ଓଡ଼ିଆ ଜାତି କୃତଜ୍ଞତା ପ୍ରକାଶ  କରିବାରେ ସଦା ତତ୍ପର । ଏହା  ଆମର ସଂସ୍କୃତି ଓ ପରମ୍ପରା ।  ପ୍ରବାସୀ ଭାରତୀୟ ଦିବସ  ସମାରୋହରେ ପ୍ରତ୍ୟକ୍ଷ ଓ  ପରୋକ୍ଷରେ ଯୋଗଦେଇଥିବା  ସମସ୍ତ ପ୍ରବାସୀ ଓ ବଂଶୋଦ୍ଭବ,  ରାଷ୍ଟ୍ରପତି ସମ୍ମନନୀୟା ଦ୍ରୌପଦୀ  ମୁର୍ମୁ, କେନ୍ଦ୍ରମନ୍ତ୍ରୀମାନଙ୍କୁ ଓ  ବିଶେଷଭାବେ ପ୍ରଧାନମନ୍ତ୍ରୀଙ୍କୁ  ଓଡ଼ିଶାବାସୀଙ୍କ ତରଫରୁ ଆଜିର  ଏହି ଅବସରରେ ହୃଦୟରୁ  କୃତଜ୍ଞତା ଜଣାଉଛି ।

ପ୍ରବାସୀ ଭାରତୀୟ ଦିବସ ସମାରୋହରେ  ଯୋଗଦେଇ ଏହାର ଗାରିମା ବଢ଼ାଇଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି । ଏହି ଉତ୍ସବର ଅନ୍ତିମ ଦିବସରେ  ଯୋଗ ଦେଇଥିଲେ ରାଷ୍ଟ୍ରପତି ସମ୍ମନନୀୟା ଦ୍ରୌପଦୀ ମୁର୍ମୁ । ତିନିଦିନିଆ ଉତ୍ସବରେ ସାମିଲ ହୋଇଥିଲେ  ଅନେକ କେନ୍ଦ୍ରମନ୍ତ୍ରୀଙ୍କ ସମେତ ହଜାର ହଜାର  ପ୍ରବାସୀ ଭାରତୀୟ ବଂଶୋଦ୍ଭବ । ପ୍ରବାସୀମାନେ  ନିଜର ବନ୍ଧୁ ଓ ପରିବାର-ପରିଜନଙ୍କ ସାଥିରେ ବୁଲି  ବୁଲି ଆମ ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାର  ଉତ୍କର୍ଷ ଦେଖିଥିଲେ । ତ୍ରିଦିବସୀୟ ପ୍ରବାସୀ ଉତ୍ସବର  ସଫଳତା ପରେ ମୁଁ ସମସ୍ତଙ୍କୁ ଯୋଡ଼ହସ୍ତରେ  ଧନ୍ୟବାଦ ଦେଉଛି ଓ କୃତଜ୍ଞତା ଜ୍ଞାପନ କରୁଛି । ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବରେ ନୃତ୍ୟ, ରାଜାରାଣୀ  ସଙ୍ଗୀତ ମହୋତ୍ସବରେ କଣ୍ଠସଙ୍ଗୀତ ଓ ବାଦ୍ୟଯନ୍ତ୍ରର  ଯୁଗଳବନ୍ଦୀ, ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବରେ  ଶାସ୍ତ୍ରୀୟ ନୃତ୍ୟ ଏବଂ ରାଜ୍ୟ ସଂଗ୍ରହାଳୟରେ  ଅନୁଷ୍ଠିତ ଲୋକକଳା ମହୋତ୍ସବରେ ବିରଳ  ଲୋକନୃତ୍ୟ ତଥା ଆଦିବାସୀ ମେଳାରେ  ଜନଜାତିମାନଙ୍କ ଜୀବନଶୈଳୀ ସହିତ ଓଡ଼ିଶାର  ବିବିଧତାଭରା ସଂସ୍କୃତିକୁ ପ୍ରତ୍ୟକ୍ଷ କରି ବିମୋହିତ  ହୋଇଥିବେ ବୋଲି ମୋର ଦୃଢ଼ ବିଶ୍ୱାସ । 

ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ  ପ୍ରବାସୀ ଭାରତୀୟ ଦିବସ ସମାରୋହକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଉଦ୍‌ଘାଟନ କରି ଏହାର ଗାରିମା ବୃଦ୍ଧି କରିଛନ୍ତି । ଏହି ଅବସରରେ  ସେ ପ୍ରବାସୀମାନଙ୍କୁ ଯେଭଳି ଆତ୍ମୀୟତାର  ସହିତ ସ୍ୱାଗତ କରି ସମ୍ବୋଧନ କଲେ ତାହା  ସଭାସ୍ଥଳରେ ଉପସ୍ଥିତ ପ୍ରବାସୀ ଭାରତୀୟ ତଥା  ଗଣମାଧ୍ୟମ ସହାୟତାରେ ବିଦେଶରେ ରହି  କାର୍ଯ୍ୟକ୍ରମ ସହିତ ଯୋଡ଼ିହୋଇ ରହିଥିବା ସମସ୍ତ  ଭାରତୀୟ ବଂଶୋଦ୍ଭବଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ  ମହାପ୍ରଭୁ ଲିଙ୍ଗରାଜଙ୍କ ଭୂମିରେ ଉପସ୍ଥିତ ଥିବାଭଳି  ମନେହେଲା । ସେ ଯେତେବେଳେ ପବିତ୍ର ଓଡ଼ିଶା  ମାଟିକୁ ଭାରତର ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ  କହିଲେ ଏବଂ ଖଣ୍ଡଗିରି, ଉଦୟଗିରିର ଐତିହାସିକ ଗୁମ୍ଫା, କୋଣାର୍କର ସୂର୍ଯ୍ୟମନ୍ଦିର, ଶାନ୍ତିର ପ୍ରତୀକ  ଧଉଳି ଏବଂ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା, ଏସବୁର ନାମ  ଉଲ୍ଲେଖ କଲେ ଏବଂ ଏସବୁକୁ ଦେଖିଲେ ଗର୍ବ  ଅନୁଭବ ହୁଏ ବୋଲି କହିଲେ³ ସେତେବେଳେ  ପ୍ରବାସୀ ବନ୍ଧୁମାନେ କରତାଳି ଦେଇ ସମର୍ଥନ  କରିବା ପ୍ରତ୍ୟେକ ଓଡ଼ିଆଙ୍କ ଭଳି ମୋତେ ମଧ୍ୟ  ଉଲ୍ଲସିତ ତଥା ଉତ୍ସାହିତ କରିଥିଲା । 

ମୋଦିଜୀ କହିଥିଲେ ଯେ, ଓଡ଼ିଶା କଳା ଓ  ସଂସ୍କୃତିର ଗନ୍ତାଘର । ଓଡ଼ିଶାର ପାଦେ ପାଦେ  ରହିଛି ଐତିହ୍ୟର ଝଲକ । ଖଣ୍ଡଗିରି, ଉଦୟଗିରି,  କୋଣାର୍କକୁ ଦେଖିଲେ ଗର୍ବ ଅନୁଭବ ହୁଏ । କାହିଁ  କେତେ ବର୍ଷ ପୂର୍ବରୁ ବେପାର ବଣିଜ କରିବାକୁ  ଓଡ଼ିଶାର ସାଧବପୁଅମାନେ ସମୁଦ୍ର ପଥରେ  ବାଲି, ସୁମାତ୍ରା, ଜାଭା ଯାତ୍ରା କରୁଥିଲେ । ତାହାର  ସ୍ମୃତିରେ ବାଲିଯାତ୍ରା ଆୟୋଜନ କରାଯାଉଛି ।  ରାଜ୍ୟର ଧଉଳି ଶାନ୍ତିସ୍ତୂପ ପ୍ରମାଣିତ କରେ ଯେ,  ତରବାରୀ ଦ୍ୱାରା ହୃଦୟ ଜୟ ଅବା ଶାନ୍ତି ପ୍ରତିଷ୍ଠା  କରାଯାଇପାରେ ନାହିଁ । ଦୁନିଆରେ ଯେତେବେଳେ ଅସ୍ତ୍ର ବଳରେ ସାମ୍ରାଜ୍ୟ ବୃଦ୍ଧି କରିବାର ଅହଙ୍କାର  ଜୋର ଧରିଥିଲା, ସେତେବେଳେ ସମ୍ରାଟ ଅଶୋକ  ଶାନ୍ତିର ରାସ୍ତା ବାଛିଥିଲେ । ସେଥିପାଇଁ ଆଜି ଭାରତ  ଦୃପ୍ତକଣ୍ଠରେ ଘୋଷଣା କରୁଛି "ଭବିଷ୍ୟତ ଯୁଦ୍ଧରେ  ନୁହେଁ, ବୁଦ୍ଧରେ ଅଛି’ । 

ମୋଦିଜୀ କହିଥିଲେ ଯେ, ଭାରତୀୟମାନେ  ପୃଥିବୀର ଯେଉଁସ୍ଥାନକୁ ଯାଆନ୍ତି, ସେଠାକାର  ଉନ୍ନତି ପାଇଁ ପ୍ରୟାସ କରିଥାନ୍ତି । ତଥାପି, ପୃଥିବୀର  ଯେଉଁଠି ରହିଲେ ମଧ୍ୟ ଭାରତୀୟଙ୍କ ହୃଦୟ  ସବୁବେଳେ ଭାରତ ପାଇଁ ହିଁ ସ୍ପନ୍ଦିତ ହୋଇଥାଏ ।  ଏହା କହିଲାବେଳେ ଭାବପ୍ରବଣହୋଇଯାଇଥିଲେ  ପ୍ରଧାନମନ୍ତ୍ରୀ ଓ ଓଡ଼ିଶାବାସୀଙ୍କ ଆତ୍ମୀୟତାଭରା  ଆତିଥ୍ୟ, ଭୁବନେଶ୍ୱରକୁ ସୁନ୍ଦର ଭାବେ ସଜାଇ,  ନୃତ୍ୟ, ଗୀତ, ଉତ୍ସବ ପାଳନ ମାଧ୍ୟମରେ ପ୍ରବାସୀଙ୍କୁ  ପାରମ୍ପରିକ ରୀତିରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ଦେଖି  ଆହ୍ଲାଦିତ ମୋଦିଜୀ କହିଥିଲେ ଯେ, କିଛି ଦିନ  ମଧ୍ୟରେ ପ୍ରୟାଗରାଜରୁ ମହାକୁମ୍ଭ ମେଳା ଆରମ୍ଭ  ହେବ । ଆଗକୁ ମକର ସଂକ୍ରାନ୍ତି, ମାଘ ବିହୁର ପର୍ବ  ମଧ୍ୟ ଆସୁଛି । ସବୁ ସ୍ଥାନରେ ଆନନ୍ଦମୟ ପରିବେଶ  ଅଛି । ଏଭଳି ଚମତ୍କାର ଉତ୍ସବମୟ ପରିବେଶରେ  ପ୍ରବାସୀ ଭାରତୀୟଙ୍କ ଭବ୍ୟ ଉପସ୍ଥିତି ଭାରତୀୟଙ୍କ ଆତ୍ମା ସହିତ ଯୋଡ଼ି ହୋଇଯାଏ । 

ମୋଦିଜୀ ନିଜର ଖୁସି ବ୍ୟକ୍ତ କରି  ଅଭିଭାଷଣରେ କହିଥିଲେ ଯେ, ଆପଣମାନଙ୍କୁ  ଭେଟିଲେ ମୁଁ ବହୁତ ଖୁସି ଅନୁଭବ କରେ । ମୁଁ  କେବେବି ଆପଣଙ୍କଠାରୁ ପାଇଥିବା ପ୍ରେମ ଏବଂ  ଆଶୀର୍ବାଦକୁ ଭୁଲିନାହିଁ । ମୁଁ ସମସ୍ତଙ୍କୁ ଧନ୍ୟବାଦ  ଦେବାକୁ ଆଗ୍ରହ ପ୍ରକାଶ କରିବାର ଅନ୍ୟ ଏକ  କାରଣ ହେଲା, ମୋତେ ଆପଣମାନେ ହିଁ  ବିଦେଶରେ ମଥାକୁ ଉଚ୍ଚା ରଖିପାରିବାର ସୁଯୋଗ  ଦେଇଛନ୍ତି । ଗତ ୧୦ବର୍ଷ ମଧ୍ୟରେ ମୁଁ ଅନେକ  ବିଶ୍ୱନେତାଙ୍କୁ ଭେଟିଛି ଏବଂ ସେମାନେ ସମସ୍ତେ  ନିଜ ଦେଶରେ ବାସ କରୁଥିବା ଭାରତବଂଶୀଙ୍କ  ପ୍ରଶଂସା କରିଛନ୍ତି । ଆମେ ଆପଣମାନଙ୍କର  ସୁବିଧା ପ୍ରତି ଯତ୍ନବାନ ତଥା ସୁରକ୍ଷା ଏବଂ  କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉ । ସଙ୍କଟ ସମୟରେ ଆମର ଭାରତୀୟ ବଂଶୋଦ୍ଭବ ଓ  ପ୍ରବାସୀମାନେ ଯେଉଁଠାରେ ଥାଆନ୍ତୁ ନା କାହିଁକି,  ସେମାନଙ୍କୁ ସାହାଯ୍ୟ କରିବା ଆମର ଦାୟିତ୍ୱ ଭାବେ  ପ୍ରାଥମିକତା ଦେଇଛୁ । ଆମେ, ଆପଣମାନଙ୍କ  