ଭୁବନେଶ୍ୱର ୧୨/୧୨ (ମନୋରଞ୍ଜନ ମହାନ୍ତି): ଆରମ୍ଭରୁ ପରିକ୍ରମା, ଶେଷ ଆଡ଼କୁ  ଅସ୍ମିତାର ପ୍ରବେଶ  ଏବଂ ମଝିରେ  ନିର୍ବାଚନର ମହାପର୍ବ । ଅନେକ  କିଛି ଘଟିଥିଲା  ସଂସ୍କୃତି, ପର୍ଯ୍ୟଟନ  ଆଉ ହସ୍ତକଳା  ଦୁନିଆରେ । ଯାହାର  ମୂକସାକ୍ଷୀ ଏଇ  ୨୪ । ସେସବୁକୁ ଚୁମ୍ବକରେ ଛୁଇଁଛୁ  ଚଲାପଥରେ... ।

ଠ ଓଡ଼ିଶା ଲେଖିଲା ନୂଆ ଇତିହାସ।  ପୁରୀରୁ ପଶ୍ଚିମ ଓଡ଼ିଶା । ଶ୍ରୀମନ୍ଦିରରୁ ସମଲେଇ- ଅବିଶ୍ୱସନୀୟ  କଳ୍ପନାତୀତ ରୂପାନ୍ତରଣ । କ’ଣ ଦେଖିଲା ଏ ଆଖି । ବଦଳିଗଲା  ରୂପରେଖ । ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ର ଓ ମା’ ସମଲେଇଙ୍କ ପୀଠରେ  ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟିକଲା ଐତିହ୍ୟ ପରିକ୍ରମା ପ୍ରକଳ୍ପ । ମନ୍ଦିର ମାଳିନୀ  ସହର ସାଉଁଟା ସ୍ମୃତି ପୃଷ୍ଠାରେ ଯୋଡ଼ିହେଲା ନୂଆ ଫର୍ଦ୍ଦ । ଜନତା  ମଇଦାନରୁ ଜଗତକୁ ପ୍ରସାରିତ ହେଲା ଓଡ଼ିଆ ସ୍ୱର ।

 ପ୍ରଥମ ଓଡ଼ିଆ  ବିଶ୍ୱ ଭାଷା ସମ୍ମିଳନୀ ମାଧ୍ୟମରେ ଓଡ଼ିଆ ଭାଷାକୁ ନେଇ ଓଡ଼ିଶା ଲେଖିଲା ନୂଆ ଇତିହାସ । ଜୀବନବ୍ୟାପୀ ସାଧନାର ସ୍ୱୀକୃତି ସ୍ୱରୂପ  ବିଶିଷ୍ଟ ଭାଷାବିତ୍‌ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ପାଇଲେ  ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମାନ’ । ଭାଷାର ମାଟିରେ ସାହିତ୍ୟର  ଯୁଗପୁରୁଷଙ୍କ ସମ୍ମାନାର୍ଥେ ଲୋକାର୍ପିତ ହେଲା ମନୋଜ-ମନ୍ମଥ  ଦାସ ସ୍ମୃତି ସଂଗ୍ରହାଳୟ ।  

