ଧର୍ମଶାଳା, ୦୮/୦୫ : ଚଳିତ ଆଇପିଏଲ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଉଭୟ ଦଳ ପାଇଁ ଏହି ମ୍ୟାଚ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପଞ୍ଜାବ କିଙ୍ଗ୍ସ ଏହି ମ୍ୟାଚ୍ ଜିତିଲେ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବ । ଦିଲ୍ଲୀ କ୍ୟାପିଟାଲ୍ସ ଜିତିଲେ ତୃତୀୟ ସ୍ଥାନ ଦଖଲ କରିବ । ତେଣୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଭାରତ ଓ ପାକିସ୍ତାନ ସୀମା ରେଖାରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଚାଲିଥିଲେ ହେଁ ଉଭୟ ଦଳ ଧର୍ମଶାଳା ସ୍ଥିତି ଏଚପିସିଏ ଷ୍ଟାଡ଼ିୟମ୍ରେ ଜୋରଦାର ପ୍ରସ୍ତୁତି କରିଛନ୍ତି । କ୍ରମାନ୍ୱୟରେ ୨ଟି ମ୍ୟାଚ୍ ଜିତିଥିବା ପଞ୍ଜାବ କିଙ୍ଗ୍ସ ଆଉ ଏକ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଛି ।
ଦିଲ୍ଲୀ କ୍ୟାପିଟାଲ୍ସ ଖେଳିଥିବା ଶେଷ ୩ଟି ମ୍ୟାଚ୍ରୁ ୨ଟିରେ ପରାଜିତ ହୋଇଥିଲା । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା । କ୍ୟାପିଟାଲ୍ସ ବର୍ତ୍ତମାନ ବିଜୟ ଧାରାକୁ ଫେରିବା ପାଇଁ ବ୍ୟାକୁଳ । ପଞ୍ଜାବ କିଙ୍ଗ୍ସକୁ ହରାଇବାକୁ ହେଲେ ଦିଲ୍ଲୀ କ୍ୟାପିଟାଲ୍ସକୁ ପୁଣି ଥରେ ସଙ୍ଗଠିତ ହେବାକୁ ପଡ଼ିବ । ବ୍ୟାଟିଂ ବିଭାଗରେ ଅଯଥା ପରିବର୍ତ୍ତନ ନକରି ପ୍ରଦର୍ଶନ ଉପରେ ଧ୍ୟାନ ଦେବାକୁ ହେବ । ୫ ତାରିଖରେ ଅନୁଷ୍ଠିତ ସନରାଇଜର୍ସ ବିପକ୍ଷ ମ୍ୟାଚ୍ରେ ସବୁ ଟପ୍ ଅର୍ଡର ବ୍ୟାଟର ବିଫଳ ହୋଇଥିଲେ । ଫାଫ ଡୁ ପ୍ଲେସିଙ୍କ ଭଳି ଅଭିଜ୍ଞ ଓପନର ଥିବାବେଳେ ତାଙ୍କ ସ୍ଥାନରେ କରୁଣ ନାଏରଙ୍କ ଭଳି ଜଣେ ସ୍ଥାୟୀ ମଧ୍ୟକ୍ରମ ବ୍ୟାଟରଙ୍କୁ ଓପନ କରାଯାଇଥିଲା । ଦଳର ଏହି ରଣନୀତି ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ପଞ୍ଜାବ କିଙ୍ଗ୍ସ ସମ୍ପ୍ରତି ଚମତ୍କାର ଫର୍ମରେ ରହିଛି । ଆଜି ଜିତିଲେ ଦଳ ପଏଣ୍ଟ ତାଲିକାର ଶୀର୍ଷ ୨ ମଧ୍ୟରେ ରହି ଲିଗ୍ ପର୍ଯ୍ୟାୟ ଶେଷ କରିବା ନିଶ୍ଚିତ ହୋଇଯିବ । ସବୁ ବିଭାଗରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଛି । ବିଶେଷ କରି ଦୁଇ ଯୁବ ଓପନର ପ୍ରଭସିମରନ ସିଂହ ଓ ପ୍ରିୟାଂଶ ଆର୍ଯ୍ୟ ଦଳର ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ବୋଲିଂ ବିଭାଗ ମଧ୍ୟ ଚମତ୍କାର ଫର୍ମରେ ରହିଛି ।
