ଭୋଗରାଇ,୨୦/୭ : ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ଼ ବିଏଡ଼ ଛାତ୍ରୀ ତଥା ଭୋଗରାଇ ମାଟିର ଝିଅ ସୌମ୍ଯାଶ୍ରୀଙ୍କ ମୃତ୍ୟୁକୁ ନେଇ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ‌ ପୁଣି ଭୋଗରାଇ ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ (ଆରଆଇଏଚ୍ଏସ୍) ରେ ପାଠ ପଢୁଥିବା କମର୍ଦ୍ଦା ଅଞ୍ଚଳର ଜନୈକା ଛାତ୍ରୀ ଅଧ୍ୟାପକଙ୍କ ନିର୍ଯାତନା ସହିନପାରି ଶେଷରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ଏବେ ଦୀର୍ଘ ୪ବର୍ଷ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଝିଅଟିକୁ କୌଣସି ନ୍ୟାୟ ମିଳିନାହିଁ । କେବଳ ମାମଲା ରୁଜ୍ଜୁ କରି ପୁଲିସ୍ ହାତ ବାନ୍ଧି ବସିଥିବାବେଳେ ଏବେ ସୌମ୍ୟାଶ୍ରୀଙ୍କ ଘଟଣାରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ଦେଖି ସାମାଜିକ ଗଣମାଧ୍ୟମରେ ନିଜ ସାନ ଭଉଣୀଙ୍କ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି ମୃତ ଛାତ୍ରୀଙ୍କ ବଡ଼ ଭଉଣୀ ।

ପ୍ରକାଶ ଯେ, ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଜନୈକା ଯୁବତୀ ଗତ ୨୦୨୧ ମସିହାରେ ଭୋଗରାଇ ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ (ଆରଆଇଏଚ୍ଏସ୍) ରେ ଯୁକ୍ତ ତିନି ବାଣିଜ୍ୟ ବିଭାଗର ତୃତୀୟ ବର୍ଷର ଛାତ୍ରୀ ଥିଲେ । ସେ ପୁଟିଣାସ୍ଥିତ ନିଜ ମାମୁଁ ଘରେ ରହିଥିବା ବେଳେ ଜୁଲାଇ ୧ ତାରିଖରେ ମହାବିଦ୍ୟାଳୟର ବିଭାଗୀୟ ଅଧ୍ୟାପକ ଯୁଗଜ୍ୟୋତି ଚାନ୍ଦ ଓ କିଛି ଛାତ୍ରଛାତ୍ରୀ ସେଠାକୁ ଯାଇ ବିଭିନ୍ନ ବାହାନା କରି ଯୁବତୀଙ୍କୁ ବାହାରକୁ ଡାକି ଆଣିବା ସହିତ କୌଣସି କଥାନଥାଇ ହଠାତ୍ ତାଙ୍କୁ ପିଟାମରା ଆରମ୍ଭ କରିଥିଲେ । ଏଥିସହିତ ତାଙ୍କ ମୋବାଇଲ ଫୋନଟିକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଯୁବତୀ ଜଣଙ୍କ ସେଠାରୁ ଅପମାନିତ ହୋଇ ନିଜ ଘରକୁ ଆସିବା ପରେ ଘଟଣା ସମ୍ପର୍କରେ କାହାକୁ କିଛି ନକହି ଚୁପଚାପ୍ ରହୁଥିଲେ । ଏପରିକି ୨ଦିନ କାଳ ଖାଇବା ପିଇବା ମଧ୍ୟ ବନ୍ଦ କରି ଦେଇଥିଲେ। ହେଲେ ୩ ତାରିଖରେ ଘରେ କେହି ନଥିବା ସମୟରେ ଯୁବତୀ ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଥିଲେ । ଏ ନେଇ ପରିବାର ଲୋକେ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କ ମୋବାଇଲ ଫୋନ୍ ଜବତ କରିବା ସହ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏବେବି ସେ ମୋବାଇଲ ଫୋନଟି କମର୍ଦ୍ଦା ଥାନାରେ ରହିଛି ବୋଲି ଯବୁତୀଙ୍କ ଭଉଣୀ କହିଛନ୍ତି ।

ତେବେ ଯୁବତୀଙ୍କର ମୃତ୍ୟୁର କିଛି ଦିନ ପରେ ଅଧ୍ୟାପକ ଶ୍ରୀ ଚାନ୍ଦଙ୍କ ନିର୍ଯାତନା ସମ୍ପର୍କରେ ପରିବାର ଲୋକେ ଜାଣିପାରି ପୁଣି ଥାନାକୁ ଯାଇ ଅଭିଯୋଗ କରିଥିଲେ ସୁଦ୍ଧା ଥାନାବାବୁ ଏତାଲା ଗ୍ରହଣ କରି ନଥିଲେ । ଯାହାଫଳରେ ସେହି ମାସ ୧୬ ତାରିଖରେ ପରିବାର ଲୋକଙ୍କ ପକ୍ଷରୁ ଡାକସେବା ମାଧ୍ୟମରେ ଉପରିସ୍ଥ ଅଧିକାରୀଙ୍କୁ ଏତାଲାଟି ପଠାଯାଇଥିଲା । ହେଲେ ଘଟଣାକୁ ଏବେ ଦୀର୍ଘ ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପିଡୀତାଙ୍କ ପରିବାର ଲୋକଙ୍କୁ କୌଣସି ବି ନ୍ୟାୟ ମିଳିପାରିଲା ନାହିଁ । ଏବେ ସୌମ୍ୟାଶ୍ରୀଙ୍କ ଘଟଣାରେ ସରକାର ଓ ପ୍ରଶାସନର ତ୍ବରିତ ପଦକ୍ଷେପ ଦେଖି ମୃତା ଯୁବତୀଙ୍କ ଭଉଣୀ ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି । ଅନ୍ୟପକ୍ଷରେ ସୋସିଆଲ ମିଡ଼ିଆରେ ଖବର ପ୍ରଚାରିତ ହେବା ପରେ ଅଧ୍ୟାପକ ଶ୍ରୀ ଚାନ୍ଦ କଲେଜ ଆସିବା ବନ୍ଦ କରିଦେବା ସହିତ କେଉଁଆଡେ ଫେରାର ହୋଇଯାଇଥିବାବେଳେ ଏ ନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।