ଠ ତମେ ଚାହିଁଲ ବୋଲି ଚକାଆଖି  କେତେବେଳେ ଚକା ଆଖି ଚାହିଁବାରୁ ଏସବୁ ସମ୍ଭବ ହେଲା  ତ ପୁଣି କେତେବେଳେ ରାମଙ୍କ ଆଗମନରେ ଉତ୍ସବ ମୁଖରିତ  ହେଲା ପରିବେଶ । ସେଥିପାଇଁ ଭାରତୀୟ ସଙ୍ଗୀତ ଜଗତର  ଲୋକପ୍ରିୟ ଯୁବ ପ୍ରଚ୍ଛଦପଟ୍ଟ ଗାୟକ ଜୁବିନ୍‌ ନୌଟିଆଲ୍‌ ଗାଇଲେ  ‘ତମେ ଚାହିଁଲ ବୋଲି ଚକାଆଖି...’ ତ ପୁଣି ନମିତା ଅଗ୍ରୱାଲ୍‌ଙ୍କ  କଣ୍ଠରୁ ଭାସି ଆସିଲା ‘ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ...’ ।  ଉଭୟ ଗୀତ ଟ୍ରେଣ୍ଡ୍‌ରେ ରହିଲା ଏବଂ ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ  ସହ କଳାକାରଙ୍କୁ ସ୍ୱତନ୍ତ୍ର ପରିଚିତି ଦେଲା । ତା’ ସାଙ୍ଗକୁ ଭାଷା,  ସାହିତ୍ୟର ଗୁଞ୍ଜରଣ ଭିତରେ ‘ଅକ୍ଷର ଭୂମି’ରୁ ସମବେତ ସ୍ୱରରେ  ଶୁଭିଲା ‘ବନ୍ଦେ ଉତ୍କଳ ଜନନୀ...’ । ଓଡ଼ିଶାର ପ୍ରତିଭାଙ୍କୁ ପୁରସ୍କାର,  ସମ୍ମାନ ରାଜ୍ୟର ଗୌରବ ବଢ଼ାଇଲା । ସହାୟତା ରାଶି ବଢ଼ିଲା,  କଳାକାର-ବୁଣାକାରଙ୍କ ଦୁଃଖ ଗଲା । ଭାଗବତ ଟୁଙ୍ଗୀକୁ ମିଳିଲା  ୫୦ ହଜାର ଟଙ୍କାର ସହାୟତା । ପଦ୍ମ ବିଜେତାଙ୍କୁ ମିଳିଲା ମାସିକ  ୩୦ ହଜାର ଟଙ୍କା ।  

ଠ ସବୁଠି ଓଡ଼ିଶା ଆଉ ଓଡ଼ିଆ  ବାଲୁକା କଳାରେ ସୁଦର୍ଶନଙ୍କ ହାତର ଚମକ ଦେଖିଲା ବିଶ୍ୱ ।  ପ୍ରଥମ ଥର ଦୁବାଇ ଗଲେ ଲୋକକଳା କଳାକାର ଏବଂ ସେଠାରେ  ଜନଜାତି ଚିତ୍ରକଳାରେ ମନମୋହିଲେ ଓଡ଼ିଶାର ଶିଳ୍ପୀ । ପଲ୍ଲୀରୁ  ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପିଲା ମହାପୁରୁଷ ମହତାବଙ୍କ ୧୨୫ତମ  ଜୟନ୍ତୀ । ରାଜ୍ୟରେ ଗ୍ରନ୍ଥାଗାର ଅଭିଯାନର ହେଲା ଶୁଭାରମ୍ଭ ।  

ଠ ଲଣ୍ଡନରେ ଓଡ଼ିଶା ପର୍ଯ୍ୟଟନ ପର୍ଯ୍ୟଟନର ଅପୂର୍ବ ସମ୍ଭାରରେ ହୀରାକୁଦ ଓ ସାତକୋଶିଆ  ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେଲା । ଦିଲ୍ଲୀ ଦରବାରରେ ପ୍ରଜ୍ଞାପନ  ମେଢ଼ରେ ଶ୍ରେଷ୍ଠ ହେଲା ଓଡ଼ିଶା । ମାଣିଆବନ୍ଧ ପାଇଲା ଶ୍ରେଷ୍ଠ  ପର୍ଯ୍ୟଟନ ଗ୍ରାମ ପୁରସ୍କାର । ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟି  ବୈଠକରେ ଯୋଗ ଦେଲେ ଓଡ଼ିଶାରୁ ୫ ବିଶିଷ୍ଟ ବ୍ୟକ୍ତି । ସେଠି  ବିଦେଶୀ ଚାଖିଲେ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ଫେଣି (ଖଜା) । ୭  ଦିନିଆ ଗସ୍ତରେ ଯାଇ ଲଣ୍ଡନରେ ଓଡ଼ିଶା ପର୍ଯ୍ୟଟନର ଭିନ୍ନ ରୂପକୁ  ପ୍ରତିପାଦିତ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଶ୍ରୀମତୀ  ପରିଡ଼ାଙ୍କ ଦ୍ୱାରା ୟୁକେସ୍ଥିତ କେଣ୍ଟ ଠାରେ ଉଦ୍‌ଘାଟନ ହେଲା  "ଚିଲିକା' ରେସ୍ତୋରାଁ । 

