ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଜାତୀୟ ସଂଗୀତକୁ ଅପମାନ । ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ସମାରୋହରେ ଖୋଦ୍ ନିଜ ଦଳ (ଏନସି)ର ବିଧାୟକ ଅପମାନଜନକ ଆଚରଣ ଦେଖାଇଛନ୍ତି । ଜାତୀୟ ସଂଗୀତ ଗାନ ସମୟରେ ସମ୍ମାନ ଜଣାଇ ଛିଡା ହୋଇ ନ ଥିବାରୁ ଜମ୍ମୁକାଶ୍ମୀର ପ୍ରଶାସନ ଆଜି (ଗୁରୁବାର) ଜଣେ ଏନସି ବିଧାୟକଙ୍କ ବିରୋଧରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରୀ ସୂଚନା ମୁତାବକ ଓମାର ଅବଦୁଲ୍ଲା ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମାରୋହରେ ଜାତୀୟ ସଂଗୀତ ବାଜିବା ବେଳେ ଠିଆ ହୋଇ ନ ଥିବାରୁ ବାନ୍ଦିପୋରା ଜିଲ୍ଲାର ସୋନାୱାରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏନସି ବିଧାୟକ ହିଲାଲ ଆକବର ଲୋନଙ୍କ ବିରୋଧରେ ଜମ୍ମୁକାଶ୍ମୀର ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ସୂତ୍ରରୁ ପ୍ରକାଶ ଯେ ବୁଧବାର ଦିନ ଶେର-ଇ-କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟର (SKICC) ରେ ଶପଥ ଗ୍ରହଣ ସମାରୋହରେ ଜାତୀୟ ସଂଗୀତ ବାଜିବା ବେଳେ ଉପସ୍ଥିତ ବ୍ୟକ୍ତି ଥିବା ଠିଆ ହୋଇଥିବା ବେଳେ ବିଧାୟକ ଜଣକ ବସି ରହିଥିଲେ । ତେବେ ରିପୋର୍ଟର ସତ୍ୟତା ଜାଣିବା ପାଇଁ ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସ୍କାନ କରାଯାଇଥିଲା । ପଚରାଉଚରା ବେଳେ ଲୋନ କହିଛନ୍ତି ଯେ ସ୍ବାସ୍ଥ୍ୟ ଅବସ୍ଥା ହେତୁ ସେ ଉଠି ନାହାଁନ୍ତି। ଏହା ପରେ ସେ ଠିଆ ହୋଇ ଗଣମାଧ୍ୟମକୁ ସେ ବିବୃତ୍ତି ରଖିଛନ୍ତି ।