ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ ମଧ୍ୟରେ ସୀମିତ ଯୁଦ୍ଧ ବିରତି ପାଇଁ ଆମେରିକା ବ୍ୟତୀତ ଅନ୍ୟ ଦେଶମାନେ ମଧ୍ୟ ପ୍ରସ୍ତୁତି କରୁଛନ୍ତି । ୟୁରୋପ ଏବଂ ଅନ୍ୟାନ୍ୟ ଦେଶମାନେ ଲଣ୍ଡନର ଉପକଣ୍ଠରେ ଥିବା ଏକ ସାମରିକ ମୁଖ୍ୟାଳୟରେ ୟୁକ୍ରେନ ପାଇଁ ଏକ ଅନ୍ତର୍ଜାତୀୟ ଶାନ୍ତି ସେନା ପାଇଁ ଯୋଜନାକୁ ଚୂଡ଼ାନ୍ତ କରିବା ବିଷୟରେ ଆଲୋଚନା କରିଛନ୍ତି।
ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର କହିଛନ୍ତି ଯେ, ବ୍ରିଟେନ ଏବଂ ଫ୍ରାନ୍ସର ନେତୃତ୍ୱରେ ମେଣ୍ଟ ଯୋଜନା ଆଗକୁ ବଢ଼ୁଛି। ତଥାପି, କେତେ ଦେଶ ସୈନ୍ୟ ପଠାଇବାକୁ ପ୍ରସ୍ତୁତ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଧିକାରୀ ମାନେ ୧୦,୦୦୦ ରୁ ୩୦,୦୦୦ ସୈନ୍ୟଙ୍କ ସଂଖ୍ୟା ଉଲ୍ଲେଖ କରିଛନ୍ତି।
ବ୍ରିଟେନ ଏବଂ ଫ୍ରାନ୍ସ କହିଛନ୍ତି ଯେ ସେମାନେ ସୈନ୍ୟ ପଠାଇବାକୁ ପ୍ରସ୍ତୁତ। ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ ଏବଂ ଫିନଲ୍ୟାଣ୍ଡ ସମେତ ଅନେକ ଦେଶ କହିଛନ୍ତି ଯେ ସେମାନେ କୌଣସି ପ୍ରକାରେ ୟୁକ୍ରେନକୁ ସାହାଯ୍ୟ କରିବାରେ ସାମିଲ ହେବାକୁ ପ୍ରସ୍ତୁତ। ଶନିବାର ଏକ ଭିଡିଓ ବୈଠକରେ ମାକ୍ରନ୍, ୟୁକ୍ରେନୀୟ ରାଷ୍ଟ୍ରପତି ଭେଲୋଡିମିର୍ ଜେଲେନ୍ସକି, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଅଷ୍ଟ୍ରେଲିଆ, କାନାଡା ଏବଂ ନ୍ୟୁଜିଲ୍ୟାଣ୍ଡର ନେତା ଏବଂ ନାଟୋ ଏବଂ ୟୁରୋପୀୟ ସଂଘର ଅଧିକାରୀ ମାନଙ୍କ ସମେତ ପ୍ରାୟ ୩୦ ଜଣ ନେତା ସାମିଲ ହୋଇଥିଲେ।
ତେବେ ଏହା ଉପରେ, ରୁଷ କହିଛି ଯେ ସେ ୟୁକ୍ରେନୀୟ ମାଟିରେ ନାଟୋ ଦେଶ ଗୁଡ଼ିକର କୌଣସି ସୈନିକଙ୍କୁ ଗ୍ରହଣ କରିବ ନାହିଁ। ଯୁଦ୍ଧବିରତି ଚୁକ୍ତିନାମା ଉଲ୍ଲଂଘନ ହେଲେ ଆମେରିକା ରିଜର୍ଭ ଫାୟାରପାଓ୍ବାର ଗ୍ୟାରେଣ୍ଟି ଦେବ ବୋଲି ଟ୍ରମ୍ପ କୌଣସି ସୂଚନା ଦେଇନାହାଁନ୍ତି। ଷ୍ଟାରମର କହିଛନ୍ତି ଯେ ଆମେରିକା ବିନା ଯୋଜନା କାମ କରିବ ନାହିଁ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଏବଂ ୟୁକ୍ରେନର ନେତାଙ୍କ ସହ ଆଲୋଚନା ପରେ ସୀମିତ ଯୁଦ୍ଧବିରତି ଉପରେ ଏକ ନୀତିଗତ ଚୁକ୍ତିରେ ପହଞ୍ଚିଛନ୍ତି। ତଥାପି, ଏହା କେବେ କାର୍ଯ୍ୟକାରୀ ହୋଇପାରିବ ଏବଂ କାହା ଉପରେ ଆକ୍ରମଣ ନିଷିଦ୍ଧ କରାଯିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଯୁଦ୍ଧବିରତି ଆଲୋଚନା ମଧ୍ୟରେ ଦୁଇ ଦେଶ ରାତିସାରା ପରସ୍ପର ଉପରେ ଶହ ଶହ ଡ୍ରୋନ୍ ଆକ୍ରମଣ କରିଥିଲେ। ଅନେକ ଲୋକ ଆହତ ହୋଇଥିଲେ ଏବଂ କୋଠାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା।