ଚିକାଗୋ ଧର୍ମ ସମ୍ମିଳନୀରୁ ସ୍ୱାମୀ ବିବେକାନନ୍ଦ ୧୮୯୭ ମସିହା ଜାନୁଆରୀ ୧୫ ତାରିଖରେ ଫେରି ଭାରତର ଯୁବଶକ୍ତିକୁ ଯେଉଁ ଉଦ୍‌ବୋଧନ ଦେଇଥିଲେ ଓ ନିଜ ମାତୃଭାଷା ମାଟିରେ ପାଦଦେଇ ଯେପରି ଆନନ୍ଦିତ ହୋଇଥିଲେ ତାହା ବାସ୍ତବିକ ପ୍ରଣିଧାନଯୋଗ୍ୟ । ସେ କହିଥିଲେ- ଏହା ହିଁ ମୋର ଭାରତବର୍ଷ । ମୋର ପବିତ୍ର ଜନ୍ମମାଟି । ଏହା ହିଁ ମୋ ତୀର୍ଥସ୍ଥାନ ।

ସେ ତାଙ୍କ ଉଦ୍‌ବୋଧନରେ କହିଥିଲେ- ‘ହେ ବୀରହୃଦୟ ଯୁବକଗଣ! ତୁମେ ଭବିଷ୍ୟତ ଭାରତର ଭାଗ୍ୟବିଧାତା । ବିଶ୍ୱାସ କର, ତୁମେମାନେ ବହୁ ମହତ କାମ କରିବା ପାଇଁ ଏହି ପୁଣ୍ୟଭୂମି ଭାରତବର୍ଷରେ ଜନ୍ମ ହୋଇଛ । ଉଠ, ମୁଣ୍ଡ ସଳଖି ଛିଡ଼ା ହୁଅ । ଉଠ, ମହତ କର୍ମ କରିବା ପାଇଁ ପ୍ରବୃତ୍ତ ହୁଅ । ସାହସୀ ହୁଅ । ବୀର୍ଯ୍ୟବାନ ହୁଅ । ଭାରତଭୂମିର ସମସ୍ତ ଦାୟିତ୍ୱ ନିଜ କାନ୍ଧରେ ବହନ କରିବା ପାଇଁ ନିଜକୁ ସମର୍ଥ କର । ନିଜର ସୌଭାଗ୍ୟ ନିର୍ମାଣ ପାଇଁ ନିଜ ଭିତରର ଶକ୍ତିକୁ ଜାଗ୍ରତ କର । ନିଜ କର୍ମ ଓ ଶକ୍ତି ଉପରେ ଭରସା କର । ତୁମ ଭିତରେ ଥିବା ଅଫୁରନ୍ତ ପ୍ରାଣଶକ୍ତିକୁ ଜାଗ୍ରତ କରାଅ । ମୋ ଭାରତମାତା ପାଇଁ ମନୁଷ୍ୟ ଦରକାର, ମନୁଷ୍ୟ ଦରକାର । ବୀର୍ଯ୍ୟବାନ ହୁଅ । ତେଜସ୍ୱୀ ହୁଅ । ତୁମମାନଙ୍କର ହୃଦୟ ସ୍ୱଚ୍ଛ, ସୁନ୍ଦର ହେଉ । ଶରୀର ଇସ୍ପାତ ପରି କଠିନ ହେଉ । ମା’ ଜଗଦମ୍ବେ! ମୋ ଦେଶର ଯୁବକଙ୍କୁ ମନୁଷ୍ୟତ୍ୱ ଦିଅ । ମୋ ଦେଶ ଭାରତବର୍ଷ ପାଇଁ ଏହିଭଳି ଯୁବକମାନଙ୍କର ଆବଶ୍ୟକତା ଅଛି । ବିବେକୀ, ସତ୍‌ବାକ୍‌, ସମ୍ବେଦନଶୀଳ ଓ ଆତ୍ମବିଶ୍ୱାସୀ ଦେଶପ୍ରେମୀମାନଙ୍କର