ପୁରୀ, ୨୩/୧୨ : ବଡ଼ଦିନ ଓ ଇଂରାଜୀ ନୂଆବର୍ଷ ପାଇଁ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର୍। ଛୁଟିଦିନ ଥିବାରୁ ପୁରୀରେ ଲକ୍ଷାଧିକ ଭକ୍ତ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ଭିଡ଼ ଜମିବ। ଏଥିପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା, ଟ୍ରାଫିକ୍, ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ଵ ଦିଆଯାଉଛି। ସେହିପରି ସୁରକ୍ଷିତ ସମୁଦ୍ର ସ୍ନାନ ନେଇ ସମୁଦ୍ର କୂଳରେ ପର୍ଯ୍ୟାପ୍ତ ଲାଇଫ୍ ଗାର୍ଡ ମୁତୟନ ହେବେ। ଏନେଇ ପୁରୀ ଏସପି ସୂଚନା ଦେଇଛନ୍ତି।

ଆସନ୍ତା ୩୧ ତାରିଖରେ ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବ। ଏନେଇ ହୋଟେଲ୍ ଆସୋସିଏସନ ସହ ଆଲୋଚନା କରାଯିବ ବୋଲି ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି। ସେପଟେ ନୂଆବର୍ଷରେ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା ଗ୍ରହଣ କରାଯିବ। ଏହା ସହ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ।