ନୂଆଦିଲ୍ଲୀ,୧୭/୧୨: କେବଳ କଠିନ ପରିଶ୍ରମ ଦ୍ୱାରା ଭାରତରେ ସଫଳ ହେବା ସହଜ ନୁହେଁ । ନିଷ୍ଠା, ପରିଶ୍ରମ, ଅଧ୍ୟବସାୟ ସହ କିଛି ଉତ୍ତମ ବନ୍ଧୁଙ୍କ ସହଯୋଗ ହିଁ ଜଣଙ୍କୁ ଉଚିତ ମାର୍ଗରେ ନେଇଥାଏ ଓ ସଫଳ କରାଇଥାଏ । ଚେନ୍ନାଇ ସୁପରକିଙ୍ଗ୍ସ ଦଳରେ ନୂଆ କରି ସାମିଲ ହେବାକୁ ଯାଇଥିବା ପ୍ରଶାନ୍ତ ବୀରଙ୍କ କ୍ରିକେଟ୍ ଜୀବନ ଏହାର ଜ୍ୱଳନ୍ତ ଉଦାହରଣ । ଆମେଥିର ଏକ ଗରିବ ପରିବାରରୁ ବାହାରି ସୁପରକିଙ୍ଗ୍ସ ଦଳରେ ସାମିଲ ହେବା ପର୍ଯ୍ୟନ୍ତ ପ୍ରଶାନ୍ତଙ୍କ ଯାତ୍ରା ବେଶ୍ ହୃଦୟ ସ୍ପର୍ଶୀ । ପ୍ରଶାନ୍ତ ଏକଦା କ୍ରିକେଟ୍ ଛାଡ଼ି ପରିବାରକୁ ସହାୟତା କରିବାକୁ ଚିନ୍ତା କରିଥିଲେ । ମାତ୍ର କୋଚ୍ ଓ ଘନିଷ୍ଠ ବନ୍ଧୁଙ୍କ ଉଚିତ ପରାଶର୍ମ ଓ ସହାୟତା ତାଙ୍କୁ ଆଜି ସାରା ଭାରତରେ ପରିଚିତ କରାଇଛି । ପ୍ରଶାନ୍ତଙ୍କ ଜେଜେ ବାପାଙ୍କ ମୃତ୍ୟୁ ପରେ ଘର ଚଳାଇବା କଷ୍ଟକର ହୋଇଥିଲା । ଜେଜେଙ୍କ ପେନସନ ଅର୍ଥରେ ପ୍ରଶାନ୍ତ କ୍ରିକେଟ୍ ଉପକରଣ କିଣିବା ସହ ପ୍ରଶିକ୍ଷଣ ଖର୍ଚ୍ଚ ଚଳାଉଥିଲେ । ନିଜ ଖର୍ଚ୍ଚ ଉଠାଇବା କଷ୍ଟକର ହୋଇଥିଲା । ବାପା ଶିକ୍ଷା ମିତ୍ର ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କ ଦରମା ଅର୍ଥରେ ଘର ଚଳାଇବା କଷ୍ଟକର ହେଉଥିଲା । କ୍ରିକେଟ୍ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିବ ବୋଲି ପ୍ରଶାନ୍ତ ନିଶ୍ଚିତ ହୋଇଯାଇଥିଲେ ।

କୋଚ ରାଜୀବ ଏକଥା ଜାଣିବା ପରେ ତାଙ୍କୁ କ୍ରିକେଟ୍ ନ ଛାଡ଼ିବାକୁ ବାରଣ କରିଥିଲେ । କ୍ରିକେଟ୍ ପ୍ରଶିକ୍ଷଣର ଖର୍ଚ୍ଚ ଉଠାଇବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ପ୍ରଶାନ୍ତଙ୍କ ସଫଳତା ପଛରେ ଜଣେ ଉତ୍ତମ ବନ୍ଧୁ ରକ୍ସିତ ଗର୍ଗଙ୍କ ହାତ ରହିଛି । ରକ୍ସିତ ଓ ପ୍ରଶାନ୍ତ ଏକଦା ଏକତ୍ର ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ରହି ପ୍ରଶିକ୍ଷଣ ନେଉଥିଲେ । ସେଠାରେ ଉପଯୁକ୍ତ ପ୍ରଶିକ୍ଷଣ ନମିଳିବାରୁ ଉଭୟ ଛାତ୍ରାବାସ ଛାଡ଼ି ସହରନପୁରରେ ରାଜୀବ ଗୋଏଲଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ । ସେଠାରେ ପ୍ରଶାନ୍ତଙ୍କ ରହିବା ପାଇଁ ଘର ନଥିଲା । ତେଣୁ ରକ୍ସିତ ତାଙ୍କୁ ନିଜ ଘରେ ରଖିଥିଲେ । ଉଭୟ ଗୋଟିଏ ସାଇକେଲରେ ଏକତ୍ର ପ୍ରଶିକ୍ଷଣ ନେବାକୁ ଯାଉଥିଲେ । ରକ୍ସିତଙ୍କ ଆର୍ôଥକ ପରିସ୍ଥିତି ମଧ୍ୟ ଭଲ ନଥିଲା । ତାଙ୍କ ବାପା ପାନ ଦୋକାନ କରି ଘର ଚଳାଉଥିଲେ । ତଥାପି ସେ ପ୍ରଶାନ୍ତଙ୍କୁ ଘରେ ରଖିଥିଲେ । ଓପନିଂ ବ୍ୟାଟର ରକ୍ସିତ ଉତ୍ତର ପ୍ରଦେଶ ୧୬ବର୍ଷରୁ କମ୍ ଦଳରେ ସ୍ଥାନ ପାଇଥିଲେ । ମାତ୍ର ପ୍ରଶାନ୍ତଙ୍କୁ ଦଳରେ ସ୍ଥାନ ମିଳି ନଥିଲା । ପ୍ରଶାନ୍ତ ଭାଙ୍ଗି ନ ପଡ଼ି ତ୍ରୁଟି ସୁଧାରିବାରେ ଲାଗି ପଡ଼ିଥିଲେ । କଠିନ ପରିଶ୍ରମର ମୂଲ୍ୟ ମିଳିଥିଲା ।

ପ୍ରଶାନ୍ତଙ୍କୁ ୧୯ବର୍ଷରୁ କମ୍ ୟୁପି ଦଳରେ ସ୍ଥାନ ମିଳିଥିଲା । ଏହା ପରଠୁ ସେ ଆଉ ହାରି ନାହାନ୍ତି । ସେ ୟୁପି ସିନିୟର ଦଳର ନିୟମିତ ସଦସ୍ୟ ହୋଇ ସାରିଛନ୍ତି । ପ୍ରଶାନ୍ତଙ୍କୁ ନିଜ ଘରେ ରଖି ପ୍ରଶିକ୍ଷଣରେ ସହାୟତା କରିଥିବା ବନ୍ଧୁ ରକ୍ସିତ ଆଜି କ୍ରିକେଟ୍ ଠୁ ଦୂରେଇ ଯାଇଛନ୍ତି । ପିତା ମାତାଙ୍କ ମୃତ୍ୟୁ ପରେ ସେ କ୍ରିକେଟ୍ ଛାଡ଼ି ସହରନପୁରରେ ଏକ କ୍ରୀଡ଼ା ଉପକରଣ ଦୋକାନ ଖୋଲିଛନ୍ତି । ଆଜି ସୁପରକିଙ୍ଗ୍ସ ତାଙ୍କୁ କିଣିବା ପରେ ପ୍ରଶାନ୍ତ ପ୍ରଥମେ ରକ୍ସିତଙ୍କୁ ଭିଡ଼ିଓ କଲ କରି ଜଣାଇଥିଲେ । ପରେ ସେ ପରିବାର ସହ କଥା ହୋଇଥିଲେ । ସହରନପୁର ମିଲର: ପ୍ରଶାନ୍ତ ନିଜ ଅଞ୍ଚଳରେ ‘ସହରନପୁର ମିଲର’ ନାମରେ ପରିଚିତ । ଦକ୍ଷିଣ ଆଫ୍ରିକା ବ୍ୟାଟର ଡେଭିଡ୍ ମିଲରଙ୍କ ଭଳି ଛକା ମାରିବାର କ୍ଷମତା ରଖିଥିବାରୁ ତାଙ୍କୁ ଏଭଳି ନାମ ମିଳିଛି । ଗତ ୟୁପି ଟି-ଟ୍ୱେଣ୍ଟି ଲିଗ୍‌ରେ ପ୍ରଶାନ୍ତ ୧୫୫.୩୪ ଷ୍ଟ୍ରାଇକ ରେଟ୍‌ରେ ୩୨୦ ରନ ସଂଗ୍ରହ କରିବା ସହ ୮ଟି ୱିକେଟ୍ ନେଇ ସୁପରକିଙ୍ଗ୍‌ସର ଦୃଷ୍ଟି ଆକର୍ଷଣ କରିଥିଲେ । ସୁପରକିଙ୍ଗ୍ସ ତାଙ୍କୁ ସଙ୍ଗେ ସଙ୍ଗେ ଟ୍ରାଏଲ ପାଇଁ ଡ଼କାଇଥିଲା ।