ପାଟନା : ବିହାର ବିଧାନସଭା ନିର୍ବାଚନ ୨୦୨୫ରେ ଜନ ସୁରାଜ ପାର୍ଟିର ପରାଜୟ ପରେ ପ୍ରଶାନ୍ତ କିଶୋର କରିବେ ପ୍ରାୟଶ୍ଚିତ। ପିକେ ୨୦ନଭେମ୍ୱରରେ ପଶ୍ଚିମ ଚମ୍ପାରଣ ଜିଲ୍ଲା ସ୍ଥିତ ମହାତ୍ମା ଗାନ୍ଧୀଙ୍କ ଭିତିହରୱା ଆଶ୍ରମରେ ଏକ ଦିବସୀୟ ମୌନ ଉପବାସ କରିବାର ଘୋଷଣା କରିଛନ୍ତି। ସେ ବିହାର ନିର୍ବାଚନରେ ଜନ ସୁରାଜକୁ ମିଳିଥିବା ଶକ୍ତ ପରାଜୟର ଦାୟିତ୍ୱ ନିଜ ଉପରେ ନେଇଛନ୍ତି ଏବଂ କହିଛନ୍ତି ଯେ, ଆମେ ବ୍ୟବସ୍ଥାର ପରିବର୍ତ୍ତନ କରି ପାରିଲେ ନାହିଁ। ଆମର ବିଚାରରେ କିଛି ଭୁଲ୍ ହୋଇ ଥାଇ ପାରେ। ଏହି ଦାୟିତ୍ୱ ମୋର ଏବଂ ମୁଁ ନିଜେ ଏହାକୁ ସ୍ୱୀକାର କରୁଛି। ଆମ ପାଇଁ ଏହା ଆତ୍ମଚିନ୍ତନର ସମୟ। ଯେଉଁ ଲୋକଙ୍କ ଆଶାକୁ ପୂରଣ କରି ପାରିଲୁ ନାହିଁ, ସେମାନଙ୍କୁ କ୍ଷମା ମାଗୁଛୁ।ଏଥିପାଇଁ ପ୍ରାୟଶ୍ଚିତ ସ୍ୱରୂପ ୨୦ତାରିଖକୁ ଗୋଟିଏ ଦିନର ସାମୂହିକ ଉପବାସ ରଖିବା।

ପ୍ରଶାନ୍ତ କିଶୋର ଗୁରୁବାର ପାଟନାରେ ଆୟୋଜିତ ପ୍ରେସ୍ କନଫରେନ୍ସରେ କହିଥିଲେ ,ନିର୍ବାଚନରେ ଜନ ସୁରାଜ ପାର୍ଟିକୁ ଭୋଟ ମିଳି ନାହିଁ, ତ କୌଣସି ଅପରାଧ ନୁହେଁ। ବିହାରରେ ଯେଉଁଠି କେବଳ ଜାତି-ଧର୍ମର ରାଜନୀତି ହୋଇଥାଏ, ସେଠାରେ ଆମେ ପ୍ରସଙ୍ଗର ରାଜନୀତି କରିଛୁ। ଏହିଥର ମଧ୍ୟ ଯିଏ ଏପରି କରି ଜିତିଛନ୍ତି, ଏବେ ତାଙ୍କୁ ହିସାବ ଦେବାକୁ ହେବ। ପିକେ ରାଜନୀତି ଛାଡ଼ିବାକୁ ମନା କରି ଦେଇଛନ୍ତି ଏବଂ କହିଛନ୍ତି ସେ ବିହାର ଛାଡ଼ି ଆଉ କୁଆଡ଼େ ଯାଉ ନାହାନ୍ତି। ସେ କହିଛନ୍ତି ସାଢେ ୩ ବର୍ଷରେ ସେ ଯେତେ ପରିଶ୍ରମ କରିଛନ୍ତି, ଏବେ ତାଠାରୁ ଦୁଇଗୁଣା ପରିଶ୍ରମ କରିବେ। ପଛକୁ ଚାହିଁବାର ପ୍ରଶ୍ନ ହିଁ ନାହିଁ।

ପ୍ରଶାନ୍ତ କିଶୋର ବିହାର ସରକାର ଦ୍ୱାରା ନିର୍ବାଚନ ବେଳେ ସ୍ୱରୋଜଗାର ପାଇଁ ୧୦-୧୦ ହଜାର ଟଙ୍କା ମହିଳାଙ୍କୁ ବଣ୍ଟାଯିବାକୁ ଏନଡିଏର ବମ୍ପର ବିଜୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଦେଶର ଇତିହାସରେ ପ୍ରଥମ ଥର କୌଣସି ପାଜ୍ୟ ସରକାର ଲୋକଙ୍କ ପାଇଁ ୪୦ ହଦାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି।ଲୋକେ ଏଥିପାଇଁ ତାଙ୍କୁ ଭୋଟ୍ ଦେଇଛନ୍ତି। ପ୍ରତି ବିଧାନସଭାରେ ୬୦-୬୨ ହଜାର ମହିଳାଙ୍କୁ ସ୍ୱରୋଜଗାର ପାଇଁ ୧୦-୧୦ ହଜାର ଟଙ୍କା ଦିଆଯାଇଛି। ପୂରା ସରକାରୀ କଳ ଲଗାଯାଇଛି ଏବଂ କୁହାଯାଇଛି ଯେ,ସରକାର ଜିତିଲେ ଆଗକୁ ୨ ଲକ୍ଷ ଟଙ୍କା ମଧ୍ୟ ମିଳିବ।

ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଜୀବିକା ଦିଦି , ମମତା-ଆଶା କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ୨୯ ହଜାର କୋଟି ଟଙ୍କା ବଣ୍ଟା ଯାଇଛି। ଏବେ ସରକାରଙ୍କୁ ଅନୁରୋଧ ଯେ, ଯେଉଁ ଦେଢ କୋଟି ମହିଳାଙ୍କୁ ୨ ଲକ୍ଷ ଦେବାର ଅଛି, ତାଙ୍କ ଆଗାମୀ ୬ ମାସରେ ଦେଇ ଦିଅନ୍ତୁ, ନୁହେଁ ତ ଏହା ସ୍ପଷ୍ଟ ହୋଇଯିବ ଯେ, ଆପଣ ତାଙ୍କୁ ଯୋଜନା ଅନୁସାରେ ନୁହେଁ ବରଂ ଭୋଟ କିଣିବା ପାଇଁ ଟଙ୍କା ଦେଇଛନ୍ତି।