ଆବଶ୍ୟକତା ଅଛି । ସ୍ୱାମୀଜୀ କେବଳ ଭାରତବର୍ଷ ନୁହେଁ, ସମଗ୍ର ବିଶ୍ୱ ପାଇଁ ଯୁବଶକ୍ତିକୁ ଆହ୍ୱାନ କରିଛନ୍ତି ତାଙ୍କର ବହୁ ଉଦ୍‌ବୋଧନରେ । ସାରା ବିଶ୍ୱର କଲ୍ୟାଣ ବିଧାନ ନିମନ୍ତେ ତାଙ୍କର ଆହ୍ୱାନ ବେଶ୍‌ ମର୍ମସ୍ପର୍ଶୀ । ମାନବ ସମାଜର ମଙ୍ଗଳ ପାଇଁ ଯୁବଶକ୍ତିର ଆବଶ୍ୟକତା ରହିଛି । ଯେଉଁମାନେ ଏକ ସୁନ୍ଦର ପୃଥିବୀର ସ୍ୱପ୍ନ ଦେଖି ସେ ଦିଗରେ ପ୍ରବୃତ୍ତ ହେବେ ।

ଏସବୁ ସ୍ମରଣ କରିବାର ତାତ୍ପର୍ଯ୍ୟ ହେଉଛି, ୧୮୯୭ରୁ ୨୦୨୫ ମାତ୍ର ଗୋଟିଏ ଶତାବ୍ଦୀରୁ ଉର୍ଦ୍ଧ୍ୱ କେତୋଟି ବର୍ଷ ଆମେ ଅତିକ୍ରମି ଆସିଛେ । ଦେଶ ସ୍ୱାଧୀନ ହେବା ଆଠଟି ଦଶନ୍ଧି ହେବାକୁ ଯାଉଛି । ମାତ୍ର ଯୁବଶକ୍ତି ମାନସିକତାରେ ଆଜି ଯେଉଁ ଅବକ୍ଷୟ ଦେଖାଦେଇଛି ତାହା ଯେକୌଣସି ଦେଶପ୍ରେମୀ ସଚେତନ ନାଗରିକକୁ ବ୍ୟଥିତ କରିବ । ନିକଟରେ ମହାବିନାୟକ ପୂଜା ବହୁ ଆଡମ୍ବରରେ ରାସ୍ତାଘାଟ, ଗଳିକନ୍ଦି, ସହର ବଜାରରେ ପାଳିତ ହୋଇଯାଇଛି । ରାସ୍ତାରେ ଯିବାବେଳେ ଗୋଟିଏ ଭସାଣି ଉତ୍ସବର ଦୃଶ୍ୟ ଦେଖିଲେ ଯେକୌଣସି ସଚେତନ, ବିବେକବାନ ବ୍ୟକ୍ତି ଦୁଃଖିତ ହେବ । ହଜାର ହଜାର ଯୁବକ ବିଭିନ୍ନ ପ୍ରକାର ଗାମୁଛା ବେକରେ ପକାଇ, ହାତରେ ଫୁଲମାଳ ବାନ୍ଧି ସଗର୍ବେ ଚାଲୁଥିବାବେଳେ ଆଉ କିଛି ଯୁବକ ଡିଜେ ଓ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ଓ ସଂଗୀତର ତାଳେ ତାଳେ ଚାଲୁଥିବାର ଦୃଶ୍ୟ ବେଶ୍‌ ଆମୋଦଦାୟକ ହୋଇଥାଏ ଦେଖଣାହାରୀଙ୍କ ପାଇଁ । ସେମାନେ ଯେ ନିଜ ଆୟତ୍ତରେ ନଥାନ୍ତି ଏକଥା କହିବା ନିଷ୍ପ୍ରୟୋଜନ । ସେଇ ହଜାର ହଜାର ଯୁବକଙ୍କୁ ଯେକୌଣସି ମୁରବିସ୍ଥାନୀୟ ବ୍ୟକ୍ତି ନିୟନ୍ତ୍ରଣ କରିପାରନ୍ତି, ଏକଥା ସେମାନଙ୍କୁ ଦେଖି କେହି ସ୍ୱୀକାର କରିବେ ନାହିଁ । ତା’ଛଡ଼ା ଯେଉଁ ବାଦ୍ୟଯନ୍ତ୍ରରେ ସଂଗୀତ ବାଜୁଥାଏ ବା କେହି ଗାଉଥାଏ, ତାହା ଯେ ଉଚ୍ଚାଙ୍ଗ ସଂଗୀତର ମାନକୁ ଧିକ୍କାରୁଥାଏ, ଏହା କହିବା ବାହୁଲ୍ୟ । ସଂଗୀତର ସେ ମାଧୁର୍ଯ୍ୟ, କୋମଳତାକୁ ସତେକି କିଏ ତିଳ ତିଳ କରି ହତ୍ୟା କରୁଥାଏ । ଦେବୀ ବୀଣାପାଣି ଆସିଲେ ସେ ସଂଗୀତ ଶୁଣି ଲଜ୍ଜାବୋଧ କରିବେ ନିଶ୍ଚୟ । ଏହି ବିସର୍ଜନରେ ମଧ୍ୟ ନିଶାସକ୍ତ ଯୁବକମାନଙ୍କ ମଧ୍ୟରେ ମାର୍‌ପିଟ୍‌, ଗଣ୍ଡଗୋଳ ହୋଇ ରକ୍ତାକ୍ତ ସମର ସୃଷ୍ଟି ହୋଇଥାଏ ।

ଏଇଭଳି ଯୁବଶକ୍ତିଙ୍କୁ କ’ଣ ଉଦ୍‌ବୋଧିତ କରିଥିଲେ ସ୍ୱାମୀଜୀ? ଆଜି ଆମେ ସ୍ୱାଧୀନ, ପୂର୍ଣ୍ଣ ସ୍ୱାଧୀନ । ଯାହା ଚାହିଁବୁ କରିବୁ । ଉପଭୋଗ ହିଁ ଆମର ଜୀବନଚର୍ଯ୍ୟା । ଅୟସ ଆରାମ, ଭୋଗବିଳାସ ଆମର ଏକମାତ୍ର ଲକ୍ଷ୍ୟ, ଜୀବନର ସ୍ୱପ୍ନ । ଉପଭୋକ୍ତାବାଦ ଚତୁର୍ଦ୍ଦିଗରେ ଆଜି ଭୋଗର ବିପଣୀ ଖୋଲିଦେଇଛି । ଆଖି ଝଲସି ଯାଉଛି । ଚେତନା ହଜିଯାଉଛି । ଆଗକୁ ପୂଜା ଆସୁଛି । ପୂଜାର ପବିତ୍ରତା ଅପେକ୍ଷା ଆଡମ୍ବର ଅଧିକ । ଭକ୍ତି ଓ ଭାବ ଅପେକ୍ଷା ଆମ ସାହିରେ ରୁପାମେଢ଼ ତ ତାଙ୍କ ସାହିର ସୁନାମୁକୁଟର ପ୍ରତିଯୋଗିତା ଅଧିକ । ଭସାଣି ତ ତଦନୁଯାୟୀ ଆଡମ୍ବରପୂର୍ଣ୍ଣ । ଏଇ ଯୁବଶକ୍ତି ଯଦି ରାଷ୍ଟ୍ର ଗଠନ କାର୍ଯ୍ୟରେ ପ୍ରବୃତ୍ତ ହୁଅନ୍ତେ ତେବେ ଦେଶରେ ଶାନ୍ତିଶୃଙ୍ଖଳା, ସୁଶାସନ, ପରିବେଶ, ଶିକ୍ଷା, ସଂସ୍କୃତି, ଐତିହ୍ୟ, ପରମ୍ପରା