ଭୁବନେଶ୍ଵର, ୨୬/୧୧ : ସେବେ ଥିଲେ ମନ୍ତ୍ରୀ, ଏବେ ରାଷ୍ଟ୍ରପତି। ସାକ୍ଷୀ ରହିଛି ବିଧାନସଭାର ସେହି ୧୧ନଂ ରୁମ୍। ପୁରୁଣା ଦିନର ସେହି ସ୍ମୃତି ସାଉଁଟିବାକୁ ୧୧ନଂ ରୁମ୍ରେ କିଛି ସମୟ ବିତାଇବେ ମହାମହିମ। ୨୭ ତାରିଖରେ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବେ। ଯାହାକି ଓଡ଼ିଶା ଇତିହାସରେ ପ୍ରଥମ ଏବଂ ଐତିହାସିକ। ରାଷ୍ଟ୍ରପତି ଅଭିଭାଷଣ ରଖିବା ପରେ ୧୧ନଂ ରୁମ୍କୁ ଆସି କିଛି ସମୟ ବିତାଇବେ। ୨୦୦୦ ରୁ ୨୦୦୪ ଯାଏଁ ପରିବହନ ମନ୍ତ୍ରୀ ଥିବା ବେଳେ ୧୧ନଂ ରୁମ୍ ତାଙ୍କର କାର୍ଯ୍ୟାଳୟ ଥିଲା। ସେଥିପାଇଁ ବିଧାନସଭା ସମେତ ଏହି ଚାମ୍ଵରକୁ ସଜା ଯାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ବିଧାନସଭାରେ ଚାରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ବିଧାନସଭା ଚାରିପାଖ ଓ ଲୋୟର ପିଏମ୍ଜିରେ ଥିବା ସମସ୍ତ ବଡ଼ ଅଟ୍ଟାଳିକା ଓ ସରକାରୀ ଅଫିସକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ଆସନ୍ତା ୨୭ ଓ ୨୮ ତାରିଖରେ ଭୁବନେଶ୍ୱର ବିମାନବନ୍ଦର, ରାଜଭବନ ଓ ବିଧାନସଭାକୁ ହାଇଆଲର୍ଟରେ ରଖାଯିବ । ୫ଜଣ ଲେଖାଏଁ ଡିସିପି ଓ ଅତିରିକ୍ତ ଡିସିପି ପାହ୍ୟା ଅଧିକାରୀ, ୨୦ଜଣ ଏସିପି, ୩୦ଜଣ ଇନ୍ସପେକ୍ଟର ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ରୁଟ୍ ଲାଇନିଂ ପାଇଁ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ । ଟ୍ରାଫିକ୍ ପରିଚାଳନାରେ ଆଉ ଗୋଟିଏ ପ୍ଲାଟୁନ୍ ଫୋର୍ସ ଲାଗିବେ । ଡିସିପି (ଟ୍ରାଫିକ) ରୁଟ୍ ଲାଇନିଂ ଓ ଟ୍ରାଫିକ ପରିଚାଳନାର ଦାୟିତ୍ୱ ମୁଣ୍ଡାଇବେ । ୨୭ ତାରିଖ ଅପରାହ୍ଣ ସାଢ଼େ ୧ଟାରୁ ଅପରାହ୍ଣ ୩ଟା ଯାଏ ଏୟାରପୋର୍ଟ ଛକକ୍ୟାପିଟାଲ ହସ୍ପିଟାଲ-ଏଜି ଛକ-ରାଜଭବନ ଯାଏ କୌଣସି ଗାଡି଼ ଯା’ଆସ କରିପାରିବନି । ସେହିଦିନ ଅପରାହ୍ଣ ୪ଟାରୁ ସାଢେ ୪ଟା ଯାଏ ରାଜଭବନ ଛକ-ଏଜି ଛକ-ପିଏମ୍ଜି ଛକ ରାସ୍ତାକୁ ବ୍ଲକ କରାଯିବ । ବିଧାନସଭା ଅଧିବେଶନରେ ଉଦବୋଧନ ଦେବା ପରେ ରାଷ୍ଟ୍ରପତି ସନ୍ଧ୍ୟା ୫ଟା ୧୫ରେ ରାଜଭବନ ଅଭିମୁଖେ ବାହାରିବେ । ସେଥିପାଇଁ ସନ୍ଧ୍ୟା ୬ଟା ଯାଏ ପିଏମ୍ଜି ଛକ-ଏଜି ଛକ-ରାଜଭବନ ଛକ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ । ଆସନ୍ତା ୨୮ ତାରିଖରେ ସକାଳ ୯ଟାରୁ ସାଢେ ୯ଟା ଯାଏ ରାଜଭବନରୁ ଏୟାରପୋର୍ଟ ରାସ୍ତାରେ ଗାଡି଼ମୋଟର ଯା’ଆସ କରିପାରିବନି । ଉପରୋକ୍ତ ରାସ୍ତାରେ ନ ଯାଇ ଅନ୍ୟ ରାସ୍ତା ଦେଇ ଯାତାୟତ କରିବାକୁ ପୁଲିସ ସମସ୍ତ ରାଜଧାନୀବାସୀଙ୍କୁ ଅନୁରୋଧ କରିଛି ।