ଆଜି କେଏଲ ରାହୁଲଙ୍କ ଉପରେ ନଜର ରହିବ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ରାହୁଲ ସମ୍ପ୍ରତି ଫର୍ମ ଫେରିପାଇବାକୁ ସଂଘର୍ଷ କରୁଛନ୍ତି । ସେ ସଫଳ ହେଲେ ଦିଲ୍ଲୀ ପୁଣି ଥରେ ବିଜୟ ଧାରାକୁ ଫେରିପାରିବ । ମିଚେଲ ଷ୍ଟାର୍କ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୪ଟି ମ୍ୟାଚ୍ ଖେଳି ୭ଟି ୱିକେଟ୍ ନେଇ ସାରିଛନ୍ତି । ଆଜି ସେ ମଧ୍ୟ ଘାତକ ବୋଲିଂ କରିବା ଆଶା କରାଯାଉଛି । ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଓପନର ପ୍ରିୟାଂଶ ଆର୍ଯ୍ୟଙ୍କ ଉପରେ ନଜର ରହିବ । ପାୱାର ପ୍ଲେ’ରେ ତାଙ୍କ ଷ୍ଟ୍ରାଇକ ରେଟ୍ ସର୍ବାଧିକ ୧୮୮.୦୫ ରହିଛି । ପ୍ରଭସିମରନଙ୍କ ସହ ସେ ପ୍ରଥମ ୱିକେଟ୍ରେ ୪୦୬ ରନ ସଂଗ୍ରହ କରିସାରିଛନ୍ତି।
ୟୁଝବେନ୍ଦ୍ର ଚହଲ ଓ ଫାଫ ଡୁ ପ୍ଲେସିଙ୍କ ମଧ୍ୟରେ ଆଜି ଏକ ଲଢେଇ ଦେଖିବାକୁ ମିଳିପାରେ । ଚହଲ ଟି-ଟ୍ୱେଣ୍ଟିରେ ଡୁ ପ୍ଲେସିଙ୍କୁ ୩ ଥର ଆଉଟ୍ କରିଛନ୍ତି । ଡୁ ପ୍ଲେସି ମଧ୍ୟ ତାଙ୍କ ବିପକ୍ଷରେ ୮୮ ରନ ସଂଗ୍ରହ କରିଛନ୍ତି । ବିଜୟ ଜାରି ରଖିଥିବାରୁ ପଞ୍ଜାବ କିଙ୍ଗ୍ସ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । କିନ୍ତୁ କ୍ୟାପିଟାଲ୍ସ ଏକାଦଶରେ ପରିବର୍ତ୍ତନ ହେବ । ଲେଗ ସ୍ପିନର ବିପ୍ରଜ ନିଗମଙ୍କ ସ୍ଥାନରେ ଆଶୁତୋଷ ଶର୍ମାଙ୍କୁ ଓ ମୋହିତ ଶର୍ମା କିମ୍ବା ମୁକେଶ କୁମାରଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରେ ସ୍ଥାନ ଦିଆଯାଇପାରେ । ଧର୍ମଶାଳା ପିଚ୍ ପେସ୍ ବୋଲରଙ୍କୁ ଭରପୁର ସହାୟତା କରିବ । ରାତ୍ରିରେ ତାପମାତ୍ରା ୨୦ଡିଗ୍ରୀ ତଳକୁ ଖସିବ । ଫଳରେ ଦ୍ୱିତୀୟ ଭାଗରେ ପେସ୍ ବୋଲରମାନେ ପିଚ୍ରୁ ଉପଯୁକ୍ତ ବାଉନ୍ସ ଓ ସୁଇଂ ପାଇବେ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଦ୍ୱାଦଶ
ପଞ୍ଜାବ କିଙ୍ଗ୍ସ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, ଶ୍ରେୟାସ ଆୟର(ଅଧିନାୟକ), ଜୋସ ଇଂଲିଶ, ନେହାଲ ୱଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ୍, ମାର୍କୋ ଜାନସେନ, ଅର୍ଶଦୀପ ସିଂହ, ଅଜମତୁଲ୍ଲା ଓମାରଜାଇ, ୟୁଝବେନ୍ଦ୍ର ଚହଲ, ବିଜୟ କୁମାର ବୈଶାଖ ।
ଦିଲ୍ଲୀ କ୍ୟାପିଟାଲ୍ସ: ଫାଫ ଡୁ ପ୍ଲେସି, ଅଭିଷେକ ପୋରେଲ, କରୁଣ ନାଏର, କେଏଲ ରାହୁଲ, ଅକ୍ଷର ପଟେଲ(ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ଆଶୁତୋଷ ଶର୍ମା, ମିଚେଲ ଷ୍ଟାର୍କ, ଦୁଷ୍ମନ୍ତ ଚାମୀରା, କୁଲଦୀପ ଯାଦବ, ଟି ନଟରାଜନ, ମୋହିତ ଶର୍ମା/ମୁକେଶ କୁମାର ।