ଭୁବନେଶ୍ବର,୨୭।୧୧ : ଆଜି ଆମ ପାଇଁ ଗୌରବର ବିଷୟ, । ଦୀର୍ଘ ୭୫ ବର୍ଷର ଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମ ଥର ପାଇଁ ଆଜି ଆମ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧନ କରିବେ। ଏଥି ସହିତ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରିବେ । ମହାମହିମ ଆମ ବିଧାନସଭାରୁ ତାଙ୍କର ସକ୍ରିୟ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ନିଜର କଠୋର ଅଧ୍ୟବସାୟ ଓ ତ୍ୟାଗ ଫଳରେ ଦେଶର ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଛନ୍ତି। ଆମମାନଙ୍କ ପାଇଁ ଏହା ଶିକ୍ଷଣୀୟ, ସେ ନା’ ନିଜ ଜନ୍ମଭୂମିକୁ ଭୁଲିଛନ୍ତି, ନା’ ନିଜର କର୍ମଭୂମିକୁ । ନିଜ ଜନ୍ମଭୂମି ମୟୂରଭଞ୍ଜର ବିକାଶ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଅଛି । ଆଜି ତାଙ୍କର ପ୍ରଥମ କର୍ମଭୂମିକୁ ପରିଦର୍ଶନ କରି ସେ ସମାଜକୁ ଏହି ବାର୍ତ୍ତା ଦେଇଛନ୍ତି ଯେ, ମଣିଷ ଯେତେବଡ ହେଲେ ସୁଦ୍ଧା ନିଜର ଜନ୍ମଭୂମି ଏବଂ ପ୍ରଥମ କର୍ମଭୂମିକୁ ଭୁଲିବା ଉଚିତ ନୁହେଁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ମୟୂରଭଞ୍ଜ ଜିଲ୍ଲାର ଏକ ଅନାମଧେୟ ଆଦିବାସୀ ପଲ୍ଲୀ ଉପରବେଡ଼ା ଗ୍ରାମର ଏକ ସାଧାରଣ ସାନ୍ତାଳି ପରିବାରରେ ରାଷ୍ଟ୍ରପତି ଜନ୍ମଗ୍ରହଣ କରିଥିଲେ। ସମସ୍ତ ଝଡଝଞ୍ଜା ସତ୍ତ୍ୱେ କେବେବି ଜୀବନରେ ସେ ହାର ମାନି ନାହାନ୍ତି । ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ଥିବା ବେଳେ ସେପ୍ଟେମ୍ବର ୨୦୧୬ ମସିହାରେ ଭୁବନେଶ୍ଵରରେ ଏକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଜୀବନ ସଂଗ୍ରାମ ବିଷୟରେ କହିଥିଲେ । କିପରି ଭାବେ ସ୍କୁଲରେ ପଢିଲା ବେଳେ, ରୋଷେଇ କରିବା ପାଇଁ ପ୍ରତିକୂଳ ପରିସ୍ଥିତିରେ ବି ଜଙ୍ଗଲରୁ ରୋଷେଇ କରିବା ପାଇଁ କାଠ ସଂଗ୍ରହ କରୁଥିଲେ ସେ ସମ୍ପର୍କରେ ରାଷ୍ଟ୍ରପତି କହିଥିଲେ । ଏମିତି ଏକ ପରିବେଶରେ ସଂଘର୍ଷ କରି ରାଜନୀତିରେ ସଫଳ ହେବା ଏବଂ ଦେଶର ସର୍ବୋଚ୍ଚ ଆସନରେ ପହଞ୍ଚିବା କେବେ ହେଲେ ସଂଯୋଗ ନୁହେଁ । ଏହା ଜନସେବା ପାଇଁ ଆପଣଙ୍କ କଠୋର ତପସ୍ୟା ଏବଂ ଇଶ୍ଵରଙ୍କ ଆଶୀର୍ବାଦର ଫଳ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବ୍ୟକ୍ତିଗତ ଭାବେ ମୁଁ ଅଭିଭୂତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କାରଣ ମୋ ପରି ଜଣେ ସାଧାରଣ ଆଦିବାସୀ ପରିବାରରେ ଜନ୍ମିତ ବ୍ୟକ୍ତିକୁ ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନରେ ଓଡିଶାବାସୀଙ୍କ ସେବା କରିବା ପାଇଁ ସୁଯୋଗ ମିଳିଛି । ଓଡିଶା ପରି ରାଜ୍ୟ, ଯେଉଁଠାରେ ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ହେଉଛନ୍ତି ଜନଜାତି ସଂପ୍ରଦାୟର । ସେହି ସମ୍ପ୍ରଦାୟରୁ ଦେଶର ରାଷ୍ଟ୍ରପତି ତଥା ପ୍ରଥମ ନାଗରିକ ଭାବେ ସେବା କରିବା ପାଇଁ ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ସୁଯୋଗ ମିଳିଛି ଏବଂ ରାଜ୍ୟର ସେବା କରିବା ପାଇଁ ମୁଖ୍ୟ ସେବକ ଭାବେ ମୋତେ ମଧ୍ୟ ସୁଯୋଗ ମିଳିଛି ।
ବିଧାନସଭାରେ ଆଜିର ଆଗମନ ପୁଣିଥରେ ଆପଣଙ୍କ ସ୍ଵଚ୍ଛ ଦକ୍ଷ ଏବଂ ନିପୁଣ କାର୍ଯ୍ୟଶୈଳୀ ବିଷୟରେ ସମସ୍ତ ସ୍ମୃତିକୁ ଜାଗ୍ରତ କରିଛି । ଏହି ପବିତ୍ର ଗୃହରେ ଆପଣଙ୍କର କାର୍ଯ୍ୟଦକ୍ଷତା ପାଇଁ ଆପଣ ପ୍ରଥମ ମହିଳା ଶ୍ରେଷ୍ଠ ବିଧାୟିକା ଭାବରେ ସମ୍ମାନିତ ହୋଇଥିଲେ । ଓଡ଼ିଶା ସରକାରରେ ମତ୍ସ୍ୟ ଓ ପଶୁପାଳନ, ବାଣିଜ୍ୟ ଓ ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବରେ ଯୋଗ ଦେଇ ସୂଚାର ରୂପେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ । ବିଧାୟକ, ମନ୍ତ୍ରୀ, ରାଜ୍ୟପାଳ ଏବଂ ବର୍ତ୍ତମାନ ରାଷ୍ଟ୍ରପତି ଭାବେ ଆପଣ ଯେଉଁ ଭୂମିକା ନିଭାଇଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଅନନ୍ୟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।