ବାସ୍ତବରେ ମୋକ୍ଷ ବୋଲି କିଛି ନାହିଁ । ଜୀବନ ବଞ୍ଚିବାର ଦୁଃଖ ଯନ୍ତ୍ରଣା ଭିତରେ ହିଁ ଅଛି ଜୀବନର ସାର୍ଥକତା । ନବଜନ୍ମର ମହାନନ୍ଦ । ଜ୍ଞାନ-ପ୍ରେମ-ପ୍ରଜ୍ଞାର ମହାବିଶ୍ୱାସ ବଞ୍ଚିବାର ସଂପର୍କ ଭିତରେ ହିଁ ଅର୍ଥପୂର୍ଣ୍ଣ । ସେଥିଲାଗି ଆମର ପଞ୍ଚସଖା ଶୂନ୍ୟକୁ ପୂର୍ଣ୍ଣ ଓ ପୂର୍ଣ୍ଣକୁ ଶୂନ୍ୟ କହୁଥିଲେ।
ଭଗବଦ୍ ଗୀତାର ତୃତୀୟ ଅଧ୍ୟାୟରେ ସ୍ୱଧର୍ମ କଥା କୁହାଯାଇଛି । ସ୍ୱ୍ମଧର୍ମ ସାଧାରଣ ଭାବେ ବୁଝିଲେ ମନେହେବ ଖୁବ୍ ସରଳ ଖୁବ୍ ସହଜ। ସ୍ୱ’କୁ ଯଦି ଆତ୍ମଚେତନା ବା ବ୍ୟକ୍ତିର ଅସ୍ମିତା ଭାବେ ବୁଝନ୍ତି ପ୍ରାୟ ସମସ୍ତେ । ତେଣୁ ସ୍ୱଧର୍ମ କହିଲେ ନିଜର ଧର୍ମ ପାଳନ ବୁଝାଯାଏ । ଗୀତାରେ କୁହାଯାଇଛି ନିଜର ଧର୍ମ ପାଳନ କରି ମୃତ୍ୟୁ ବରଂ ଶ୍ରେୟସ୍କର, କିନ୍ତୁ ପରଧର୍ମ ସ୍ୱୀକାର କରିବା ସଂପୂର୍ଣ୍ଣ ନିଷେଧ । ଅତି ସହଜ ଲାଗୁଥିଲେ ମଧ୍ୟ ଯଦି ପ୍ରଶ୍ନ କରାଯାଏ- ସ୍ୱଧର୍ମ ବା ନିଜ ଧର୍ମ କିପରି ଜଣେ ଜାଣିବ? ଧର୍ମକୁ କର୍ତ୍ତବ୍ୟ ଭାବେ ଗ୍ରହଣ କଲେ ଧରାପୃଷ୍ଠକୁ ଆସିଥିବା ବ୍ୟକ୍ତି କିପରି ଜାଣିବ ତାର କର୍ତ୍ତବ୍ୟ କ’ଣ? ପ୍ରତ୍ୟେକ ବ୍ୟକ୍ତିର ପୃଥିବୀ ଭିନ୍ନ । କିଏ କେଉଁ ଭାଷା ସଂସ୍କୃତି, ଆର୍ଥିକ ସ୍ଥିତି, ଆସ୍ଥା ବିଶ୍ୱାସ ନେଇ କେଉଁ ଭୌଗୋଳିକ ପରିବେଶରେ ଜନ୍ମହୁଏ ତାହା ସମସ୍ତଙ୍କ ପାଇଁ ସମାନ ନୁହେଁ । ତେଣୁ ପ୍ରତ୍ୟେକ ବ୍ୟକ୍ତିର ପ୍ରାକୃତିକ, ସାମାଜିକ ଚେତନାର ବିଶ୍ୱ ଅଲଗା ଅଲଗା । ଏହି ପରିବେଶ ପରିପ୍ରେକ୍ଷୀ ବିଭିନ୍ନତା ଯୋଗୁଁ ସ୍ୱଧର୍ମ ଅତି ଜଟିଳ ହେଇଯାଏ । ଅବଶ୍ୟ ପରାଧୀନ ବା ପରମୁଖାପେକ୍ଷୀ ଜୀବନ ଅପେକ୍ଷା ମୃତ୍ୟୁ ବରଂ ଶ୍ରେୟସ୍କର, ଏହି ଗୀତା ବଚନ ବୁଝିବାରେ କୌଣସି ଜଟିଳତା