ଝାରସୁଗୁଡ଼ା ୨୭/୦୯:  ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କଲେ ମୁଖ୍ୟମନ୍ତ୍ର ମୋହନ ଚରଣ ମାଝୀ, ରାଜ୍ୟପାଳ ଡ.ହରିବାବୁ କୁମ୍ଭମପାଟି । ସେଠାରୁ ସଡ଼କପଥରେ ଅମଲିପାଲି ସଭାସ୍ଥଳକୁ ଯାଇଛନ୍ତି  । ସାଢ଼େ ୧୧ରୁ ସାଢ଼େ ୧୨ ଯାଏଁ  ସମାବେଶସ୍ଥଳରେ ରହିବେ । ପ୍ରାୟ ଘଣ୍ଟାଏ କାଳ ମୋଦି ମଞ୍ଚରେ ରହିବା  ପରେ ଝାରସୁଗୁଡ଼ା ବିମାନବନ୍ଦରକୁ ଫେରି ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଝାରସୁଗୁଡ଼ା  ଅମଲିପାଲି ପଡ଼ିଆରେ ଆୟୋଜିତ ହେବାକୁ ଥିବା  ଯୁବ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ୬୦ ହଜାର କୋଟି ଟଙ୍କା  ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ କରିବେ ।  ଦୂରସଂଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା,  ଦକ୍ଷତା ବିକାଶ ସହ ଗ୍ରାମ୍ୟ ଗୃହ ନିର୍ମାଣର ଏହି  ପ୍ରକଳ୍ପଗୁଡ଼ିକ ଦେଶବାସୀଙ୍କୁ ହେବ ପ୍ରଧାନମନ୍ତ୍ରୀଙ୍କ  ପାର୍ବଣ ଭେଟି । ସମାବେଶରେ ମୋଦି ସାଧାରଣ  ଜନତାଙ୍କୁ ମଧ୍ୟ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାରୁ ସାରା ଭାରତବର୍ଷ ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିଏସ୍‌ଏନ୍‌ଏଲ୍‌  ୪ଜି ନେଟୱର୍କ ସେବା ଉଦ୍‌ଘାଟନ କରିବେ । ସାରା  ଦେଶରେ ନିର୍ମିତ ହୋଇଛି ୯୭ ହଜାର ୫୦୦ ୪ଜି  ମୋବାଇଲ ଟାୱାର । ଏହାର ମୂଲ୍ୟ ହେଉଛି ପ୍ରାୟ  ୩୭ ହଜାର କୋଟି ଟଙ୍କା । ଏହି ବିଏସଏନଏଲ୍‌ ୪ଜି  ନେଟ୍‌ୱର୍କ ସମ୍ପୂର୍ଣ୍ଣ "ଆତ୍ମନିର୍ଭର’ ୪ଜି ପ୍ରଯୁକ୍ତିବିଦ୍ୟା  ଦ୍ୱାରା ପରିଚାଳିତ ହେବ । ଏହି ସଫ୍‌ଟୱେର ୫ଜିକୁ  ସହଜରେ ଅପ୍‌ଗ୍ରେଡ କରାଯାଇପାରିବ । ଦୁର୍ଗମ,  ସୀମାନ୍ତ ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳର ପ୍ରାୟ ୨୬,୭୦୦ ଗାଁକୁ ମିଳିବ ମୋବାଇଲ ସେବା । ୨୦  ଲକ୍ଷରୁ ଅଧିକ ନୂତନ ଗ୍ରାହକଙ୍କୁ ସେବା ମିଳିବ ।

ବ୍ରହ୍ମପୁରରୁ ସୁରଟ (ଉଧନା) ସଂଯୋଗ କରୁଥିବା  "ଅମୃତ ଭାରତ ଏକ୍ସପ୍ରେସ'କୁ ପ୍ରଧାନମନ୍ତ୍ରୀ ଭିଡିଓ  କନଫରେନ୍‌ସିଂ ଜରିଆରେ ସବୁଜ ପତାକା ଦେଖାଇ  ଶୁଭାରମ୍ଭ କରିବେ । ଯୁବ ସମାବେଶ ଅବସରରେ ମୋଦି ୩ଟି ରେଳ  ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ । ସମ୍ବଲପୁର  ସହର-ସର୍ଲା ମଧ୍ୟରେ ରେଲୱେ ଫ୍ଲାଏଓଭରର  ଭିତ୍ତିପ୍ରସ୍ତର ଦେବେ ପ୍ରଧାନମନ୍ତ୍ରୀ । ଏହି ଫ୍ଲାଏଓଭର  ପାଇଁ ୨୭୩ କୋଟିର ପାଣ୍ଠି ବରାଦ ହୋଇଛି ।   
​​​​​​​​​​​​​​

