ତ ପଣ୍ଡିତ ମାକ୍ସମୁଲାର ସେଇଆ କଲେ । ମାକ୍ସମୁଲାରଙ୍କୁ ଇଷ୍ଟ ଇଣ୍ଡିଆ କମ୍ପାନୀ ନିଯୁକ୍ତ କରିଥିଲେ ଏଇଥିପାଇଁ ଯେ, ଭାରତୀୟଙ୍କ ଶାସ୍ତ୍ର କେତେ ବିକୃତ ଓ ନିମ୍ନସ୍ତରର ତାହା ପାଠ ଅନୁବାଦରୁ ପ୍ରମାଣିତ ହେଉ । କିନ୍ତୁ ମାକ୍ସମୁଲାର ପହଞ୍ଚିଗଲେ ଅଲଗା ନିଷ୍କର୍ଷରେ । ସେ ଲେଖିଲେ ଯେ ସବୁ ଜ୍ଞାନ, ସବୁ କଳା, ସବୁ ବିଜ୍ଞାନ, ସବୁ ଦର୍ଶନର ଉତ୍ସ ଆର୍ଯ୍ୟ ସଭ୍ୟତା । ୟୁରୋପକୁ ଆର୍ଯ୍ୟ ଶୁଦ୍ଧତା ଭାୟା ଜର୍ମାନୀ ଆସିବାର ବାଟରେ ପ୍ରତିବନ୍ଧକ ଆସିଗଲା ।
ମାକ୍ସମୁଲାର ନିଜର ସ୍ଥିତି ବଞ୍ଚେଇବା ପାଇଁ କଥା ଗୋଳେଇଲେ, ମିଛ ବି କହିଲେ । ବୋପ ସଂସ୍କୃତ ବ୍ୟାକରଣ ଉପର ଠାଉରିଆ ଯାହା ପଢ଼ିଲେ, ଯାହା ବୁଝିଲେ ସେଥିରୁ ଏଇଆ ବାହାର କଲେ ଯେ ସଂସ୍କୃତ, ଲାଟିନ ଓ ଗ୍ରୀକ ଭାଷାରେ ମୂଳ ଶବ୍ଦରୁ ଅର୍ଥାତ୍ ଗୋଟିଏ ଅର୍ଥବାଚୀ ଧ୍ୱନିରୁ ବହୁ ଶବ୍ଦ ନିର୍ମିତ ହୋଇପାରନ୍ତି । ଲାଟିନ, ଗ୍ରୀକ ଓ ସଂସ୍କୃତର ଶବ୍ଦରୂପ ଓ ଧାତୁରୂପ ତୁଳନୀୟ? କଦାପି ନୁହେଁ । ଉଭୟ ୟୁରୋପୀୟ ଓ ଭାରତୀୟ ଭାଷାବିଦ୍ମାନେ କୁହନ୍ତୁ ଲାଟିନ ଓ ଗ୍ରୀକରେ ତୁଳନୀୟ ଶବ୍ଦରୂପ ଓ ଧାତୁରୂପ ତିନି ଲିଙ୍ଗ, ଏକ/ଦ୍ୱି/ବହୁବଚନରେ ସମ୍ପନ୍ନ ହୁଏ କି? ସଂସ୍କୃତରେ ଗମ୍ ଧାତୁରେ କ୍ୱିପ ପ୍ରତ୍ୟୟ ଲାଗିଲେ ଜଗତ ହୁଏ ।mundus, orbis ବା terraeê earth, world ବା terrain କିଭଳି ନିଷ୍ପନ୍ନ ହୁଅନ୍ତି? କୃଦନ୍ତ ଓ ତଦ୍ଧିତ ବ୍ୟବହାରର ସୂତ୍ର ବା ନିୟମ କ’ଣ? ଅଳ୍ପଟିକେ କ’ଣ ଥାଇପାରେ, କିନ୍ତୁ ସଂସ୍କୃତ ଭଳି କଠୋର ନିୟମାନୁସାରୀ ତ ନୁହେଁ! ଓଡ଼ିଆରେ ତ ସଂସ୍କୃତଠାରୁ ଅଧିକ ବ୍ୟାପ୍ତି ।