ଠ ୫୫ ହସ୍ତଶିଳ୍ପକୁ ଅନୁମୋଦନ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୫୫ଟି  ହସ୍ତଶିଳ୍ପକୁ ମିଳିଥିଲା ବିଭାଗୀୟ ଅନୁମୋଦନ । ଏଥିସହ ପୋଷାକ  ଉତ୍ପାଦନରେ ନୂଆ ଅଧ୍ୟାୟ ଲେଖିବାକୁ ଉଦ୍‌ଘାଟନ ହେଲା ‘ପରିଧାନ  ଉଷ୍ମାୟନ କେନ୍ଦ୍ର’ । ଶିଳ୍ପୀ, କାରିଗର ଓ ବୁଣାକାରଙ୍କ ପାଇଁ ହସ୍ତତନ୍ତ,  ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ ନୂଆ କାର୍ଯ୍ୟାଳୟ ଖୋଲିଲା  ଏବଂ ଉତ୍କଳିକା ନିର୍ମିତ ଅତିଥି ଗୃହର ଲୋକାର୍ପଣ ହେଲା ।  

ଠ ଓଡ଼ିଶା ପର୍ବରେ ମୋଦିଙ୍କ ପ୍ରଶଂସା  ନୂଆଦିଲ୍ଲୀରେ ଅନୁଷ୍ଠିତ "ଓଡ଼ିଶା ପର୍ବ-୨୦୨୪' ଉଦ୍‌ଯାପନୀ  ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂୟସୀ  ପ୍ରଶଂସା କରିଥିଲେ । ମସଲା ଚା’ ପିଇବା ସହ ଓଡ଼ିଶା, ଓଡ଼ିଆ  ଏବଂ ବିଶ୍ୱ ନିଅନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ କଥା  ବଖାଣିଥିଲେ । ଓଡ଼ିଶା ଆସି ମସଲା ଚା’ ଏବଂ ଓଡ଼ିଶା ପର୍ବକୁ  ସ୍ମରଣ କରି ଆୟୋଜକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ  ପ୍ରଶଂସା କରିଥିଲେ ।  

