ୱାଶିଂଟନ, ୧୯/୦୩: ୯ ମାସ ଅପେକ୍ଷାର ହେଲା ଅନ୍ତ । ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୋଡି ହେଲା ନୂଆ ଇତିହାସ । ଅନ୍ତରୀକ୍ଷରୁ ଯୁଦ୍ଧ ଜିତି ଫେରିଲେ ସାହସୀ ଝିଅ ସୁନୀତା ୱିଲିୟମ୍ସ ଓ ସାଥୀ ବୁଚ୍ ୱିଲମୋର । ନାସା ପାଇଲା ସଫଳତା । ସୁନୀତାଙ୍କ ସଫଳ କମବ୍ୟାକ ନେଇ ଉତ୍ସାହିତ ବିଶ୍ବବାସୀ । ସବୁଠି ସେଲିବ୍ରେସନ । ସୁନୀତାଙ୍କ ସଫଳ ପ୍ରତ୍ୟାବର୍ତ୍ତନ ନେଇ ଖୁସି ବ୍ୟକ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମୁଁ ଏବଂ ଏନଲ ମସ୍କ କରିଥିବା ପ୍ରତିଜ୍ଞା ପୂରଣ କରିଛୁ ବୋଲି ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଟ୍ରମ୍ପ ।
କଥା ଦେଇ କଥା ରଖିଲୁ- ୨୮୬ ଦିନ ପରେ ମହାକାଶରୁ ପେରିଛନ୍ତି ସୁନୀତା ୱିଲିୟମ୍ସ ଓ ତାଙ୍କ ଟିମ୍ । ସୁନୀତା ଓ ବୁଚ୍ ୱିଲମୋରଙ୍କ ସଫଳ କମବ୍ୟାକକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଲନ ମସ୍କ, ସ୍ପେସଏକ୍ସ ଓ ନାସାକୁ ଧନ୍ୟବାଦ ଦେଇଛନ୍ତି ଟ୍ରମ୍ପ । କଥା ଦେଇ କଥା ରଖିଲୁ । ବାଇଡେନ ତାଙ୍କୁ ଛାଡି ଦେଇଥିଲେ ହେଲେ ଆମେ ଫେରାଇ ଆଣିଲୁ । ପ୍ରତିଜ୍ଞା ଦେଇଥିଲୁ ପ୍ରତିଜ୍ଞା ପୂରଣ କରିଛୁ ବୋଲି ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
୯ ମାସ ପରେ ଫେରିଲେ ସୁନୀତା- ୨୦୨୪ ଜୁନ ୫ ତାରିଖରେ ସୁନୀତା ଓ ବୁଚ୍ ୱିଲମୋର୍ ମହାକାଶରେ ପହଞ୍ଚିଥିଲେ । ୮ ଦିନ ପାଇଁ ଯାଇ ୯ ମାସରୁ ଅଧିକ ଦିନ ଫସିଥିଲେ ସୁନିତା ୱିଲିୟମ୍ସ ଓ ବୁଚ୍ । ୯ ମାସରେ ୯୦୦ ଘଣ୍ଟାର ରିସର୍ଚ୍ଚ କରିଥିଲେ । ୧୫୦ରୁ ଅଧିକ ପରୀକ୍ଷଣ ସହ ସ୍ପେସ୍ ଷ୍ଟେସନର ମରାମତି ବି କଲେ । ମହାକାଶରେ ସବୁଠୁ ଅଧିକ ସମୟ ବିତାଇଥିବା ମହିଳା ପାଲଟିଛନ୍ତି ସୁନୀତା । ମାର୍ଚ୍ଚ ୧୮ ୨୦୨୫ରେ ଭାରତୀୟ ସମୟ ପୂର୍ବାହ୍ନ ୧୦.୩୫ରେ ଅନଡକିଂ ହୋଇଥିଲା । ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନର ହ୍ୟାଚ୍ ବନ୍ଦ କରି ଅନଡକ୍ କରି ପୃଥିବୀମୁହାଁ ହୋଇଥିଲେ । ଏହାପରେ ଏକ ସ୍ବତନ୍ତ୍ର ପ୍ରକ୍ରିୟା ହୋଇଥିଲା ।
Splashdown of Dragon confirmed – welcome back to Earth, Nick, Suni, Butch, and Aleks! pic.twitter.com/M4RZ6UYsQ2
— SpaceX (@SpaceX) March 18, 2025
ଭାରତୀୟ ସମୟ ମଙ୍ଗଳବାର ଭୋର ୩ ଟା ୨୭ ମିନିଟରେ ଫ୍ଲୋରିଡା ତଟରେ ଅବତରଣ କରିଥିଲା କ୍ରୁ-୯ ମିଶନର ଡ୍ରାଗନ୍ । ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଫସିଥିବା ସୁନୀତା ଶେଷରେ ସୁରକ୍ଷିତ ଭାବେ ପୃଥିବୀ ଫେରିଛନ୍ତି । ଅବତରଣର କିଛି ମିନିଟ୍ ପୂର୍ବରୁ ଡ୍ରାଗନ କ୍ୟାପସୁଲରେ ଲାଗିଥିବା ପାରାଚ୍ୟୁଟ ଖୋଲିଥିଲା । ଏହା ଗତିକୁ ନିୟନ୍ତ୍ରଣକୁ ଆଣିଥିଲା । ସଫଳତାର ସହ ପୃଥିବୀପୃଷ୍ଠକୁ ଫେରିଛନ୍ତି ସୁନୀତା ୱିଲିୟମ୍ସଙ୍କ ସମେତ ୪ ମହାକାଶଚାରୀ ।
ସ୍ବାଗତ କଲେ ଡଲଫିନ୍ ! ଫ୍ଲୋରିଡା ସମୁଦ୍ର ତଟରେ ମହାକାଶଯାନ ଲ୍ୟାଣ୍ଡିଂ କରିବା ପରେ କିଛି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ତାଙ୍କୁ ୱେଲକମ୍ କରିଥିଲା ଡଲଫିନ୍ । ସତେ ଯେମିତି ମହାକାଶଚାରୀଙ୍କୁ ସ୍ବାଗତ କରିବାକୁ ଆସିଥିଲେ ଡଲଫିନ୍ । ଭାସମାନ କ୍ୟାପସୁଲକୁ ଡଲଫିନ୍ ଘେରି ରହିଥିବା ଦେଖିବାକୁ ମିଳିଥିଲା । ନାସା ପକ୍ଷରୁ ଜାରି ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ।