ନୂଆଦିଲ୍ଲୀ ୨୮/୦୪: ପହଲଗାମ୍ର ବୈସରନ୍ ଘାଟିରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିଲେ ୨୮ଜଣ ପର୍ଯ୍ୟଟକ । ସେହି ଛାତିଥରା ଘଟଣାରୁ ବର୍ତ୍ତିଯାଇଥିବା କର୍ଣ୍ଣାଟକର ସଫ୍ଟୱେର ଇଞ୍ଜିନିୟର ପ୍ରସନ୍ନ କୁମାର ଭଟ୍ଟ ତାଙ୍କର ଲୋମଟାଙ୍କୁରା ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି । ଗୁଳିମାଡ଼ ହେଉଥିବା ସ୍ଥାନର ବୀପରିତ ଦିଗରେ ଦୌଡି଼ବାର ନିଷ୍ପତ୍ତି କିପରି ତାଙ୍କ ପରିବାରର ଜୀବନ ରକ୍ଷା କଲା ତାହା ପ୍ରକାଶ କରିଛନ୍ତି ସେ।
ସୋସିଆଲ ମିଡିଆରେ ପ୍ରସନ୍ନ ଲେଖିଛନ୍ତି, ଗତ ୨୨ ତାରିଖରେ ପତ୍ନୀ, ଭାଇ ଓ ଭାଉଜଙ୍କ ସହିତ ବୈସରନ୍ ଘାଟିରେ ପହଞ୍ଚିଥିଲେ ସେ । ସେଠାରେ ମସ୍ତି କରୁଥିବାବେଳେ ଦିନ ପ୍ରାୟ ୨.୨୫ ମିନିଟ୍ରେ ପ୍ରଥମେ ଦୁଇ ରାଉଣ୍ଡ ଗୁଳିମାଡ଼ ଶୁଭିଲା । ଏଥିସହ କିଛି ମିନିଟ୍ ଧରି ଅଞ୍ଚଳରେ ନିରବତା ଖେଳିଗଲା । ସମସ୍ତେ କ’ଣ ହେଲା ତାହା ବୁଝିବାକୁ ଚେଷ୍ଟା କରୁଥିଲେ । କିଛି ସମୟ ପରେ ସେମାନେ ୨ଟି ଶବ ଦେଖିଲେ । ତେଣୁ ତାହା ଆତଙ୍କବାଦୀ ଆକ୍ରମଣ ବୋଲି ବୁଝିଗଲେ । ଅଚାନକ ଗୁଳିବର୍ଷାର ଶବ୍ଦ ଶୁଭିଲା । ଜୀବନ ବଞ୍ଚାଇବା ଲାଗି ଲୋକେ ଧାଁଧଉଡ଼ କଲେ ।
Yet another survival story from the tainted Baisaran valley in Pahalgam. We survived the horror to tell the story of what can only be described as monstrous act and paint the heavenly beauty blood-red with hellfire.
— Prasanna Kumar Bhat (@prasannabhat38) April 25, 2025
By the grace of the God, luck, and some quick thinking from… pic.twitter.com/00ln2y0DJo
ସେହି ଅଞ୍ଚଳ ବାଡ଼ ଦ୍ୱାରା ଆବୃତ୍ତ ହୋଇଥିବାରୁ ଖସିଯିବାକୁ ରାସ୍ତା ନଥିଲା । ତେଣୁ ପ୍ରାୟ ସବୁ ପର୍ଯ୍ୟଟକ ବାହାରକୁ ବାହାରିବାକୁ ଗେଟ୍ ଆଡ଼କୁ ଦୌଡୁଥିଲେ ଯେଉଁଠାରେ ଆତଙ୍କୀମାନେ ପୂର୍ବରୁ ହିଁ ସେମାନଙ୍କୁ ଅପେକ୍ଷା କରିଥିଲେ । ଏହା ହାଣ ମୁହଁକୁ ଯିବା ଭଳି କଥା ଥିଲା । ଇତିମଧ୍ୟରେ ଜଣେ ଆତଙ୍କୀ ସେମାନଙ୍କ ଆଡ଼କୁ ଆସୁଥିବାର ଦେଖି ସେମାନେ ଦୌଡି଼ବା ଆରମ୍ଭ କଲେ । ପ୍ରସନ୍ନଙ୍କ ଭାଇ ଭାରତୀୟ ସେନାର ଜଣେ ଅଫିସର ହୋଇଥିବାବେଳେ ସେ ଏଭଳି ସଙ୍କଟଜନକ ସ୍ଥିତିରେ ତାଙ୍କ ପରିବାର ସମେତ ୩୫-୪୦ ପର୍ଯ୍ୟଟକଙ୍କୁ ଗାଇଡ୍ କଲେ । ଗୁଳିମାଡ଼ ପ୍ରବେଶ ପଥରୁ ହେଉଥିବା ବୁଝି ଯାଇ ସେ ଲୋକଙ୍କୁ ବୀପରିତ ଦିଗରେ ତଳଆଡ଼କୁ ଦୌଡି଼ବାକୁ କହିଲେ । ଏଥିସହ ଗୋଟିଏ ସ୍ଥାନରେ ଏକତ୍ରିତ ନ ହେବାକୁ ପରାମର୍ଶ ଦେଲେ ।
ସୌଭାଗ୍ୟକୁ ସେହି ସ୍ଥାନରେ ପାଣି ଯିବାକୁ ଏକ ନଳା ଥିବାରୁ ସେମାନଙ୍କୁ ବାଡ଼ ତଳେ ଏକ ଅଣଓସାରିଆ ରାସ୍ତା ମିଳିଗଲା । ତାହା ଏକ ଗଡ଼ାଣିଆ ଅଞ୍ଚଳ ଥିଲା । ଜୀବନରକ୍ଷା ଲାଗି ସେହି ବାଟ ଦେଇ ଦୌଡି଼ବା ସମୟରେ ବହୁ ଲୋକେ ଖସି କଚଡ଼ା ଖାଇଲେ । କିନ୍ତୁ ଏହାସତ୍ତେ୍ୱ ଦୌଡି଼ବା ଜାରି ରଖିଲେ । ଗୁଳିକାଣ୍ଡ ଘଟିଥିବା ସ୍ଥାନଠାରୁ କେଇ ଶହ ମିଟର ଦୂରରେ ଗଛ ତଳେ ଥିବା ଏକ ଖାତ ମଧ୍ୟରେ ଲୁଚି ପ୍ରସନ୍ନଙ୍କ ପରିବାରର ଚାରିଜଣଯାକ ଈଶ୍ୱରଙ୍କୁ ପ୍ରାର୍ଥନା କରିଚାଲିଥିଲେ । ଅଧ ଘଣ୍ଟା ଧରି ଗୁଳିମାଡ଼ ଚାଲିଲା । ଗୁଳି ଶବ୍ଦ ବନ୍ଦ ହେବା ପରେ ବି ସେମାନେ ସେଠାରେ ବସି ରହିଥିଲେ । ମୃତ୍ୟୁଫାଶରୁ ମୁକୁଳିବାକୁ କେଉଁଠାକୁ ଯିବେ ତାହା ଚିନ୍ତା କରିପାରୁନଥିଲେ । ୪ଟାବେଳକୁ ସେନା ସେହି ଅଞ୍ଚଳରେ ପହଞ୍ଚି ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଆରମ୍ଭ କଲା । ଗୁଳିମାଡ଼ର ସେହି ଭୀଷଣ ଶବ୍ଦ ଏବେ ବି ସେମାନଙ୍କ କାନରେ ଗୁଞ୍ଜରିତ ହେଉଛି ।