ମୋଟାମୋଟି ଏତିକି କଥା ଯେ ଆର୍ଯ୍ୟ ଓ ସଂସ୍କୃତ ଏ ଦୁଇଟିଯାକ ସଭ୍ୟତା- ସଂକେତ କରାୟତ୍ତ ନକଲାଯାଏଁ ୟୁରୋପୀୟମାନେ ନିଜର ସଭ୍ୟତାକୁ ମୌଳିକ, ବିଶ୍ୱଶ୍ରେଷ୍ଠ ଓ ସର୍ବମୟ ବୋଲି କହିଥାନ୍ତେ କେମିତି । ତେଣୁ ମାକ୍ସମୁଲାରଙ୍କ ଶଂଖିଚିପି, ବୋପ୍ପାଙ୍କ କାନମୋଡ଼ି ସେମାନେ କୁହାଇଲେ ଯେ ଆର୍ଯ୍ୟମାନେ ଇଣ୍ଡୋଇରାନୀ ମୂଳ ସହିତ ଯୋଡ଼ା? କେମିତି? ଆର୍ଯ୍ୟ ଆସିଲେ ହଜାରେ ବର୍ଷ ପୂର୍ବରୁ, ସଂସ୍କୃତ ତାଙ୍କର । ହଜାରେ ବର୍ଷ ପରେ ଆସିଥିବା ଲୋକଙ୍କ ସାଙ୍ଗେ ବା ତାଙ୍କ ଭାଷା ସାଙ୍ଗେ ଆର୍ଯ୍ୟମାନଙ୍କର କି ସମ୍ପର୍କ? ଇଂରେଜୀ ମାଧ୍ୟମରେ ଭାଷାବିଜ୍ଞାନ ପଢ଼ିଥିବା ବହୁ ଇଣ୍ଡୋୟୁରୋପିଆନ ବିଦ୍ୱାନ, ଶିରୋପା, ପଗଡ଼ି ପିନ୍ଧି ଆମ ଭିତରେ ଅଛନ୍ତି । ସେମାନେ ଲୋକବିମର୍ଶରେ ତାଙ୍କର ବିଦ୍ବତ୍ତା ଦେଖାନ୍ତୁ, ସତ୍ୟ ଉଦ୍ଘାଟିତ କରନ୍ତୁ, ନଚେତ୍ ଭାରତ ସରକାର ସଂସ୍କୃତ ଓ ଆର୍ଯ୍ୟ ସଭ୍ୟତାର ପାଠ ରଚନା ମୌଳିକତାର ପୁନରାବିଷ୍କାର ଯୋଜନାରେ କରନ୍ତୁ । ଇଣ୍ଡୋ ଯଥେଷ୍ଟ, ୟୁରୋପିଆନ, ଇରାନୀୟାନ ଲାଗିବା ବିଭ୍ରାନ୍ତକାରୀ, ବର୍ଜ୍ୟ । ଆର୍ଯ୍ୟମାନେ ବି ଗୋରୁମାଂସ ଖାଉଥିଲେ, ମଦ ପିଉଥିଲେ, ମଧ୍ୟପ୍ରାଚ୍ୟରୁ ଆସିଥିଲେ, ତାଙ୍କର ଜୀବକୋଷ ଅଶୁଦ୍ଧ, ସେମାନେ ବର୍ଣ୍ଣସଙ୍କର, ତାଙ୍କ ଭାଷା ୟୁରୋପୀୟ ବା ଇରାନୀ, ଏମିତି କହି କହି ଗୋଟେ ସଭ୍ୟତାକୁ ମାରିଦେଲେ ସେମାନେ! ଏବେ ଆମେ ଭାରତୀୟମାନେ ଭାରତକୁ ଫେରିପାଇଲା ପରେ ସେମାନେ ପୁଣି ଆରମ୍ଭ କରିଚନ୍ତି ସେଇ ପୁରୁଣା ଚକ୍ରାନ୍ତ । ଏବେ ନୂଆ ଭୟ ଯେ ଉତ୍ତିଷ୍ଠିତ ଓ ଜାଗ୍ରତ ଭାରତ ତାଙ୍କ ହାତରୁ ସାଂସ୍କୃତିକ ପ୍ରଭୁତ୍ୱ ଛଡ଼େଇନେବ । ସ୍ୱାମୀ ବିବେକାନନ୍ଦ ଠିକ୍ ବୁଝିଥିଲେ ଓ ଆମକୁ ବୁଝେଇବାକୁ ଚାହିଁଥିଲେ ।
ଆମର ତଥାକଥିତ ଉଦାରବାଦୀ ଚିନ୍ତକମାନେ ପାଠବହି, ସଭା, ଭାଷଣ, ମିଡିଆ ସବୁଠି ବସି ଆମକୁ ନ୍ୟୂନ କଲେ । ଆମେ ଆମର ନ୍ୟୂନତା ସ୍ୱୀକାର କରିନେଲୁ । ଇଂରାଜୀ କ’ଣ ସଂସ୍କୃତ ଓ ତାମିଲ ସହିତ ତୁଳନୀୟ? ନା କଳା, ଭାସ୍କର୍ଯ୍ୟ ନା ସଂଗୀତ, ନା ହସ୍ତଶିଳ୍ପ ନା କାଳ୍ପନିକ ସାହିତ୍ୟ, ନା ନୀତି ନା ଆଚାର ନା ଶୀଳ ନା ଶୁଦ୍ଧତା ନା ମେଧା ନା ସ୍ମୃତି, କୋଉଥିରେ ସେମାନେ ଆମଠାରୁ ଅଧିକ ଉନ୍ନତ ବା ସମ୍ଭ୍ରାନ୍ତ ନୁହଁନ୍ତି । ମୁଁ ଦୁର୍ଭାଗ୍ୟକୁ ବା ସୌଭାଗ୍ୟକୁ ସେମାନଙ୍କ ସହିତ ଦଶବର୍ଷ ରହିଚି, ଅନ୍ତତଃ କୋଡ଼ିଏ ବର୍ଷ ହେଲା ତାଙ୍କୁ ଦେଖୁଚି, ତାଙ୍କ ପାଠ ଅନୁଧ୍ୟାନ କରୁଚି । ହୁଅନ୍ତୁ ସେମାନେ ବିଜ୍ଞାନ ଓ ପ୍ରଯୁକ୍ତିରେ ଧୁରନ୍ଧର । ଆମ ବିଜ୍ଞାନ ଓ ପ୍ରଯୁକ୍ତି ଯେତିକି ଜରୁରି ସେତିକି । ଯୁଧିଷ୍ଠିରଙ୍କ ସିଂହାସନ ଓ ରାଜସଭାର ନିର୍ମାତା ଥିଲା ମୟ ଦାନବ । ଦାନବ ତାଙ୍କ କାମ କରନ୍ତୁ ଆମେ ସଭ୍ୟତାର ପାଠ ନିର୍ମାଣ କରିବା, ପୃଥିବୀକୁ ବଞ୍ଚେଇବା । ଆର୍ଯ୍ୟ ସଭ୍ୟତା ଆମର, ଦ୍ରାବିଡ଼ ସଭ୍ୟତା ଆମର । ଆମେ ସଭ୍ୟତାର ନିର୍ମାତା, ଧ୍ୱଂସକାରୀ ନୁହଁ । ସଭ୍ୟତାର ନିର୍ମାତା ଆର୍ଯ୍ୟ, ଧ୍ୱଂସକାରୀ ଅନାର୍ଯ୍ୟ, ଏଥିରେ ଆଉ ସନ୍ଦେହ ନାହିଁ ।