ଭୁବନେଶ୍ଵର, ୧୯/୦୩ : ଦୀର୍ଘ ୯ମାସ ମହାକାଶରେ ରହିବା ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ସୁନୀତା ଓ ୱିଲ୍‌ମୋର। ଦୀର୍ଘ ଦିନ ଧରି ଜିରୋ ଗ୍ରାଭିଟିରେ ରହିବା ପରେ ସୁନୀତା ଓ ୱିଲ୍‌ମୋରଙ୍କ ପାଇଁ ଏବେ ପୃଥିବୀପୃଷ୍ଠରେ ମାଧ୍ୟାକର୍ଷଣରେ ପୁନଃ ସ୍ୱାଭାବିକ ଜୀବନ ନିର୍ବାହ କରିବା କଷ୍ଟକର ହେବ। ଜିରୋ ଗ୍ରାଭିଟିରେ ପ୍ରାୟ ୯ ମାସ ବିତାଇଥିବାରୁ ପୁନଃ ସ୍ୱାଭାବିକ ଚଳଣିକୁ ଫେରିବାକୁ ସମୟ ଲାଗିବ । 

ମହାକାଶରେ ମହାକାଶଚାରୀଙ୍କ ଡିଏନ୍‌ଏରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଥାଏ । ସେମାନଙ୍କ ଉଚ୍ଚତା ବଢ଼ିପାରେ । ସେମାନେ ଚାଲିବାର ସାମର୍ଥ୍ୟ ହରାଇଥାନ୍ତି। ମଣିଷ ଶରୀର ୭୦ ପ୍ରତିଶତ ତରଳ ପଦାର୍ଥରେ ଗଠିତ। ପୃଥିବୀରେ ଶରୀରରେ ତରଳ ପଦାର୍ଥ ନିମ୍ନକୁ ସ୍ଥାନାନ୍ତର ହୁଏ । କିନ୍ତୁ ମହାକାଶରେ ଏହା ପୂରା ଶରୀରରେ ସମାନ ରୂପେ ପ୍ରବାହିତ ହୁଏ ଏବଂ ସେହିସବୁ ସ୍ଥାନକୁ ସ୍ଥାନାନ୍ତର ହୁଏ, ଯେଉଁଠି ସାଧାରଣତଃ ଜମା ହେବା କଥା ନୁହେଁ । ସେଥିପାଇଁ ମହାକାଶରେ ମହାକାଶଚାରୀଙ୍କ ଗୋଡ଼ କୁକୁଡ଼ା ଭଳି ହୋଇଯାଏ । ମୁଣ୍ଡ ଫୁଲିଯାଏ । ପୃଥିବୀକୁ ଫେରିବା ପରେ ସେମାନେ ଧୀରେ ଧୀରେ ସାଧାରଣ ସ୍ଥିତିକୁ ଫେରନ୍ତି । 

ମହାକାଶରେ ପୃଥିବୀର ମାଧ୍ୟାକର୍ଷଣ ନ ଥିବାରୁ ମହାକାଶଚାରୀଙ୍କ ହାଡ଼ର ଓଜନ କମିଯାଏ । ମାଂସପେଶୀ କ୍ଷୀଣ ହେବାକୁ ଲାଗେ । ମହାକାଶରେ ଗତିଶୀଳତାରେ ନିୟନ୍ତ୍ରଣ ଓ ସନ୍ତୁଳନ ସେମାନେ ହରାଇ ଦିଅନ୍ତି । ଏକ ସଦ୍ୟ ଅଧ୍ୟୟନ ଦର୍ଶାଇଛି, ମାଧ୍ୟାକର୍ଷଣର ଅଭାବ ସେମାନଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ପ୍ରଭାବିତ କରେ, ହୃଦ୍‌ରୋଗ ଆଶଙ୍କା ଓ ଦୃଷ୍ଟିଶକ୍ତି ସମସ୍ୟା ସହିତ ଡିଏନ୍‌ଏରେ ମଧ୍ୟ ପରିବର୍ତ୍ତନ କରେ । ଅଧିକାଂଶ ପ୍ରଭାବ କ୍ଷଣସ୍ଥାୟୀ ହୋଇଥାଏ । କେବଳ କିଛି ସ୍ୱାସ୍ଥ୍ୟ ସମସ୍ୟା ଦୀର୍ଘ ଦିନ ରହେ । ମାଂସପେଶୀ ଓ ହାଡ଼କୁ ପୂର୍ବ ସ୍ଥିତିକୁ ଫେରାଇବା ପାଇଁ ମହାକାଶଚାରୀ ପୃଥିବୀରେ ଅନେକ ବ୍ୟାୟାମ କରନ୍ତି । ମହାକାଶରେ ଗୋଟିଏ ମାସ ରହିଲେ, ସେମାନେ ନିଜ ହାଡ଼ ଓଜନର ପ୍ରାୟ ୧.୫ ପ୍ରତିଶତ ହରାଇପାରନ୍ତି । ଏହା ଗମ୍ଭୀର ଫ୍ରାକ୍‌ଚର ଓ ପ୍ରିମାଚ୍ୟୋର ଅଷ୍ଟିଓପୋରୋସିସ୍‌ର କାରଣ ହୋଇପାରେ ।

ଏହି ଖବରଟିକୁ ପଢନ୍ତୁ-ଦୀର୍ଘ ୯ ମାସ ଅପେକ୍ଷାର ଅନ୍ତ... ମହାକାଶରୁ ଫେରିଲେ ସୁନୀତା, ଫ୍ଲୋରିଡା ତଟରେ ଅବତରଣ କଲା ଡ୍ରାଗନ୍‌