ନୂଆଦିଲ୍ଲୀ,୧୧/୦୧: ପଞ୍ଜାବର ଲୁଧିଆନାରେ ଆପ୍ ବିଧାୟକଙ୍କ ସନ୍ଦେହଜନକ ମୃତ୍ୟୁ। ଗୁଳିମାଡ଼ରେ ଆହତ ହୋଇ ଆମ୍ ଆଦମୀ ପାର୍ଟି ବିଧାୟକ ଗୁରପ୍ରୀତ ଗୋଗିଙ୍କ ଦେହାନ୍ତ ହୋଇଛି । ତେବେ ଗୁଳିମାଡ଼ରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଗତକାଲି ମଧ୍ୟ ରାତିରେ ଲୁଧିଆନାର ଡିଏମସି ହସ୍ପିଟାଲରେ ଚିକିତ୍ସାଧୀନ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଡିସିପି ଜସକରଣ ସିଂହ ତେଜା ।
ଏନେଇ ଡିସିପି ଆହୁରି ମଧ୍ୟ କହିଛନ୍ତି ଯେ, ''ଗୁରପ୍ରୀତ ଗୋଗିଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରାଯାଇଛି। ତାଙ୍କ ମୃତଦେହକୁ ଡିଏମସି ହସ୍ପିଟାଲରେ ପୋଷ୍ଟମର୍ଟମ କରାଯିବ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ତେବେ ଗତକାଲି ରାତି ପ୍ରାୟ ସାଢେ ୧୧ଟା ସମୟରେ ଏହି ଘଟଣା ଘଟିଥିଲା । ଗୋଗି ତାଙ୍କର ଲାଇସେନ୍ସପ୍ରାପ୍ତ ୨୫ ବୋର ପିସ୍ତଲ ସଫା କରୁଥିଲେ ଏବଂ ଏହି ସମୟରେ ଗୁଳି ଫୁଟି ତାଙ୍କ ମୁଣ୍ଡରେ ବାଜି ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ବିଧାୟକଙ୍କ ପରିବାର ଲୋକ କହିଛନ୍ତି । '' ୨୦୨୨ ମସିହାରେ ଆମ ଆଦମୀ ପାର୍ଟିରେ ସାମିଲ ଦେଇଥିଲେ ଗୋଗି । ଲୁଧିଆନା ବିଧାନସଭା ନିର୍ବାଚନରେ ସେ ଦୁଇଥର କଂଗ୍ରେସ ବିଧାୟକ ଭାରତ ଭୂଷଣ ଆଶୁଙ୍କୁ ପରାସ୍ତ କରିଥିଲେ। ତାଙ୍କର ଅକାଳ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।