ନୂଆଦିଲ୍ଲୀ, ୨୦/୧୧ : ବିହାରରେ ଆଜିଠୁ ନୀତୀଶ ରାଜ୍। ଶପଥ ନେବ ଏନଡିଏ ସରକାର। ଏଥିପାଇଁ ପାଟନାର ଐତିହାସିକ ଗାନ୍ଧୀ ମୈଦାନରେ ମହାସମାରୋହ ଆୟୋଜନ କରାଯାଇଛି। ଶପଥ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପୂର୍ବାହ୍ନ ୧୧ଟା ୩୦ରେ ଶପଥ ଗ୍ରହଣ ହେବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ୧୨ ମୁଖ୍ୟମନ୍ତ୍ରୀ ସାମିଲ ହେବେ। ହୋଟେଲ ମୌର୍ଯ୍ୟରେ ଅତିଥିମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ହୋଇଛି। ଅତିଥିଙ୍କୁ ଲିଟି ଚୋଖା, ମଖାନା କ୍ଷୀରୀ, ଓ ଅନ୍ୟ ବିହାରୀ ବ୍ୟଞ୍ଜନ ପରଷା ଯିବ। ଏତଦ୍ ବ୍ୟତୀତ ଯେଉଁ ଯେଉଁ ରାଜ୍ୟରୁ ଅତିଥିମାନେ ଆସୁଛନ୍ତି ସେହି ରାଜ୍ୟର କିଛି ବ୍ୟଞ୍ଜନ ପରଷାଯିବ।
ନୀତୀଶଙ୍କ ଶପଥ ଉତ୍ସବରେ ଉତ୍ତର ପ୍ରଦେଶ, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ହରିୟାଣା, ଉତ୍ତରାଖଣ୍ଡ, ଓଡ଼ିଶା, ଆସାମ, ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଓ ମଣିପୁର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ସାମିଲ ହେବେ। ଗାନ୍ଧୀ ମଇଦାନରେ ଅଢେଇ ଲକ୍ଷ ଲୋକଙ୍କ ପାଇଁ ସୁବିଧା କରାଯାଇଛି। ଦୁଇ ଲକ୍ଷ ଲୋକ ବସିବା ପାଇଁ ଚୌକି ବ୍ୟବସ୍ଥା କରାଯାଇଛି। ୩ଟି ବିରାଟ ମଞ୍ଚ ତିଆରି କରାଯାଇଛି। ଏଥିରୁ ଗୋଟିଏ ମଞ୍ଚରେ ଶପଥ ଗ୍ରହଣ ହେବ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ରାଜ୍ୟପାଳ ଆରିଫ ମହମ୍ମଦ ଖାଁ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବହୁ କେନ୍ଦ୍ର ମନ୍ତ୍ରୀ ଓ ମହାମେଣ୍ଟର ପ୍ରମୁଖ ନେତା ଉପସ୍ଥିତ ରହିବେ।
ଦ୍ଵିତୀୟ ପେଣ୍ଡାଲରେ ଅନ୍ୟ ରାଜ୍ୟର ନିମନ୍ତ୍ରିତ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ଅନ୍ୟ ଭିଭିଆଇପିମାନେ ଆସନ ଗ୍ରହଣ କରିବେ। ଏହି ପେଣ୍ଡାଲରେ ପ୍ରାୟ ୫୦୦ ଚୌକିର ବ୍ୟବସ୍ଥା କରାଯାଇଛି। ସେହିପରି ତୃତୀୟ ପେଣ୍ଡାଲରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। କଳା ଓ ସଂସ୍କୃତି ବିଭାଗ ପକ୍ଷରୁ ଏହର ଆୟୋଜନ କରାଯିବ। ନବନିର୍ବାଚିତ ବିଧାୟକ ମୈଥିଲି ଠାକୁର, ସାଂସଦ ମନୋଜ ତିୱାରୀଙ୍କ ସମେତ ରାଜ୍ୟର ବହୁ ମାନ୍ୟଗଣ୍ୟ ଲୋକ କଳାକାରଙ୍କ ଦ୍ଵାରା ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ କରାଯିବ।