• ସରିଲା ପ୍ରମେୟ ମେଧାବୀ ସମ୍ମାନ-୨୦୨୫
  • ଅଂଶ ଗ୍ରହଣ କଲେ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ବର; ୪/୧: ସରିଲା ପ୍ରମେୟ, ନ୍ୟୁଜ୍-୭ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିବା ମେଧାବୀ ସମ୍ମାନ ୨୦୨୫ ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା । ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଜୟପୁର ଓ କଟକ ଚୌଦ୍ଵାର ଭଳି ବଡ଼ ସହରରୁ ମାତ୍ରାଧିକ ସଂଖ୍ୟାରେ ଗଣିତ ପ୍ରତି ରୁଚିଥିବା ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭାଗ ନେଇଛନ୍ତି । ପ୍ରାୟ ୪ ହଜାର ୭ ଶହରୁ ଉର୍ଦ୍ଧ୍ବ ଦଶମ ଶ୍ରେଣୀ ମେଧାବୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ରାଜ୍ୟର ୩୪ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । କେବଳ ଗଣିତ ବିଷୟରେ ଶହେ ମାର୍କର ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଶହେ କୃତୀ ଛାତ୍ରଛାତ୍ରୀଙ୍କୁ ଦଶମ ପରୀକ୍ଷା ଶେଷ ହେବା ପରେ ଭବ୍ୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ଏହାସହ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ।

ପ୍ରମେୟ, ନ୍ୟୁଜ୍ ସେଭେନ୍ ଦ୍ଵାରା ମେଧାବୀ ସମ୍ମାନ ଏକ ସଂପୂର୍ଣ୍ଣ ଭିନ୍ନ ଚିନ୍ତାଧାରା । କେବଳ ପ୍ରତିଭା ଚୟନ ଲକ୍ଷ୍ୟ ନୁହେଁ ତା’ସହିତ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ୍ ଦେଇ ଭବିଷ୍ୟତ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜ ରଂଜନ ନାୟକଙ୍କ ‘ଗିଭିଂ ବ୍ୟାକ ଟୁ ସୋସାଇଟି’ ଆଦର୍ଶରେ ଅନୁପ୍ରାଣିତ ହୋଇ ଏଭଳି କାର୍ଯ୍ୟକ୍ରମ କରାଯାଉଛି ବୋଲି କହିଛନ୍ତି, ସେଲସ୍ ଆଣ୍ଡ ମାର୍କେଟିଂ ଗ୍ରୁପ ନିର୍ଦ୍ଦେଶକ ହିମାଂଶୁ ହୋତା । ମାର୍କ ଅନୁଯାୟୀ ଶ୍ରେଷ୍ଠ ଶହେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ । ସମସ୍ତ ପ୍ରତିଯୋଗୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜ ରଂଜନ ନାୟକ ।

ଓଡ଼ିଶା ଶିକ୍ଷା ଇତିହାସ କ୍ଷେତ୍ରରେ ଗଣିତକୁ ନେଇ ହୋଇଥିବା ପରୀକ୍ଷା ପ୍ରଥମ ଥର ପାଇଁ ଆୟୋଜନ କରାଯାଇଛି । ତେଣୁ ପ୍ରମେୟ ଓ ନ୍ୟୁଜ୍ ସେଭେନ୍ ର ପ୍ରୟାସକୁ ଛାତ୍ରଛାତ୍ରୀ, ଅବିଭାବକ ଓ ଶିକ୍ଷାବିତ୍ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ଏଭଳି ପରୀକ୍ଷା ଦ୍ଵାରା କେବଳ ଗଣିତ ପ୍ରତି ରୁଚି ବଢିବ ନାହିଁ ବରଂ ଗଣିତରେ ଗବେଷଣା କରିବାକୁ ଛାତ୍ରଛାତ୍ରୀଙ୍କ ପ୍ରବଳ ଆଗ୍ରହ ବଢିବ ବୋଲି କହିଛନ୍ତି । ପ୍ରମେୟ ଓ ନ୍ୟୁଜ୍-୭ର ଉଦ୍ୟମ ଯୋଗୁଁ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ଆଶା ରଖିଛନ୍ତି ସମସ୍ତେ ।

ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ମାସରେ ହେବାକୁ ଥିବା ବେଳେ ଏହି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭାଗ ନେଇଥିବା ସବୁ ଛାତ୍ରଛାତ୍ରୀଙ୍କ ଭଲ ଗଣିତ ଅଭ୍ୟାସ ହୋଇଛି ବୋଲି କହିଛନ୍ତି । ସବୁଠୁ ବଡ଼ କଥା ହେଲା ଛାତ୍ରଛାତ୍ରୀ ମାନେ ସମ୍ମୁଖୀନ ହୋଇଥିବା ପ୍ରଶ୍ନ ଗୁଡ଼ିକୁ ଓଷ୍ଟାର ବରିଷ୍ଠ ଶିକ୍ଷକ ମଣ୍ଡଳୀ ପ୍ରସ୍ତୁତି କରିଥିଲେ । ଯାହାକି ଦଶମ ପରୀକ୍ଷା ପାଇଁ ଭଲ ଅଭ୍ୟାସ ହେଲା ବୋଲି କୁହାଯାଉଛି । ଖୁବଶୀଘ୍ର ରେଜଲ୍ଟ ଆସିବା ସହିତ ଶ୍ରେଷ୍ଠ ଶହେ ଛାତ୍ରଛାତ୍ରୀଙ୍କ ନାମ ପ୍ରମେୟ ଓ ନ୍ୟୁଜ୍ ସେଭେନ୍ ତରଫରୁ ଘୋଷଣା କରାଯିବ ।