ସୁବିଧା ପାଇଁ ଭାରତର ବୈଦେଶିକ ନୀତିରେ ମଧ୍ୟ  ବହୁ ପରିବର୍ତ୍ତନ କରିଛୁ। ମୋଦିଜୀ ଆଶା ପ୍ରକଟ  କରି କହିଥିଲେ ଯେ, ଆଗାମୀ ଅନେକ ଦଶନ୍ଧି  ଧରି ଭାରତ ବିଶ୍ୱର ସବୁଠାରୁ ଯୁବ ଓ କୁଶଳୀ  ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇ ରହିବା ସହିତ  କୁଶଳୀ ପ୍ରତିଭାମାନଙ୍କ କାରଣରୁ ବୈଶ୍ୱିକ ଚାହିଦା  ପୂରଣ କରି ଗୁରୁତ୍ୱ ବଢ଼ାଇ ପାରିବ । ମୋର  ମନେହୁଏ, ମୋଦିଜୀ ଯାହା କହିଛନ୍ତି, ତାହା ଆମ  ଓଡ଼ିଶାର କୁଶଳୀ ପ୍ରତିଭାମାନଙ୍କ ପାଇଁ ହିଁ ଅଧିକ  ପ୍ରଯୁଜ୍ୟ । 

ଦେଶର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର  ପ୍ରବାସୀ ଭାରତୀୟ ଦିବସ ସମାବେଶକୁ କେବଳ  ଏକ ସମ୍ମିଳନୀ ନକହି, ଯଥାର୍ଥରେ ପାରିବାରିକ  ପୁନର୍ମିଳନ କହିବା ଅତ୍ୟନ୍ତ ସମୀଚୀନ । ସେ  ଓଡ଼ିଶାର କଳା ଓ ସଂସ୍କୃତିକୁ ଅନନ୍ୟ ବୋଲି କହିବା  ସହିତ ପ୍ରକାଶ କରିଥିଲେ ଯେ ପ୍ରଧାନମନ୍ତ୍ରୀ ବାଣିଜ୍ୟ,  ପ୍ରଯୁକ୍ତିବିଦ୍ୟା ଓ ପର୍ଯ୍ୟଟନ ଉପରେ ଅଧିକ ଗୁରୁତ୍ୱ  ଦେଉଛନ୍ତି । ଓଡ଼ିଶାରେ ଶିଳ୍ପ, ବାଣିଜ୍ୟ, ପରିବହନ,  ନିଯୁକ୍ତି ଆଦି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ପାଇଁ  ଏପରି ସମାବେଶ ଆୟୋଜନ ନିଶ୍ଚିତ ସହାୟକ  ହେବ ବୋଲି କହିବା ସହିତ ଆଶା ବ୍ୟକ୍ତ କରିଥିଲେ  ଯେ, ଓଡ଼ିଶାର ଯୁବଶକ୍ତିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ  ଦେଇ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରାଯାଇପାରିବ ।  ପ୍ରବାସୀ ଭାରତୀୟଙ୍କ ସହଯୋଗରେ ବିକଶିତ  ଭାରତ ଗଢ଼ିବାକୁ ଆମେ ଚାହୁଁଛୁ ବୋଲି ଜୟଶଙ୍କର  କହିଥିଲେ । 

ଗତକାଲି ଏହି ଭବ୍ୟ ସମାରୋହ ସଫଳତାର  ସହ ସରିଛି । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର  ଆମ ଓଡ଼ିଶାରେ ରହିଛି ଏସିଆ ମହାଦେଶର ସର୍ବବୃହତ୍‌ କ୍ଷାରଜଳ ନୀଳାମ୍ବୁ ଚିଲିକା ହ୍ରଦ,  ପୁରୀ-ଚାନ୍ଦିପୁର-ଗୋପାଳପୁରର ଶାନ୍ତ ସ୍ନିଗ୍‌ଧ  ବେଳାଭୂମି, ଶିମିଳିପାଳ-କୋରାପୁଟ-କେନ୍ଦୁଝରର  ବଣଜଙ୍ଗଲ ଓ ମନୋରମ ଜଳପ୍ରପାତ । ଓଡ଼ିଶା  ହିଁ ଶ୍ରୀଜଗନ୍ନାଥ ସଂସ୍କୃତିର ପୀଠ । ଏଠାରେ  ରହିଛି ଭକ୍ତି ଓ ବିବିଧତାର ମଧୁର ସମ୍ମିଶ୍ରଣ ।  