ଆମ ଦେଶର ପାଖାପାଖି ୪୫%  ପଣ୍ୟ କାରବାର ହୁଏ ୟୁରୋପୀୟ  ଦେଶସମୂହ ଆମେରିକା,  ଅଷ୍ଟ୍ରେଲିଆ, ଜାପାନ, ବ୍ରିଟେନ,  ସାଉଥ କୋରିଆ, ନ୍ୟୁଜିଲାଣ୍ଡ ଆଦି  ଦେଶ ସହିତ, ଚୀନ ଓ ରୁଷିଆ  ସହିତ ମାତ୍ର ୪.୫% ।

tapodhana panda

ଲାଗୁଛି ଆମେ ଭାରତ ଓ ରୁଷିଆକୁ ହଜାଇ ଦେଇଛୁ  ଗଭୀରତମ, ଅନ୍ଧକାରମୟ ଚୀନ ଭିତରେ,  ସେମାନେ ମିଶି ଏକ ସୁଦୀର୍ଘ ସମୃଦ୍ଧ ଭବିଷ୍ୟତ ନିର୍ମାଣ  କରନ୍ତୁ । ଏହା ଥିଲା ଆମେରିକା ରାଷ୍ଟ୍ରପତି ଡୋନାଲଡ  ଟ୍ରମ୍ପଙ୍କର କ୍ରିପଟିକ୍‌ ପୋଷ୍ଟ ବା ରହସ୍ୟମୟ ବାକ୍ୟ ।  ଏଭଳି ବାକ୍ୟ ଉଚ୍ଚାରଣ କରି ସେ ଭାରତ, ରୁଷିଆ ଓ  ଚୀନକୁ ପରସ୍ପର ସହଯୋଗୀ ରାଷ୍ଟ୍ର ଭାବେ କେବଳ  ଉଲ୍ଲେଖ କରିନାହାଁନ୍ତି ବରଂ ନିଜକୁ ଚୀନର ନେତୃତ୍ୱ  ପାଖରେ ସମର୍ପଣ କରିଦେଇଛନ୍ତି, ଯାହାକି ଆମେରିକାର  ଭାବନା ଓ ନୀତିବିରୁଦ୍ଧ । ଏହା ସମଗ୍ର ବିଶ୍ୱକୁ ଏକ  ସକ୍‌ୱେଭ ପ୍ରେରଣ ମାତ୍ର କରିନାହିଁ, ବରଂ ସେ ନିଜ  ରାଷ୍ଟ୍ରର ଷ୍ଟ୍ରାଟେଜିକ କମ୍ୟୁନିଟି ବା କୂଟନୈତିକ ନୀତି  ନିର୍ଦ୍ଧାରଣ କରୁଥିବା ଗୋଷ୍ଠୀଙ୍କୁ ସେଇ ସକ୍‌ୱେଭ ଭିତରକୁ  ଟାଣି ନେଇଛନ୍ତି । ଏହି ୨୦ଟି ଶବ୍ଦରୁ କମ୍‌ ବାକ୍ୟ ପୋଷ୍ଟ  କରି ସେ ନିଜର ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ ବା  ‘ମାଗା’ ଭିଜିଅନକୁ ଅସ୍ପଷ୍ଟ କରିଦେଇଛନ୍ତି, ଯାହା ତାଙ୍କ  ରିପବ୍ଲିକାନ ଦଳର ବରିଷ୍ଠ କର୍ମୀମାନଙ୍କୁ  ଆଶ୍ଚର୍ଯ୍ୟଚକିତ କରିଦେଇଛି । ଆମେରିକା  ସର୍ବଦା ଭାବି ଆସୁଥିଲା ଯେ ଭାରତ,  ରୁଷିଆ ଆମର ସମର୍ଥକ ଓ ସେମାନଙ୍କୁ  ଆମେ ହଜେଇଦବାକୁ ଚାହୁଁନା, ବରଂ  ଚୀନ ଆମର ଶତ୍ରୁ ସର୍ବଦା ବାଣିଜ୍ୟ ଯୁଦ୍ଧ  ଓ ଏବେ ବିରଳ ମୃତ୍ତିକା ଚୁମ୍ବକକୁ ନିଜ  ଯୁଦ୍ଧର ଆୟୁଧ ଭାବେ ବ୍ୟବହାର କରିବାକୁ  ଧମକ ଦେଇଛି ।

