ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

ମା' ମୋ ପାଖରେ ଅଛି

Published By : Prameya | May 3, 2025 1:25 PM

"ମା' ମୋ ପାଖରେ ଅଛି' । ଏକଥାଟା କହିଲା ବେଳେ ଅମରେଶ ବାବୁ ଗୋଟେ ଗଡ଼ ଜିତିଯାଇଥିବାର ଆତ୍ମତୃପ୍ତିରେ ବିଭୋର ହେଉଥିଲେ । ବନ୍ଧୁ ନିଖିଳେଶ ମନେମନେ ଲଜ୍ଜିତ ହେଉଥିଲେ । କାରଣ ତାଙ୍କ ବାପମା' ତାଙ୍କ ପାଖରେ ନରହି ଗାଁରେ ରହୁଥିଲେ । ନିଜକୁ ଏ ଅକଳିଆ ପରିସ୍ଥିତିରୁ ମୁକୁଳିବା ପାଇଁ କହିଲେ- ବାପାମା'ଙ୍କୁ ମୋ ପାଖରେ ରହିବାକୁ ଅନେକ ଥର କହିଛି । ହେଲେ ସେମାନେ ଗାଁ ଛାଡ଼ି ସହରରେ ରହିବାକୁ ଅମଙ୍ଗ ହେଉଛନ୍ତି । ନିଖିଳେଶଙ୍କ କଥା ନସରୁଣୁ ଅମରେଶ କହିଲେ- ବାପା ବଡ଼ଭାଇଙ୍କ ପାଖରେ ଦିଲ୍ଲୀରେ ରହୁଛନ୍ତି । ଅବଶ୍ୟ ବାପାମା' ଗାଁ ଛାଡ଼ିବାକୁ ଅମଙ୍ଗ ହେଉଥିଲେ । ମା' କହୁଥିଲା ଆମେ ଯେଉଁଠି ରହିବୁ ଗୋଟିଏ ଜାଗାରେ ରହିବୁ । ପୁଅ ହିସାବରେ ଆମ ଦି'ଭାଇଙ୍କର ବାପାମା'ଙ୍କ ପ୍ରତି କର୍ତ୍ତବ୍ୟ ଏବଂ ଅଧିକାର ଅଛି । ମୁଁ କାହିଁକି ବା ଦି'ଜଣକୁ ପାଖରେ ରଖିବି ନା ଭାଇ କାହିଁକି ବା ଦି'ଜଣକୁ ନିଜ ପାଖରେ ରଖିବେ! ତେଣୁ ଆମେ ଦି'ଜଣ ବାପାମା'ଙ୍କୁ ଭାଗକରି ନେଇଛୁ । "ମା' ମୋ ପାଖରେ ଅଛି'। 

କଥାଟା ସାଧାରଣ ମନେ ହେଉଥିଲେ ବି ତା' ଭିତରେ ଗୋଟେ ହୀନମନ୍ୟତାର ମାନସିକତା ଲୁଚିରହିଛି, ଏକଥାକୁ ଟିକେ ତଳେଇକି ଦେଖିଲେ ବୁଝାପଡ଼ିବ । ବାପା ଆକାଶଠାରୁ ଉଚ୍ଚା । ବାପା, ପୁଅ ମୁଣ୍ଡ ଉପରର ଛତା । ମା'ର ପଣତକାନି ପୃଥିବୀଠାରୁ ବିଶାଳ । ପୁଅର ବୟସ ଯେତେ ବଢ଼ିଲେ ବି ପୁଅ ବାପାମା'ଙ୍କ ପାଖରେ ସବୁଦିନ ଅସହାୟ । ମା'ର ପଣତକାନି ତା'ପାଇଁ ନିରାପଦ ଆଶ୍ରୟସ୍ଥଳୀ । ଏ ସୂକ୍ଷ୍ମତତ୍ତ୍ୱକୁ ବିଚାରିଲେ "ମା' ମୋ ପାଖରେ ଅଛି' ନକହି ପୁଅ ଯଦି କହନ୍ତା "ମୁଁ ମା' ପାଖରେ ଅଛି', ଏକଥାଟା ଓଜନିଆ ଓଜନିଆ ଲାଗନ୍ତା । ବୟସଚାପରେ ବାପାମା'ଙ୍କର କମର ବାଙ୍କିଗଲାବେଳେ ପୁଅ ଭାବେ ବାପାମା' ଅସହାୟ ହୋଇଯାଇଛନ୍ତି । ଏ ବେଳରେ ଆମର ସହାୟତାର ଆବଶ୍ୟକତା ଅଛି । ଏ ଆମର କର୍ତ୍ତବ୍ୟ । ଏ କର୍ତ୍ତବ୍ୟ ଶବ୍ଦଟା "ଦୟା'ର ପ୍ରତିଶବ୍ଦ ନୁହେଁ ତ? ବୟସ ବଢ଼ିଲେ ସ୍ୱାମୀ-ସ୍ତ୍ରୀ ପରସ୍ପର ପ୍ରତି ବେଶୀ ଆକର୍ଷିତ ହୋଇଥାନ୍ତି । ଜୀବନସାରା ପିଲାମାନଙ୍କ ଭବିଷ୍ୟତ ଗଠନରେ ସମୟ ବିତେଇ ଦେଇଥିବା ଦି'ପ୍ରାଣୀ କେବେ ମନଖୋଲା ଅବକାଶ ପାଇନଥାନ୍ତି ଆପଣା ଭିତରେ ଦୁଃଖସୁଖକୁ ବାଣ୍ଟିବାକୁ । 

ଆଜି ଯେତେବେଳେ ସେ ଦାୟିତ୍ୱରୁ ସେମାନଙ୍କୁ ସାମୟିକ ମୁକ୍ତି ମିଳିଛି ଏବଂ ଶାରୀରିକ ଦୃଷ୍ଟିରୁ ସେମାନେ ଅବଶ ହୋଇପଡ଼ିଛନ୍ତି, ସେତେବେଳେ ସେମାନଙ୍କୁ ଅବସର ମିଳିଛି ଜୀବନଯାକର ସବୁ ଦୁଃଖସୁଖକୁ ଆପଣା ଭିତରେ ବାଣ୍ଟିବାକୁ । ସେଇଥିପାଇଁ ସେମାନେ ପରସ୍ପର ପ୍ରତି ଆକର୍ଷିତ । ଏ ବୟସରେ ମା' ଯଦି ସାନପୁଅ ପାଖରେ ଭୁବନେଶ୍ୱରରେ ରହେ ଏବଂ ଦିଲ୍ଲୀରେ ବଡ଼ପୁଅ ପାଖରେ ବାପା ରହନ୍ତି ତାହେଲେ ଯାତନାଟା ବଢ଼ିଯିବା ସ୍ୱାଭାବିକ । ଖାଲି ମନେମନେ ଘୁଣିହେବା ହିଁ ସାର ହୁଏ । ମନର କଥାକୁ କାହାକୁ କହିହୁଏନା ବା ଏ କଥାକୁ ଗୁରୁତ୍ୱ ଦେଇ ଶୁଣିବାକୁ କେହି ନଥାନ୍ତି । ବାପାମା'ମାନେ ଯେଉଁଠି ରହିବେ ଗୋଟିଏ ଜାଗାରେ ରହିବେ, ଏକଥାକୁ ପୁଅଭାବରେ ଅମରେଶବାବୁମାନେ ବୁଝିବାକୁ ନାରାଜ । ସେମାନେ ବୁଝନ୍ତି- ବାପାମା'ଙ୍କ ବାର୍ଦ୍ଧକ୍ୟର ଅସହାୟ ସମୟରେ ଆମେ ତାଙ୍କୁ ପାଖରେ ରଖି କର୍ତ୍ତବ୍ୟ ନୁହଁ ଦୟା କରୁଛୁ । ସମ୍ପତ୍ତି ଭାଗବଣ୍ଟୁରା ହୁଏ, ବାପାମା' ନୁହନ୍ତି । 

