ଡେରାଡୁନ,୨୮।୯: ଜାତୀୟ ସୁରକ୍ଷା ଆଇନ (NSA) ଅନୁଯାୟୀ ପରିବେଶବିତ୍, ଶିକ୍ଷାବିତ୍ ଏବଂ ଉଦ୍ଭାବକ ସୋନମ ୱାଙ୍ଗଚୁକ୍ ଗିରଫ କରାଯାଇଛି। ଏହାକୁ ନେଇ ଉତ୍ତରାଖଣ୍ଡରେ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ପ୍ରତିବାଦ । ଶନିବାର ରାଜ୍ୟ ସାରା ତାଙ୍କ ସମର୍ଥକ ଏବଂ ନାଗରିକ ସମାଜ ଗୋଷ୍ଠୀ ୱାଙ୍ଗଚୁକଙ୍କ ମୁକ୍ତି ନେଇ ସରକାରଙ୍କ ନିକଟରେ ଦାବି ରଖିଛନ୍ତି।
ଡେରାଡୁନର ଗାନ୍ଧୀ ପାର୍କରେ, ଅନେକ ଲୋକେ ଏକତ୍ରିତ ହୋଇ ୱାଙ୍ଗଚୁକଙ୍କୁ ତୁରନ୍ତ ମୁକ୍ତି ଏବଂ ତାଙ୍କ ବିରୁଦ୍ଧରେ ସମସ୍ତ ଅଭିଯୋଗର ଉଠାଇ ନେବାକୁ ଦାବି କରିଥିଲେ। ‘ସେଭ୍ ହିମାଳୟାସ୍ ପିପୁଲ୍ସ କମିଟି’ର ଡକ୍ଟର ମୁକେଶ ସେମୱାଲ କହିଛନ୍ତି, ‘ହିମାଳୟରେ ରହୁଥିବା ଲୋକମାନେ ତାଙ୍କୁ ଗିରଫ କରାଯାଇଥିବା ପଦ୍ଧତିକୁ ନେଇ ଗଭୀର ଭାବରେ ବିଚଳିତ। କେନ୍ଦ୍ରର ଏହି କାର୍ଯ୍ୟାନୁଷ୍ଠାନ ଲଦାଖରେ ଦମନ ଏବଂ ମିଥ୍ୟା ପ୍ରତିଶ୍ରୁତି ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଆହୁରି ତୀବ୍ର କରିବ। ୱାଙ୍ଗଚୁକ୍ ପ୍ରକୃତିକୁ କ୍ଷତି ନକରି ଏକ ଅଭିନବ ଉପାୟରେ ହିମାଳୟରେ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଅକ୍ଳାନ୍ତ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କର ଗିରଫଦାରୀ ଏବଂ ଅଞ୍ଚଳର ପରିବେଶ ସୁରକ୍ଷାକୁ ସମର୍ଥନ କରୁଥିବା ସ୍ୱରକୁ ନୀରବ କରିବାର ଏକ ସ୍ପଷ୍ଟ ପ୍ରୟାସ।"
ପ୍ରତିବାଦକାରୀମାନେ ବ୍ୟାପକ ସହରୀକରଣ, ବେପରୁଆ ଜଙ୍ଗଲ କ୍ଷୟ ଏବଂ ଅଣଯୋଜନାକୃତ ଜଳ ପ୍ରକଳ୍ପ ଯୋଗୁଁ ବାଦଲ ଫଟା ବର୍ଷା, ଆକସ୍ମିକ ବନ୍ୟା, ଭୂସ୍ଖଳନ ଏବଂ ଭୂମିକମ୍ପ ଭଳି ବିପର୍ଯ୍ୟୟର ବର୍ଦ୍ଧିତ ବିପଦ ଉପରେ ମଧ୍ୟ ଆଲୋକପାତ କରିଥିଲେ। ସେମାନେ ପରିବେଶ ସୁରକ୍ଷାକୁ ପ୍ରାଥମିକତା ଦେଇ ସ୍ଥାୟୀ ବିକାଶ ଯୋଜନା ପ୍ରସ୍ତୁତ କରିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। କେବଳ ସେତିକି ନୁହେଁ ନୈନିତାଲରେ ମଧ୍ୟ ଓ୍ବାଙ୍ଗଚୁକ୍ଙ୍କ ଗିରଫକୁ ବିରୋଧ କରାଯାଇଛି। ସେଠାରେ ଲୋକମାନେ କ୍ୟାଣ୍ଡେଲ ମାର୍ଚ୍ଚ କରିଥିଲେ। ତୁରନ୍ତ ଓ୍ବାଙ୍ଗଚୁକ୍ଙ୍କୁ ମୁକ୍ତ କରିବାକୁ ତାଙ୍କ ସମର୍ଥକମାନେ ଦାବି କରିଛନ୍ତି।