ଟ୍ରମ୍ପ ବିଚଳିତ ହୋଇପଡ଼ିଥିଲେ,  ଯେବେ ସେ ଭାବିଥିଲେ ପ୍ରଧାନମନ୍ତ୍ରୀ ମୋଦି କାନାଡ଼ାରୁ  ଜି-୭ ସମ୍ମିଳନୀରେ ଅଂଶଗ୍ରହଣ କରି ଫେରିବା  ବେଳେ ଆମେରିକାରେ ପହଞ୍ଚି ତାଙ୍କୁ ସୌଜନ୍ୟମୂଳକ  ସାକ୍ଷାତ କରି ଭାରତକୁ ଫେରିବେ । ମାତ୍ର ମୋଦି ତାହା  କଲେନାହିଁ । କାରଣ ପାକିସ୍ତାନର ଆର୍ମି ଚିଫ୍‌ ଅସୀମ  ମୁନିରଙ୍କୁ ନିମନ୍ତ୍ରଣ କରି ତାଙ୍କ ସହିତ ଟ୍ରମ୍ପ ଡିନର କରିବା  ପରେ ସେ ସେଠାକୁ ଯିବାକୁ ଉଚିତ ମଣିଲେ ନାହିଁ ।

ତା’ ସହିତ ‘ଅପରେସନ ସିନ୍ଦୂର’କୁ ବନ୍ଦ କରିବାର  ବାହାବା ଯୋଗାଡ଼ କରିବାକୁ ଚାହୁଁଥିବା ଟ୍ରମ୍ପଙ୍କ ମଧ୍ୟସ୍ଥତାକୁ  ମୋଦି ସମର୍ଥନ ନକରି ବିରୋଧ କରିବା ତାଙ୍କୁ ମଧ୍ୟ  ବେକାଇଦାରେ ପକାଇ ଦେଇଛି । ଖାଲି ସେତିକି ନୁହେଁ,  ଆମେରିକା ପାକିସ୍ତାନକୁ ପ୍ରଦାନ କରିଥିବା ଅସ୍ତ୍ର, ଜାହାଜ  ସବୁ ଭାରତର ଆକ୍ରମଣ ପାଖରେ ହାର ମାନିବାକୁ ସେ  ଅପସନ୍ଦ କରିଛନ୍ତି । ଆହୁରି କିଛି ଅଧିକ ହୁଏତ ଘଟିଛି  ଯାହା ଏଯାବତ୍‌ ଜଣାନାହିଁ ଓ ତାହା ତାକୁ ନୈରାଶ୍ୟ  ଭିତରକୁ ଠେଲିଦେଇ ଟାରିଫ ବୃଦ୍ଧି କରାଇ ଦେଇଛି ।  ଆମେରିକାକୁ ହଜାଇଦବାକୁ ମୋଦି ଚାହାଁନ୍ତି ନାହିଁ ଓ  ଟାରିଫକୁ ନେଇ କଥାବାର୍ତ୍ତା ବନ୍ଦ ହୋଇଯାଇନାହିଁ ବୋଲି  ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ସୂଚନା ଦେଇଛନ୍ତି ।  