ଠ ଐତିହାସିକ ନିଷ୍ପତ୍ତି ଏସବୁ ଭିତରେ ବଡ଼ କଥା ଥିଲା³ ନୂଆ ସରକାରଙ୍କ ଆଗମନରେ  ‘ଓଡ଼ିଆ ଅସ୍ମିତା’ ଯାତ୍ରାର ଅୟମାରମ୍ଭ । ଚାରିଆଡ଼େ ଅସ୍ମିତାର  ଜୟକାର ଧ୍ୱନି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେଲେ  ଐତିହାସିକ ନିଷ୍ପତ୍ତି । ଓଡ଼ିଶାର ଶାସନ ଓଡ଼ିଆରେ ଚାଲିବ ।  ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ପ୍ରକୋଷ୍ଠ ନାମଫଳକରୁ ଆରମ୍ଭ  ହେଲା ଏହି ଓଡ଼ିଆ ଅଭିଯାନ । ଓଡ଼ିଆ ଭାଷା, ସାହିତ୍ୟ,  ସଂସ୍କୃତି ଐତିହ୍ୟ ଓ ଅସ୍ମିତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  ନିଆଗଲା । ୨୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ  ହେଲା । ଏଥିରେ ଓଡ଼ିଆ ଅସ୍ମିତା ଭବନ ଗଠନ, ଓଡ଼ିଆ  ଅନୁବାଦ ଏକାଡେମୀ ପ୍ରତିଷ୍ଠା, ବିଶ୍ୱସ୍ତରୀୟ ତାଳପତ୍ର  ପୋଥି ସଂଗ୍ରହାଳୟ ସ୍ଥାପନ, ପାଇକ ବିଦ୍ରୋହ ସ୍ମାରକୀର ଉନ୍ନତୀକରଣ, ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପାଇଁ  ପ୍ରୟାସ, କଳାକାରଙ୍କୁ ପ୍ରୋତ୍ସାହନ, ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ  ପ୍ରଶିକ୍ଷଣ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ, ଜାତୀୟ ଓ ଅନ୍ତର୍ଜାତୀୟ  ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା, ଜିଲ୍ଲାସ୍ତରରେ  ଇ-ଗ୍ରନ୍ଥାଳୟ ଏବଂ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା  ପାଇଁ ଅନେକ ପଦକ୍ଷେପ ପାଇଁ ନିଆଗଲା ନିଷ୍ପତ୍ତି । ଶ୍ରୀମନ୍ଦିରର  ଉନ୍ନତି ପାଇଁ ୫୦୦ କୋଟିର କର୍ପସ୍‌ ପାଣ୍ଠି ସହ ଦୀର୍ଘଦିନ ଧରି  ବନ୍ଦ ଥିବା ୪ ଦ୍ୱାର ଖୋଲିଲା । ଶେଷରେ ସବୁ କଳ୍ପନାଜଳ୍ପନାର  ଅନ୍ତ ସହ ରତ୍ନଭଣ୍ଡାର ବି ଖୋଲିଲା । ଏ ବର୍ଷ ଏକ ସ୍ମରଣୀୟ  ବର୍ଷ, ଯାହାକୁ ଭୁଲି ହେବନି ।

ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ଜାତୀୟ ସାଧାରଣତନ୍ତ୍ର ଦିବସରେ "ବିକଶିତ ଭାରତ'କୁ ନେଇ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ ହୋଇଥିଲା । ଦୀର୍ଘ ୩ ବର୍ଷ ପରେ ଜାତୀୟ ପରେଡ୍‌ରେ ସୁଯୋଗ ମିଳିଥିଲା ।