ନାହିଁ । ବ୍ୟକ୍ତି ପରର ଆଦେଶ, ପରର ଇଚ୍ଛା ପୂରଣ ଲାଗି କାର୍ଯ୍ୟ କରିବା ହୀନପୁରୁଷ (ସ୍ତ୍ରୀ)ର କାମ । ସେପରି ବ୍ୟକ୍ତିର ବିବେକ ବୋଲି କିଛି ନାହିଁ । ମଣିଷ ସ୍ୱାଧୀନ, ତାର ଜନ୍ମ ଏକ ସ୍ୱାଧୀନ ଜୀବନ ଲାଗି ଉଦ୍ଦିଷ୍ଟ । ବ୍ୟକ୍ତି ସ୍ୱାଧୀନ ଭାବେ ନିଜ ସ୍ୱକୀୟ ଧର୍ମ ପାଳନ କରିବାକୁ ହେବ ।
କିନ୍ତୁ ଏହି ସ୍ୱଧର୍ମ ଚେତନା ଆସିବ କିପରି? ବୁଦ୍ଧି, ଜ୍ଞାନ ପ୍ରଭୃତି ଅନୁଭୂତି ଓ ଶିକ୍ଷାରୁ ଆସେ । ଏହି ଅନୁଭୂତି ଓ ଶିକ୍ଷା ପାଇବା ଲାଗି ଯଦି ଜୀବନ ସରିଯାଏ, ସେ କେତେବେଳେ ସ୍ୱଧର୍ମ ପାଳନ କରିବ? ସ୍ୱଧର୍ମ ପାଳନର ଅର୍ଥ କ’ଣ ଆତ୍ମତ୍ୟାଗ? ଯଦି ଆତ୍ମତ୍ୟାଗ ବୋଲି ବୁଝାଯାଏ ତେବେ ସ୍ୱ-ପର ଉଭୟ ଅର୍ଥହୀନ । ସ୍ୱଧର୍ମ ଆତ୍ମତ୍ୟାଗ ନୁହେଁ, ବରଂ ଆତ୍ମପରିପୂର୍ଣ୍ଣତାର ଜୀବନ ମାର୍ଗ । ଉଦାହରଣ ଗୋଟିଏ ନିଆଯାଇପାରେ- ଉଚ୍ଚଶିକ୍ଷା ଲାଭ ପରେ ଜଣେ ଅଧ୍ୟାପକ ଚାକିରି କରିଛି । ଗୀତାର ସ୍ୱଧର୍ମ ସେ ପାଳନ କରିବ ପୂର୍ଣ୍ଣଭାବେ ଯଦି ସେ ତାର ଚିନ୍ତା, ଜ୍ଞାନ ପରପିଢ଼ିମାନଙ୍କର ଉତ୍ତମ ଜୀବନବୋଧ ପାଇଁ ବିନିଯୋଗ କରେ । ଛାତ୍ରଛାତ୍ରୀମାନେ ଅଧ୍ୟାପକର ପରପିଢ଼ି ।
ସେହି ପିଢ଼ିମାନଙ୍କୁ ବିଶ୍ୱର ବଦଳୁଥିବା ସ୍ଥିତି ସହିତ ମୁହାଁମୁହିଁ ହେବାଲାଗି ସେ ତାର ସମୟ, ଚିତ୍ରାଙ୍କନ ବିନିଯୋଗ କରିବ । ସେମାନଙ୍କର ଉନ୍ନତି ତାର ସନ୍ତୋଷ ଓ ସାର୍ଥକତା । କିନ୍ତୁ ସେ ଯଦି କେବଳ କ୍ଲାସ୍ ନିଏ ଏବଂ ପ୍ରତ୍ୟେକ ଛାତ୍ରର ଭବିଷ୍ୟତ କଥା ନଭାବି ଏ ଛାତ୍ରମାନଙ୍କଠାରୁ କିପରି କିଛି ଉପୁରି ଆଦାୟ କରାଯାଇପାରିବ ତାହା ଚିନ୍ତା କରେ, ତେବେ ସେ ଅଧ୍ୟାପକ ନୁହେଁ । ଜଣେ ଇଞ୍ଜିନିୟର ରାସ୍ତା ନିର୍ମାଣ କରେ ଦେଶପାଇଁ । ନେତା