ଭୁବନେଶ୍ୱର,୧୬/୧୨:  ୨୦୧୪ ମସିହା ଆଜିର ଦିନରେ  ନ୍ୟୁଜ୍‌-୭ ଲୋକଙ୍କ ଟିଭି ଭାବେ  ଉଭା ହୋଇଥିଲା । ଲୋକଙ୍କ ବିଶ୍ୱାସ  ଜିଣି ଖବର ପରିବେଷଣ କରିଥିଲା ।  ଇତିମଧ୍ୟରେ ସାଧାରଣ ଲୋକଙ୍କ  ସମସ୍ୟାକୁ ଅଧିକାରୀ ଓ ରାଜନେତାଙ୍କ  ଦୃଷ୍ଟି ଆକର୍ଷଣ କରିପାରିଛି ଟିମ୍‌  ନ୍ୟୁଜ୍‌-୭ । ଅନୁସନ୍ଧାନମୂଳକ ଖବର  ପରିବେଷଣ କରି ଦୁର୍ନୀତିର ପର୍ଦ୍ଦାଫାସ୍‌  କରିଛି । ପ୍ରାକୃତିକ ଦୁର୍ବିପାକ, ଦୁର୍ଘଟଣା  ସ୍ଥଳରେ ଆଗୁଆ ପହଞ୍ଚି ଟିକିନିଖି  ଖବର ପ୍ରସାରଣ କରିଛି । ଆଉ ଏହି  ୧୦ ବର୍ଷର ଯାତ୍ରା ଭିତରେ ଖବର  ପରିବେଷଣର ନିରପେକ୍ଷତାକୁ ବଜାୟ  ରଖି ଆସିଛି । ନ୍ୟୁଜ୍‌-୭ର ଦଶମ  ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦେଇ  ସୁମା ରିଅଲ୍‌ ମିଡିଆର ନିର୍ଦ୍ଦେଶିକା  ଶାଶ୍ୱତୀ ଦାସ ଏହା କହିଛନ୍ତି । 

ଚ୍ୟାନେଲ୍‌ ମୁଖ୍ୟ କାର୍ଯ୍ୟାଳୟରେ ସୋମବାର ନ୍ୟୁଜ୍‌-୭ର ଦଶମ  ସ୍ୱନକ୍ଷତ୍ର ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶାଶ୍ୱତୀ ଦାସ  ଯୋଗଦେଇ କହିଥିଲେ, ନ୍ୟୁଜ୍‌-୭ ଆଗକୁ ବଢ଼ିବା ସହ ସମସ୍ତଙ୍କୁ  ସାଙ୍ଗରେ ନେଇ ଦର୍ଶକଙ୍କ ଆସ୍ଥା ଭାଜନ  ହୋଇଛି । ସଫଳତା ପଥରେ ଅଗ୍ରସର  ହେବା ସହ ସମାଜର ଦୁର୍ବଳ ଶ୍ରେଣୀର  ଲୋକଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ  ପାଇଁ ନିର୍ଭୀକ ଭାବେ କାର୍ଯ୍ୟ କରିବାକୁ ଶ୍ରୀମତୀ ଦାସ ପରାମର୍ଶ ଦେଇଥିଲେ । 

ନ୍ୟୁଜ୍‌-୭ର ମୁଖ୍ୟ କାର୍ଯ୍ୟନିର୍ବାହୀ  ଅଧିକାରୀ ସୁନୀଲ ଦାସ କହିଥିଲେ  ଯେ ଏହି ଚ୍ୟାନେଲ୍‌ ୧୦ ବର୍ଷ ଭିତରେ  ଲୋକଙ୍କ ଚ୍ୟାନେଲ ଭାବେ ନିଜକୁ  ପ୍ରତିପାଦିତ କରିପାରିଛି । ଆଗକୁ ମଧ୍ୟ  ଏହି ଧାରା ଜାରି ରହିବ । ଖବର ସଂଗ୍ରହ ଠାରୁ ଆରମ୍ଭ କରି ଟିଭି ପରଦାରେ  ଏହାକୁ ଉପସ୍ଥାପନା କରିବାରେ  ସାମୂହିକ ଉଦ୍ୟମ ବଳବତ୍ତର ରଖିବା  ନେଇ ସେ ପରାମର୍ଶ ଦେଇଥିଲେ । 

‘ପ୍ରମେୟ’ ଓ ନ୍ୟୁଜ୍‌-୭ର ଗ୍ରୁପ  ଏଡିଟର ଗୋପାଳକୃଷ୍ଣ ମହାପାତ୍ର  କହିଥିଲେ ଯେ ଏହି ୧୦ ବର୍ଷରେ  ଆମେ ଅନେକ ମାଇଲ ଖୁଣ୍ଟ ଅତିକ୍ରମ  କରିଛୁ । ଏକ ଛୋଟ ସମୟ ମଧ୍ୟରେ  ରାଜ୍ୟର ପ୍ରତିଟି ଲୋକଙ୍କ ମନରେ  ନିଜର ଛାପ ରଖିବା କିଛି ଛୋଟିଆ  କଥା ନୁହେଁ । ତେଣୁ ଏହି ଧାରାକୁ  ବଜାୟ ରଖିବା ଲାଗି ଆମେ କେଉଁଠି  ପହଞ୍ଚିଛେ ସେନେଇ ଆତ୍ମସମୀକ୍ଷା  କରିବା ଉଚିତ । ନିଜକୁ ପ୍ରସ୍ତୁତ କରି  ଆଗକୁ ବଢ଼ିବାର ଯୋଜନା କରିବା  ବୋଲି ଶ୍ରୀ ମହାପାତ୍ର କହିଥିଲେ । 

ଗ୍ରୁପ ଡାଇରେକ୍ଟର (ସେଲ୍‌ସ ଆଣ୍ଡ  ମାର୍କେଟିଂ) ହିମାଂଶୁ ହୋତା କହିଥିଲେ  ଯେ ସମସ୍ତେ ଏକ ହୋଇ ନ୍ୟୁଜ୍‌-୭କୁ ଆଗକୁ ନେବା । ବିଶେଷ କରି  ବିଭାଗୀୟ ସମନ୍ୱୟକୁ ଅଧିକ ସଶକ୍ତ  କରିବା ଉପରେ ସେ ଗୁରୁତ୍ୱାରୋପ  କରିଥିଲେ । ଏହି ଅବସରରେ  ନ୍ୟୁଜ୍‌-୭ର କାର୍ଯ୍ୟନିର୍ବାହୀ ସମ୍ପାଦକ  ଦେବନାରାୟଣ ସେଠୀ ୧୦ ବର୍ଷର  ଅଭିଜ୍ଞତା ବଖାଣିଥିଲେ । କିଭଳି ନାନା  ପ୍ରତିବନ୍ଧକକୁ ସାମ୍ନା କରି ଚ୍ୟାନେଲ୍‌ ଖବରରେ ନିରପେକ୍ଷତା ଏବଂ ସ୍ପଷ୍ଟତା  ଜାରି ରଖିଛି ସେ ବର୍ଣ୍ଣନା କରିଥିଲେ ।