ଅଦିନିଆ ରଥଯାତ୍ରାରୁ ରାଣ୍ଡିପୁଅ ଅନନ୍ତା

ଏ ବର୍ଷ ସଂସ୍କୃତି, ମନୋରଞ୍ଜନ ଦୁନିଆ ଯେତିକି  ସୁନାମ ସାଉଁଟିଥିଲା ସେତିକି ଦୁର୍ନୀତି ମୁଣ୍ଡାଇଥିଲା ।  ଆମେରିକାର ହ୍ୟୁଷ୍ଟନ୍‌ ଓ ବିଦେଶର ଅନ୍ୟାନ୍ୟ  ସ୍ଥାନରେ ଇସ୍କନ୍‌ର ମହାପ୍ରଭୁ ଶ୍ରୀଗଜନ୍ନାଥଙ୍କ  ଅଦିନିଆ ରଥଯାତ୍ରାକୁ ନେଇ ବିଶ୍ୱବ୍ୟାପୀ ଅସନ୍ତୋଷ  ଦେଖାଯାଇଥିଲା । ପୃଥିବୀର କୋଣଅନୁକୋଣରେ ଥିବା  ଶ୍ରୀଜଗନ୍ନାଥପ୍ରେମୀ ଓ ଓଡ଼ିଆମାନେ ଏହାର ବିରୋଧ  କରିଥିଲେ । ଶେଷରେ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନ ଜଣାଇ  ଜିଦ୍‌ରୁ ଓହରିଥିଲା ଇସ୍କନ୍‌ । ସେହିପରି ଯାତ୍ରାରେ ଅଶ୍ଲୀଳତା ପ୍ରଦର୍ଶନ  ନେଇ ଏଥର ଓଡ଼ିଶା ଯାତ୍ରା ଓ ନାଟକ ଜଗତ ଉଠିଥିଲା ପଡ଼ିଥିଲା ।  ଏହା ଉପରେ ମାର୍ଗଦର୍ଶିକା ଜାରି ହେବ ବୋଲି ସରକାର କହିଥିଲେ ।  ସେହିପରି କାଞ୍ଜିଅଁଳା ଯାତ୍ରା ଅବସରରେ ହିଞ୍ଜିଳି ଥାନା ରାଳବ ଗାଁର  ତଳ ସାହିରେ ପୌରାଣିକ ନାଟକ ହେଉଥିଲା ।  ସେଠାରେ ରାକ୍ଷସ ଭୂମିକାରେ ଅଭିନୟ  କରିଥିବା ଦୁଇ କଳାକାର ମଞ୍ଚରେ ଜିଅନ୍ତା  ଘୁଷୁରି ଝୁଣି ଖାଇଥିଲେ ଏବଂ ସାପ ଖେଳ  କରିଥିଲେ । ଯାହାର ଭିଡିଓ ଓ ଫଟୋ ବିଶ୍ୱବ୍ୟାପୀ  ଭାଇରାଲ୍‌ ସହ ଖବରର ଶିରୋନାମା ପାଲଟିଲା ।  ଶେଷରେ ନାଟକର ମ୍ୟାନେଜର ଓ ରାକ୍ଷସ ଭୂମିକାରେ  ଥିବା କଳାକାର ଗିରିଫ ହୋଇଥିଲେ । କିନ୍ତୁ ବେଶି ଚର୍ଚ୍ଚାରେ ଥିଲା  ବ୍ୟାସକବିଙ୍କ ‘ରାଣ୍ଡିପୁଅ ଅନନ୍ତା’କୁ ନେଇ ନିର୍ମିତ ଓଡ଼ିଆ ସିନେମା ।  ବିଶେଷକରି ‘ରାଣ୍ଡିପୁଅ’ ଶବ୍ଦକୁ ନେଇ ଆରମ୍ଭ ହୋଇଥିବା ବାକ୍‌ ଯୁଦ୍ଧ  ଡିଜିଟାଲ୍‌ ପ୍ଲାଟ୍‌ଫର୍ମରୁ ବାହାରି ରାସ୍ତାକୁ ଆସିଲା । ଶେଷରେ କଳାକାରଙ୍କ  କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା।

> ‘ପଦ୍ମ’ ବିଜେତାଙ୍କୁ ମାସିକ  ୩୦ ହଜାର  ରାଜ୍ୟର ସମସ୍ତ ‘ପଦ୍ମ’ ସମ୍ମାନ ବିଜେତାଙ୍କୁ ମାସକୁ ମିଳିବ  ୩୦ ହଜାର ଟଙ୍କା । ଫଳରେ ରାଜ୍ୟର ୫୫ ଜଣ ଜୀବିତ  ପଦ୍ମ ସମ୍ମାନପ୍ରାପ୍ତ ବ୍ୟକ୍ତି ଏହି ସହାୟତା ରାଶି ପାଇବେ । 