ରାଜନେତା କାମ କରେ ଦେଶ ପାଇଁ । ଦେଶର ଅର୍ଥ- ମାଟି ପାଣିର ଗୋଟିଏ ଭୂଖଣ୍ଡ ନୁହେଁ, ଗୋଟିଏ ମାନଚିତ୍ର ନୁହେଁ। ଦେଶ ମାନେ ଜନତା । ଦେଶର ଅର୍ଥ ହେଲା ଗୋଟିଏ ଭୌଗୋଳିକ ଭୂଖଣ୍ଡରେ ଥିବା ମଣିଷମାନେ । ତେଣୁ ଇଞ୍ଜିନିୟର ତାର ଦେଶର ମଣିଷମାନଙ୍କ ପାଇଁ ରାସ୍ତା ଗଢ଼ିବ । ରାଜନେତା ଲୋକଙ୍କର ମର୍ତ୍ତ୍ୟ ଅଭିଳାଷକୁ ଚରିତାର୍ଥ କରିବା ଲାଗି କାର୍ଯ୍ୟ କରିବ । ଡାକ୍ତର ଏକ ସ୍ୱାସ୍ଥ୍ୟବାନ ଭବିଷ୍ୟ ପିଢ଼ି ପାଇଁ କାର୍ଯ୍ୟ କରିବ । ମନ୍ଦିରର ପଣ୍ଡିତ ଲୋକଙ୍କର ଅମର୍ତ୍ତ୍ୟ ଶାନ୍ତି ପାଇଁ କାର୍ଯ୍ୟ କରିବ ।
ଅବଶ୍ୟ ସ୍ୱଧର୍ମ ପାଳନର ଅର୍ଥ କେବଳ ଜନସେବା ନୁହେଁ । ସେ ତାର ଦରମା ପାଇବ । ‘ମା ଫଳେଷୁ କଦାଚନ’ର ଅର୍ଥ କେତେ ଫଳ ବା ଅର୍ଥ ପାଇବା ନୁହେଁ କି ବିନା ଫଳ, ବିନା ପାରିଶ୍ରମିକରେ କାମ କରିବା ନୁହେଁ । ସ୍ୱଧର୍ମ ପାଳନ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ । ଗୀତା ବଚନ କେବଳ ଅର୍ଜନ ପାଇଁ ନୁହେଁ । ପ୍ରତ୍ୟେକ ମଣିଷ ପାଇଁ । ଡାକ୍ତର ରୋଗୀକୁ ଆରୋଗ୍ୟ ଦେବାଲାଗି ଚେଷ୍ଟା କରିବା ଅର୍ଥ, ନିଜେ ଭୋକ ଉପାସରେ ରହିବା ନୁହେଁ । ଡାକ୍ତର ରୋଗୀଠାରୁ କେତେ ପାଇବ ଚିନ୍ତା ନକରି କାର୍ଯ୍ୟ କରିବ, ସେ ତାର ପ୍ରାପ୍ୟ ନେବ । ରୋଗୀକୁ ଶୋଷଣ ନକରି ସେବା ଦେବ । ରାଜା, ରାଜକର୍ମଚାରୀ (ଆଜିର ମନ୍ତ୍ରୀ ଓ ଅଫିସରମାନେ) ସମସ୍ତେ ସେବକ । ସେମାନଙ୍କ ପାଇଁ ସେବା ଦେଶର ବର୍ତ୍ତମାନ ଓ ଭବିଷ୍ୟତ ସମୃଦ୍ଧ କରିବା ଲାଗି ଚିନ୍ତା ଓ କର୍ମ ତାଙ୍କର ସ୍ୱଧର୍ମ । ଯଦି ସେମାନେ ସ୍ୱଧର୍ମକୁ ସ୍ୱାହା କରନ୍ତି ସେମାନେ ଅମଣିଷ । ଆଜିର ଗଣତନ୍ତ୍ରରେ ଜନତା ସେମାନଙ୍କୁ ହଟାଇଦେବେ । ଚାକିରି, ବୃତ୍ତି ପ୍ରଭୃତି ଏହି ସ୍ୱଧର୍ମ ଉପରେ ପ୍ରତିଷ୍ଠିତ ହେବାକୁ ପଡ଼ିବ ।
ସଂସାରକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ସଂସାର ଗଢ଼େ, ପରିବାର ଗଢ଼େ । ପରିବାର ପାଇଁ ଅର୍ଥ ଉପାର୍ଜନ କରେ ଜନତାର ସେବା ବିନିମୟରେ । ପର ସେବା ମଧ୍ୟ ଏହି ଭାବେ ବୁଝିବା ଉଚିତ । ମୁଁ ରାଜକର୍ମ କରୁଛିର ଅର୍ଥ ନୁହେଁ ଯେ ମୁଁ ମୋର ପରିବାରର ସୁଖ ସ୍ୱଚ୍ଛନ୍ଦ୍ୟକୁ ବଳି ଦେଇ କେବଳ ରାଜକର୍ମ କରିବି । ଆଜି ଯେଉଁ ଗୃହ କର୍ମକ୍ଷେତ୍ର ସମନ୍ୱୟ କଥା କୁହାଯାଉଛି ତାହା କିଛି ନୂଆ ନୁହେଁ । ବ୍ୟକ୍ତି କର୍ମକ୍ଷେତ୍ର ଓ ଗୃହକ୍ଷେତ୍ର ମଧ୍ୟରେ ଏକ ସମନ୍ୱିତ ଜୀବନବୋଧ ସୃଷ୍ଟି କରିବା ମଧ୍ୟ ସ୍ୱଧର୍ମର ପରିଭାଷା । ନିଜର ଦାୟିତ୍ୱବୋଧ କର୍ତ୍ତବ୍ୟ କେବଳ ସ୍ଥୂଳଭାବେ ନବୁଝି ସୂକ୍ଷ୍ମଭାବେ ବୁଝିବା ଉଚିତ । ମୁଁ ଯଦି ସନ୍ତାନ ଜନ୍ମ କରିଛି ତାର ପରିପାଳନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସହିତ ତାକୁ ନିଜ ଗୋଡ଼ରେ ଠିଆ କରାଇବାର ଦାୟିତ୍ୱ ମତେ ବୁଝିବାକୁ ହେବ । କିନ୍ତୁ ବ୍ୟକ୍ତି ଯଦି ନିଜର ସନ୍ତାନକୁ ରାଜାର ସନ୍ତାନ ପରି ବଢ଼ାଇବାକୁ ଚାହିଁ ଚୋରି କରେ ସେ ବିଧର୍ମୀ । ଯଦି ପତ୍ନୀପ୍ରେମରେ ମଜ୍ଜିରହି ବ୍ୟକ୍ତି ତାର ରାଜକର୍ମରେ ଅବହେଳା କରେ ସେପରି ବ୍ୟକ୍ତି ମୂଢ଼ । ସେ ଦେଶର ଓ ପରିବାରର କ୍ଷତି କରେ । ତେଣୁ ନିଜେ ଗଢ଼ିଥିବା ସ୍ୱାର୍ଥର ପରିଧି ସହିତ ପରିଧିବିହୀନ କର୍ମକ୍ଷେତ୍ର ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ମଧ୍ୟ ସ୍ୱଧର୍ମର ଅନ୍ୟ ଏକ ପରିଭାଷା ।
