ଭୁବନେଶ୍ୱର,୧୦/୧୧: ଚଳିତ ବର୍ଷ ନୌସେନା ଦିବସ ପାଳନ ଉପଲକ୍ଷେ ଆସନ୍ତା  ଡିସେମ୍ବର ୪ ତାରିଖରୁ ପୁରୀର ବ୍ଲୁ-ଫ୍ଲାଗ୍‌ ବେଳାଭୂମିରେ ଭାରତୀୟ ନୌସେନାର  ସମରାଭ୍ୟାସ କରାଯିବ । ଏଥିରେ ନୌସେନା ତାର ଅଜେୟ ସାମୁଦ୍ରିକ କ୍ଷମତା ଓ ଶକ୍ତି  ପ୍ରଦର୍ଶନ କରିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।  ଏହି କାର୍ଯ୍ୟକ୍ରମ ନୌସେନାର ବହୁମୁଖୀ କ୍ଷମତାକୁ ପ୍ରଦର୍ଶିତ କରିବ । ଜନସାଧାରଣଙ୍କ  ମଧ୍ୟରେ ସମୁଦ୍ରକୁ ନେଇ ସଚେତନତା  ବୃଦ୍ଧି କରାଯିବ । 

ପ୍ରକାଶଥାଉକି, ଭାରତୀୟ ନୌସେନା ଏହି ଆୟୋଜନକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ଓଡ଼ିଶା ସରକାର ଓ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି କାମ  କରୁଛି । ସ୍ଥାନୀୟ ଦର୍ଶକ ଓ ପର୍ଯ୍ୟଟକ  ଯେପରି ବସି କରି ଏହାକୁ ଦେଖିପାରିବେ  ତାର ବ୍ୟବସ୍ଥା କରାଯିବ । ଏହାର ଜାତୀୟ ଟେଲିଭିଜନ ଚ୍ୟାନେଲ୍‌ରେ ସିଧା ପ୍ରସାରଣ ମଧ୍ୟ କରାଯିବ । ଅଧିକରୁ ଅଧିକ ଦର୍ଶକଙ୍କ  ନିକଟରେ ଏହାକୁ ପହଞ୍ଚାଇବା ଲାଗି ଏହାକୁ ଭାରତୀୟ ନୌସେନାର ୟୁଟ୍ୟୁବ ଚ୍ୟାନେଲରେ ସିଧାପ୍ରସାରଣ କରାଯିବ ବୋଲି ଜଣାପଡିଛି ।