ଚଣ୍ଡିଗଡ଼, ୦୫/୦୯: ପଞ୍ଜାବରେ ପାଣି ପ୍ରଳୟ । ପ୍ରକୃତି କୋପ ଦେଖାଇଛି । ୧୪ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ଗୋଟିଏ ସପ୍ତାହରେ ମୌସୁମୀର ୩୫ ପ୍ରତିଶତ ବର୍ଷା ହୋଇଛି । ଫଳରେ ୨୩ ଜିଲ୍ଲାର ୧୯୦୨ ଗାଁରେ ଘେରରେ ବନ୍ଦୀ ହୋଇ ରହିଛି । ଲଗାଣ ବର୍ଷା ଏବଂ ଭୀଷଣ ବନ୍ୟା ପାଇଁ ବର୍ତ୍ତମାନ ସୁଦ୍ଧା ୪୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନେକ ଲୋକ ନିଖୋଜ ରହିଛନ୍ତି । ସେହିପରି ବନ୍ୟା ଯୋଗୁ ୩ ଲକ୍ଷ ୮୪ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ସରକାରୀ ଆକଳନ ଅନୁଯାୟୀ, ୧.୭୧ ଲକ୍ଷ ହେକ୍ଟର ଜମିର ଫସଲ ବର୍ବାଦ ହୋଇଛି ।

ପଞ୍ଜାବ ରାଜସ୍ବ ବିଭାଗର ତଥ୍ୟ ଅନୁଯାୟୀ, ପୁନର୍ବାସ ଏବଂ ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ହରଦୀପ ସିଂହ ମୁଣ୍ଡୟନ କହିଛନ୍ତି, ଭୟଙ୍କର ବନ୍ୟା ପାଇଁ ୨୩ ଜିଲ୍ଲାର ପ୍ରାୟ ୧୯୦୨ଟି ଗାଁ ପାଣି ଘେରରେ ରହିଛି । ଯେଉଁଥିରେ ପ୍ରାୟ ୩.୮୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।  ଏଥିରୁ ୨୦,୯୭୨ଜଣଙ୍କୁ ବନ୍ୟା ବିପନ୍ନଙ୍କୁ ସୁରକ୍ଷିତ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଗତ ୨୪ଘଣ୍ଟାରେ ଆଉ ୬ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ୧୪ ଜିଲ୍ଲାରେ ମୋଟ୍ ୪୩ ଜଣ ପ୍ରାଣ ହରାଇଛନ୍ତି । ବନ୍ୟା ଯୋଗୁ ପ୍ରାୟ ୧.୭୧ ଲକ୍ଷ ହେକ୍ଟର ଚାଷଜମିରେ ଫସଲ ବନ୍ୟା ପାଣିରେ ବୁଡ଼ିକରି ରହିଛି ।
ସେପଟେ  ଉତ୍ତର ଭାରତରେ ବର୍ଷା ଓ ବନ୍ୟା ବିପର୍ଯ୍ୟୟ ଜାରି ରହିଛି । ରାଜଧାନୀ  ଦିଲ୍ଲୀରେ ଯମୁନା ନଦୀ ପାଣି ସହର  ଭିତରେ ଧସେଇ ପଶିଛି । ଗତକାଲି ସହରର ଅନେକ ଅଞ୍ଚଳରେ ୩-୪  ଫୁଟ୍ ପର୍ଯ୍ୟନ୍ତ ପାଣି ଭରିଯାଇଥିଲା ।  ରାସ୍ତାରେ ଲହଡ଼ି ଭାଙ୍ଗୁଥିବା ନଦୀ ପାଣି ।  ମୟୂର ବିହାର ଫେଜ-୧ରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ନିର୍ମିତ ରିଲିଫ୍  ଶିବିରଗୁଡ଼ିକ ମଧ୍ୟ ଯମୁନାର ବନ୍ୟା  ଜଳରେ ବୁଡ଼ିଯାଇଥିଲା । ଅଲ୍ଲୀପୁରରେ  ଜାତୀୟ ରାଜପଥ-୪୪ରେ  ଫ୍ଲାଇଓଭରର ଏକ ଅଂଶ ଧସିଛି ।  ମଧ୍ୟପ୍ରଦେଶର ଉଜ୍ଜୈନିରେ କ୍ଷିପ୍ରାର  ଜଳସ୍ତର ବଢ଼ିବା ଯୋଗୁ ନଦୀ କୂଳରେ  ଥିବା ମନ୍ଦିର ବୁଡ଼ିଯାଇଛି । ମନ୍ଦିରର ଗମ୍ବୁଜ ପର୍ଯ୍ୟନ୍ତ ପାଣି ଭରିଯାଇଛି ।  ରତଲାମରେ ରେଳ ଷ୍ଟେସନରେ ୪ ନମ୍ବର ପ୍ଲାଟଫର୍ମ ବୁଡ଼ିଯାଇଛି । ରାଜସ୍ଥାନର ଦୌସା ଜିଲ୍ଲାର ଅନେକ  ଅଞ୍ଚଳରେ ଗୁରୁବାର ପ୍ରବଳ ବର୍ଷା ହୋଇଛି । ସିକରାୟ ସମେତ ଅନେକ  ଅଞ୍ଚଳର ବଜାରରେ ପାଣି ଭରିଯାଇଛି ।  ଆଜମେରରେ ଜେଏଲ୍‌ଏନ୍‌ ହସ୍ପିଟାଲ  ଏବଂ ମେଡିକାଲ କଲେଜ ବନ୍ୟା  ପାଣିରେ ଅଧା ବୁଡ଼ିଯାଇଛି ।