ଆମେରିକା ଆମର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ର  ଓ ଏହି ସହଯୋଗ ବଢ଼ିଚାଲିବ ନିଜ ନିଜର ମ୍ୟୁଚୁଆଲ  ରେସପେକ୍ଟ ଓ ସେୟାର୍ଡ ଇଣ୍ଟେରେଷ୍ଟକୁ ନେଇ ବୋଲି  ସୂଚନା ବି ସେ ଦେଇଛନ୍ତି । ଭାରତ ତୈଳ କିଣିଚାଲିଛି  ରୁଷିଆ ପାଖରୁ ବୋଲି ବାହାବା ଦେଖାଇ ୫୦%  ଟାରିଫ ବୃଦ୍ଧି କରିଛି ଆମେରିକା । ଲାଗୁଛି, ଏହା  ମୁଖ୍ୟ କାରଣ ନୁହେଁ । ସେଥିପାଇଁ ସେପ୍ଟେମ୍ବର ୮ରେ  ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ଭର୍ଚୁଆଲ ମିଟିଂରେ ପ୍ରଧାନମନ୍ତ୍ରୀ  ମୋଦି ବଦଳରେ ବିଦେଶ ମନ୍ତ୍ରୀ ଜୟଶଙ୍କର ଯୋଗ  ଦେଇଥିଲେ । ଟ୍ରମ୍ପଙ୍କ ପ୍ରଶାସନକୁ ମୋଦି ଅଧିକ କ୍ଷୁବ୍‌ଧ  କରିବାକୁ ଚାହୁଁନଥିଲେ, କାରଣ ସେଥିରେ ଟାରିଫକୁ  ବିରୋଧ କରି କଥାବାର୍ତ୍ତା ଓ ଆଲୋଚନା କରିବାର  ଉଦ୍ଦେଶ୍ୟ ଥିଲା । ଆଉ ଏକ ଉଲ୍ଲେଖନୀୟ ତଥ୍ୟ ହେଲା,  ଟ୍ରମ୍ପ ତାଙ୍କ ନିର୍ବାଚନ ଅଭିଭାଷଣରେ ନିର୍ବାଚିତ ହେଲେ  ବାଣିଜ୍ୟରେ ଟାରିଫ୍‌ ବୃଦ୍ଧି କରିବାକୁ ଆୟୁଧ ଭାବେ  ଗ୍ରହଣ କରିଥିଲେ ଓ ସେ ଗତ ନଭେମ୍ବରରେ ନିର୍ବାଚିତ  ହେବାପରେ ୱାର୍ଲଡ ବ୍ୟାଙ୍କ, ଇଣ୍ଟର ନାସନାଲ ମନିଟାରି  ଫଣ୍ଡ ବା ଆଇଏମଏଫ ଆମ ଦେଶପାଇଁ ଗ୍ରୋଥ ରେଟ୍‌କୁ  କାଟି ହ୍ରାସ କରିଦେଲେ³ ଅର୍ଥାତ୍‌ ଜିଡିପି ୬ ତଳକୁ  ଖସିଯିବ । ବିଶିଷ୍ଟ ଅର୍ଥନୀତିଜ୍ଞ ଅରବିନ୍ଦ ସୁବ୍ରମଣ୍ୟମ,  ଶଙ୍କର ଆଚାର୍ଯ୍ୟ, ରଘୁରାମ ରାଜନ ଆଦି ହତାଶାବାଦୀ  ଭଳି ଆମ ଦେଶର ଆର୍ଥିକ ଅଭିବୃଦ୍ଧିକୁ ସେଇ ସ୍ତରରେ  ରହିବ ବୋଲି ଆକଳନ କରିଥିଲେ । ମାତ୍ର ସେମାନଙ୍କୁ  ଆଶ୍ଚର୍ଯ୍ୟଚକିତ କରିଦେଇ ଆମ ଦେଶର ଅଭିବୃଦ୍ଧି  ଜାନୁଆରୀରୁ ମାର୍ଚ୍ଚ, ତ୍ରୈମାସିକ ଭାବେ ୭.୪କୁ ବୃଦ୍ଧି  ଓ ଏପ୍ରିଲରୁ ଜୁନ ମଧ୍ୟରେ ୭.୮କୁ ବୃଦ୍ଧି ଘଟିଛି । ୭  ପର୍ଯ୍ୟନ୍ତ ବୃଦ୍ଧି ଘଟିଲେ ତାକୁ ମିରାକ୍ଲ ଇକନମି କହନ୍ତି ।  ଅର୍ଥାତ୍‌ ଭାରତ ଏହି ମିରାକ୍ଲ ଇକନମି ସୀମା ଭିତରକୁ  ଚାଲିଯାଇଛି ସେଇ ହତାଶାବାଦୀ ଅର୍ଥନୀତିଜ୍ଞଙ୍କ ମୁହଁ  ବନ୍ଦ କରିଦେଇ ।

ପ୍ରଧାନମନ୍ତ୍ରୀ ସାଙ୍ଘାଇ କୋଅପରେସନ  ଅର୍ଗାନାଇଜେସନ ବା ଏସ୍‌ସିଓ ସମ୍ମିଳନୀରେ  ଯୋଗଦେବା ପାଇଁ ଚୀନର ତିଆନଜିନରେ ପହଞ୍ଚିଥିଲେ ।  ମୋଦିଙ୍କୁ ସାଙ୍ଗରେ ନେଇ ଗୋଟିଏ କାର୍‌ରେ ଯିବାପାଇଁ  ରୁଷ ରାଷ୍ଟ୍ରପତି ୧୦ ମିନିଟ ଅପେକ୍ଷା କରିଥିଲେ ଓ  କାର୍‌ ଭିତରେ ଦୀର୍ଘ ୪୫ ମିନିଟ୍‌ ଧରି ଦୁଇ ରାଷ୍ଟ୍ରମୁଖ୍ୟ  କଥାବାର୍ତ୍ତା ହୋଇଥିଲେ । ଏସସିଓ ବିଜିନେସ୍‌ରେ  ଯୋଗଦେବା କେବଳ ମାତ୍ର ଲକ୍ଷ୍ୟ ନଥିଲା ପ୍ରଧାନମନ୍ତ୍ରୀ  ମୋଦିଙ୍କର । ଚୀନ ସହିତ ସଂପର୍କର ସ୍ଥିରତା ଆଣିବା  ବି ଲକ୍ଷ୍ୟ ଥିଲା । ୨୦୨୦ ମସିହାରେ ଗଲୱାନ ମାରପିଟ୍‌  ପରେ ଚୀନ ଓ ଭାରତର ସଂପର୍କରେ ତିକ୍ତତା ବୃଦ୍ଧି  ପାଇଥିଲା ଓ ଉଭୟ ଦେଶ ସୀମାକୁ ହଜାର ହଜାର  ସୈନ୍ୟ ପ୍ରେରଣ କରିଚାଲିଥିଲେ । ଆଉ ଏକ କାରଣ  ହେଲା, ଆମେରିକାକୁ ଜଣାଇଦବା ପାଇଁ ଯେ ଭାରତର  ବିଦେଶ ନୀତି, ବାଣିଜ୍ୟ ନୀତି ଏକତରଫା ଭାବେ  ୱାଶିଂଟନରେ ନିର୍ଦ୍ଧାରିତ ହେବା ଭାରତ ଚାହେଁନା । ସି  ଜିନପିଙ୍ଗ, ପୁଟିନ ଓ ମୋଦିଙ୍କ ମଧ୍ୟରେ ହସ ଆନନ୍ଦରେ  କଥାବାର୍ତ୍ତାକୁ ଆମେରିକା ମିଡିଆ ଚାନେଲଗୁଡ଼ିକ  ବାରମ୍ବାର ଦେଖାଇ ଚାଲିଥିଲେ ଟ୍ରମ୍ପଙ୍କୁ ଜଣାଇଦବାକୁ  ଯେ ଭାରତ ବିରୁଦ୍ଧରେ ଏତାଦୃଶ ୫୦ ପ୍ରତିଶତ ଟାରିଫ୍‌  ବୃଦ୍ଧି କାଉଣ୍ଟର ପ୍ରୋଡକ୍ଟିଭ ବା ଆମେରିକାର ଆକାଂକ୍ଷିତ  ଉଦ୍ଦେଶ୍ୟର ବିପରୀତ ପଦକ୍ଷେପ । ଆଉ ଏକ ସଂକେତ  ଆମ ଦେଶର ଲୋକଙ୍କ ପାଇଁ ଯେ, ଆମେରିକାର ଚାପ  ଆଗରେ ଭାରତ ମୁଣ୍ଡ ନୁଆଁଇବ ନାହିଁ ବା ଆମ ଦେଶର  ଷ୍ଟ୍ରାଟେଜିକ ଅଟୋନମି ବା ରଣନୈତିକ ସ୍ୱାୟତ୍ତତାକୁ ଆମେ  କାହାଦ୍ୱାରା ପ୍ରଭାବିତ ହେବାକୁ ଦେବୁନି । ଏହା ଅର୍ଥ ଏହା  ନୁହେଁ ଯେ, ଚୀନ ଆମ ଦେଶପାଇଁ ଆମେରିକାର ବିକଳ୍ପ ।  