ଲକ୍ଷ୍ନୌ,୧୩।୫: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଏବଂ ୟୁପିର ପୂର୍ବତନ ମୁଖ୍ୟ ଅଖିଳେଶ ଯାଦବଙ୍କ ସାନ ଭାଇ ପ୍ରତୀକ ଯାଦବଙ୍କର ବୁଧବାର ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁକୁ ନେଇ ସକାଳଠାରୁ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି, କିନ୍ତୁ ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ଏବେ ସବୁକିଛି ସ୍ପଷ୍ଟ କରିଛି। ପ୍ରତୀକ ଯାଦବଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ, ତାଙ୍କର ମୃତ୍ୟୁ ଫୁସଫୁସ୍ରେ ରକ୍ତ ଜମାଟ ବାନ୍ଧିବା କାରଣରୁ ହୋଇଛି।
ପ୍ରତୀକଙ୍କ ‘ପଲ୍ୟୁମନାରି ଥ୍ରୋମ୍ବୋଏମ୍ବୋଲିଜିମ୍’ (pulmonary thromboembolism) ଯୋଗୁଁ ‘କାର୍ଡିଓ ରେସ୍ପାରେଟରୀ କୋଲାପ୍ସ’ ହେବାଦ୍ବାରା ମୃତ୍ୟୁ ହୋଇଛି। ଏଭଳି କିଛି ତାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଆସିଛି। ଏହା ହେଉଛି ଏକ ଗୁରୁତର ଏବଂ ଜୀବନପ୍ରତି ବିପଦ ସୃଷ୍ଟି କରୁଥିବା ସ୍ୱାସ୍ଥ୍ୟାବସ୍ଥା, ଯେଉଁଥିରେ ଶରୀରର କୌଣସି ସ୍ଥାନରୁ (ମୁଖ୍ୟତଃ ଗୋଡ଼ର ଶିରାରୁ) ରକ୍ତ ଜମାଟ ବାନ୍ଧି ଫୁସଫୁସର ଧମନୀରେ ପଶି ହୃଦସ୍ପନ୍ଦନ ବନ୍ଦ କରିଦିଏ। ହଠାତ୍ ଶ୍ବାସକ୍ରିୟାରେ କଷ୍ଟ ହେବା । ଛାତିରେ ତୀବ୍ର ଯନ୍ତ୍ରଣା ହେବା, ଯାହାକି ଗଭୀର ନିଶ୍ବାସ ନେବା ସମୟରେ ଅଧିକ ବଢିଯାଏ । ଶୁଖିଲା କାଶ ହେବା ଏବଂ କେତେକ କ୍ଷେତ୍ରରେ କାଶରେ ରକ୍ତ ପଡ଼ିବା ଭଳି ଲକ୍ଷଣ ଦେଖାଯାଏ। ରିପୋର୍ଟରେ କୁହାଯାଇଛି ପୁରା ହାର୍ଟ, ଭିସେରା ଓ ଫୁସଫୁସରେ ଜମା ରକ୍ତକୁ ହିଷ୍ଟୋପାଥୋଲୋଜି ଯାଞ୍ଚ ପାଇଁ ଫର୍ମୋଲିନରେ ସଂରକ୍ଷିତ ରଖାଯାଇଛି।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ମୃତ୍ୟୁ ପୂର୍ବରୁ ଶରୀରରେ କ୍ଷତି ଚିହ୍ନ ଥିଲା। ୩୮ ବର୍ଷୀୟ ପ୍ରତୀକ ବୁଧବାର ସକାଳେ ଲକ୍ଷ୍ନୌରେ ଥିବା ନିଜ ଘରେ ହଠାତ ଅସୁସ୍ଥ ହୋଇପଡିଥିଲେ। ଭୋର ୫ଟା ବେଳେ ସିଭିଲ ହସ୍ପିଟାଲର ମେଡିକାଲ ଟିମ୍ ତାଙ୍କ ଘରେ ପହଁଞ୍ଚିଥିଲେ। ଡାକ୍ତରଙ୍କୁ ତାଙ୍କ ସ୍ଥିତି ଗୁରୁତର ଲାଗୁଥିଲା। ତେଣୁ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା। ମେଡିକାଲ ଟିମ୍ର ଚେଷ୍ଟା ପରେ ବି ସକାଳ ୫ଟା ୫୫ ମିନିଟ୍ରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା।
ଆହୁରି ପଢନ୍ତୁ : କିଚେନ୍ରେ ହଠାତ ବେହୋସ ହୋଇ ପଡିଯାଇଥିଲେ, ହସ୍ପିଟାଲ ଆସିବା ପୂର୍ବରୁ ପ୍ରତୀକଙ୍କ ହୋଇସାରିଥିଲା ମୃତ୍ୟୁ