ପ୍ରଧାନମନ୍ତ୍ରୀ ପ୍ରାୟ ୧୧ ହଜାର କୋଟି ଟଙ୍କା ବିନିଯୋଗରେ ୮ଟି ଆଇଆଇଟିର  ସଂପ୍ରସାରଣ ପାଇଁ ଭିଭତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାଦ୍ୱାରା ତିରୁପତି, ପାଲକଡ,  ଭିଲାଇ, ଜମ୍ମୁ, ଧରୱାଡ଼, ଯୋଧପୁର, ପାଟନା ଓ ଇନ୍ଦୋର ଆଇଆଇଟିରେ ଆଗାମୀ  ଚାରି ବର୍ଷରେ ୧୦ ହଜାର ଅଧିକ ନୂଆ ଛାତ୍ରଛାତ୍ରୀ ପାଠ ପଢ଼ି ପାରିବେ । ଆଠଟି  ଅତ୍ୟାଧୁନିକ ଗବେଷଣା ପାର୍କ ସ୍ଥାପନ ହେବ । ଏହା ଭାରତର ନବସୃଜନ ସହ  ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ କରିବ । ପ୍ରଧାନମନ୍ତ୍ରୀ ଶନିବାର ‘ମେରିଟ୍‌’  ଯୋଜନାର ଶୁଭାରମ୍ଭ କରିବେ । ଏହା ଦେଶବ୍ୟାପୀ ୨୭୫ ଇଞ୍ଜିନିୟରିଂ ଓ  ପଲିଟେକ୍‌ନିକ୍‌ ଅନୁଷ୍ଠାନରେ ଗୁଣବତ୍ତା, ସମାନତା, ଗବେଷଣା ଏବଂ ନବସୃଜନକୁ  ଆଗକୁ ନେବ । ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ।  ସମ୍ବଲପୁର ଓ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ହେବ । ଏଠାରେ କୃଷି  ପ୍ରଯୁକ୍ତି, ଅକ୍ଷୟ ଶକ୍ତି, ରିଟେଲ, ସାମୁଦ୍ରିକ ଆଦି ପାଠ୍ୟକ୍ରମ ରହିବ । ଏହାସହ ପାଞ୍ଚଟି  ଆଇଟିଆଇକୁ ଉତ୍କର୍ଷ ଆଇଟିଆଇ ଭାବେ ଉନ୍ନୀତ କରାଯିବ । ୨୫ଟି ଆଇଟିଆଇକୁ  ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବା ସହ ଅତ୍ୟାଧୁନିକ ବୈଷୟିକ ତାଲିମ  ପାଇଁ ନୂଆ କୋଠା ନିର୍ମାଣ ହେବ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ମଧ୍ୟ  ଉଲ୍ଲେଖନୀୟ ଉନ୍ନତି ପାଇବ । ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ  ସମ୍ବଲପୁରର ଭିମ୍‌ସାର ହେବ ବିଶ୍ୱସ୍ତରୀୟ ସୁପର-ସ୍ପେସିଆଲିଟି ହସ୍ପିଟାଲ । ଏହାର  ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି । ଅଧିକ ଶଯ୍ୟା କ୍ଷମତା,  ଟ୍ରମା କେୟାର ୟୁନିଟ୍‌, ଡେଣ୍ଟାଲ କଲେଜ, ମାତୃ ଓ ଶିଶୁ ଯତ୍ନ ସେବା ଏବଂ ବିସ୍ତୃତ  ଶିକ୍ଷା ଭିତ୍ତିଭୂମି ଏଠାରେ ଉପଲବ୍ଧ ହେବ । ଏହାସହ ପ୍ରଧାନମନ୍ତ୍ରୀ ଅନ୍ତ୍ୟୋଦୟ  ଗୃହ ଯୋଜନାରେ ୫୦,୦୦୦ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିବେ ।

ମୋଦିଙ୍କ ଗସ୍ତକୁ ନେଇ ଝାରସୁଗୁଡ଼ା ବିମାନବନ୍ଦର  ଠାରୁ ଆରମ୍ଭ କରି ସମାବେଶ ସ୍ଥଳ ପର୍ଯ୍ୟନ୍ତ ସବୁଠି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସ୍‌ଜି) ପକ୍ଷରୁ ଘନ ଘନ ସୁରକ୍ଷା  ଯାଞ୍ଚ କରାଯାଉଛି । ଯୁବ ସମାବେଶରେ ଯୋଗ ଦେବାକୁ ରାଜ୍ୟ ମନ୍ତ୍ରିମଣ୍ଡଳର  ବହୁ ସଦସ୍ୟ, ସାଂସଦ, ବିଧାୟକ ଏବଂ ବିଜେପିର ରାଜ୍ୟ ଓ ରାଜ୍ୟ ବାହାରର  ନେତାମାନେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି।