ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଶାସନ ବିରୋଧରେ ଏବେ ଜୋରଦାର ପ୍ରତିବାଦ ଜାରି ରହିଛି । ଆଉ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ନୂତନ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବକ ଲଣ୍ଡନରେ ଥିବା ଇରାନ ଦୂତାବାସର ବାଲକୋନିରେ ଚଢ଼ି ଦେଶର ସରକାରୀ ପତାକାକୁ ହଟାଇ ଦେଇଛି ଏବଂ ୧୯୭୯ ଇସଲାମିକ ବିପ୍ଳବ ପୂର୍ବର ସିଂହ ଏବଂ ସୂର୍ଯ୍ୟ ପ୍ରତୀକ ବହନ କରିଥିବା ପତାକା ଲଗାଇ ଦେଇଛନ୍ତି। ଦୂତାବାସ ବାହାରେ ଏକାଠି ହୋଇଥିବା ପ୍ରତିବାଦକାରୀ ମାନେ ଯୁବକଙ୍କୁ ଜୋରଦାର କରତାଳି ଦେଇ ଉତ୍ସାହିତ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ଶୁକ୍ରବାର (୯ ଜାନୁଆରୀ, ୨୦୨୬) ଲଣ୍ଡନର କେନସିଂଟନରେ ଥିବା ଦୂତାବାସ ଭବନର ବାଲକୋନିରେ ଯୁବ ପ୍ରତିବାଦକାରୀ ଆଗ ଝରକା ଏବଂ ସ୍ତମ୍ଭ ଦେଇ ଚଢ଼ିଛନ୍ତି। ତା’ପରେ ସେ ଦୂତାବାସର ଛାତ ଉପରେ ଉଡ଼ୁଥିବା ଇସଲାମିକ ଗଣରାଜ୍ୟର ପତାକାକୁ ତଳକୁ ଟାଣି ଦେଉଛନ୍ତି ଏବଂ ଇରାନର ରାଜତନ୍ତ୍ର ସହିତ ଜଡିତ ଐତିହାସିକ ପ୍ରତୀକ ବହନ କରିଥିବା ପତାକା ଲଗାଇ ଦେଉଛନ୍ତି।
ଘଟଣାକୁ ନେଇ ଲଣ୍ଡନ ମେଟ୍ରୋପଲିଟାନ୍ ପୋଲିସ କହିଛି ଯେ, ଅଧିକାରୀ ମାନଙ୍କୁ ଘଟଣାସ୍ଥଳକୁ ଡକାଯାଇଥିଲା ଏବଂ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅନୁପ୍ରବେଶ ଏବଂ ଜଣେ ଜରୁରୀକାଳୀନ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗିରଫ କରାଯାଇଛି, ଯେତେବେଳେ କି ଅନ୍ୟ ଜଣଙ୍କୁ ଗୁରୁତର ଅନୁପ୍ରବେଶ ସନ୍ଦେହରେ ଅଟକ ରଖାଯାଇଥିଲା।
This is the Iranian hero and master climber who scaled the walls of the Islamic regime’s embassy in London today.
— Visegrád 24 (@visegrad24) January 10, 2026
He tore down the regime flag and flew Iran’s real flag instead
🦁☀️ pic.twitter.com/SO4lEL6BKF
ପୋଲିସ ଏହା ମଧ୍ୟ କହିଛି ଯେ ସେମାନେ ଅନୁପ୍ରବେଶ ଅଭିଯୋଗରେ ତୃତୀୟ ବ୍ୟକ୍ତିଙ୍କୁ ଖୋଜୁଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୂତାବାସରୁ ପତାକା ହଟାଇଥିବା ବ୍ୟକ୍ତି ଅଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତଥାପି, ଲଣ୍ଡନରେ ଥିବା ଇରାନୀ ଦୂତାବାସ ଏପର୍ଯ୍ୟନ୍ତ ଏହି ଘଟଣା ଉପରେ କୌଣସି ମନ୍ତବ୍ୟ ଦେଇନାହିଁ।