ଯେଉଁମାନେ ସନ୍ନ୍ୟାସ ନିଅନ୍ତି ସେମାନେ ଏହି ସ୍ୱଧର୍ମ ପରିସର ମଧ୍ୟକୁ ଆସିବେ କି? କୁହାଯାଇପାରେ ସେମାନେ ଜୀବନ ଭୟାଳୁ । ସାମାଜିକ ଜୀବନକୁ ଡରି ସେମାନେ ପଳାୟନ କରନ୍ତି ବଣ ପାହାଡ଼କୁ । ପଚାରିଲେ ଅବଶ୍ୟ ସେମାନେ କହିବେ ଏକ ବୃହତ୍ତର ସତ୍ୟ ସନ୍ଧାନରେ ସେମାନେ ସମାଜ ପରିବାର ଛାଡ଼ି ଆସିଛନ୍ତି । କିନ୍ତୁ ସତ୍ୟ ହେଲା, ସେମାନେ ନିଜକୁ ଖୋଜନ୍ତି³ ଯେହେତୁ ସମାଜ ଭିତରେ ସେମାନେ ନିଜକୁ ହଜେଇ ଦିଅନ୍ତି । ଏହା ଏକ ଭ୍ରମ ମଧ୍ୟ ହେଇପାରେ । ଯିଏ ଆତ୍ମସନ୍ଧାନ କରେ ସେ କୌଣସି ସ୍ଥିତିରେ ନିଜକୁ ଖୋଜିପାରିବ । ସେ କ’ଣ ପାହାଡ଼ ବା ହିମାଳୟ ପାଦଦେଶର ବରଫଘେରା ଗୁମ୍ଫାକୁ ଯାଏ ଏକାକୀ ରହି ତାର ନିର୍ଜନତାର ଅନୁଶୀଳନ ପାଇଁ । କିନ୍ତୁ ପ୍ରକୃତରେ ସେ ଆତ୍ମାନୁଶୀଳନ ବା ଆତ୍ମସସନ୍ଧାନର ସାର ମର୍ମ କ’ଣ? ସନାତନ ବିଶ୍ୱାସରେ ସବୁ ମଣିଷ ବ୍ରହ୍ମତେଜର ଏକ ଏକ ଅଂଶ । ସମସ୍ତେ ଭଗବାନ । ତେବେ ସନ୍ନ୍ୟାସୀ, ଋଷି, ଯୋଗୀ, ବ୍ରହ୍ମତେଜ କେଉଁ ଭଗବାନ ବା ଅଲୌକିକ ସତ୍ୟ ସନ୍ଧାନ କରନ୍ତି? ଶଙ୍କର, ବୁଦ୍ଧ ମହାବୀର, ବିବେକାନନ୍ଦ, ଶ୍ରୀଅରବିନ୍ଦ ପ୍ରଭୃତି ମହାନ୍ ମହାଯୋଗୀ କେଉଁ ଅଲୌକିକ ସତ୍ୟ ଆବିଷ୍କାର କରିଛନ୍ତି? ସେମାନଙ୍କର ସବୁ ସତ୍ୟ ମଣିଷର ମରଜୀବନର ଏକ ଏକ ସତ୍ୟ, ଯାହା ସମାଜ ଭିତରେ ହିଁ ପ୍ରାସଙ୍ଗିକ ।
ମଣିଷର ସମାଜକୁ ଛାଡ଼ି କେଉଁ ସତ୍ୟ କେଉଁଠି ନାହିଁ । କିନ୍ତୁ ସମାଜ କହିଲେ କେତେକ ବ୍ୟକ୍ତିର ଏକ ପେଷା, ସଂସ୍କୃତିର ଗୋଷ୍ଠୀ । ସେହି ସତ୍ୟ ତେଣୁ ବ୍ୟକ୍ତି ସ୍ୱରରେ ହିଁ ଉପଲବ୍ଧ । ଆଜିପର୍ଯ୍ୟନ୍ତ କେହି କହିନାହିଁ ଯେ ମଣିଷ ଅମର ପ୍ରାଣସତ୍ତା ନେଇ ଆସିଛି । ନା, ମଣିଷର ମର ସତ୍ୟ ଗ୍ରହଣ କରି ଆତ୍ମାର ଅମରତ୍ୱ । ଅମୃତର ସନ୍ତାନ ଇତ୍ୟାଦି କହିଛନ୍ତି କେବଳ ସତ୍ୟର ପ୍ରହେଳିକା ସୃଷ୍ଟି କରିବା ପାଇଁ । ସତ୍ୟ ହେଲେ ମଣିଷ ଜନ୍ମହୁଏ, ପରିବାର ଗଢ଼େ ଏବଂ ଶେଷରେ ମରେ । ସେ ଯୁଦ୍ଧ କରେ, ମଜୁରି ଖଟେ, ଦାସତ୍ୱ ଗ୍ରହଣ କରେ, ରାଜା ହୁଏ, କିନ୍ତୁ କୌଣସି ସ୍ଥିତିରେ ସେ ଆନନ୍ଦ ପାଏନାହିଁ । ମଣିଷର ଆନନ୍ଦ ଅନ୍ୱେଷଣ ଯେହେତୁ ଅସୀମ, ବ୍ୟକ୍ତି ତାର ଆତ୍ମସନ୍ଧାନକୁ ସେଇ ଅସୀମର ସନ୍ଧାନ ପାଇଁ ସଂସାର ସମାଜରୁ ଦୂରେଇଯାଏ । କିନ୍ତୁ ତାର ସତ୍ୟ ବା ବ୍ରହ୍ମ ସନ୍ଧାନର ପରିପ୍ରେକ୍ଷୀ ମଣିଷ ଓ ତାର ସାମାଜିକ ଜୀବନ ହୁଏ । ବୁଦ୍ଧ ଯେଉଁ ସତ୍ୟ ଆବିଷ୍କାର କଲେ ମଣିଷ ସମାଜ ହିଁ ତାର ପରିପ୍ରେକ୍ଷୀ । ତେଣୁ ସେ ସମାଜ ଭିତରେ ପ୍ରଚାର କଲେ ତାଙ୍କର ଆବିଷ୍କୃତ ସତ୍ୟ । ସମାଜ ଭିତରେ ମଧ୍ୟ ମଣିଷ ସତ୍ୟ ଆବିଷ୍କାର କରେ । ମଣିଷ ଯଦି ନଥାନ୍ତେ କୌଣସି ଦୈବିକ, ଆସୁରିକ ସତ୍ୟର ଆବଶ୍ୟକତା ମଧ୍ୟ ନଥାନ୍ତା । ମଣିଷ ଗୋଟିଏ ବିଶ୍ୱାସ ଉପରେ ଆସ୍ଥା ପୋଷଣ କରେ । ଯଦି ଆସ୍ଥା ରଖେ ଭଗବଦ ପ୍ରାପ୍ତି ପାଇଁ ସେ ଘର ଛାଡ଼ି ବଣକୁ ଯିବା ଆବଶ୍ୟକତା କେଉଁଠି? ବିଶ୍ୱାସର ଅର୍ଥ ହେଲା, ବ୍ୟକ୍ତି ଜାଣେ ଯେ ଏହା ହିଁ ମାର୍ଗ । ଏଇ ମାର୍ଗରେ ଗଲେ ବ୍ରହ୍ମଲୋକ ମିଳିବ । ତେବେ ସେ କାହିଁକି ତ୍ରିବେଣୀ ସଙ୍ଗମ ଯାଏ ଅର୍ଦ୍ଧକୁମ୍ଭ, ପୂର୍ଣ୍ଣକୁମ୍ଭ ଓ ମହାକୁମ୍ଭରେ ମୋକ୍ଷ ପାଇଁ? ଆମେ ଯୁକ୍ତିରେ କହୁ ଗଙ୍ଗା-ଯମୁନା-ସରସ୍ୱତୀର ମହାସଙ୍ଗମ ।
ଭାରତୀୟ ସନାତନ ବିଶ୍ୱାସର ଏକ ଚରମ ପୀଠ । ଏଠି ଉତ୍ତରାୟଣରେ ମକର ସଂକ୍ରାନ୍ତିରେ ସ୍ନାନ କଲେ ମୋକ୍ଷ ମିଳିଯିବ? ଆମେ ଗଙ୍ଗାରେ ଜ୍ଞାନ ଦେଖୁ, ଯମୁନାରେ ପ୍ରେମ ଦେଖୁ ଓ ସରସ୍ୱତୀରେ ପ୍ରଜ୍ଞା । ହଁ ଠିକ୍ କଥା । ଜ୍ଞାନ-ପ୍ରେମ-ପ୍ରଜ୍ଞା ଯଦି ମୋକ୍ଷ ଦିଏ ତେବେ ବଣ ଜଙ୍ଗଲକୁ ମଣିଷ ଯାଏ କାହିଁକି? ମଣିଷକୁ ମୋକ୍ଷ ମିଳେ କର୍ମରେ, ଜ୍ଞାନରେ ଓ ନିଜ ଜ୍ଞାନ ପ୍ରେମ-ପ୍ରଜ୍ଞାର ବିତରଣରେ । ମୋକ୍ଷ, ବିଶ୍ୱାସ, ପ୍ରଜ୍ଞା ପ୍ରସାରଣରେ ଦୃଢ଼ୀଭୂତ ହୁଏ । ମୋକ୍ଷ ଏକ ମିଥ୍ ଏବଂ ସବୁ ମିଥ୍ ମଣିଷକୁ ସନ୍ଧାନୀ କରନ୍ତି । ବାସ୍ତବରେ ମୋକ୍ଷ ବୋଲି କିଛି ନାହିଁ । ଜୀବନ ବଞ୍ଚିବାର ଦୁଃଖ ଯନ୍ତ୍ରଣା ଭିତରେ ହିଁ ଅଛି ଜୀବନର ସାର୍ଥକତା । ନବଜନ୍ମର ମହାନନ୍ଦ । ଜ୍ଞାନ-ପ୍ରେମ-ପ୍ରଜ୍ଞାର ମହାବିଶ୍ୱାସ ବଞ୍ଚିବାର ସଂପର୍କ ଭିତରେ ହିଁ ଅର୍ଥପୂର୍ଣ୍ଣ । ସେଥିଲାଗି ଆମର ପଞ୍ଚସଖା ଶୂନ୍ୟକୁ ପୂର୍ଣ୍ଣ ଓ ପୂର୍ଣ୍ଣକୁ ଶୂନ୍ୟ କହୁଥିଲେ । ଭରାପେଟର କ୍ଷୁଧା ଓ ଖାଲିପେଟର ପୂର୍ଣ୍ଣାନନ୍ଦ ବଞ୍ଚିବାର ଭବ୍ୟ ଉପଲବ୍ଧି । ଏହା ଆତ୍ମପ୍ରବଞ୍ଚନା ହେଇପାରେ, କିନ୍ତୁ ଏହା ହିଁ ଜୀବନ ।
ଗୀତାର ସ୍ୱଧର୍ମ ଜୀବନର ଏହି ବିଚିତ୍ର ବିଡ଼ମ୍ବନା ଭିତରେ ସାର୍ଥକତାର ସନ୍ଧାନ ପାଇଁ ଏକମାତ୍ର ମାର୍ଗ । ମୁଁ ଯଦି ସଫେଇ କର୍ମଚାରୀର ଜୀବନ ପାଇଛି, ସେଇଠି ଖୋଜିବାକୁ ମୋର ପୂର୍ଣ୍ଣତା । ଅନ୍ୟ ମଣିଷର ମଇଳା ଆଦି ଗାଡ଼ିରେ ନେଇ ମୁଁ ପକାଇବି ଯଥା ନିର୍ଦ୍ଦେଶିତ ସ୍ଥାନରେ । ମଣିଷ ସମାଜର ମଇଳା ସଫା କରି ମୁଁ ପୃଥିବୀକୁ ସୁନ୍ଦର କରିବି । ଏହା ହିଁ ସ୍ୱଧର୍ମ । ଏହି କାମରେ ଦେହ ମନର ଯନ୍ତ୍ରଣା ଅଛି, ଅଭାବ ଅନାଟନର ଦଂଶନ ଅଛି, ଭାଗ୍ୟ ବିରୋଧରେ ପ୍ରତିଦାନର ଯଥାର୍ଥତା ଅଛି । କିନ୍ତୁ ମୁଁ ସେସବୁ ସହି ପୃଥିବୀକୁ ନିର୍ମଳ, ପବିତ୍ର ରଖିବି । ପୁଣି ଆରଜନ୍ମରେ ମୁଖ୍ୟ ହେବି ଅନ୍ୟ ଏକ ଜୀବନ ଅନୁଷ୍ଠାନର । ସେଠି ମଧ୍ୟ ସ୍ୱଧର୍ମ ପାଳନ କରିବି । ଏହା ହିଁ ମଣିଷର ମହାର୍ଘ ସାର୍ଥକତା ।