 > ୮ ସାମଗ୍ରୀକୁ ଜିଆଇ  ଓଡ଼ିଶାର ଖଜୁରି ଗୁଡ଼, ଢେଙ୍କାନାଳ ମଗ୍‌ଜି ଲଡୁ, ଶିମିଳିପାଳ  କାଇ ଚଟଣି, ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ,  କପଡ଼ାଗଣ୍ଡା: ଡଙ୍ଗରିଆ କନ୍ଧ ଏମ୍ବ୍ରଏଡୋରୀ ଶାଲ୍‌,  କୋରାପୁଟ କଳାଜିରା ଚାଉଳ, ଲାଞ୍ଜିଆ ସଉରା ଚିତ୍ରକଳା  ‘ଇଡିତାଲ୍‌’, କଟକ ତାରକସୀ କାମକୁ ମିଳିଛି ଜିଆଇ।

>ସୁଦର୍ଶନଙ୍କୁ ସ୍ୱର୍ଣ୍ଣ: ଋଷିଆର ସେଣ୍ଟ୍‌ ପିଟର୍ସବର୍ଗ ଠାରେ ଅନ୍ତର୍ଜାତୀୟ ବାଲୁକା କଳା  ଚାମ୍ପିଆନ୍‌ସିପ୍‌-୨୦୨୪ରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ  ସୁଦର୍ଶନ ପଟ୍ଟନାୟକ ଗୋଲ୍ଡେନ୍‌ ସ୍ୟାଣ୍ଡ୍‌ ମାଷ୍ଟର୍ସ ଆୱାର୍ଡ  ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଓଡ଼ିଶା ସରକାର  ମଧ୍ୟ ତାଙ୍କୁ ଏଥିଲାଗି ପୁରସ୍କୃତ କରିଥିଲେ । 

> ସାହିତ୍ୟ, ସଙ୍ଗୀତରେ କେନ୍ଦ୍ରୀୟ ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ କବିତା ସଂକଳନ  "ଅପ୍ରସ୍ତୁତ ମୃତ୍ୟୁ' ପାଇଁ ବିଶିଷ୍ଟ କବି ଆଶୁତୋଷ ପରିଡ଼ା  ଏବଂ ସଂସ୍କୃତ କବିତା ପୁସ୍ତକ ‘ଶୂନ୍ୟେ ମେଘଗାନମ୍‌’  ପାଇଁ ସଂସ୍କୃତ ବିଦ୍ୱାନ ଅରୁଣ ରଞ୍ଜନ ମିଶ୍ର, ଅନୁବାଦ ପୁରସ୍କାରରେ ପୁସ୍ତକ ‘ନେଲ୍ଲୁରି କେଶବସ୍ୱାମୀଙ୍କ ଶ୍ରେଷ୍ଠ  ଗଳ୍ପ’ ପାଇଁ ବଙ୍ଗାଳୀ ନନ୍ଦ, ବାଲ୍‌ ସାହିତ୍ୟ ପୁରସ୍କାରରେ  ଶିଶୁ ଗଳ୍ପ ସଂକଳନ "ଗପ କଳିକା' ପାଇଁ ଶିଶୁ ସାହିତ୍ୟିକ  ମାନସ ରଞ୍ଜନ ସାମଲ, ଯୁବ ପୁରସ୍କାରରେ କ୍ଷୁଦ୍ର ଗଳ୍ପ  ସଙ୍କଳନ "ହୁ ବାଇଆ' ପାଇଁ ସଞ୍ଜୟ କୁମାର ପଣ୍ଡା ପୁରସ୍କୃତ  ହୋଇଛନ୍ତି । ସେହିପରି କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ  ପୁରସ୍କାରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ନିରଞ୍ଜନ ରାଉତ,  ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଡ. ସ୍ନେହପ୍ରଭା ସାମନ୍ତରାୟ,  ଓଡ଼ିଶୀ ସଙ୍ଗୀତରେ ପ୍ରଖ୍ୟାତ ଗାୟିକା ଅଧ୍ୟାପିକା ଗୁରୁ ଡ.  ସଙ୍ଗୀତା ଗୋସାଇଁ ପୁରସ୍କୃତ ହୋଇଛନ୍ତି । ଏଥିସହ ଉସ୍ତାଦ  ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାରରେ ଓଡ଼ିଶୀ ନୃତ୍ୟରେ ଅରୂପା  ଗାୟତ୍ରୀ ପଣ୍ଡା, ଛଉ ନୃତ୍ୟରେ ପ୍ରଦ୍ୟୁମ୍ନ କୁମାର ମହାନ୍ତ,  ଓଡ଼ିଶୀ ନୃତ୍ୟରେ ଦେବାଶିଷ ପଟ୍ଟନାୟକ, ଲୋକନୃତ୍ୟ ଓ  ସଙ୍ଗୀତରେ ଆଲୋକ ବିଶୋୟୀ, ପ୍ରଦର୍ଶନ କଳାରେ ସ୍ୱତନ୍ତ୍ର  ଭାବେ ଲକ୍ଷ୍ମୀନାରାୟଣ ଜେନା ପୁରସ୍କାର ପାଇଛନ୍ତି ।

