ନୂଆଦିଲ୍ଲୀ,୦୬/୦୪: ଆଇନରେ ପରିଣତ ହେଲା ୱାକଫ୍ ସଂଶୋଧନ ବିଲ୍ । ସଂସଦରେ ପାରିତ ହେବା ପରେ ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ସାରା ଦେଶରେ ଲାଗୁ ହେବ ନୂଆ ଆଇନ୍ । ଗତ ଶୁକ୍ରବାର ସଂସଦର ଉଭୟ ଗୃହରେ ବିଲ୍ ପାରିତ ହୋଇଥିଲା ।

ବିରୋଧୀଙ୍କ ହଙ୍ଗାମା ଓ ଜୋରଦାର ବିରୋଧ ଭିତରେ ୱାକଫ୍ ସଂଶୋଧନ ବିଲ୍‌ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା । ଶନିବାର ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ଫଳରେ ଏହା ଏବେ ଆଇନରେ ପରିଣତ ହୋଇଛି । କେନ୍ଦ୍ର ସରକାର ଏହାକୁ ନେଇ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ଆଇନ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ । ଗତ ବୁଧବାର ଲୋକସଭାରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିଲ୍‌କୁ ଆଗତ କରିବା ପରେ ପ୍ରାୟ ୧୩ ଘଣ୍ଟା ଧରି ମାରାଥନ ଚର୍ଚ୍ଚା ଚାଲିଥିଲା । ଏହାପରେ ବିଳମ୍ବିତ ରାତିରେ ଏହା ଗୃହୀତ ହୋଇଥିଲା । ଲୋକସଭାରେ ବିଲ୍‌ ସପକ୍ଷରେ ୨୮୮ ଓ ବିରୋଧରେ ୨୩୨ ଭୋଟ ପଡ଼ିଥିଲା ।

ଅଧିକ ପଢନ୍ତୁ...ରାଜ୍ୟସଭାରେ ପାରିତ ୱାକଫ୍ ସଂଶୋଧନ ବିଲ୍, ସପକ୍ଷରେ ପଡ଼ିଲା ୧୨୮ ଭୋଟ୍

ଏହାର ପରଦିନ ଅର୍ଥାତ ୩ ତାରିଖ (ଗୁରୁବାର) ବିଳମ୍ବିତ ରାତିରେ ଏହା ରାଜ୍ୟସଭାରେ ପାରିତ ହୋଇଥିଲା । ରାଜ୍ୟସଭାରେ ବିଲ୍‌ ସମର୍ଥନରେ ୧୨୮ ଖଣ୍ଡ ଭୋଟ ପଡ଼ିଥିଲା ବେଳେ ବିରୋଧରେ ୯୫ ଭୋଟ୍‌ ପଡ଼ିଥିଲା । ଏହାପରେ ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦିଆଯାଇଥିଲା । ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିସାରିଛି । ଏହି ଆଇନ ୱାକଫ୍ ସମ୍ପତ୍ତିର ଦୂରୁପଯୋଗ ରୋକିବ ବୋଲି କେନ୍ଦ୍ର ଦାବି କରୁଥିବା ବେଳେ ବିରୋଧୀମାନେ ଏହାକୁ ଧାର୍ମିକ ସ୍ୱାୟତ୍ତତା ଉପରେ ଆକ୍ରମଣ ବୋଲି ଦର୍ଶାଉଛନ୍ତି । 

ବିଲ୍‌କୁ କଂଗ୍ରେସ, ଆପ୍ ସମେତ ଏଆଇଏମ୍‌ଆଇଏମ୍ ଭଳି ଦଳ ବିରୋଧ କରିଛନ୍ତି । ବିଲ୍‌ ବିରୋଧରେ କଂଗ୍ରେସ, ଆପ୍‌ ଏବଂ ଏଆଇଏମ୍‌ଆଇଏମ୍‌ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆପ୍‌ ବିଧାୟକ ଅମାନୁତୁଲ୍ଲା ଖାନ୍ ପିଟିସନ୍ ଦାଖଲ କରିଛନ୍ତି । ୱାକଫ୍‌କୁ ନେଇ ସରକାରଙ୍କ ଏହି ପଦକ୍ଷେପ ସଂଖ୍ୟାଲଘୁଙ୍କ ଅଧିକାର ଛଡ଼ାଇ ନେବ ବୋଲି ସେ କହିଛନ୍ତି । କିଛି ରାଜ୍ୟରେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବି କରାଯାଉଛି ।