ଆମେ ଭାରତୀୟମାନେ ମାତା ଓ ସନ୍ତାନ ଭିତରେ ଥିବା କରୁଣାର ଉପାଦାନକୁ ଆମର ଭାରତୀୟତା ଓ ଆମର ବତ୍ସଳତା ବୋଲି ଭାବିଛେ କି? ଭାରତୀୟର ପାତ୍ରତ୍ୱ ସମ୍ବିଧାନ ଓ ନାଗରିକତାର ଊଦ୍ଧ୍ୱର୍ରେ ଏକ ମାନସିକତା ଯାହାକୁ ଭୋଗିବାକୁ ପଡ଼େ, ଯାହାକୁ କୁଣ୍ଢେଇ ଧରି କାନ୍ଦିହୁଏ, ହସିହୁଏ, ଯାହାପାଇଁ ଜୀବନ ଉତ୍ସର୍ଗ କରିହୁଏ ।
ପ୍ରସଙ୍ଗର ତାତ୍ପର୍ଯ୍ୟ ସ୍ପଷ୍ଟ କରେ ପ୍ରଥମେ । ଜଣେ ଭାରତୀୟ ଭାରତରେ ଜନ୍ମେ, ସଂସାର କରେ, ସ୍ଥାନୀୟ ବାସ୍ତବତାରେ ଲିପ୍ତ ହୁଏ, ତାକୁ ଭୋଗେ ଓ ଶେଷରେ ଯାଏ । ତାର ଯିବାବେଳକୁ ତାର ପିଲାମାନେ ସଂସାର କରୁଥାନ୍ତି, ଭୋଗୁଥାନ୍ତି ଜୀବନ । ସେମାନେ ବି ସଂସାର ଛାଡ଼ନ୍ତି, ଆଉ ଗୋଟେ ପିଢ଼ି ଆସେ । ଏମିତି ଚାଲିଥାଏ । କେହି ପଚାରେନି ବ୍ୟକ୍ତି ଭାବରେ ପିଢ଼ି ପରେ ପିଢ଼ି ଏମାନେ ଭାରତୀୟତାକୁ କିଭଳି ସ୍ମରଣ କରନ୍ତି । କେତେ ଭାରତୀୟ ଜାଣନ୍ତି ଯେ ସେମାନେ କେବଳ ମଣିଷ ନୁହଁନ୍ତି, ଏମାନେ ଗୋଟିଏ ବିଶେଷ ସଂସ୍କୃତି, ପରମ୍ପରା, ଇତିହାସ ଓ ଜୀବନମୂଲ୍ୟର ବାହକ । କେତେ ଭାରତୀୟ ଜାଣନ୍ତି ଯେ ସେମାନେ ଓ ସେମାନଙ୍କ ପିତୃପୁରୁଷ ଏ ଦେଶରେ ଜନ୍ମିବା ସହିତ ଗୋଟିଏ ଅକଥିତ ପରମ୍ପରା ନିରବରେ ତାଙ୍କୁ ହସ୍ତାନ୍ତରିତ କରିଦିଆଗଲା । କେହି କାହାକୁ ଡାକିବଜାଇ ଦେଲାନାହିଁ କି ନେଲାନାହିଁ, ଇଏ ଆପେ ଘଟିଲା । ପ୍ରବାସୀମାନଙ୍କ ଜୀବନରେ ଏ କ୍ରିୟା ଘଟେନାହିଁ । ମୂଳନିବାସୀ ଓ ଦୀର୍ଘପ୍ରବାସୀଙ୍କ ଭିତରେ ଗୋଟେ ପାର୍ଥକ୍ୟ ବରାବର ରହିଚାଲେ, ଯାହା ତାଙ୍କର ପାତ୍ରତ୍ୱର ପ୍ରକୃତି ସୁନିର୍ଦ୍ଦିଷ୍ଟ କରେ ।
