କେନ୍ଦୁଝର, ୧୨୮: କେନ୍ଦୁଝର ଜେଲରେ ଜଣେ ଆଜୀବନ ସଜା ଭୋଗୁଥିବା କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ହେଲେ ରୟା ମୁଣ୍ଡା(୬୭) । ତାଙ୍କ ଘର ବାମେବାରୀ ଥାନା ଅନ୍ତର୍ଗତ ମଲଦା ମୁଣ୍ଡାସାହିରେ ।
ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା ଅଭିଯୋଗରେ ରୟା ମୁଣ୍ଡା ୧୮/୦୧/୨୦୧୬ ରେ ଗିରଫ ହୋଇ ବଡବିଲ ଉପକାରାଗାରରେ ଥିଲେ । ପରେ ୨୦/୧୨/୨୦୧୮ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ଚମ୍ପୁଆ ଉପକାରାଗାରରେ ଥିଲେ । ସେଠାରୁ କେନ୍ଦୁଝର ମୁଖ୍ୟ କାରାଗାରକୁ ୦୭/୦୩/୨୦୨୦ରେ ସ୍ଥାନାନ୍ତରଣ ହୋଇ ରହି ଆସୁଥିଲେ । ମଙ୍ଗଳବାର ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେ ଜଣେ ରୋଗୀ ଏବଂ ବୟସ ଅଧିକ ଥିବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଇ ନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେ।ଇଛି ।
ଏ ନେଇ କେନ୍ଦୁଝର ଜେଲ ଅଧିକ୍ଷକ ଉପେନ୍ଦ୍ର କୁମାର ଜେନାଙ୍କୁ ପଚାରିବାରୁ ସେ କହିଥିଲେ ଯେ ରୟା ମୁଣ୍ଡା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମଙ୍ଗଳବାର ପୂର୍ବାହ୍ନରେ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।