ପ୍ରୟାଗରାଜ, ୧୬/୧୨ (ରାମଜୀବନ ଗୋଚ୍ଛାୟତ): ୧୨ ବର୍ଷ ପରେ ଚଳିତବର୍ଷ ପ୍ରୟାଗରାଜରେ ଆୟୋଜନ  ହେଉଛି ମହାକୁମ୍ଭ । ମହାକୁମ୍ଭରେ ବୁଡ଼ ପକାଇବା  କୋଟି ପୁଣ୍ୟ ସହ ସମାନ । ତେଣୁ ସାରା ଦେଶରୁ  ୪୦ କୋଟି ଲୋକ ସମାଗମ ହେବାକୁ ଉତ୍ତରପ୍ରଦେଶ ସରକାର ପ୍ରସ୍ତୁତି କରୁଥିବା ବେଳେ ଓଡ଼ିଶାରୁ ମଧ୍ୟ  ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ରବିବାର ସୁଦ୍ଧା ଓଡ଼ିଶାରୁ ମହାକୁମ୍ଭ ଯିବାକୁ ଦେଢ଼  ଲକ୍ଷରୁ ଅଧିକ ରେଳଯାତ୍ରୀ ସଂରକ୍ଷଣ ଟିକଟ ବୁକିଂ  ଆବେଦନ କରିଥିବା ସୂଚନା ମିଳିଛି । ଏହାକୁ  ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଲଗାତର  ୨ ମାସ ଓଡ଼ିଶାରୁ ୫ ସ୍ୱତନ୍ତ୍ର କୁମ୍ଭ ସ୍ପେଶାଲ ସାପ୍ତାହିକ ଟ୍ରେନ୍‌ ଚଳାଇବାକୁ ସ୍ଥିର ହୋଇଛି । ପ୍ରତି ଟ୍ରେନ୍‌ରେ ୧୭୫୦ରୁ ୧୮୦୦ ଯାତ୍ରୀ ଯାଇପାରିବେ । ଏହା  ବ୍ୟତୀତ ଆମ ରାଜ୍ୟରୁ ଉତ୍ତରପ୍ରଦେଶ ଅଭିମୁଖେ  ଯାଉଥିବା ନିୟମିତ ଟ୍ରେନରେ ବି ବୁକିଂ ବଢ଼ିଛି ।  ଏତେ ସଂଖ୍ୟକ ଯାତ୍ରୀ ଆସୁଥିବାରୁ ପ୍ରୟାଗରାଜରେ  ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।  

ପ୍ରୟାଗରାଜ ଜଙ୍କସନ୍‌ରେ ଯାତ୍ରୀମାନଙ୍କ ପାଇଁ  ଓଡ଼ିଆ ସମେତ ୧୫ଟି ଭାଷାରେ ଘୋଷଣା କରିବାକୁ  ବ୍ୟବସ୍ଥା ହୋଇଛି । ଫଳରେ ମହାକୁମ୍ଭକୁ ଯାଉଥିବା  ଓଡ଼ିଆ ଯାତ୍ରୀଙ୍କୁ ଷ୍ଟେସନରେ ବିଶେଷ ଅସୁବିଧା  ହେବନାହିଁ । ଓଡ଼ିଆ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମାଗାର  ରହିବ । ସେଠାରେ ସ୍ୱତନ୍ତ୍ର ଓଡ଼ିଆ ଅଧିକାରୀ ଦାୟିତ୍ୱରେ  ରହିବେ । ଉତ୍ତରପ୍ରଦେଶର ଯେଉଁ ଅଧିକାରୀମାନେ  ଭଲ ଭାବେ ଓଡ଼ିଆ ଜାଣିଛନ୍ତି ଏବଂ ପୂର୍ବ ବର୍ଷମାନଙ୍କରେ  କୁମ୍ଭମେଳାରେ ଓଡ଼ିଶା ଦାୟିତ୍ୱରେ ରହିଛନ୍ତି,  ସେମାନଙ୍କୁ ଏହି ଦାୟିତ୍ୱ ଦିଆଯିବ ବୋଲି ଉତ୍ତର  ମଧ୍ୟ ରେଳପଥ (ଏନ୍‌ସିଆର୍‌)ର ମୁଖ୍ୟ ଲୋକସମ୍ପର୍କ  ଅଧିକାରୀ ଶଶୀକାନ୍ତ ତ୍ରିପାଠୀ ସୂଚନା ଦେଇଛନ୍ତି ।  