> ୩ ଜଣଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର ସୁବର୍ଣ୍ଣପୁର ଜିଲ୍ଲାର ୩ ଜଣ ବାନ୍ଧ ଶିଳ୍ପୀ ପଟାଭାଡ଼ିର ବାନ୍ଧ  ଡିଜାଇନର୍‌ ଶ୍ୟାମ ସୁନ୍ଦର ମେହେର, ସାଗରପାଲିର  ବୁଣାକାର ଉତ୍ତମ କୁମାର ମେହେର ଏବଂ ସୁବଳୟା  (ଟିକରପଡ଼ା)ର ବୁଣାକାର ରସାନନ୍ଦ ମେହେରଙ୍କୁ ମିଳିଛି  ଜାତୀୟ ହସ୍ତତନ୍ତ ପୁରସ୍କାର।

ଚଳିତ ବର୍ଷ ୪ ଓଡ଼ିଆ ପ୍ରତିଭା ୧୦୬ ବର୍ଷୀୟ ଲୋକକଳା ‘କୃଷ୍ଣଲୀଳା’ର ସଙ୍ଗୀତ  ଗାୟକ ଗୁରୁ ଗୋପୀନାଥ ସ୍ୱାଇଁ, ୮୬ ବର୍ଷୀୟ ଲୋକକଳା ‘ଶବ୍ଦ ନୃତ୍ୟ’ର ଶିଳ୍ପୀ ଗୁରୁ  ଭାଗବତ ପଧାନ, ୮୦ ବର୍ଷୀୟ ପ୍ରତିଷ୍ଠିତ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଏବଂ ୮୮  ବର୍ଷୀୟ ପ୍ରଖ୍ୟାତ ଲୋକ ସାହିତ୍ୟିକ ବିନୋଦ କୁମାର ପଶାୟତଙ୍କୁ ମିଳିଲା ପଦ୍ମଶ୍ରୀ ।

ପ୍ରଥମ ଥର ଦୁବାଇ ଗଲେ, ଆଦିବାସୀ ଚିତ୍ରକଳା ଆଙ୍କିଲେ


ପ୍ରଥମ ଥର ଏକ୍ସପୋଜର୍‌ ଭିଜିଟ୍‌ରେ ଦୁବାଇ ଯାଇଥିଲେ ଏକ ୨୩ ଜଣିଆ ଲୋକ କଳାକାର ଦଳ ।  ଏହା ବ୍ୟତୀତ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ପ୍ରଥମ ଥର ୧୫ ଜଣ ଶିଳ୍ପୀଙ୍କୁ ନେଇ ୩ ଦିନ  ଧରି ଅଙ୍କିତ ଆଦିବାସୀ ଚିତ୍ରକଳା ହ୍ୟାଟ୍‌ ପ୍ଲେସ୍‌ ଦୁବାଇ ଅଲ୍‌ ରିଗା ଠାରେ ପ୍ରଦର୍ଶିତ ହୋଇଥିଲା ।