ଚୀନ ଆମର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଓ ଶତ୍ରୁତା ଆଚରଣ  କରିଆସିଛି ଆମ ଦେଶ ସହିତ ଓ ସୀମା ବିବାଦର ସ୍ଥାୟୀ  ସମାଧାନ ଚାହେଁନି । ଆଉ ଅରୁଣାଚଳ ପ୍ରଦେଶକୁ ସାଉଥ  ତିକ୍ରତ କହି ଅକ୍ତିଆର କରିବାକୁ ଚାହୁଁଛି । ପୁଣି ବ୍ରହ୍ମପୁତ୍ର  ଉପରେ ବନ୍ଧ ନିର୍ମାଣ କରିଚାଲିଛି । ଆତଙ୍କବାଦୀଙ୍କୁ  ଭିଟୋ ପ୍ରୟୋଗ କରି ପାକିସ୍ତାନରେ ସୁରକ୍ଷା ଯୋଗାଇଛି ।  ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ରପ୍ତାନି କରିଚାଲିଛି ଆମ ଦେଶ  ବିରୁଦ୍ଧରେ ଲଢ଼ିବା ପାଇଁ । ଯଦିଓ ଚୀନରେ ଥିବା ଉଇଘର  ମୁସଲିମମାନଙ୍କ ମୁଣ୍ଡରୁ ମହମ୍ମଦଙ୍କୁ ହଟାଇ କମ୍ୟୁନିଜିମ  ଭର୍ତ୍ତି କରିବା ପାଇଁ ବିଶାଳ ଯୋଜନା ଚୀନ ପରିଚାଳନା  କରୁଛି, ଯାହାକୁ ପାକିସ୍ତାନ ଆଖି ବୁଜିଦେଇଛି ।

ଏତିକି ହୋଇଛି ମୋଦିଙ୍କ ଭିଜିଟ୍‌ ପରେ ଯେ,  ଟ୍ରମ୍ପ ତାଙ୍କ ସ୍ୱରକୁ ନରମ କରିଛନ୍ତି । କହିଛନ୍ତି- ମୁଁ  ସବୁବେଳେ ମୋଦିଙ୍କର ବନ୍ଧୁ ହୋଇଆସିଛି । ଆମେରିକା  ଓ ଭାରତ ମଧ୍ୟରେ ଏକ ସ୍ୱତନ୍ତ୍ର ସଂପର୍କ ରହିଛି । ତେଣୁ  ଏତେ ବ୍ୟସ୍ତ ହେବାର କିଛି ନାହିଁ । ପ୍ରଧାନମନ୍ତ୍ରୀ ମୋଦି  ତାଙ୍କ ଉତ୍ତରରେ କହିଛନ୍ତି- ଆମେରିକା ସହିତ ଆମ  ପାର୍ଟନରସିପ୍‌ ଭେରି ପଜିଟିଭ ଆଣ୍ଡ ଫରୱାର୍ଡ ଲୁକିଂ ।  