ଏକଥାକୁ ବିଦେଶରେ ଚାକିରି ବାକିରି କରି ରହୁଥିବା ପାଠଶାଠ ପଢୁଆ ପୁଅମାନେ ଗୁରୁତ୍ୱର ସହ ବିଚାରିନଥାନ୍ତି । ଯେତେବେଳେ ବାପାମା'ଙ୍କର ବଳ ବୟସ ଥିଲା ସେତେବେଳେ ସେମାନେ ସାଥିହୋଇ ପିଲାମାନଙ୍କର ବୋଝକୁ ଉଠାଉଥିଲେ । ନିଜପାଇଁ ଭାବିବାକୁ ସେମାନଙ୍କ ପାଖରେ ସମୟ ଅକୁଳାଣ ପଡୁଥିଲା । ଭୁବନେଶ୍ୱରରେ ମା' କି ଦିଲ୍ଲୀରେ ବାପା ପିଲାମାନଙ୍କ ପାଖରେ ରହିଲାବେଳେ ସେମାନଙ୍କର ଖାଇବା ପିଇବା କି ସେବା ଚିକିତ୍ସାରେ କମି ରହୁନଥିଲା । ମାତ୍ର ସେମାନଙ୍କ ଭିତରେ ଥିବା ନିଃସଙ୍ଗତା ସେମାନଙ୍କୁ ସବୁ ମୁହୂର୍ତ୍ତରେ ଝୁଣି ଖାଉଥିଲା । ପୁଅବୋହୂ କେହି ଏ ନିଃସଙ୍ଗତାର ଯନ୍ତ୍ରଣାକୁ ବୁଝିପାରୁନଥିଲେ । ସେମାନଙ୍କ ଭିତରେ ଗୋଟେ ଆତ୍ମତୃପ୍ତି ସେମାନଙ୍କ ଛାତିକୁ ଚଉଡ଼ା କରୁଥିଲା ଯେ ସେମାନେ ବାପାମା'ଙ୍କୁ ପୋଷୁଛନ୍ତି, ପାଳୁଛନ୍ତି । ଘରେ ବିଦେଶୀ କୁକୁରକୁ ବି ଶ୍ରଦ୍ଧାର ସହ ପୋଷାଯାଏ । 

ବାପାମା' ଯେ ପିଲାମାନଙ୍କ ପାଖରେ ପେଟେ ଖାଇବାକୁ ପଡ଼ିରହିଥାନ୍ତି ତା' ନୁହଁ । ସେମାନଙ୍କର ଇଚ୍ଛା ଅଛି, ଅଭୀପ୍ସା ଅଛି । ସେ କଥାକୁ ବୁଝିବାକୁ ପଡ଼ିଥାଏ । ବୟସ ସମୟରେ ସୁଖଦୁଃଖକୁ ଆପଣା ଭିତରେ ବାଣ୍ଟୁଥିବା ମଣିଷମାନେ ଯଦି ବୟସର ଉଜାଣି ସମୟରେ ପରସ୍ପର ଠାରୁ ଦୂରେଇ ରହି ନିଃସଙ୍ଗ ଜୀବନ ଭିତରେ ସେମାନେ ଯେ କି ଯନ୍ତ୍ରଣା ଭୋଗନ୍ତି ସେକଥାକୁ ଆମ ସମୟର ପୁଅମାନେ ବୁଝିବାକୁ ଅକ୍ଷମ । ବାପାମା'ଙ୍କ ପ୍ରତି କର୍ତ୍ତବ୍ୟ ଏବଂ ଅଧିକାରର ଦ୍ୱାହିରେ ଆମେ ସେମାନଙ୍କୁ ବାଣ୍ଟିନେଇ "ମା' ମୋ ପାଖରେ ରହୁଛି' କଥାଟି କହି ଛାତିକୁ ଚଉଡ଼ା କଲାବେଳେ କେବେ ଭାବିନାହୁଁ ଯେ "ମୁଁ ମା' ପାଖରେ ଅଛି' । ଏ ଓଜନିଆ ଶବ୍ଦଟିକୁ ବୋହିବାକୁ ସତରେ ଆମର ସାମର୍ଥ୍ୟ ଅଛି ତ ?


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.