ପିଲାଦିନେ ମୁଁ ଅତି ସାଧାରଣ ଝିଅ ଥିଲି । ଦିନେ ଭାରତର ରାଷ୍ଟ୍ରପତି ହେବି ଏହା ସ୍ୱପ୍ନରେ ବି କଳ୍ପନା କରିନଥିଲି । ଅନ୍ୟମାନଙ୍କ ଭଳି ଗାଁ ବିଦ୍ୟାଳୟରେ ପଢ଼ୁଥିଲି, ସେମାନଙ୍କ ସହ ଖେଳୁଥିଲି । ବେଳେବେଳେ କାହା ବାଡ଼ିରୁ ପିଜୁଳି, ଆମ୍ବ ଚୋରି କରୁଥିଲୁ । ପୋଖରୀରେ ଘଣ୍ଟା ଘଣ୍ଟା ଧରି ପହଁରୁଥିଲୁ । ଟିକେ ବଡ଼ ହେବାପରେ ମଧ୍ୟ ଦେଶର ରାଷ୍ଟ୍ରପତି ହେବି କିମ୍ବା ବଡ଼ ଅଫିସର ହେବି ଏହା କେବେ ମୋ ସ୍ୱପ୍ନର ପରିଧିକୁ ସ୍ପର୍ଶ କରିନଥିଲା । କେବଳ ଏତିକି ଭାବୁଥିଲି- ଭଲ ପାଠ ପଢ଼ିଲେ ଚାକିରି ଖଣ୍ଡେ ପାଇବି । ମୋ ଜେଜେମା’ ମୋତେ ପାଠ ପଢ଼ି ଚାକିରି କରିବାର ସ୍ୱପ୍ନ ଦେଖେଇଥିଲେ । ସେ ଆମ ଗାଁଠାରୁ ୬୦-୭୦ କି.ମି. ଦୂର ଜାମସେଦପୁରରେ ରହୁଥିଲେ । ସେ ବେଶି ପଢ଼ିନଥିଲେ । କିନ୍ତୁ ଶିକ୍ଷା ଜୀବନରେ କ'ଣ ପରିବର୍ତ୍ତନ ଆଣିପାରେ, ସେ ଅନୁଭବ କରିଥିଲେ । ତେଣୁ ପଢ଼ିବା ପାଇଁ ମୋତେ ତାଗିଦ୍ କରୁଥିଲେ । ଝିଅ ହୋଇଥିବାରୁ ଜୀବନରେ ମୁଁ ଅଧିକ ସଂଘର୍ଷର ସମ୍ମୁଖୀନ ହେବି, ଏକଥା ମଧ୍ୟ ସେ ହେଜେଇ ଦେଉଥିଲେ । ସେ ଆହୁରି ମଧ୍ୟ କହୁଥିଲେ- ପାଠପଢ଼ା ସହିତ ଘରକାମ ଶିଖିବା ଏକାନ୍ତ ଜରୁରି । ଜୀବନର ବିଭିନ୍ନ ମୋଡ଼ରେ ଭିନ୍ନ ଭିନ୍ନ ଅଭିଜ୍ଞତା ଆସିଥାଏ । ପାଠପଢ଼ା ପରେ ଜଳସେଚନ ବିଭାଗର କନିଷ୍ଠ ସହାୟକ ଚାକିରିରେ ଯୋଗ ଦେଇଥିଲି । ମୋ ସ୍ୱାମୀଙ୍କ ବ୍ୟାଙ୍କ ଚାକିରି ପୋଷ୍ଟିଂ ଜାଗାରେ ପିଲାମାନଙ୍କ ସହିତ ରହିବା ପାଇଁ ମୋତେ ଚାକିରି ଛାଡ଼ିବାକୁ ପଡ଼ିଲା । ପିଲାମାନେ ଧୀରେ ଧୀରେ ବଡ଼ ହେଉଥିଲେ । ଚିନ୍ତାକଲି, ଏପରି ଏକ ବୃତ୍ତିରେ ରହିବି ଫଳରେ ପରିବାର ଓ ପିଲାମାନଙ୍କୁ ଭଲଭାବେ ଦେଖିପାରୁଥିବି । ତେଣୁ ଶିକ୍ଷକତା କରିବା ପାଇଁ ସ୍ଥିର କଲି” । ଏହା ହେଉଛି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହିତ ୨୦୨୪ ମସିହା ଫେବ୍ରୁଆରୀ ୧୨ ତାରିଖ ବାର୍ତ୍ତାଳାପର ଅଂଶବିଶେଷ । ସେହି ସାକ୍ଷାତକାରରେ ସେ ନିଜ ଜୀବନର ସଂଘର୍ଷ ଓ ସଂକଳ୍ପର ବହୁ ତଥ୍ୟ ପ୍ରଦାନ କରିଥିଲେ, ଯାହା ସମଗ୍ର ସମାଜ ପାଇଁ ଆଲୋକବର୍ତ୍ତିକା ହୋଇ ରହିଥିବ ।

