ଭୁବନେଶ୍ୱର, ୧୦/୧୨ (ବିଜୟ ମିଶ୍ର): ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ସନ୍ଥ ସ୍ୱାମୀ ପ୍ରାଣରୂପାନନ୍ଦଜୀ ମହାରାଜ । ମୂଳ ଘର କର୍ଣ୍ଣାଟକର ବଙ୍ଗାଲୁରୁ । ହେଲେ ଓଡ଼ିଶାର ଗରିବ, ଅବହେଳିତ, ଅସହାୟ ଓ ଅନାଥ ଶିଶୁ, ବାଳକ, ବାଳିକାଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ଜୀବନକୁ ଅବଲୋକନ କଲେ ସନ୍ଥତ୍ତ୍ୱର ପୂର୍ଣ୍ଣତା ଉପଲବ୍ଧି ହୁଏ । ଯୁବାବସ୍ଥାରୁ ଅନାଥଙ୍କୁ ଆପଣାଇ ନେଇ ସେମାନଙ୍କୁ ଶିକ୍ଷା, ସଂସ୍କାର ଦେଇ ସମାଜରେ ମଣିଷ କରି ଠିଆ କରିଛନ୍ତି । ବୟସର ସାୟାହ୍ନ ଅର୍ଥାତ୍‌ ୮୬ ବର୍ଷରେ ପହଞ୍ଚି ମଧ୍ୟ ଥକି ନାହାନ୍ତି । ଦିନେ ଚାଳ ଘରେ ଚାଲିଥିବା ତାଙ୍କ ଅନାଥାଶ୍ରମ ଏବେ ସାରଦା ଆଶ୍ରମରେ ପରିଣତ ହୋଇଛି । ଏଇଠୁ ଶିକ୍ଷା ଲାଭ କରି ୪୦୦ରୁ ଉର୍ଦ୍ଧ୍ଵ ଅନାଥ ପିଲା ବିଭିନ୍ନ ସରକାରୀ, ବେସରକାରୀ ପଦପଦବିରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ।

ପ୍ରାଣରୂପାନନ୍ଦଜୀଙ୍କ ଜନ୍ମ ବଙ୍ଗାଲୁରୁ ଶଙ୍କରପୁରମ୍‌ରେ । ପିଲାବେଳେ ସେ ମା’ଙ୍କ ସହିତ ନିକଟସ୍ଥ ରାମକୃଷ୍ଣ ମିଶନ ମଠକୁ ଯାଉଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ପ୍ରତି ତାଙ୍କ ମନରେ ଅହେତୁକ ଉତ୍କଣ୍ଠା ଉଦ୍ରେକ ହୋଇଥିଲା । ମାଟ୍ରିକ୍‌ ପରେ ସେ ଇଂଜିନିୟରିଂ ପଢ଼ିଲେ । ଚାହିଁଥିଲେ ବଡ଼ ଚାକରି କରି ପାରିଥାନ୍ତେ । କିନ୍ତୁ ୧୯୬୬ ମସିହାରେ ସେ ନିକଟସ୍ଥ ରାମକୃଷ୍ଣ ମଠରେ ଶିଷ୍ୟତ୍ୱ ଗ୍ରହଣ କଲେ । ସେଠାରୁ ତାଙ୍କୁ ବେଲୁର ମଠ ପଠାଇ ଦିଆଗଲା । ସେଠାରେ ସନ୍ୟାସୀ ହେବା ପରେ ୧୯୮୧ରେ ତାଙ୍କୁ ପରିବ୍ରାଜକ ଭାବେ ଓଡ଼ିଶା ପଠାଗଲା । କୋଲକାତା ବେଲୁର ମଠରୁ ଆସି ସେ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଥିଲେ । ତା’ ପରବର୍ଷ ୧୯୮୨ରେ ଓଡ଼ିଶାରେ ଭୟଙ୍କର ବନ୍ୟା ହେଲା । ଲୋକଙ୍କ ଦୁଃଖଦୁର୍ଦ୍ଦଶା ଦେଖି ସେ ଏଇଠି ରହି ଗରିବ, ଅସହାୟଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଲେ । ପ୍ରାଥମିକ ଭାବେ ରାଜଧାନୀ ଉପକଣ୍ଠ ଉତ୍ତରା ଗ୍ରାମରେ ଏକ ଚାଳ ଘରେ ଅନାଥାଶ୍ରମ ଖୋଲିଲେ । ବିଭିନ୍ନ ଲୋକାଳୟ ବୁଲି ପାଠ ପଢ଼ି ପାରୁନଥିବା ଗରିବ, ଅନାଥ ପିଲାଙ୍କୁ ଆଣି ଆଶ୍ରମରେ ରଖି ଶିକ୍ଷା, ସଂସ୍କାର, ଆଧ୍ୟାତ୍ମିକବୋଧତା ଶିଖାଇଲେ । ଭିକ୍ଷା କରି ସେମାନଙ୍କ ଭରଣପୋଷଣ କଲେ । ନିକଟସ୍ଥ ସରକାରୀ ସ୍କୁଲରେ ପଢ଼ାଇଲେ । ୨୦୦୬ରେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପୂବା ଶାସନରେ ତାଙ୍କର ଆଶ୍ରମ ପ୍ରତିଷ୍ଠା ହେଲା ।

ଚାଳ ଘରୁ ଅନାଥାଶ୍ରମ ଉଠି ଆସି ଏବେ ସାରଦା ଆଶ୍ରମରେ ଚାଲିଛି । ଦୀର୍ଘ ୪୩ ବର୍ଷ ହେବ ନିରବଚ୍ଛିନ୍ନ ଭାବେ ସେ ଅନାଥଙ୍କ ନାଥ ସାଜିଛନ୍ତି । ତାଙ୍କ ଅନାଥାଶ୍ରମରୁ ଶିକ୍ଷାଲାଭ କରି ୪୦୦ରୁ ଉଦ୍ଧ୍ୱର୍ ପିଲା ଶିକ୍ଷକ, ପ୍ରଶାସନିକ ଅଧିକାରୀ, ଭାରତୀୟ ସେନା, ବ୍ୟାଙ୍କ ଅଧିକାରୀ ହୋଇଛନ୍ତି । ଏହି ଜୀବନବ୍ୟାପୀ ସେବା ପାଇଁ ପ୍ରାଣରୂପାନନ୍ଦଜୀଙ୍କୁ ଉତ୍କଳମଣି ସେବା ସମ୍ମାନ, ଜାତୀୟ ସନ୍ଥ ଈଶ୍ୱର ବିଶିଷ୍ଟ ସେବା ସମ୍ମାନରେ ସମ୍ମାନିତ କରାଯାଇଛି । ଏବେ ସାରଦା ଆଶ୍ରମରେ ୧୫ଜଣ ଅନାଥଙ୍କୁ ସ୍ୱାମୀ ଶିକ୍ଷା ଦେଉଛନ୍ତି । ସବୁଠାରୁ ବଡ଼ କଥା ହେଲା ସ୍ୱାମୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଆଶ୍ରମରେ ବଡ଼ ହୋଇଥିବା ଲକ୍ଷ୍ମୀକାନ୍ତ ନାଥ ନାମକ ଯୁବକ ନିଜ ବ୍ୟାଙ୍କ ଚାକିରି ଛାଡ଼ି ଆଶ୍ରମର ଭଲମନ୍ଦ ବୁଝୁଛନ୍ତି ।