ନୂଆଦିଲ୍ଲୀ,୦୭/୧୧: ସୁପ୍ରିମକୋର୍ଟ  ପିଏମଏଲଏ ସହ ଜଡିତ ଏକ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି, ସରକାରୀ ଅଧିକାରୀ ଓ  ବିଚାରପତିଙ୍କ ବିରୋଧରେ ପିଏମଏଲଏ ମାମଲା ପୂର୍ବରୁ ସରକାରଙ୍କଠାରୁ ଅନୁମତି  ନେବାକୁ ପଡ଼ିବ । 

ସିଆରପିସିର ଧାରା୧୯୭(୧) ଅଧୀନରେ ସରକାରୀ କର୍ମଚାରୀ, ବିଚାରପତିଙ୍କ ବିରୋଧରେ ମାମଲା ଚଳାଇବା  ଲାଗି ସରକାରଙ୍କ ସହ ସମ୍ବନ୍ଧିତ ଅଥରିଟିଙ୍କ  ମଞ୍ଜୁରି ନେବାକୁ ପଡିଥାଏ । ସିଆରପିସିର ଏହି ପ୍ରାବଧାନ ପିଏମଏଲଏ ମାମଲାରେ ବି ଲାଗୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଘଟଣାଟି ଏହିପରି । ତେଲଙ୍ଗାନା ହାଇକୋର୍ଟ ଜଣେ ଆଇଏଏସ୍‌ ଅଧିକାରୀଙ୍କ ବିରୋଧରେ  ସରକାରୀ ସ୍ୱୀକୃତି ବିନା ପିଏମଏଲଏ ମାମଲାକୁ  ଖାରଜ କରିଦେଇଥିଲେ । ହାଇକୋର୍ଟଙ୍କ ସେହି ରାୟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲା ।  ସୁପ୍ରିମକୋର୍ଟର ଜଷ୍ଟିସ ଏଏସ୍‌ ଓକାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଇଡିର  ଆବେଦନକୁ ଖାରଜ କରିଦେଇଛନ୍ତି ।

ଏହି  ମାମଲାରେ ଇଡି ସଂପୃକ୍ତ ସରକାରୀ ଅଧିକାରୀଙ୍କ  ବିରୋଧରେ ଅଭିଯୋଗ କରିଥିଲା ଯେ, ସେ ଜମି ଆବଣ୍ଟନରେ ନିଜର ଅଧିକାରିକ ପଦର  ଦୁରୁପଯୋଗ କରି ସମ୍ପତ୍ତିର ଅବମୂଲ୍ୟାୟନ  କରିଥିଲେ । ଏଥିସହ ନିଜର ଅଧିକାର  କ୍ଷେତ୍ର ବାହାରକୁ ଯାଇ କିଛି ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲେ । ଫଳରେ ଆନ୍ଧ୍ରର ପୂର୍ବତନ  ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ରେଡ୍ଡୀଙ୍କ ସହ  ଜଡ଼ିତ କଂପାନିକୁ ଲାଭ ପହଞ୍ଚିଥିଲା । ଏଥିଲାଗି ସେ ଷଡ଼ଯନ୍ତ୍ର ରଚନା କରିଥିଲେ ଯାହାଦ୍ୱାରା  ସରକାରଙ୍କୁ ଆର୍ଥିକ କ୍ଷତି ପହଞ୍ଚିଥିଲା । ତେବେ ସଂପୃକ୍ତ ଅଧିକାରୀ ଏହାକୁ ଖଣ୍ଡନ କରିଥିଲେ। ମାମଲା ରୁଜୁ ପୂର୍ବରୁ ସରକାରୀ ଅନୁମତି ଜରୁରି  ଥିଲା ବୋଲି ସେ ଦର୍ଶାଇଥିଲେ ।