ପ୍ରୟାଗରାଜ ଜଙ୍କସନରେ ଲାଗିଥିବା  କିଓସ୍କଗୁଡ଼ିକରେ ମାତ୍ର ୩ଟି ଭାଷାରେ ସୂଚନା  ମିଳୁଛି । ଖୁସିର ବିଷୟ ଯେ ଏହି ଭାଷା ଭିତରେ  ଓଡ଼ିଆ ରହିଛି । ଏହି କିଓସ୍କଗୁଡ଼ିକରେ ଷ୍ଟେସନରେ  ଯାତ୍ରୀମାନଙ୍କୁ ପ୍ରୟାଗରାଜର ନିକଟବର୍ତ୍ତୀ ଧାର୍ମିକ  ସ୍ଥଳୀ, ପର୍ଯ୍ୟଟନ ସ୍ଥଳୀ ଓ ଐତିହ୍ୟ ସ୍ଥଳୀ ବାବଦରେ  ସୂଚନା ମିଳିପାରିବ । ପର୍ଯ୍ୟଟକଙ୍କୁ ସାହାଯ୍ୟ କରିବାକୁ  ବିଭିନ୍ନ ଗାଇଡମାନଙ୍କ ନମ୍ବର ମଧ୍ୟ ମିଳିପାରିବ । 

ବାରଣାସୀ, ପ୍ରୟାଗରାଜକୁ ଦୈନିକ ବିମାନସେବାରେ ଚାହିଦା ବଢ଼ିଛି 

କେବଳ ଟ୍ରେନ୍‌ ନୁହେଁ, ବାରଣାସୀ ଓ ପ୍ରୟାଗରାଜକୁ  ଦୈନିକ ବିମାନସେବାରେ ଚାହିଦା ବଢ଼ିଛି । ଏବେଠୁ  ପ୍ରତିଦିନ ୬୦ରୁ ୭୦ ପ୍ରତିଶତ ସିଟ୍‌ ପୂରଣ ହେଉଛି ।  ମହାକୁମ୍ଭ ସମୟରେ ସବୁ ସିଟ୍‌ ପୂରଣ ରହିବ  ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ଆକଳନ କରିଛନ୍ତି ।  ଏହା ବ୍ୟତୀତ ବହୁ ଯାତ୍ରୀ ଦିଲ୍ଲୀରୁ ବାରଣାସୀ କିମ୍ବା  ଦିଲ୍ଲୀରୁ ପ୍ରୟାଗରାଜ, କୋଲକତାରୁ ବାରଣାସୀ,  କୋଲକତାରୁ ପ୍ରୟାଗରାଜ ହୋଇ ପୁଣି ସଡ଼କ ପଥ  କିମ୍ବା ଟ୍ରେନରେ ପ୍ରୟାଗରାଜ ଯାଉଥିବା ସୂଚନା ମିଳିଛି ।  

