ନୂଆଦିଲ୍ଲୀ,୦୮/୧୦: ଗତ ମାସରେ ନେପାଳରେ ବିଶାଳ ପ୍ରତିବାଦ ଦେଖାଯାଇଥିଲା । ମନ୍ତ୍ରୀ ଏବଂ ନେତାମାନଙ୍କୁ ମାଡ଼ ମରାଯାଇଥିଲା ଏବଂ ପ୍ରଦର୍ଶନକାରୀଙ୍କ ଦ୍ୱାରା ଦେଶର ସରକାରକୁ କ୍ଷମତାଚ୍ୟୁତ କରାଯାଇଥିଲା । ଦକ୍ଷିଣ ଆମେରିକୀୟ ଦେଶ ଇକ୍ୱାଡରରେ ବର୍ତ୍ତମାନ ସମାନ ପ୍ରତିବାଦ ଚାଲିଛି । ଇକ୍ୱାଡୋରରେ ତୈଳ ଦର ବୃଦ୍ଧି ବିରୋଧରେ ଜୋରଦାର ପ୍ରତିବାଦ ହୋଇଛି । ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଲୋକ । ଏକି ସମୟରେ ଇକ୍ୱାଡୋର ରାଷ୍ଟ୍ରପତିଙ୍କ କାରକେଟ ଉପରକୁ ପଥରମାଡ ହୋଇଛି । ମରଣାତ୍ମକ ଆକ୍ରମଣ କରିଛନ୍ତି ବିକ୍ଷୋଭକାରୀ । ଡିଜେଲ ଦର ବୃଦ୍ଧି ଯୋଗୁଁ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି
ରାଷ୍ଟ୍ରପତି ଡାନିଏଲ ନୋବୋଆଙ୍କ ଜୀବନ ବିପଦରେ ରହିଛି । ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି । ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରୁଥିବା ବେଳେ ତାଙ୍କ କରକେଟ୍ ଉପରକୁ ପଥର ଏବଂ ଗୁଳି ମାଡ଼ କରାଯାଇଥିଲା । ରାଷ୍ଟ୍ରପତି ନୋବୋଆ ଆକ୍ରମଣରୁ ଅଳ୍ପକେ ବଞ୍ଚି ଯାଇଥିଲେ, କିନ୍ତୁ ତାଙ୍କ ଗାଡ଼ିରେ ଗୁଳି ବାଜିଛି । ଶକ୍ତି ମନ୍ତ୍ରୀ ଇନେସ୍ ମାଞ୍ଜାନୋ କହିଛନ୍ତି ଯେ, ରାଷ୍ଟ୍ରପତି ନୋବୋଆ କାନାର ପ୍ରଦେଶକୁ ଯାତ୍ରା କରୁଥିବା ସମୟରେ ଏହି ଘଟଣା ଘଟିଛି । ପ୍ରାୟ ୫୦୦ ଲୋକଙ୍କ ଏକ ଭିଡ଼ ତାଙ୍କ କରକେଟକୁ ଘେରି ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଘଟଣାରେ ୫ ଜଣଙ୍କୁ ଅଟକ ରଖାଯାଇଛି ।