ପ୍ରଭୃତି ସବୁକିଛି ଆଲୋକମୟ ଦିଗ୍‌ବଳୟ ଆଡ଼କୁ ଆଗୁସାର ହୁଅନ୍ତା । ଯେତେ ସବୁ ଅନ୍ୟାୟ, ଅନୀତି, ଭ୍ରଷ୍ଟାଚାର, ଦୁର୍ନୀତି, ଧର୍ଷଣ, ପାପାଚାର, ନିର୍ଯାତନାକୁ ଏଇ ଯୁବଶକ୍ତି ହିଁ ନିୟନ୍ତ୍ରଣ କରିପାରନ୍ତା । ଯୁବଶକ୍ତି ହିଁ ମାନବ ସମ୍ବଳ, ଯାହାର ବିକଳ୍ପ ନାହିଁ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଦେଶକୁ ସ୍ୱାଧୀନ କରିବାରେ ଏଇ ଯୁବଶକ୍ତି ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସେମାନଙ୍କ ଆତ୍ମବଳିଦାନ ଦେଶକୁ ସ୍ୱରାଜ ଆଣି ଦେଇଥିଲା । ଯୁଦ୍ଧବିଗ୍ରହ କାଳରେ ଯୁବଶକ୍ତି ହିଁ ସାମ୍ନାକୁ ଆସିଥାନ୍ତି । ରାଷ୍ଟ୍ରର ବିପତ୍ତି ସମୟରେ ଏହି ଯୁବଶକ୍ତିଙ୍କର ନିଃସ୍ୱାର୍ଥ ଶ୍ରମଦାନ ଲୋଡ଼ା ହୋଇଥାଏ । ସେଥିପାଇଁ କୁହାଯାଇଛି ଯୁବକର ଶକ୍ତି ଓ ବୃଦ୍ଧର ପ୍ରଜ୍ଞା-ରାଷ୍ଟ୍ରର ପ୍ରାଣ ସମ୍ବଳ । ଯୁବମାନସ ଯଦି ଭୋଗପ୍ରମତ୍ତ ହୁଏ ତେବେ ମାହେଶ୍ୱରୀ ବିଶ୍ୱପ୍ରକୃତିକୁ ସୁରକ୍ଷା ଦେବ କିଏ ସେ? ରାଷ୍ଟ୍ରର ଅନ୍ତର୍ନିହିତ ଶକ୍ତି ଏଇ ଯୁବମାନସର ଅବକ୍ଷୟ ହେଲେ ରାଷ୍ଟ୍ରର ସାର୍ବଭୌମତ୍ୱ ବିପନ୍ନ ହେବ । ଅରାଜକତା, ଆସୁରୀ ଶକ୍ତିର ପ୍ରବଳ ଝଞ୍ଜା ବୋହିଲେ ସୁକୁମାରୀ ମାଆ ମାତୃଭୂମି ବିପଦଗ୍ରସ୍ତ ହେବ । ଆଜି ସମାଜରେ ଯେତେଯେତେ ନକାରାତ୍ମକ, ଲଜ୍ଜାକର, ଅମାନୁଷିକ ଘଟଣା ସବୁ ଘଟୁଛି, ସେସବୁର ନିରାକରଣ କରିବ କିଏ ସେ? ସ୍ୱାମୀଜୀଙ୍କ ଭାଷାରେ- ହେ ଯୁବଶକ୍ତି! ‘ଉତିଷ୍ଠତ, ଜାଗ୍ରତ, ପ୍ରାପ୍ୟ ବରାନ୍ନିବୋଧତ’ । ସଚେତନ ଯୁବଶକ୍ତି ହିଁ ରାଷ୍ଟ୍ରର ସଂପଦ ।