ଭୁବନେଶ୍ୱର,୨୪/୦୩: ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମଙ୍କ ଗସ୍ତ ପାଇଁ  କମିଶନରେଟ ପୁଲିସ ପକ୍ଷରୁ ବିମାନବନ୍ଦରରୁ  ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି  କରାଯାଇଛି । ରାଜଭବନ ସହ ଭୁବନେଶ୍ୱର  ବିମାନବନ୍ଦରକୁ ହାଇଆଲର୍ଟ ଜାରି ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମୋଟ ୧୨ ପ୍ଲାଟୁନ୍‌  ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । 

ଡିସିପି ଜଗମୋହନ ମୀନା କହିଛନ୍ତି,  ସୋମବାର ରାଷ୍ଟ୍ରପତି ଛତିଶଗଡ଼ରୁ ବାହାରିବା  ପରେ ଅପରାହ୍ନ ସାଢେ ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର  ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିର ଗସ୍ତ କରିବେ । ସେଠାରେ  ପୂଜାର୍ଚ୍ଚନା କରିବା ପରେ ଅନ୍ୟ କାର୍ଯ୍ୟକ୍ରମରେ  ଯୋଗ ଦେବେ । ରାଷ୍ଟ୍ରପତି ଜଗନ୍ନାଥ ସଂସ୍କୃତିର  ମୂଳପୀଠ ଭାପୁର ବ୍ଲକ ଅଧୀନ କାଳିଆପଲ୍ଲୀ  ଗ୍ରାମ ମଧ୍ୟରେ ଶବର ରାଜା ବିଶ୍ୱାବସୁ ଓ ଲଲିତାଙ୍କ ଜନ୍ମମାଟି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।  ସେ ସନ୍ଧ୍ୟା ୫ଟା ୪୫ ମିନିଟ୍‌ରେ ଭୁବନେଶ୍ୱରକୁ  ଫେରିବେ । ଏଥିପାଇଁ ସନ୍ଧ୍ୟା ୫ଟା ୨୫ ମିନିଟ୍‌ରୁ  ସନ୍ଧ୍ୟା ୬ଟା ୫ ମିନିଟ୍‌ ଯାଏଁ ବିମାନବନ୍ଦରରୁ  ରାଜଭବନ ରାସ୍ତାକୁ ବନ୍ଦ ରଖାଯିବ । ରାଷ୍ଟ୍ରପତି  ରାଜଭବନରେ ରାତ୍ରିଯାପନ କରିବେ । 

ଆସନ୍ତା  ୨୫ ତାରିଖ ସକାଳେ ୯ଟା ୧୦ ମିନିଟ୍‌ରେ ସେ  ରାଜଭବନରୁ ବିମାନବନ୍ଦର ଅଭିମୁଖେ ଯିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୩ ଜଣ ଡିସିପି,  ୩ଜଣ ଅତିରିକ୍ତ ଡିସିପି, ୧୪ ଏସିପି, ୨୮  ଇନ୍ସପେକ୍ଟର, ୧୧୦ ଏସ୍‌ଆଇ/ଏଏସ୍‌ଆଇ  ମୁତୟନ କରାଯାଇଛି । ବିମାନବନ୍ଦର ଓ ରାଜଭବନକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା  କରାଯାଇଛି । ରାଷ୍ଟ୍ରପତିଙ୍କ କାରକେଡ୍‌ ଯିବା  ବେଳେ ଏୟାରପୋର୍ଟ ଟ୍ରାଫିକ୍‌, କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଗୋଲେଇ  ରାସ୍ତାରେ ରୁଟ୍‌ ଲାଇନିଂକୁ ଗୁରୁତ୍ୱ ଦିଆଯାଉଛି ।