ଭୁବନେଶ୍ୱର, ୧୭/୧୧: ମୂଳ ପଦବିକୁ ଉନ୍ନୀତ କରି ୪୨୦୦ ଗ୍ରେଡ୍ ପେ ପ୍ରଦାନ, ୨୦୦୧ରୁ ୨୦୨୪ ମଧ୍ୟରେ ନିଯୁକ୍ତ ଶିକ୍ଷକଙ୍କ ୬ ବର୍ଷର କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରି ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ ଦାବି ଆସନ୍ତା ୩୦ ତାରିଖ ସୁଦ୍ଧା ପୂରଣ ନହେଲେ ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ପ୍ରାଥମିକ ଶିକ୍ଷକ ମହାସଂଘ । ରାଜ୍ୟରେ ଥିବା ପ୍ରାଥମିକ ସ୍କୁଲରେ ଶିକ୍ଷାଦାନ ବାଧ୍ୟାପ୍ରାପ୍ତ ହେଲେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ କହିଛି ।

ମହାସଂଘ ପକ୍ଷର ୟୁନିଟ୍-୩ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କୁହାଯାଇଛି, ପୂର୍ବ ସରକାର ପ୍ରାଥମିକ ଶିକ୍ଷକଙ୍କୁ ବିଭିନ୍ନ ସୁବିଧାସୁଯୋଗରୁ ବଞ୍ଚିତ କରିଛନ୍ତି । ୨୦୦୧ରୁ ସେମାନେ ସ୍ୱଳ୍ପ ବେତନରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରି ଆସିଛନ୍ତି । ଏ ସରକାରରେ ମଧ୍ୟ ପ୍ରାଥମିକ ଶିକ୍ଷକଙ୍କୁ ଉପେକ୍ଷା କରାଯାଉଛି । ପ୍ରାଥମିକ ଶିକ୍ଷକଙ୍କୁ ଆରଟିଇ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ସଚେତନତା, କିଶୋରୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ସହ ବିଭିନ୍ନ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ କରାଯାଉଛି । ହେଲେ ସେମାନଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁନାହାନ୍ତି । ଏହାର ପ୍ରତିବାଦରେ ଡିସେମ୍ୱର ୧ରୁ ରାସ୍ତାକୁ ଓହ୍ଲାଇବାକୁ ବୈଠକରେ ଶିକ୍ଷକ ନେତାମାନେ ଶପଥ ନେଇଛନ୍ତି ।

ମହାସଂଘର ଆବାହକ ରାମଲାଲ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଓପିଟିଏ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ଓଇବିଟିଏଫ ସଭାପତି ଅଜୟ କୁମାର ଧଳ, ଏଓପିଟିଏ ସଭାପତି ସୁଶାନ୍ତ କୁମାର ବେହେରା, ଓଇଟିଏ ସାଧାରଣ ସମ୍ପାଦକ ପ୍ରବୀଣ କୁମାର ଦାସ, ଲେଭଲ ଭି-ଏ ଆବାହକ ସୁବ୍ରତ କୁମାର ଧଳ, ଅଜିତ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।