> ହୀରାକୁଦ ଓ  ସାତକୋଶିଆର ବିକାଶ ହୀରାକୁଦ ଜଳଭଣ୍ଡାର ଓ ସାତକୋଶିଆ  ଅଭୟାରଣ୍ୟକୁ ଆଇକନିକ୍‌ ଟୁରିଷ୍ଟ ସେଣ୍ଟର  ଭାବେ ବିଶ୍ୱମାନର କରିବା ପାଇଁ କେନ୍ଦ୍ର ସରକାର  ୨୦୦ କୋଟି ଟଙ୍କାର ବିଶେଷ ସହାୟତା  ଦେଇଛନ୍ତି । ହୀରାକୁଦର ବିକାଶ ଲାଗି ୯୯.୯୦  ଏବଂ ସାତକୋଶିଆ ପାଇଁ ୯୯.୯୯ କୋଟି ଟଙ୍କା  ମଞ୍ଜୁର ହୋଇଛି । 

> ଦେଶର ୫୦  ପର୍ଯ୍ୟଟନସ୍ଥଳୀରେ ପୁରୀ  ଦେଶର ୫୦ଟି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟନ  ମିତ୍ର ଏବଂ ପର୍ଯ୍ୟଟନ ଦିଦିର ଶୁଭାରମ୍ଭ  ହୋଇଛି। ଏଥିରେ ଓଡ଼ିଶାର ପ୍ରମୁଖ  ପର୍ଯ୍ୟଟନ ତଥା ଧାର୍ମିକସ୍ଥଳ ଶ୍ରୀକ୍ଷେତ୍ର  ପୁରୀ ସ୍ଥାନ ପାଇଛି ।

ଆଉ ନାହାନ୍ତି...


ଆମକୁ ଛାଡ଼ି ଯାଇଛନ୍ତି ମଞ୍ଚ ମଣିଷ ସଚ୍ଚି  ଦାସ, କବି ସୁନୀଲ ପୃଷ୍ଟି, କଣ୍ଢେଇ ମଣିଷ  ପଦ୍ମଶ୍ରୀ ମାଗୁଣି କୁଅଁର, ଜନଜାତି ଭାଷା  ବିଶାରଦ ଡ. ନୀଳାଦ୍ରି ବିହାରୀ ମିଶ୍ର,  ନାଟ୍ୟକାର, ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ନାଟ୍ୟ  ନିର୍ଦ୍ଦେଶକ, ଅଭିନେତା ତାପସ ବୋଷ, ଯୁବ  ଚିତ୍ରଶିଳ୍ପୀ ମାନସ ନାୟକ ଓ ଦାସ ମୁର୍ମୁ,  ଚିତ୍ରଶିଳ୍ପୀ ତଥା ଡିଜାଇନର ଶରତ ମହାନ୍ତି,  ପଥର ଶିଳ୍ପୀ ସୁଧୀର କୁମାର ପ୍ରଧାନ, ବିଶିଷ୍ଟ  ସାହିତ୍ୟିକ ଡ. ସାତକଡ଼ି ହୋତା, ହରିହର  ମିଶ୍ର, ଦେବେନ୍ଦ୍ର ନାଥ ଦାଶ, ରାଇଚରଣ  ଦାସ, ଅଭିନ୍ନ ଚନ୍ଦ୍ର ସାହୁ, ନୃତତ୍ତ୍ୱ ବିଜ୍ଞାନୀ  ରମେଶ ମହାନ୍ତି ଓ ଶ୍ରୀମନ୍ଦିର ଦର୍ପଦଳନ  ରଥର ମୁଖ୍ୟ ବିନ୍ଧାଣୀ କୃଷ୍ଣଚନ୍ଦ୍ର ମହାରଣା ।