ନୂଆଦିଲ୍ଲୀ: ସଂସଦରେ ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍‌କୁ ନେଇ ହୋହଲ୍ଲା ମଧ୍ୟରେ ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ବୈଠକ ହୋଇଛି ।  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୩ ନେତାଙ୍କ ବୈଠକକୁ ନେଇ ଚର୍ଚ୍ଚା ହେଉଛି । ଜାତୀୟ ମାନବାଧିକାର କମିଶନ (ଏନଏଚ୍‌ଆରସି)ର ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ମୋଦୀ, ରାହୁଲ ଏବଂ ଖଡ଼ଗେଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି । 

ସୂଚନାଯୋଗ୍ୟ ଯେ, ଏନଏଚ୍‌ଆରସି ଅଧ୍ୟକ୍ଷ ନିଯୁକ୍ତି ଲାଗି ଗଠିତ କମିଟିରେ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ରାଜ୍ୟସଭାର ଏଲଓପି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ସଦସ୍ୟ ଅଛନ୍ତି । କିନ୍ତୁ ଆଜିର ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ, ଏବଂ ଦୁଇ ଗୃହର ନେତା ପ୍ରତିପକ୍ଷ ଉପସ୍ଥିତ ରହିଛନ୍ତି । 

ଏହି କମିଟି ଉପରେ ଜାତୀୟ ମାନବାଧିକାର କମିଶନର ସଦସ୍ୟଙ୍କ ନିଯୁକ୍ତି ଦାୟିତ୍ବ ମଧ୍ୟ ରହିଛି ।  ତେବେ ଏନଏଚଆରସିର ପୂର୍ବତନ ଅଧ୍ୟକ୍ଷ ଅରୁଣ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁନ୍‌ରେ ଶେଷ ହୋଇଛି । ଏହା ପରେ କମିଶନର ସଦସ୍ୟ ବିଜୟ ଭାରତୀ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି ।  ୨୦୨୧ରେ ଅରୁଣ ମିଶ୍ରଙ୍କୁ ଏନଏଚ୍‌ଆରସି ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା । ସେ ସୁପ୍ରିମକୋର୍ଟର ପୂର୍ବତନ ଜଜ୍‌ ହୋଇଥିଲେ ହେଁ ପ୍ରଧାନ ବିଚାରପତି ନହୋଇ ଏନଏଚଆରସିର ମୁଖ୍ୟ ହୋଇପାରିଥିଲେ ।