ଦେଶନିବାସୀ ଜଣେ ବ୍ୟକ୍ତିର ପାତ୍ରତ୍ୱ କ’ଣ, ସେ ପାତ୍ରତ୍ୱର ପ୍ରକୃତି ପୁଣି କ’ଣ? "ନେସନ ଷ୍ଟେଟ’ର ପରିକଳ୍ପନା ଆଗରୁ ଯେତେବେଳେ କ୍ଷେତ୍ର ଥିଲା, ମୁଲକ ଥିଲା, ରାଜ୍ୟ ଥିଲା ସେତେବେଳେ ପାତ୍ରତ୍ୱର ଗୋଟେ ମିଥକୀୟ ଚରିତ୍ର ଥିଲା । ଯଦି ଜଣେ କହୁଥିଲା ସେ ମିଥିଳାର, ତେବେ ମିଥିଳାର ସାଂସ୍କୃତିକ ସମ୍ପନ୍ନତା, ରାଜତ୍ୱର ପରାକାଷ୍ଠା ଓ ସାଧାରଣ ଲୋକଜୀବନର ଖ୍ୟାତିକୁ ନେଇ ଲୋକେ ତାକୁ ସମ୍ମାନ ଦେଉଥିଲେ ବା ଗ୍ରହଣ କରୁଥିଲେ । ବିସ୍ମୟର କଥା ଯେ ଭାରତୀୟ ରାଜତନ୍ତ୍ରରେ ଅସମ୍ପନ୍ନ, ଅସାଂସ୍କୃତିକ, ଦରିଦ୍ର ଓ ଦୁର୍ବଳ ଲୋକ ସମ୍ପ୍ରଦାୟଙ୍କର ରାଜ୍ୟ ନଥିଲା । ରାଜା ଦୁର୍ବଳ ହେଲାମାତ୍ରେ ନିକଟତମ ସବଳ ରାଷ୍ଟ୍ର ତାକୁ ଅଧିକାର କରିନେଉଥିଲେ । ଶୋଷକ ଓ ପାଷାଣ୍ଡ ରାଜପଣ ଘୃଣାର ବିଷୟ ଥିଲା । ଅଳ୍ପ କିଛି କିମ୍ବଦନ୍ତୀୟ ବ୍ୟତିକ୍ରମକୁ ଛାଡିଦେଲେ ମୋଟାମୋଟି ଆର୍ଯ୍ୟ ଭାରତରେ ସବୁ ରାଜା ଥିଲେ କ୍ଷେତ୍ରାଧିକାରକୁ ଈଶ୍ୱରଙ୍କ ଦାନ ମନେ କରୁଥିବା ଧର୍ମଭୀରୁ ଲୋକ । ସବୁ ରାଜ୍ୟ ଥିଲେ ଧର୍ମୀୟ (ସନାତନୀ, ବୌଦ୍ଧ, ଜୈନ) ।
ଧର୍ମନିରପେକ୍ଷତାର ଅର୍ଥ ନଥିଲା, କାରଣ ବିନା ଧର୍ମର ଜୀବନ ବା ଧର୍ମ-ଅପ୍ରଭାବିତ ରାଷ୍ଟ୍ରର କଳ୍ପନା ନଥିଲା । ଅଷ୍ଟମ ଶତାବ୍ଦୀ ସୁଦ୍ଧା ବୌଦ୍ଧ ଓ ଜୈନ ଜନପଦ ଓ ରାଷ୍ଟ୍ର ସବୁ ଲୁପ୍ତ ହୋଇଗଲେ । ତାର ଗୋଟିଏ ବଡ଼ କାରଣ ଥିଲା ମାଟିର ଉପଜ, ମାଟିରେ ଲିପ୍ତ ସାଧାରଣ ମଣିଷଙ୍କର ପାତ୍ରତ୍ୱର ବିଲୟ । ଜଣେ ବୌଦ୍ଧ ବା ଜୈନ ଧର୍ମାବଲମ୍ବୀର ପାତ୍ରତ୍ୱ ମୃତ୍ତିକା