ନୂଆଦିଲ୍ଲୀ,୨୨/୦୭: ସଂସଦର ମୌସୁମୀ ଅଧିବେଶନ ଦ୍ବିତୀୟ ଦିନରେ ବି ସରଗରମ ଗୃହ । 'ଅପରେସନ୍ ସିନ୍ଦୂର' ଉପରେ ଲୋକସଭାରେ ଆଲୋଚନା ଦାବି କରି ହଙ୍ଗମା କରିଛନ୍ତି ବିରୋଧୀ । ଏହା ସିହତ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଦାବି କରିଛନ୍ତି ବିରୋଧୀ ସାଂସଦ । ଆଜି ଅଧିବେଶନର ଦ୍ବିତୀୟ ଦିନରେ ଏସଆଇର (ସ୍ପେସିଆଲ ଇନଣ୍ଟେନସିବ ରିଭ୍ୟୁ) ବିରୋଧରେ ଇଣ୍ଡିଆ ମେଣ୍ଟ ଏକାଠୀ ହୋଇଛନ୍ତି । ସଂସଦ ମକର ଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲୋକସଭା ସାଂସଦ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସମେତ ବିରୋଧୀ ଦଳ ସଂସଦ ପାର୍ଲାମେଣ୍ଟ ମକର ଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ, ସପା ସମେତ ବିରୋଧୀ ଦଳ ସାର୍ ବିରୋଧରେ ନାରାବାଜି କରିଥିଲେ । ଲୋକସଭାକୁ ଅପରାହ୍ନ ୨ଟା ଯାଏ ମୁଲତବୀ ଘୋଷଣା କରାଯାଇଛି ।
'ଅପରେସନ୍ ସିନ୍ଦୂର' ଉପରେ ଚର୍ଚ୍ଚା ଦାବି- ଲୋକସଭାରେ 'ଅପରେସନ୍ ସିନ୍ଦୂର'କୁ ନେଇ ଆସନ୍ତା ସପ୍ତାହରେ ସଂସଦରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ଉଭୟ ଗୃହରେ ଅର୍ଥାତ ରାଜ୍ୟସଭା ଓ ଲୋକସଭାରେ ମୋଟ୍ ୨୫ ଘଣ୍ଟା ସମୟ ନିର୍ଦ୍ଧାରିତ ହୋଇଛି । ଲୋକସଭାରେ ୧୬ ଘଣ୍ଟା ଓ ରାଜ୍ୟ ସଭାରେ ୯ ଘଣ୍ଟା ସମୟ ସ୍ଥିର ହୋଇଛି । ଏହା ସିହତ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀଙ୍କ ଉପସ୍ଥିତି ଦାବି କରିଛନ୍ତି ବିରୋଧୀ ସାଂସଦ । ଏହାଛଡା ଆୟକର ଟ୍ୟାକ୍ସ ଉପରେ ୧୨ ଘଣ୍ଟା, ଜାତୀୟ ଖେଳ ବିଧେୟକ ଉପରେ ୮ ଘଣ୍ଟା ଓ ମଣିପୁର ବଜେଟ୍ ଉପରେ ୨ ଘଣ୍ଟା ଚର୍ଚ୍ଚା ହେବାକୁ ସ୍ଥିର ହୋଇଛି ।
ସେପଟେ ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫାକୁ ମଞ୍ଜୁରୀ ମିଳିଛି । ଅଧିସୂଚନା ଜାରି ହେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ସ୍ୱାସ୍ଥ୍ୟଗତ କାରଣ ପାଇଁ ପଦରୁ ଇସ୍ତଫା ଦେଇଥିଲେ ଧନଖଡ଼ । ଯାହା ସମସ୍ତଙ୍କୁ ଚକିତ କରିଛି । ଧନଖରଙ୍କ ହଠାତ୍ ଇସ୍ତଫା ପରେ ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା ଲାଗି ରହିଛି । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଧନଖଡ଼ଙ୍କ ଅଚାନକ ଇସ୍ତଫାକୁ ନେଇ ନେତା, ମନ୍ତ୍ରୀ ଚକିତ ହୋଇଛନ୍ତି । ଏହାରି ଭିତରେ ଧନଖଡ଼ଙ୍କ ଇସ୍ତଫାକୁ ମଞ୍ଜୁରୀ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ଗ୍ରହଣ କରିଥିବା ସୂଚନା ଦେଇଛନ୍ତି । ଖୁବ୍ ଶୀଘ୍ର ଏ ସମ୍ପର୍କରେ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରାଯିବ ବୋଲି କହିଛନ୍ତି । ୨୦୨୨ ଅଗଷ୍ଟ ୬ରେ ନିର୍ବାଚିତ ହୋଇଥିଲେ ଧନଖଡ଼ । ଆହୁରି ୨ ବର୍ଷ କାର୍ୟ୍ୟକାଳ ଥିଲା । ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ୬୦ ଦିନରେ ସାନି ନିର୍ବାଚନ ହେବ । ଦେଶକୁ ନୂଆ ଉପରାଷ୍ଟ୍ରପତି ମିଳିବେ ।