ନୂଆଦିଲ୍ଲୀ: ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଧାର୍ମିକ ମେଳା। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏହି ମେଳାରେ ଯୋଗ ଦେବେ ଭାରତର ବହୁ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ପଦାଧିକାରୀ। ସାମିଲ୍ ହେବେ ମହାମହିମ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି।
ଏଥିନିମନ୍ତେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ନିମନ୍ତ୍ରଣ ସ୍ୱରପ କୁମ୍ଭ ମେଳାର ଲଗୋ ସହିତ ଏକ କଳସ ଉପହାର ଦେଇଛନ୍ତି ଯୋଗି। ଏହା ସହିତ ନବ ବର୍ଷର ଟେବୁଲ୍ କ୍ୟାଲେଣ୍ଡର ଓ ଏକ ଡାଏରୀ ସହିତ ବିଶେଷ ଉପହାର ମଧ୍ୟ ପ୍ରଦାନ କରିଛନ୍ତି।
ମହାକୁମ୍ଭ ମେଳା ୨୦୨୫ ଜାନୁୟାରୀ ୧୩ ରୁ ଆରମ୍ଭ ହୋଇ ଫେବୃଆରୀ ୨୫ତାରିଖରେ ଶେଷ ହେବ। ଏହି ମହୋତ୍ସବରେ ଯୋଗ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ।
ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନୂଆଦିଲ୍ଲୀରେ ପହଞ୍ଚି ସେଠାରେ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିହଂଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଇଥିଲେ।
ମହାକୁମ୍ଭ ମେଳା ପ୍ରତି ୧୪୪ ବର୍ଷରେ ଥରେ ପଡିଥାଏ। ୧୨ଟି କୁମ୍ଭ ମେଳା ପୁରାହେଲେ ଗୋଚିଏ ମହାକୁମ୍ଭର ଯୋଗ ପଡିଥାଏ। ଚଳିତବର୍ଷର ମହାକୁମ୍ଭ ମେଳାରେ ପ୍ରାୟ ୩୦ କୋଟି ଭକ୍ତ ସମାଗମ ହେବେ ବୋଲି ଆକଳନ କରାଯାଉଛି। ଏତେ ଭକ୍ତ ଏକାଠି ହେଉଥିବାରୁ ଏହା ମହାକାସରୁ ମଧ୍ୟ ସ୍ପଷ୍ଟ ପରିଲକ୍ଷିତ ହୋଇଥାଏ।