ସମ୍ମାନନୀୟା ଦ୍ରୌପଦୀ ମୁର୍ମୁ ହେଉଛନ୍ତି ସ୍ୱାଧୀନତା ପର କାଳଖଣ୍ଡରେ ଜନ୍ମିତ ଦେଶର ସର୍ବକନିଷ୍ଠ ରାଷ୍ଟ୍ରପତି । ଜନ୍ମ- ୧୯୫୮ ମସିହା ଜୁନ୍ ୨୦ ତାରିଖ । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀବହୁଳ ଉପରବେଡା ଗାଁରେ ତାଙ୍କର ଜନ୍ମ, ଯେଉଁ ଅଞ୍ଚଳ ସେ ସମୟରେ ବିକାଶର ସ୍ରୋତରୁ ଥିଲା ବହୁ ଦୂରରେ । ବିଦ୍ୟାଳୟ ଶିକ୍ଷା ପାଇଁ ତାଙ୍କୁ ଭୁବନେଶ୍ୱର ଆସିବାକୁ ପଡ଼ିଥିଲା, ଯାହା ସେ ସମୟରେ ଥିଲା ଏକ ଦୁରୂହ ବ୍ୟାପାର । ଭୁବନେଶ୍ୱର ୟୁନିଟ-୨ ବାଳିକା ବିଦ୍ୟାଳୟରେ ନାମ ଲେଖାଇବା ପରେ ତାଙ୍କ ଜୀବନ-ସଂଘର୍ଷ, ଅନ୍ତହୀନ ଆଲୋକର ଉଜ୍ଜଳ ସମ୍ଭାବନାରେ ପରିଣତ ହୋଇଯାଇଥିଲା । ରମାଦେବୀ ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ପରେ ପରିବାର ଭରଣପୋଷଣ ପାଇଁ ତୁରନ୍ତ ଜଳସେଚନ ବିଭାଗର କନିଷ୍ଠ ସହକାରୀ ପଦବି ଚାକିରିରେ ଯୋଗ ଦେଇଥିଲେ । ପରେ ବିବାହ ଏବଂ ସଂସାରକୁ ନେଇ ସେ ଖୁବ୍ ଖୁସି ଥିଲେ । କିନ୍ତୁ ତାଙ୍କ ପାଇଁ ନିୟତିର ଯୋଜନା ଥିଲା ଭିନ୍ନ । ସ୍ୱାମୀ ଶ୍ୟାମଚରଣ ଥିଲେ ବ୍ୟାଙ୍କ ଅଫିସର । ତାଙ୍କର ରାଇରଙ୍ଗପୁର ବଦଳି ହେବା ପରେ ତାହା ହିଁ ସେମାନଙ୍କ ସ୍ଥାୟୀ ଠିକଣା ପାଲଟିଗଲା ।
୧୯୯୭ ମସିହାରେ ଭାରତୀୟ ଜନତା ପାର୍ଟି ତରଫରୁ ରାଇରଙ୍ଗପୁର ବିଜ୍ଞାପିତ ପରିଷଦର ୨ ନମ୍ବର ୱାର୍ଡରୁ କାଉନସିଲର ଭାବେ ବିଜୟୀ ହେବା ପରେ ଆରମ୍ଭ ହେଲା ତାଙ୍କ ଜୀବନର ସେବା ଓ ସଂକଳ୍ପର ଜୟଯାତ୍ରା । ୨୦୦୦ ଏବଂ ୨୦୦୪ ମସିହାରେ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀରୁ ବିଧାୟିକା ନିର୍ବାଚିତ ହୋଇ ରାଜ୍ୟରେ ବାଣିଜ୍ୟ ଓ ଗମନାଗମନ ଏବଂ ମତ୍ସ୍ୟ ଓ ପଶୁସଂପଦ ବିଭାଗର ମନ୍ତ୍ରୀ ଥିଲେ । ବିଧାନସଭାରେ ଉତ୍ତମ ଆଚରଣ, ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ ଏବଂ ନିଜ ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଯଥେଷ୍ଟ ପ୍ରୟାସ କରିଥିବାରୁ ବିଧାନସଭା ତରଫରୁ ୨୦୦୭ ମସିହାରେ ସେ "ପଣ୍ଡିତ ନୀଳକଣ୍ଠ ଦାଶ ଶ୍ରେଷ୍ଠ ବିଧାୟିକା' ପୁରସ୍କାରରେ ସମ୍ମାନିତ ହୋଇଥିଲେ । ୨୦୧୫ରୁ ୨୦୨୧ ମସିହା ପର୍ଯ୍ୟନ୍ତ ସେ ଥିଲେ ଝାଡଖଣ୍ଡ ରାଜ୍ୟର ୯ମ ରାଜ୍ୟପାଳ ଏବଂ ୨୦୨୨ ମସିହା ଜୁଲାଇ ୨୨ ତାରିଖରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବି ରାଷ୍ଟ୍ରପତି ଆସନରେ ଅଭିଷିକ୍ତ ହୋଇଥିଲେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ସବୁଠାରୁ ମୂଲ୍ୟବାନ ଆଭୂଷଣ ହେଉଛି ତାଙ୍କ ସରଳତା । ତାଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା ହେବାପରେ ମଧ୍ୟ ମନ୍ଦିର ବେଢ଼ାରେ ଝାଡୁମାରିବା ଏବଂ ରାଷ୍ଟ୍ରପତି ଭାବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ଖାଲିପାଦରେ ଚାଲିବାର ଦୃଶ୍ୟ ବାସ୍ତବରେ ତାଙ୍କ ଅନନ୍ୟ ସରଳ ବ୍ୟକ୍ତିତ୍ୱର ପରିଚାୟକ । ଦେଶର ଯେକୌଣସି ପ୍ରାନ୍ତରେ ବାସ କରୁଥିବା ଜଣେ ଅତି ସାଧାରଣ ବ୍ୟକ୍ତିଟିଏ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଭିତରେ ନିଜର ପ୍ରତିବିମ୍ବ ଦେଖିବା ପାଇଁ ଦମ୍ଭ ଜୁଟେଇ ପାରିଛି, ତାହା ହିଁ ହେଉଛି ତାଙ୍କ ସରଳ ବ୍ୟକ୍ତିତ୍ୱର ମହତପଣ । ସେ ସବୁବେଳେ ପ୍ରମାଣ ଦେଇଛନ୍ତି, ସେ ହେଉଛନ୍ତି ତାଙ୍କରି ଭିତରୁ ଜଣେ ।
୨୦୦୬ ମସିହାରେ କଳିଙ୍ଗନଗର ଗୁଳିକାଣ୍ଡରେ ୧୩ଜଣ ଆଦିବାସୀ ପ୍ରାଣ ହରାଇବା ଉପରେ ବିଧାନସଭାରେ ଆଲୋଚନା ସମୟରେ ସେ କହିଥିଲେ “...ଯଦି ପ୍ରାଚୁର୍ଯ୍ୟ ଭିତରେ କେହି ଦରିଦ୍ର ଥାଏ, ତେବେ ସେ ହେଉଛି ଆଦିବାସୀ । ସେ ଲୁହା, ନିକେଲ, ସୁନା, ହୀରା ଉପରେ ବସିଛି । ସେ ତାକୁ ଦେଖୁଛି ଓ ସ୍ପର୍ଶ କରୁଛି, କିନ୍ତୁ ପାଇପାରୁନାହିଁ । କାହାପାଇଁ ସେ ପାଇପାରୁନାହିଁ? ...ଆଦିବାସୀ ପଇସା ଗଣି ଜାଣେନାହିଁ । ଯେତେ ଟଙ୍କା ଦେଲେ କାଲିକୁ ନଥିବ । ...ସେମାନେ ଚାହୁଁଛନ୍ତି କ'ଣ? ସେମାନଙ୍କ ସମସ୍ୟା କ'ଣ? ସେମାନଙ୍କ ସମସ୍ୟା ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସ୍ୱତନ୍ତ୍ର ବିଭାଗ ଖୋଲିଲେ । ତାଙ୍କୁ ଜମି ବଦଳରେ ଜମି ଦିଆଯାଉ” ।
ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨୦୧୫ରୁ ୨୦୨୧ ମସିହା ପର୍ଯ୍ୟନ୍ତ ଥିଲେ ଝାଡଖଣ୍ଡର ରାଜ୍ୟପାଳ । ସେହି ସମୟରେ ରାଜ୍ୟରେ ଶିକ୍ଷାର ବିକାଶ, ମହିଳା ସଶକ୍ତିକରଣ ଓ ପଛୁଆବର୍ଗର ବିକାଶ ନିମନ୍ତେ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ଜାରି ରଖିଥିଲେ ।
ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିବସରେ ମହାମହିମଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିବା ସହିତ ତାଙ୍କରି ଶବ୍ଦରେ ଭାରତୀୟ ଗଣତାନ୍ତ୍ରିକ ପରମ୍ପରାର ଜୟଗାନ କରିବା "ମୋ ନିର୍ବାଚନ ଏହାର ପ୍ରମାଣ ଯେ, ଭାରତରେ ଗରିବ ଲୋକଟିର ସ୍ୱପ୍ନ ସଫଳ ହୋଇପାରେ । ମୋ ପାଇଁ ଏହା ଅତ୍ୟନ୍ତ ସନ୍ତୋଷର କଥା, ଯେଉଁମାନେ ଶହ ଶହ ବର୍ଷ ଧରି ବିକାଶ ଧାରାରୁ ବଞ୍ଚିତ ଅଛନ୍ତି, ସେହି ଗରିବ, ଆଦିବାସୀ ଏବଂ ପଛୁଆବର୍ଗର ବ୍ୟକ୍ତିମାନେ ମୋ ଭିତରେ ନିଜକୁ ଦେଖିବା ପାଇଁ ସମର୍ଥ ହୋଇଛନ୍ତି' ।