ତରବୋଡ୧୫/୦୧: ମା-ବାପା, ଭାଇ-ଭଉଣୀ ସମସ୍ତଙ୍କ କଥା ବୁଝୁଥିଲେ । ଝିଅ ହୋଇଥିଲେବି ବଡ଼ ପୁଅର ଭୂମିକା ନେଉଥିଲେ । କୁଲିମଜୁରୀ କରି ପରିବାର ପୋଷୁଥିଲେ । ହେଲେ ଘରର ସମସ୍ତ ସଦସ୍ୟ ଜଣଜଣ କରି ଦୁରାରୋଗରେ ପଡି ପ୍ରାଣ ହରାଇବା ପରେ ଏକୁଟିଆ ହୋଇଯାଇଥିଲେ । ଶେଷରେ ବଞ୍ଚିବାକୁ ସଂଘର୍ଷ କରି ହାରି ଯାଇଛନ୍ତି । ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡର ଭିନ୍ନକ୍ଷମ ମୁଖ ମହରା ଶେଷରେ ଆରପାରିକୁ ଚାଲିଯାଇଛନ୍ତି ।

ତରବୋଡର ଦିଆଲୁ ମହରାଙ୍କ ବଡଝିଅ ଥିଲେ ମୁଖ ମହରା(୪୦) । ଜନ୍ମରୁ ମୁକ ବଧିର ହୋଇଥିଲେ ହେଁ ଘରର ବଡପୁଅ ଭଳି ସବୁ ଦାୟିତ୍ୱ ସମ୍ଭାଳୁଥିଲେ । ୩ଭଉଣୀ, ଏକମାତ୍ର ଭାଇ ଲାଇବାନ, ଭାଇବୋହୂ, ମାଁ-ବାପା ଓ ଲାଇବାନର ୩ଶିଶୁ କନ୍ୟାର କଥା ବୁଝୁଥିଲେ । ହେଲେ ଜଣଜଣ କରି ସମସ୍ତଙ୍କ ମୃତ୍ୟୁ ଘଟିଥିଲା । ପ୍ରଥମେ ବାପା ଦିଆଲୁ, ତାପରେ ମାଁ, ପରେ ପରେ ୩ବିବାହିତ ଭଉଣୀ, ଲାଇବାନର ସ୍ତ୍ରୀ ଆରପାରିକୁ ଚାଲିଗଲେ । ଲାଇବାନଙ୍କ ସହ ଭଙ୍ଗାଦଦରା କୁଡିଆରେ ୩ଶିଶୁକନ୍ୟାଙ୍କ ସହ ରହି ଜୀବନ ବିତାଇବାକୁ ଚେଷ୍ଟା କରିଥିଲେ ମୁଖ । ଶିଶୁଙ୍କୁ ଲାଳନ ପାଳନ କରିବା କଷ୍ଟ ହେବାରୁ ସମ୍ପର୍କିୟଙ୍କ ହାତରେ ଟେକି ଦେଇ ଲାଇବାନ ବି ପ୍ରାଣ ହରାଇଥିଲେ । ଏନେଇ ପ୍ରମେୟରେ "ମୁଖ ମହରାଙ୍କ ଅସରନ୍ତି ଦୁଃଖ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା । ସର୍ବହରା ହୋଇ ଏକୁଟିଆ ଜୀବନ-ମରଣ ସହ ସଂଘର୍ଷକରି ଶେଷରେ ହାରି ଯାଇଛନ୍ତି । ଗତକାଲି ସକାଳେ ମୁଖଙ୍କର ମୃତ୍ୟୁ ଘଟିଛି । ତାଙ୍କ ବଡବାପାଙ୍କ ପରିବାର ମୁଖର ଅନ୍ତିମ ସଂସ୍କାର କରିଛନ୍ତି । ଅସରନ୍ତି ଦୁଃଖକୁ ମୁଣ୍ଡାଇଥିବା ମୁଖଙ୍କ ଦୁଃଖଦ ଜୀବନର ଅନ୍ତ ଘଟିଛି ସତ, ହେଲେ ତାଙ୍କର ଭଲ ଗୁଣକୁ ମନେପକାଇ ଲୋକେ ବ୍ୟଥିତ ହେଉଛନ୍ତି । ଏବେ ଲାଇବାନର ୩ଶିଶୁ କନ୍ୟା ସମ୍ପର୍କିୟଙ୍କ ଘରେ ରହିଥିବା ବେଳେ ଏମାନଙ୍କ ଥଇଥାନ ପାଇଁ ଦାବି ହେଉଛି ।