କିନ୍ତୁ ଏହି ଗ୍ଲୋବାଲ ଲିଡରମାନଙ୍କର ସମ୍ମିଳନୀରେ ଚୀନ  ସମଗ୍ର ବିଶ୍ୱପାଇଁ ଗ୍ଲୋବାଲ ଗଭର୍ଣ୍ଣାନ୍ସ ଇନିସିଏଟିଭ ବା  ଜିଜିଆଇ’କୁ ଉନ୍ମୋଚନ କରିଛି । ଅର୍ଥାତ୍‌ ଚୀନର ପ୍ଲାନ  ହେଲା କିଭଳି ନୂଆ ରୂପରେ ଲେଖାଯିବ ଗ୍ଲୋବାଲ  ରୁଲ୍‌ ବୁକ୍‌ । ଟ୍ରମ୍ପଙ୍କୁ ଏହା ରାସ୍ତାର କଣ୍ଟା ଭଳି ବାଧିଛି ।  ଆମ ଦେଶପାଇଁ ସ୍ୱର ନରମ କରିବା କେବଳ କଥାରେ  ନୁହେଁ, କାର୍ଯ୍ୟରେ ରୂପାନ୍ତରିତ ହେବା ଆବଶ୍ୟକ ।  ଏଯାଏଁ ସେ ତାହା କରିନାହାଁନ୍ତି । ତେବେ ଆମେରିକାରେ  ଟ୍ରମ୍ପିୟାନ ଅନପ୍ରେଡିକ୍ଟିବିଲିଟି ବା ଟ୍ରମ୍ପଙ୍କ ମନୋଭାବକୁ  ଷ୍ଟଡି କରିବା ତାଙ୍କ ନିକଟ ମହଲରେ ବି କଠିନ  ହୋଇପଡ଼ିଛି । ଏପରିସ୍ଥଳେ ଚୀନର ଜିଜିଆଇ ଆଡକୁ  ଅତ୍ୟଧିକ ଢଳି ପଡ଼ିବା ଆମ ଦେଶପାଇଁ ଆଦୌ ଠିକ୍‌  ହେବନାହିଁ । କାରଣ ଆମେରିକାଠୁଁ ଟାରିଫ ରିଲିଫ  ପାଇବା କଷ୍ଟକର ହୋଇପଡ଼ିବ ।

ସେହିପରି ୱାଶିଂଟନ  ଆଡ଼କୁ ଅତ୍ୟଧିକ ପ୍ରଲୁବ୍ଧ ହୋଇ ଆକର୍ଷିତ ହେବା ବି  ଆମ ଦେଶକୁ ବିଶ୍ୱମଞ୍ଚରେ ନିଜ ପତିଆରା ହରାଇବା  ଭଳି ହୋଇପଡ଼ିବ । ଏହି ଦୁଇଟି ମଧ୍ୟରେ ସନ୍ତୁଳନ  ରକ୍ଷାକରି କିପରି ଭାରତ ଆଗକୁ ବଢ଼ିବ ତାହାକୁ  ଲକ୍ଷ୍ୟ ରଖିଛି ସମଗ୍ର ବିଶ୍ୱ । ଅବଶ୍ୟ ମୋଦିଙ୍କ ଭିଜିଟ୍‌  ପରେ ଜିନପିଙ୍ଗ ସୀମାରେ ସ୍ଥିରତା ପାଇଁ ଆଗ୍ରହ ପ୍ରକାଶ  କରିଛନ୍ତି । ପାକିସ୍ତାନରେ ଚାଲିଥିବା ବେଲ୍‌ଟ ଅଣ୍ଡ ରୋଡ୍‌  ଇନିସିଏଟିଭ ବା ବିଆରଆଇ ପ୍ରୋଜେକ୍ଟର ମୁଖ୍ୟ ସ୍ୱରୂପ  ୬୦ ବିଲିଅନ ଡଲାର ମୂଲ୍ୟର ହେବାକୁ ଥିବା ଚାଇନା- ପାକିସ୍ତାନ ଇକନମିକ କରିଡରର ମେନ୍‌ ଲାଇନ-୧ରୁ  ଚୀନ ଓହରି ଯାଇଛି ଓ ଏହାକୁ ଏବେ ଅର୍ଥ ଯୋଗାଇବ  ଏଡିବି ବା ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ । ଚୀନ  ଓହରି ଯିବାର କାରଣ ପାକିସ୍ତାନ ଉପରେ ୧.୩ ବିଲିଅନ  ଡଲାର ଋଣ ସେ ଶୁଝିପାରୁନି, ପୁଣି କାହିଁକି ଋଣ?  ତା’ପରେ ସେଠାରେ କାର୍ଯ୍ୟରତ ଚୀନର ଇଞ୍ଜିନିୟରଙ୍କ  ମଧ୍ୟରୁ ୨୧ଜଣ ହତ୍ୟାର ଶିକାର ହୋଇସାରିଲେଣି ।  ପୁଣି ଏହି ବିଆରଆଇ ପାକିସ୍ତାନ ଅଧିକୃତ କାଶ୍ମୀର ବା  ପିଓକେ ମଧ୍ୟ ଦେଇ ଚୀନ ନେଉଛି³ ଯାହାକୁ ଆମ ଦେଶ  କହିଛି ଏହା ଆମରି ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ ।

ପୁଣି ବାଣିଜ୍ୟକୁ ବିଚାର କଲେ ଚୀନ ଆମ ପାଇଁ  ଗୁରୁତ୍ୱପୂର୍ଣ୍ଣ । କାରଣ ଶିଳ୍ପର ଅନେକ ମହତ୍ତ୍ୱପୂର୍ଣ୍ଣ  ପାର୍ଟସ ଓ ଟେକନୋଲୋଜି ଚୀନଠାରୁ କ୍ରୟ କରେ  ଆମ ଦେଶ । ରୁଷିଆ ଗୁରୁତ୍ୱପୂର୍ଣ୍ଣ, କାରଣ ତୈଳ  ଶସ୍ତାରେ ଯୋଗାଉଥିଲା ଓ ତତ୍‌ସହିତ ଅନେକ ସାମରିକ  ସରଞ୍ଜାମ ଓ ଡିଫେନ୍ସ ଟେକନୋଲୋଜି । କିନ୍ତୁ ସବୁକୁ  ବିଚାର କଲେ ଶିକ୍ଷା, ଗବେଷଣା, ଟୁରିଜିମ, ସେଠାରେ  ବସବାସ କରୁଥିବା ଭାରତୀୟ ଆଦି ପାଇଁ ୟୁରୋପ ଓ  ଆମେରିକା ଗୁରୁତ୍ୱପୂର୍ଣ୍ଣ । ଆମ ଦେଶର ପାଖାପାଖି  ୪୫% ପଣ୍ୟ କାରବାର ହୁଏ ୟୁରୋପୀୟ ଦେଶସମୂହ  ଆମେରିକା, ଅଷ୍ଟ୍ରେଲିଆ, ଜାପାନ, ବ୍ରିଟେନ, ସାଉଥ  କୋରିଆ, ନିଉଜିଲାଣ୍ଡ ଆଦି ଦେଶ ସହିତ, ଚୀନ ଓ  ରୁଷିଆ ସହିତ ମାତ୍ର ୪.୫% । ଏସବୁକୁ ବିଚାରକୁ ନେଇ  ଆମ ଦେଶକୁ ସତର୍କତାର ସହିତ ଅନ୍ୟ ଦେଶ ସହିତ  ବିଶେଷ ଭାବରେ ଚୀନ, ରୁଷିଆ ଗୋଟିଏ ପକ୍ଷରେ ତ  ଅନ୍ୟ ପକ୍ଷରେ ଆମେରିକା ସହିତ କାରବାର କରିବାକୁ  ପଡ଼ିବ । ସାଙ୍ଘାଇ ସମ୍ମିଳନୀ ପରେ ଏହି ସମୟଟି ଆମ  ପାଖରେ ଚାଲେଞ୍ଜିଂ । ସାମାନ୍ୟ ଅନୁଚିତ ପଦକ୍ଷେପ  ଅସୁବିଧାରେ ପକାଇ ଦେଇପାରେ ଆମ ଦେଶକୁ ।