ବା ପ୍ରାକୃତିକ ଜୀବନରୁ ବିଚ୍ୟୁତ ଏକ ନୈତିକ ଗଢ଼ଣ ଥିଲା, ଯାହା ସନାତନ ଧର୍ମର ବ୍ୟାପ୍ତି ଆଗରେ ତିଷ୍ଠି ପାରିଲା ନାହିଁ । ବିଶ୍ୱରେ ବୌଦ୍ଧ ରାଷ୍ଟ୍ରଗୁଡ଼ିକର ରାଜନୈତିକ ଇତିହାସ ପ୍ରମାଣ କରନ୍ତି ଯେ, ପ୍ରତୀକାଚାରରେ ଗ୍ରସ୍ତ ବିଳମ୍ବିତ ବୌଦ୍ଧ ରାଜଧର୍ମ ସ୍ୱବିରୋଧରେ ଜଟିଳ, ଅର୍ଥହୀନ ଓ ପାତ୍ରତ୍ୱ ବର୍ଜିତ ହୋଇଯାଇଥିଲା । ସେଇଠି ସନାତନ ଧର୍ମ ବହୁ ପନ୍ଥା, ବହୁ ଆସ୍ଥା ଓ ବହୁ ପୌତ୍ତଳିକ ନିର୍ମାଣ ଭିତରେ ଅବିନାଶୀ ଈଶ୍ୱରତତ୍ତ୍ୱକୁ ବଞ୍ଚେଇରଖି ବିପୁଳ ଶାସ୍ତ୍ର ଓ ବ୍ୟାଖ୍ୟାନମାନଙ୍କୁ ଲୋକମାର୍ଗରେ ପରିଚାଳିତ କରି ତିଷ୍ଠି ରହିଲା ଉଭୟ ରାଜଧର୍ମ ଓ ମାନବ ଧର୍ମ ଭାବରେ । ତାହା ହିଁ ହେଲା ଲୋକଧର୍ମ ସହିତ ରାଜଧର୍ମର ସଂଯୋଗ ତତ୍ତ୍ୱ ।
ଏଥିରେ ଧର୍ମନିରପେକ୍ଷତାର ଆଧୁନିକ ବ୍ୟାଖ୍ୟାନ ପାଇଁ ଜାଗା ନଥିଲା । ସେକ୍ୟୁଲାରିଜମ ବା ଧର୍ମନିରପେକ୍ଷତାର ପ୍ରୟୋଗ ଖ୍ରୀଷ୍ଟିଆନ ଥିଓଲୋଜି ବା ଧର୍ମତତ୍ତ୍ୱରେ ଚର୍ଚ୍ଚ ଓ ରାଷ୍ଟ୍ର ଅଲଗା ହେବାର ତତ୍ତ୍ୱରେ ଯେଭଳି ଚର୍ଚ୍ଚିତ ହେଲା ସେଥିରେ ରାଜନୀତି ଥିଲା ଅଧିକ । ବସ୍ତୁତଃ ଏଥିରେ ଧର୍ମର ରାଜନୀତି ଜିଣିଲା । ଧର୍ମତନ୍ତ୍ର ଯେ ରାଜତନ୍ତ୍ର ଠାରୁ ଅଧିକ ଶକ୍ତଶାଳୀ ତାର ପ୍ରମାଣ ସେଇମାନେ ହିଁ ଦେଇଛନ୍ତି, ଯେଉଁମାନେ ଧର୍ମନିରପେକ୍ଷ ରାଷ୍ଟ୍ରତତ୍ତ୍ୱର ବ୍ୟାଖ୍ୟାନ ନିର୍ମାଣ କରିଛନ୍ତି । କୌଣସି ପାଶ୍ଚାତ୍ୟ ରାଷ୍ଟ୍ର ଧର୍ମନିରପେକ୍ଷ ନୁହଁନ୍ତି ।
