ସେଦିନ ଥିଲା ବର୍ଷର ଶେଷରାତି । ରାଧୁ ଚୋର ସମୁଦ୍ର କୂଳରେ ଥିବା ଜଣେ ବଡ଼ ହୋଟେଲ ବ୍ୟବସାୟୀଙ୍କ ଘରେ ପଶିଲା । ଘରେ କେହି ନଥିଲେ । ଟଙ୍କା କିମ୍ବା ସୁନା ଗହଣା ଆଦି କିଛି ଦାମିକା ଜିନିଷ ମିଳିଲା ନାହିଁ । ପକେଟ ଦରାଣ୍ଡି କେତେଟା ଟଙ୍କା ଓ ଡ୍ରେସିଙ୍ଗ ଟେବୁଲ୍‌ ଡ୍ର ଭିତରେ ପୁଳାଏ ନକଲି ଗହଣା ଦେଖି ତା' ମୁହଁଟା ଆମ୍ବିଳା ହୋଇଗଲା । ବସ୍ତା ଖୋଲିଲା ଓ ତା' ଭିତରେ କାନ୍ଥ ଘଣ୍ଟା, ଟେବୁଲ ଘଣ୍ଟା, ଅତର ଶିଶି, ନେଲ୍‌ ପଲିସ୍‌, ସ୍ପ୍ରେ ସହିତ ରୋଷେଇ ଘରୁ ପୁଳାଏ ଷ୍ଟେନ୍‌ଲେସ୍‌ ବାସନ ପୂରାଇ ରାସ୍ତାକଡ଼କୁ ଓହ୍ଲାଇ ପଡ଼ିଲା ରାଧୁ । ରାସ୍ତାରେ ହାବୁଡ଼ିଗଲେ ହାବିଲଦାର ସୁର ଦାସ । ‘ଶଳା ବହିନିରୁ ଘାଟା' ଭାବି ରାସ୍ତା କଡ଼େ କଡ଼େ ଆଗେଇଗଲା ରାଧୁ । ଚୋରଟାଏ ଆଖି ଆଗରେ ଖସି ଯାଉଥିବା ଦେଖି ଲାଠିଟାକୁ ତଳେ ବାଡ଼େଇ ଟେରେଇ ଚାହିଁଲେ ସୁର ଦାସ । ପୁଲିସିଆ କାଇଦାରେ ନିଶ ମୋଡ଼ି ପଚାରିଲେ- କିରେ, ସେ ବସ୍ତାରେ କ'ଣ ରଖିଛୁ, ଦେଖା । ରାଧୁ ମୁହଁମୋଡ଼ି ଆଖି ତରାଟି ଭଲ କରି ବାବୁଙ୍କ ମୁହଁକୁ ଚାହିଁ କହିଲା- ବସ୍ତାରେ କ'ଣ ଅଛି, ତୁମକୁ କ'ଣ ମିଳିବ ହୋ । ତମେ ତମ ବାଟରେ ଯାଅ । ମୋ ବାଟରେ ମୁଁ ଯାଉଛି । ଚୋରଟାର କାଠିତରୁଆ ଉତ୍ତର ଦେଖି ହଠାତ୍‌ ଘାବରେଇ ଗଲେ ସୁର ଦାସ । ଟିକିଏ ନରମ ଗଳାରେ କହିଲେ- ତୁ କ'ଣ ମୋତେ ଚିହ୍ନି ନାହୁଁ! ମୁଁ ପୋଲିସ ହାବିଲଦାର । ରାଧୁ ଚୋର ଟିକିଏ ଡରିଗଲା । ବାଡ଼େଇ ବାଡ଼େଇ ଯଦି ଶଳାଟା ଥାନାକୁ ନେଇଯାଏ, ତା'ହେଲେ କଥା ଶେଷ । କହିଲା- ଆଜ୍ଞା, ରାଗିବେ ନାହିଁ । ମୁଁ କେମିତି ଜାଣିବି ଯେ ଆପଣ ଓରିଜିନାଲ ନା ଡୁପ୍ଲିକେଟ! ଏଇ ଦେଖୁ ନାହାନ୍ତି, ଆରବର୍ଷ ଶୀତଦିନରେ ବାରିପଦାର ଯାତ୍ରାବାଲା ଟୋକାଟେ ପୋଲିସ ସବ୍‌ଇନ୍‌ସପେକ୍ଟର ପୋଷାକ ପିନ୍ଧି ସାତଦିନ କାଳ ପୁରୀ ସମୁଦ୍ର କୂଳରେ ପଇଁତରା ମାରୁଥିଲା। 