କୋଣାର୍କ ସୂର୍ଯ୍ୟମନ୍ଦିରର ସ୍ଥାପତ୍ୟଠାରୁ ଆରମ୍ଭ କରି  ପୁରୀଧାମର ଶ୍ରୀଜଗନ୍ନାଥ ମନ୍ଦିରର ଆଧ୍ୟାତ୍ମିକତା  ଯାଏଁ ସବୁଠି ଅନୁଭବ କରିହେବ ଆମର  କାଳଜୟୀ ପରମ୍ପରାର ଉପସ୍ଥିତି । ଭାରତର ସର୍ବପ୍ରାଚୀନ ନୃତ୍ୟକଳା ମଧ୍ୟରୁ ଶାସ୍ତ୍ରୀୟ ଓଡ଼ିଶୀ  ନୃତ୍ୟ ଏବଂ ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟରେ ଓଡ଼ିଶୀ  ସଙ୍ଗୀତ ଅନ୍ୟତମ । ଓଡ଼ିଶାର ପଟ୍ଟଚିତ୍ର ଅନନ୍ୟ ।  ସମ୍ବଲପୁରର ବିଶ୍ୱପ୍ରସିଦ୍ଧ ହସ୍ତତନ୍ତ ଶାଢ଼ି, ମାଣିଆବନ୍ଧର ସୁନ୍ଦର ତନ୍ତଲୁଗା ଓ କୋଟପାଡ଼  ଆଦିବାସୀଙ୍କ ତନ୍ତବୁଣା ବସ୍ତ୍ର ଆମର ସାଂସ୍କୃତିକ  ପରିଚୟକୁ ଦେଇଛି ଅନେକ ପ୍ରତିଷ୍ଠା ଓ ସ୍ୱାତନ୍ତ୍ର‌୍ୟ ।  ଏସବୁ ଓଡ଼ିଆମାନଙ୍କ ସୃଜନଶୀଳ କଳାକୃତିର  ଅଳ୍ପକିଛି ଉଦାହରଣ ମାତ୍ର । 

ଶ୍ରୀଜଗନ୍ନାଥଙ୍କ ପାବନ କ୍ଷେତ୍ର ଓଡ଼ିଶା  କାଳେକାଳେ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର  ଭାବେ ଦେଖିଆସିଛି । ଆଜି, ଆମ ରାଜ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ତଥା ପ୍ରଧାନମନ୍ତ୍ରୀ  ମୋଦିଜୀଙ୍କ ସଦିଚ୍ଛା କାରଣରୁ ଭାରତର  ନିବେଶକ-ଅନୁକୂଳ ରାଜ୍ୟ ମଧ୍ୟରେ ଅଗ୍ରଣୀ ରାଜ୍ୟଭାବେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଆମର  ଖଣିଜ ସମ୍ପଦଭରା ରାଜ୍ୟ ଏବେ ବହୁଦେଶୀୟ  ଶିଳ୍ପଗୋଷ୍ଠୀଙ୍କ ଲକ୍ଷ୍ୟସ୍ଥଳ । ତାହାଛଡ଼ା, ସୂଚନା  ପ୍ରଯୁକ୍ତିବିଦ୍ୟା, ଖାଦ୍ୟ-ପ୍ରକ୍ରିୟାକରଣ ଏବଂ  ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଭିବୃଦ୍ଧି ଘଟିବାକୁ  ଆମେ ପ୍ରଧାନ୍ୟ ଦେଉଛୁ । ସେମି କଣ୍ଡକ୍ଟର ଉତ୍ପାଦନ ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ  ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଉଚ୍ଚ ଗୁଣମାନସମ୍ପନ୍ନ  ଉତ୍ପାଦଗୁଡ଼ିକୁ ଓଡ଼ିଶାରେ ପ୍ରସ୍ତୁତ ଓ ରପ୍ତାନି କରିବାପାଇଁ ଆମେ ପ୍ରଯତ୍ନ କରୁଛେ । ରାଜ୍ୟରେ  ଜଳବାୟୁ ସହନଶୀଳ କୃଷିକର୍ମ କରିବାକୁ ଯୁବକ  ଯୁବତୀଙ୍କ ଦକ୍ଷତା ବଢ଼ାଇବା ପାଇଁ ପ୍ରଚେଷ୍ଟା  କରୁଛେ । ଆମେ ଯୋଗ, ପ୍ରାଣାୟମ ଉପରେ  ଗୁରୁତ୍ୱ ଦେବା ସହିତ ଘରୋଇ-ସହଭାଗୀତା  ଆଧାରରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ  କରି ଓଡ଼ିଆ କ୍ରୀଡ଼ାବିତ୍‌ଙ୍କ ତାଲିମ ଏବଂ ଉତ୍କର୍ଷ  ପ୍ରତିପାଦନ ଉପରେ ଧ୍ୟାନ ଦେଉଛୁ । ଦକ୍ଷିଣ-ପୂର୍ବ  ଏସୀୟ ରାଷ୍ଟ୍ରମାନଙ୍କ ସହିତ ସାମୁଦ୍ରିକ ବାଣିଜ୍ୟକୁ  ପୁନର୍ଜୀବନ ଦେବାପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଓ  ସାଗରମାଳା ଯୋଜନା ସହାୟତାରେ ଏକାଧିକ  ସାମୁଦ୍ରିକ ବନ୍ଦର ନିର୍ମାଣ କରିବାକୁ ଯାଉଛୁ ।  

ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍‌ କାଲାମ୍‌ କହିଥିଲେ-  ଆମେ ଶୟନ କାଳରେ ଦେଖୁଥିବା ସ୍ୱପ୍ନ ନୁହେଁ,  ଆମକୁ ଶୋଇବାକୁ ଦେଉନଥିବା ପରିକଳ୍ପନା  ହିଁ ସ୍ୱପ୍ନ । ଆମର ଅନେକ ସ୍ୱପ୍ନ ସେହିଭଳି  ପରିକଳ୍ପନା, ଯାହା ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ  ଦୃଷ୍ଟିକୋଣ ଓ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ  ଦୃଢ଼ ଇଚ୍ଛାଶକ୍ତି କାରଣରୁ ସମ୍ଭବ ହେବାକୁ ଯାଉଛି ।  ତାଙ୍କର ମାର୍ଗଦର୍ଶନରେ ଓଡ଼ିଶାର ବିକାଶଯାତ୍ରାର  ସୁବର୍ଣ୍ଣ ସମୟ ଆରମ୍ଭ ହୋଇସାରିଛି । ଏଥିରେ  ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ସହଯୋଗର ହାତ  ବଢ଼ାଇଲେ ମୋ ସରକାର ଲାଲ୍‌ କାର୍ପେଟ୍‌ ଉପରେ  ସେମାନଙ୍କ ଆଗମନକୁ ସ୍ୱାଗତ କରିବୁ । 

ଓଡ଼ିଆ ଜାତି କୃତଜ୍ଞତା ପ୍ରକାଶ କରିବାରେ  ସଦା ତତ୍ପର । ଏହା ଆମର ସଂସ୍କୃତି ଓ ପରମ୍ପରା ।  ପ୍ରବାସୀ ଭାରତୀୟ ଦିବସ ସମାରୋହରେ ପ୍ରତ୍ୟକ୍ଷ  ଓ ପରୋକ୍ଷରେ ଯୋଗଦେଇଥିବା ସମସ୍ତ ପ୍ରବାସୀ ଓ  ବଂଶୋଦ୍ଭବ, ରାଷ୍ଟ୍ରପତି ସମ୍ମନନୀୟା ଦ୍ରୌପଦୀ ମୁର୍ମୁ,  କେନ୍ଦ୍ରମନ୍ତ୍ରୀମାନଙ୍କୁ ଓ ବିଶେଷଭାବେ ପ୍ରଧାନମନ୍ତ୍ରୀଙ୍କୁ  ଓଡ଼ିଶାବାସୀଙ୍କ ତରଫରୁ ଆଜିର ଏହି ଅବସରରେ  ହୃଦୟରୁ କୃତଜ୍ଞତା ଜଣାଉଛି ।