କରୱାଡ, ୨୯/୧୨ : ଆଇଏନ୍ଏସ୍ ବାଘଶିରରେ ମହାମହିମ। ରବିବାର କର୍ଣ୍ଣାଟକର କରୱାଡ ନାଭାଲ ବେସ୍ରେ ବୁଡ଼ାଜାହାଜରେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାଲୱରି ଶ୍ରେଣୀର ସବ୍ମରିନ୍ ବା ବୁଡ଼ାଜାହାଜ ଆଇଏନ୍ଏସ୍ ବାଘଶିରରେ ରାଷ୍ଟ୍ରପତିଙ୍କ ସହ ନୌସେନା ମୁଖ୍ୟ ଆଡ୍ମିରାଲ ଦିନେଶ କେ. ତ୍ରିପାଠୀ ଥିଲେ। ବୁଡ଼ାଜାହାଜରେ ଯାତ୍ରା କରିବାରେ ମୁର୍ମୁ ହେଉଛନ୍ତି ଦ୍ୱିତୀୟ ରାଷ୍ଟ୍ରପତି । ତାଙ୍କ ପୂର୍ବରୁ ୨୦୦୬ ଫେବ୍ରୁଆରୀରେ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କଲାମ ଆଇଏନ୍ଏସ୍ ସିନ୍ଧୁ ରକ୍ଷକ ବୁଡ଼ାଜାହାଜରେ ଯାତ୍ରା କରିଥିଲେ ।
ଏହି ଯାତ୍ରା ବେଳେ ରାଷ୍ଟ୍ରପତି ନୌସେନା ପୋଷାକ ପିନ୍ଧିଥିଲେ । ବୁଡ଼ାଜାହାଜକୁ ଯିବା ପୂର୍ବରୁ ସେ ସେଠାରେ ଥିବା ନୌସେନା ଅଧିକାରୀଙ୍କୁ ଭେଟିଥିଲେ । ବାଘଶିର ଚାଳକଙ୍କ ସହ କଥା ହୋଇ ତାଙ୍କ ସାହସ, ଦକ୍ଷତା ସେବା ମନୋଭାବର ପ୍ରଶଂସା କରିଥିଲେ । ପରେ ପଶ୍ଚିମ ସମୁଦ୍ର କ୍ଷେତ୍ରରେ ବୁଡ଼ାଜାହାଜରେ ବସି ପାଣି ଭିତରେ ଯାତ୍ରା କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ଏହି ସ୍ୱଦେଶୀ ବୁଡ଼ାଜାହାଜର ଯୁଦ୍ଧ କୌଶଳ ତଥା କ୍ଷମତାକୁ ମଧ୍ୟ ପ୍ରଶଂସା କରିବା ସହ ଏହା ଜାତୀୟ ସୁରକ୍ଷା ପ୍ରତି ଅତୁଟ ପ୍ରତିବଦ୍ଧତାର ପ୍ରତୀକ ବୋଲି କହିଥିଲେ ।
ଆଇଏନ୍ଏସ୍ ବାଘଶିର ପି୭୫ ସ୍କର୍ପିନ୍ ପ୍ରକଳ୍ପ ଅନ୍ତର୍ଗତ ୬ଷ୍ଠତମ ବୁଡ଼ାଜାହାଜ । ଏହାକୁ ଗତ ଜାନୁଆରୀରେ ନୌସେନାରେ ସାମିଲ କରାଯାଇଥିଲା । ଗତ ଅକ୍ଟୋବରରେ ରାଷ୍ଟ୍ରପତି ମୁର୍ମୁ ରାଫେଲରେ ଉଡ଼ାଣ ଭରିଥିଲେ । ୨୦୨୩ରେ ସେ ସୁଖୋଇ-୩୦ ଏମ୍କେଆଇ ବିମାନରେ ଉଡ଼ାଣ ଭରିବାର ଅନୁଭୂତି ନେଇଥିଲେ ।
President Droupadi Murmu embarked the Indian Navy's indigenous Kalvari class submarine INS Vaghsheer at Karwar Naval Base, Karnataka. The President is undertaking a sortie on the Western Seaboard. Chief of Naval Staff Admiral Dinesh K. Tripathi is accompanying the Supreme… pic.twitter.com/8LWzOkc4Ut
— President of India (@rashtrapatibhvn) December 28, 2025