ଖ୍ରୀଷ୍ଟିଆନକ୍ୟାଥାଲିକ ବା ଇସ୍ଲାମିକ ସମାଜରେ ରାଷ୍ଟ୍ରଗୁଡ଼ିକ ବି ଆନ୍ତରିକ ସଂରଚନାରେ ଧର୍ମୀୟ, ଯଦିଓ ଏକଥା ଉଚ୍ଚସ୍ୱରରେ ସମସ୍ତେ କହନ୍ତି ନାହିଁ । ଆମେ ନିଜକୁ ଧର୍ମନିରପେକ୍ଷ କହିବା ସହିତ ଧର୍ମକୁ ସତେବା ମାନବବିରୋଧି, ଅବୈଜ୍ଞାନିକ, ତର୍କବହିର୍ଭୂତ ବୋଲି ପ୍ରମାଣିତ କରିବା ପାଇଁ ଲାଗିପଡିଛୁ । ଏଇଆ କରି କରି ଆମେ ଆମ ସମ୍ବିଧାନକୁ କଠୋର ନିୟମ ସାରଣୀରେ ପରିଣତ କରିସାରିଲୁଣି । କୋଉ ପୃଷ୍ଠଭୂମିରେ ଆମେରିକାନ ବା ଆଇରିଶ ସମ୍ବିଧାନ ସେକ୍ୟୁଲାର ହେଲେ ଓ କୋଉ ପୃଷ୍ଠଭୂମିରେ ଆମ ସମ୍ବିଧାନ ସେକ୍ୟୁଲାର ବୋଲାଇଲା ତାର ଅଧ୍ୟୟନରୁ ଦିଶିବ ଯେ, ସେମାନଙ୍କ ସେକ୍ୟୁଲାର ଥିଲା ଚର୍ଚ୍ଚ-ରାଷ୍ଟ୍ର ଶକ୍ତି ପରୀକ୍ଷାର ସମାଧାନ । ଆମ ପାଇଁ ସେଭଳି କୌଣସି ସମସ୍ୟା ନଥିଲା, ତଥାପି ଆମେ ନିଜକୁ ସେକ୍ୟୁଲାର ଘୋଷିତ କରିଦେଲୁ । ଏହାର ପରିଣତି ଏଇଆ ହେଲା ଯେ, ଆମେ ଆମ ରାଷ୍ଟ୍ରକୁ ମୂଳରୁ ଖଣ୍ଡିତ ଓ ପୂର୍ବାଗ୍ରହମଣ୍ଡିତ କରିଦେଲୁ । ରାଷ୍ଟ୍ର କେବଳ ରାଷ୍ଟ୍ର, ସାର୍ବଭୌମ ଓ ସ୍ୱତନ୍ତ୍ର । ସମସ୍ତ ପ୍ରକାରର ଖଣ୍ଡନ ଓ ମଣ୍ଡନରୁ ମୁକ୍ତରଖି ରାଷ୍ଟ୍ରର ସ୍ୱଧର୍ମ ସୁରକ୍ଷିତ ରଖିବା ଉଚିତ ନୁହେଁ କି? ଭାରତୀୟଙ୍କ ପାଇଁ ତାଙ୍କ ସମ୍ବିଧାନ ।
ଭାରତର ଜ୍ଞାନ ପରମ୍ପରାରେ ନ୍ୟାୟ ନିଜେ ଏକ ଶାସ୍ତ୍ର, ଏହା ଧର୍ମନିର୍ଭର ନୁହେଁ । ଧର୍ମ ତା’ ଜାଗାରେ, ନ୍ୟାୟ ତା’ ଜାଗାରେ । ପ୍ଲାଟୋ ଜଷ୍ଟିସ୍ର ଆଲୋଚନାରେ ଧର୍ମକୁ ଅଲଗା ରଖିପାରିନାହାଁନ୍ତି, କିନ୍ତୁ ଆମର ନ୍ୟାୟରେ ଧର୍ମର ପ୍ରବେଶ ନାହିଁ । କହିବାରେ ଦ୍ୱିଧାନାହିଁ ଯେ, ଭାରତୀୟଙ୍କ ସ୍ୱାଭାବିକ ପାତ୍ରତ୍ୱକୁ ଗ୍ରେକୋରୋମାନ ଆଧୁନିକୀକରଣ ନଷ୍ଟ କରିଛି । ଏବେ ନିଜ ସଂସ୍କାର ଓ ସଭ୍ୟତା ସହିତ ଆମର ପରିଚୟ ଆମର ଐନ୍ଦ୍ରୀୟ ଅନୁଭବର ଅଂଶ ନହୋଇ କିଛି ଜାତୀୟ ସ୍ମୃତି ଓ କିଛି ବୌଦ୍ଧିକ ଆବାହନରେ ଆସି ରହିଲାଣି । ସାତହଜାର ବର୍ଷର ଅଚେତନ ଓ ଅବଚେତନ ଜଳକ୍ଷମ ଏକ ଶୁଷ୍କନଦୀ ଭଳି ଆମର ସଚେତ ଜ୍ଞାନର ପ୍ରବାହ ତଳେ ପଡ଼ିରହିଚି ଏଯାଏଁ । ଏତେ ସହଜରେ ଇଏ ଲିଭିବାର ନୁହେଁ, କିନ୍ତୁ ଆମର ଦେଶ, ମାଟି, ମାତୃକଳ୍ପା ପ୍ରକୃତି ଏସବୁକୁ ନେଇ ଯେଉଁ ଆବେଗ ସଂଚାର ଆମର ଐନ୍ଦ୍ରୀୟ ଉପସ୍ଥିତିର ପ୍ରମାଣ ସେଗୁଡ଼ିକ ମଳିନ ପଡ଼ିଆସିଲେଣି । କିଛି ତ ଜୀବନର ବିଡ଼ମ୍ବନା ଅଛି ଏଥିରେ, କିନ୍ତୁ ମୁଖ୍ୟତଃ ଗୋଟିଏ ଦ୍ରୋହୀ ବସ୍ତୁସର୍ବସ୍ୱ ବଜାରରେ ଆମେ ଆମର କ୍ରୟଶକ୍ତିର ସ୍ୱଳ୍ପତା ଓ ଅସନ୍ତୋଷରେ ବନ୍ଦୀ । ତେଣୁ ଜଣେ ଭାରତୀୟ ଭାବରେ ଦେଶରେ ଆମର ପାତ୍ରତ୍ୱକୁ ଜାଣିବା କେମିତି?
କେତେ ସାଧାରଣ ଭାରତୀୟ ଜାଣନ୍ତି ସେମାନେ ଭାରତୀୟ ରାଷ୍ଟ୍ରର ନିର୍ମାତା? କେତେଜଣ ଜାଣନ୍ତି ଯେ ସେଇମାନଙ୍କ ସଂକଳ୍ପରୁ ଆମେ ରାଷ୍ଟ୍ର ପାଇଲେ, ଅନ୍ୟଥା ଏ ବିଶାଳ ଭୂଖଣ୍ଡରେ ଅସଂହତ ବିଚ୍ଛିନ୍ନ ଓ ବହୁଭାଷୀ କୋଳାହଳ ହିଁ ଥାଆନ୍ତା, ଏବେ ଆମେ ସମସ୍ତ ବିବିଧତା ଭିତରେ ଗୋଟିଏ ଐକ୍ୟସୂତ୍ର ଦେଖିପାରୁଛେ? ନା ଆମେ ଦେଖିପାରୁନାହେଁ କି ଶୁଣିପାରୁନାହେଁ । ଆମର ପାତ୍ରତ୍ୱ ଆମ ଆଖିସାମ୍ନାରେ, ଅଥଚ ତାହା ଅସ୍ପଷ୍ଟ । ଏବେ ଆମ ପାତ୍ରତ୍ୱ ଆମ ଦେଶରେ, ଆମ ଗଣତନ୍ତ୍ରରେ, ଆମ ସମାଜରେ, ଆମ ସଭ୍ୟତାରେ, ଆମ ବିଶ୍ୱରେ, ଆମ ପଡ଼ୋଶୀ ରାଷ୍ଟ୍ରରେ, ଆମ ଆନ୍ତର୍ଜାତିକ ସମ୍ପର୍କରେ ଠିକ୍ କ’ଣ?