ଡିଉଟିରେ ଥିବା ହୋମଗାର୍ଡ ଓ କନେଷ୍ଟବଳମାନେ ତାକୁ ସାଲ୍ୟୁଟ ମାରୁଥିଲେ । ଫେରିବାଲା, ହକର, ଅଟୋରିକ୍ସାବାଲାଙ୍କ ଠାରୁ ବଟି ଆଦାୟ କରୁଥିଲା । ଏବେ ଧରାପଡ଼ି ଜେଲ୍‌ରେ ଚାଷ କରୁଚି । ସେମିତି ଆପଣ ହେଇଥିବେ? ଘାବରେଇ ଗଲେ ସୁର ଦାସ । କହିଲେ- ଆରେ ମୂର୍ଖ, ମୁଁ ପୋଲିସ ବୋଲି ତୋର ପୁଣି ସନ୍ଦେହ ଅଛି? ଏଇ ଦେଖ ମୋର ପୋଲିସ ବ୍ୟାଜ ଛାତିରେ ନେମ୍‌ ପ୍ଲେଟ୍‌, ବେଲ୍ଟରେ ନମ୍ବର ଆଉ କାନ୍ଧରେ ଫିତା । କିଛି ନଶୁଣି ରାଧୁ ଆଗେଇ ଯିବାରୁ ଟିକିଏ ନରମି ଯାଇ ସେ କହିଲେ- ହେ ଚୋର ଭାଇ, ଦୟାକରି ମୋ ସହିତ ଥାନାକୁ ଚାଲ । ଏତେ ଦିନକେ ଗୋଟିଏ ଚୋର ଧରିଛି । ଏସ୍‌.ପି. ସାହେବ ଖୁସି ହେବେ । ମୋର ପ୍ରମୋଶନ ହେବ । ଠିକ୍‌ ଏତିକିବେଳେ ହୋଟେଲରେ ଭଡ଼ା ଛାଡ଼ି ଫେରୁଥିବା ଟ୍ୟାକ୍ସି ଡ୍ରାଇଭର କୃଷ୍ଣର ଆଖିରେ ଲ୍ୟାମ୍ପ ପୋଷ୍ଟ ତଳର ଏହି ବିରଳ ଦୃଶ୍ୟ ପଡ଼ିଗଲା । ଘଟଣା କ'ଣ ଜାଣିବା ପାଇଁ ଗାଡ଼ି ରଖି ଓହ୍ଲାଇ ଆସିଲା ଓ ହାବିଲ୍‌ଦାର ବାବୁଙ୍କୁ ନମସ୍କାର କରି କହିଲାକ’ଣ ଆଜ୍ଞା! ଆପଣ ଏକୁ ଚିହ୍ନି ନାହାନ୍ତି? ଏଇଟା ପରା ସମୁଦ୍ରକୂଳ ଥାନାର ତିନି ନମ୍ବର ଦାଗୀ ରାଧୁ ଚୋର । ପୋଲିସ ହେଇ ଚୋରଟାକୁ ଖୋସାମତ କରୁଥିବାର ଚିତ୍ର ଦେଖି ଦେଇଥିବାରୁ କୃଷ୍ଣ ଉପରେ ସୁର ଦାସ ରାଗି ନିଆଁବାଣ ହୋଇଗଲେ । ଚୁଟି ଝିଙ୍କି ତା' ପିଠିରେ କଷି କଷି କରି ଚାରି ବେତ ପାହାର ଦେଇ ପାଟି କରି ଉଠିଲେ- ଶଳା ଆସିଲା ଭଦ୍ରଲୋକି ଦେଖେଇବାକୁ । ଭାଗ ଏଠୁ । ମାଡ଼ ଖାଇ ପିଠି କୁଣ୍ଡେଇବାକୁ ସମୟ ପାଇଲାନି କୃଷ୍ଣ । ଆଖି ପିଛୁଳାକେ ଗାଡି ଷ୍ଟାର୍ଟ କରି କେଉଁଆଡ଼େ ଉଭାନ ହୋଇଗଲା ସେ । ହୁଁକାର କରି ଧାଇଁଗଲେ ସୁର ଦାସ । ରାଧୁ ଚୋରର ଚୁଟିଧରି ଘୋଷାରି ଆଣିଲେ ଓ ତଳେ ପକାଇ ଦେଇ ଅଦାଭଳି ଛେଚି ଦେଇଗଲେ । ମାଡ଼ ଖାଇ ବିକଳରେ ହାବିଲ୍‌ଦାର ବାବୁଙ୍କର ଗୋଡ଼ ଦୁଇଟା ଜାବୋଡ଼ି ଧରି ରାଧୁ କହିଲା- ଆଉ ମାରନ୍ତୁନି ଆଜ୍ଞା ମୁଁ ମରିଯିବି । ହାବିଲ୍‌ଦାର ବାବୁଙ୍କ ରାଗ ଥଣ୍ଡା ଧରିଲା । ଝାଡ଼ିଝୁଡ଼ି ହେଇ ଉଠି ଠିଆ ହେଲା ରାଧୁ । 

ଦଶବର୍ଷ ହେଲା ଏ ଲାଇନ୍‌ରେ କାମ କରି ମାଡ଼ ଖାଇ ଖାଇ ଦେହ ହାତ ତା'ର ବଧିରା ହୋଇଯାଇଥିଲା । ହାତ ଯୋଡ଼ି କହିଲା- ଆଜ୍ଞା, ମୋର ଭୁଲ୍‌ ହୋଇଯାଇଛି । ଏବେ ଆପଣଙ୍କୁ ଚିହ୍ନିଗଲି । ଏଇ ଦେଖନ୍ତୁ ଚୋରି ଜିନିଷ । ଯାହା ବିକିବି ଅଧେ ଦେବି । ବ୍ୟାଗ୍‌ ଭିତରକୁ ଚାହିଁ ମୁହଁଟାକୁ ଆମ୍ବିଳା କରିଦେଲେ ସୁର ଦାସ । ହାବଭାବ ଠଉରେଇ ତାଙ୍କ ହାତରେ ଶହେ ଟଙ୍କିଆ ନୋଟ୍‌ ଖଣ୍ଡେ ଗୁଞ୍ଜିଦେଇ ରାଧୁ କହିଲା- ଏଇ ନିଅନ୍ତୁ ଆପଣଙ୍କ ପାଉଣା, ଭଲ ମାଲ୍‌ ମିଳିବା ଠିକଣାଟିଏ ଦିଅନ୍ତୁ । ଯାହା ମିଳିବ ସେଥିରୁ ଅଧେ ଆପଣଙ୍କ ପାଖରେ ପହଞ୍ଚାଇ ଦେବି । ଏଣେ ତେଣେ ଚାହିଁ ଟଙ୍କାଟାକୁ ପକେଟ୍‌ରେ ପୂରାଇ ରାଧୁ କାନରେ ଫିସ୍‌ ପିସ୍‌ କରି କିଛି କହିଦେଲେ ସେ । ଖୁସି ମନରେ ବ୍ୟାଗ୍‌ଟାକୁ ପିଠିରେ ପକାଇ ହଲିଡେ ହୋମ୍‌ ପଛ ରାସ୍ତାରେ ରାଧୁ କୁଆଡେ ଉଭାନ୍‌ ହେଇଗଲା । ମନ ଖୁସିରେ ଲାଠି ପିଟି ହୁଇସିଲ୍‌ ମାରି ମାରି ଘରମୁହାଁ ଚାଲିଲେ ସୁର ଦାସ । ନୂଆବର୍ଷରେ ପିଲାଙ୍କ ପାଇଁ ମିଠା ପ୍ୟାକେଟଟାଏ ତ ହେଇଗଲା! (କଳ୍ପିତ)