ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ଗସ୍ତ କରିବେ। ଏନେଇ କଲମ୍ବୋରେ ଥିବା ଭାରତୀୟ ଉଚ୍ଚ ଆୟୋଗ ମଙ୍ଗଳବାର ଦିନ ଏହି ସୂଚନା ପ୍ରଦାନ କରିଛନ୍ତି। ତେବେ ଏନେଇ ଏଯାଏ ତାରିଖ ସ୍ଥିର ହୋଇନଥିବା ସୁଚନା ଦେଇଛନ୍ତି ହାଇ କମିଶନର।
ଶ୍ରୀଲଙ୍କାରେ ଥିବା ଭାରତୀୟ ହାଇ କମିଶନର ସାନ୍ତୋଷ ଝା ଏହି ସୁଚନା ଦେଇ କହିଛନ୍ତି, 'ପିଏମଙ୍କ ବହୁ ଜଲଦି ଶ୍ରୀଲଙ୍କା ଗସ୍ତରେ ଆସୁଛନ୍ତି। ତେବେ ଏହି ଗସ୍ତ ପାଇଁ ଶ୍ରୀଲଙ୍କା ସରକାର ବହୁ ଉତ୍ସାହିତ ଅଛନ୍ତି। ପିଏମ ଶ୍ରୀଲଙ୍କା ଆସିବା ପାଇଁ ଉଭୟ ପକ୍ଷ ଏକ ସୁବିଧାଜନକ ସମୟ ସ୍ଥିର କରିବା ପ୍ରକ୍ରିୟାରେ ଅଛୁ' ବୋଲି କହିଛନ୍ତି।
ଖବର ମୁତାବକ ଗତବର୍ଷ ଡିସେମ୍ବର ମାସ ମଧ୍ୟଭାଗରେ ଶ୍ରୀଲଙ୍କାର ରାଷ୍ଟ୍ରପତି ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ। ଏହି ଗସ୍ତ ଅବସରରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକ ମୋଦୀଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ନିମନ୍ତ୍ରଣ ଦେଇଥିଲେ। ସେପ୍ଟେମ୍ବରମାସରେ ରାଷ୍ଟ୍ରପତି ନିର୍ବାଚନରେ ନିର୍ବାଚିତ ହେବା ପରେ ଅନୁରା କୁମାରଙ୍କର ଏହା ପ୍ରଥମ ନୂଆଦିଲ୍ଲୀ ଗସ୍ତ ଥିଲା। ତେବେ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୫ ରୁ ୨୦୧୭ ମଧ୍ୟରେ ଦୁଇଥର ଶ୍ରୀଲଙ୍କା ଗସ୍ତ କରିଥିଲେ।