ଆପଣ ମନେରଖନ୍ତୁ ଯେ, ଆପଣ ଜଣେ ବ୍ୟକ୍ତି ଭାବରେ ଦେଶର ଜଣେ ପାତ୍ର । ଆପଣ ଦେଶକୁ ସବୁ ସମୟରେ ଧରିଥାନ୍ତି, କାରଣ ଆପଣଙ୍କ ଦେଶର ମାଟି, ପାଣି, ପବନ ଏସବୁଥିରେ ଆପଣଙ୍କ ଦେହ ଗଢ଼ା ହୋଇଛି । ଏହାରି ବିଶ୍ୱାସ ଓ ଅନ୍ଧବିଶ୍ୱାସରେ ଆପଣଙ୍କ ବ୍ୟକ୍ତିତ୍ୱର ପ୍ରକୃତି ଗଢ଼ା ହୋଇଛି । ଆମେ କେତେ ଭଲ ବା କେତେ ଖରାପ ଆମ ଗାଁରେ ବା ସହରରେ, ସିଏ ତା’ ଜାଗାରେ ଥାଉ । କିନ୍ତୁ ଆମେ ଆମ ଦେଶ ପାଇଁ ଭଲ । ଦେଶ ଭିତରେ ଯୋଉ ସରକାର ଆମର ଚାଲେ ସେ ଯଦି ବାଦାଖିଲାଫି କରେ ବା ଭୁଲ୍ କରେ, ଆମେ ସାଧାରଣ ଲୋକେ ସରକାରକୁ ଗାଳିଗୁଲଜ କରିପାରିବା, କିନ୍ତୁ ଦେଶ ବାହାରେ ସେ ଆମର, ତାକୁ ଅପମାନିତ କରିବାନାହିଁ କି କାହା ପ୍ରରୋଚନାରେ ପଡ଼ି ଆମ ସରକାରକୁ ନିନ୍ଦିବା ନାହିଁ । ବ୍ରେକ୍ସିଟ ସମୟରେ ଯେତେବେଳେ ଗ୍ରୀସର ଲୋକେ ଓ ସରକାର ଆତ୍ମସମ୍ମାନ ବଞ୍ଚେଇବା ପାଇଁ ଦାରିଦ୍ର୍ୟ ବରଣ କରିନେଇଥିଲେ, ସେତେବେଳେ ଗ୍ରୀସର ସରକାର ଘୋର ସମାଲୋଚନାର ସମ୍ମୁଖୀନ ବି ହୋଇଥିଲେ । ତତ୍କାଳୀନ ଗ୍ରୀସର ରାଜନୈତିକ ବିରୋଧି ଜଣେ ନେତାଙ୍କ ସହିତ ମୋର ସ୍?ଳ୍ପ ପରିଚୟ ଥିଲା । ଲଣ୍ଡନରେ ଦ୍ୱିପ୍ରହର ଭୋଜନ ବେଳେ ମୁଁ ତାଙ୍କୁ ଗ୍ରୀସର ସରକାରଙ୍କ ରାଜନୈତିକ ନିଷ୍ପତ୍ତି ବିଷୟରେ ପଚାରିଲି । ସେ ସିଧା ମୋ ମୁହଁକୁ ଚାହିଁ କହିଲେ: ମୁଁ ବାହାର ଲୋକଙ୍କ ସହିତ ମୋ ଦେଶ ବିଷୟରେ ଆଲୋଚନା କରେନାହିଁ, ଗ୍ରୀସ ଇଜ୍ ଗ୍ରେଟ୍! ସେଦିନ ମୋ ଆଖିରେ ଲୁହ ଆସିଯାଇଥିଲା । ଦେଶର ଅଲଂଘ୍ୟ ବିରାଟତା ଆଗରେ ଦେଶର ରାଜନୀତି କେତେ କ୍ଷୁଦ୍ର ଓ ନଗଣ୍ୟ ସତରେ!