ମହାକୁମ୍ଭ ସମୟରେ ଦେଶରେ ଚାଲିବ ୧୩ ହଜାର ଟ୍ରେନ 

ଏବେ ପ୍ରୟାଗରାଜକୁ ଦେଶର ବିଭିନ୍ନ ରାଜ୍ୟରୁ  ପ୍ରତିଦିନ ୧୦ ହଜାର ନିୟମିତ ଟ୍ରେନ ଚାଲୁଛି ।  ମହାକୁମ୍ଭ ସମୟରେ ଅଧିକ ଯାତ୍ରୀ ଭିଡ଼କୁ ଏଡ଼ାଇବା  ପାଇଁ ରେଳ ମନ୍ତ୍ରଣାଳୟ ବିଶେଷ ପ୍ରସ୍ତୁତି କରିଛି ।  ସାରା ଦେଶରେ ଚାଲିବ ମହାକୁମ୍ଭ ସ୍ପେଶାଲ ୩ ହଜାର  ଟ୍ରେନ୍‌ । ଫଳରେ ଉଭୟ ଟ୍ରେନ ସଂଖ୍ୟା ମିଶାଇଲେ  ପାଖାପାଖି ୧୩ ହଜାର ଟ୍ରେନ ପ୍ରୟାଗରାଜକୁ ଚାଲିବ ।  

ସୁରକ୍ଷା ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ଟାୱାର

କୁମ୍ଭମେଳା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ  ଦେଇଛନ୍ତି ରେଳ ମନ୍ତ୍ରଣାଳୟ ଓ ସ୍ଥାନୀୟ ପ୍ରଶାସନ ।  ତେଣୁ ପ୍ରୟାଗରାଜ ଜଙ୍କସନ୍‌ରେ ପ୍ରସ୍ତୁତ ହୋଇଛି  ସ୍ୱତନ୍ତ୍ର କଣ୍ଟ୍ରୋଲ ଟାୱାର । ଏଠି ଲାଗିଛି ୧୩୦୦ରୁ  ଅଧିକ ସିସି କ୍ୟାମେରା । ସିଆର୍‌ପିଏଫ ଓ  ଜିଆରପିର ୧୨ରୁ ଅଧିକାରୀ ୨୪ ଘଣ୍ଟା ଏହି କଣ୍ଟ୍ରୋଲ  ରୁମକୁ ଜଗିବେ । ୯ଟି ଯାକ ଷ୍ଟେସନକୁ ଏଠାରୁ  ନିୟନ୍ତ୍ରଣ କରାଯିବ । ଏଠାରେ ଶହେ ମୁହଁ ଚିହ୍ନଟ  (ଲବମର କ୍ସରମକ୍ଟଶଦ୍ଭସଗ୍ଧସକ୍ଟଦ୍ଭ) କ୍ୟାମେରା ରହିବ । 

କଲର୍‌ କୋଡିଂ, ଓଭରବ୍ରିଜ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା

ରାମ ମନ୍ଦିର ପ୍ରତିଷ୍ଠା ସମୟରେ ଅଯୋଧ୍ୟା ଷ୍ଟେସନରେ  ଆରମ୍ଭ ହୋଇଥିବା ନୂଆ ବ୍ୟବସ୍ଥା କଲର କୋଡିଂ  ପ୍ରୟାଗରାଜ ଜଙ୍କସନ୍‌ରେ ମଧ୍ୟ କରାଯିବ । ନିର୍ଦ୍ଦିଷ୍ଟ ରଙ୍ଗର  ଟିକଟ ଥିବା ଯାତ୍ରୀ କେବଳ ସେହି ରଙ୍ଗର ବିଶ୍ରାମଗାରରେ  ବିଶ୍ରାମ ନେଇ ପାରିବେ । ସେହି ରଙ୍ଗର ଫୁଟ୍‌ ଓଭରବ୍ରିଜ  ଓ ଲାଇନରେ ଯିବେ । ପ୍ରୟାଗରାଜ ଜଙ୍କସନ୍‌ରେ  ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ବିଶ୍ରାମ ସ୍ଥଳ । ଏକ ସାଙ୍ଗରେ  ଦେଢ଼ ଲକ୍ଷ ଲୋକ ଅପେକ୍ଷା ପାଇଁ ହୋଇଛି ବ୍ୟବସ୍ଥା ।  ଏହା ସହିତ ମହାକୁମ୍ଭ ସମୟରେ ଜାରି ହୋଇଛି  ମାଗଣା ହେଲ୍ପ ଲାଇନ୍‌ ନମ୍ୱର ୧୮୦୦୪୧୯୯୧୩୯ ।