ସେହିଭଳି ଆଫ୍ରିକାର ବୁର୍କିନାଫାସୋ ଜାତିସଙ୍ଘକୁ ପଠେଇଥିବା ଡେଲିଗେସନ ଉପାସ ରହି, ଡର୍ମିଟରୀରେ ରାତି କଟାଇ ଜେନେରାଲ ଆସେମ୍ବଲୀରେ ଦେଶର ପ୍ରତିନିଧିତ୍ୱ କରିଥିଲା କୋଉ ଖୁସିରେ? ପାତ୍ରତ୍ୱର ଗୌରବ ସେ, ପାତ୍ରତ୍ୱର ଖୁସି! ଇଏ ନାଗରିକତାର ଦାୟ ନୁହେଁ, ଇଏ ପ୍ରେମ ନୁହେଁ । ଇଏ ବନ୍ଧନ, ଇଏ ମମତା । ୟାକୁ କେହି ଶିଖେନାହିଁ କି ଶିଖାଏ ନାହିଁ । ମା'କୁ ନେଇ ସନ୍ତାନର ପାତ୍ରତ୍ୱ ବିଚାର କରାଯାଏନାହିଁ, କିନ୍ତୁ ଦେଶକୁ ନେଇ କରୁଛେ, କାରଣ ଭୟ ହେଉଛି କାଳେ ସରକାର କବଳିତ ରାଷ୍ଟ୍ରରେ ଆମେ କେବଳ ସରକାରକୁ ଦେଖୁଥିବା, ମା'କୁ ଚିହ୍ନିପାରିବା ନାହିଁ! ଯେଉଁମାନେ ଦେଶକୁ ପିତୃଭୂମି ବୋଲି କହନ୍ତି ସେମାନେ ଦେଶର ଶୌର୍ଯ୍ୟ, ବୀର୍ଯ୍ୟ, ପ୍ରତିଷ୍ଠା ଓ ପରାକ୍ରମ କଥା ଭାବନ୍ତି, ସେମାନେ ମାଟିକୁ ଧରି ପଡ଼ିରହିଥିବା ଦୁର୍ବଳ ମଣିଷର ଘଡ଼ିକର ଶାନ୍ତି କଥା ଭାବନ୍ତି ନାହିଁ । ଉପାସ ପେଟରେ ବି ମା' କୋଳରେ ନିଦ ଆସିଯାଏ । ମା' ଯାହାବି ହେଇଥାଉ!
ଆମେ ଭାରତୀୟମାନେ ମାତା ଓ ସନ୍ତାନ ଭିତରେ ଥିବା କରୁଣାର ଉପାଦାନକୁ ଆମର ଭାରତୀୟତା ଓ ଆମର ବତ୍ସଳତା ବୋଲି ଭାବିଛେ କି? ଭାରତୀୟର ପାତ୍ରତ୍ୱ ସମ୍ବିଧାନ ଓ ନାଗରିକତାର ଊଦ୍ଧ୍ୱର୍ରେ ଏକ ମାନସିକତା ଯାହାକୁ ଭୋଗିବାକୁ ପଡ଼େ, ଯାହାକୁ କୁଣ୍ଢେଇ ଧରି କାନ୍ଦିହୁଏ, ହସିହୁଏ, ଯାହାପାଇଁ ଜୀବନ ଉତ୍ସର୍ଗ କରିହୁଏ । ଥରେ ଦେଶ ସହିତ ବତ୍ସଳତାରେ ବାନ୍ଧି ହେଇଗଲେ, ନାଗରିକର କର୍ତ୍ତବ୍ୟ ଓ ଅଧିକାର ନିଜ ହାତରେ । ଦେଶରେ ଜଣେ ଭାରତୀୟର ଭୂମିକା ହିଁ ତାର ପାତ୍ରତ୍ୱ! ସେ ପାତ୍ରତ୍ୱର ଭାଷା ନା ଯୁଦ୍ଧରେ, ନା ଶାନ୍ତିରେ, ନା କର୍ତ୍ତବ୍ୟରେ ନା ଅଧିକାରରେ, ନା ରାଜନୀତିରେ, ନା ବିଜ୍ଞାନରେ, ସେ ଭାଷା କେବଳ ମା'କୁ ଲୋଡ଼ିବାରେ!