ନୂଆଦିଲ୍ଲୀ,୧୩/୦୧: ଟିମ୍‌ ଇଣ୍ଡିଆର ତାରକା ବ୍ୟାଟର ଶ୍ରେୟାସ ଆୟର ପଞ୍ଜାବ କିଙ୍ଗ୍‌ସର ନୂଆ ଅଧିନାୟକ ନିଯୁକ୍ତ  ହୋଇଛନ୍ତି । ଲୋକପ୍ରିୟ ଟିଭି ସୋ’ ବିଗ୍‌  ବସ୍‌-୧୮ର ଏକ ସ୍ୱତନ୍ତ୍ର ଏପିସୋଡ୍‌ରେ ହୋଷ୍ଟ ତଥା ବଲିଉଡ୍‌ ଅଭିନେତା ସଲମାନ୍‌  ଖାନ୍‌ ଏବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ରବିବାର ଅନୁଷ୍ଠିତ ଏହି ଏପିସୋଡ୍‌ରେ ଆୟରଙ୍କ ସମେତ ପଞ୍ଜାବ  କିଙ୍ଗ୍‌ସ ଦଳ ସଦସ୍ୟ ଥିବା ୟୁଝବେନ୍ଦ୍ର  ଚହଲ ଓ ଶଶାଙ୍କ ସିଂହ ଯୋଗ ଦେଇଥିଲେ । 

ଆଇପିଏଲ୍‌ ମେଗା ନିଲାମରେ ପଞ୍ଜାବ କିଙ୍ଗ୍‌ସ ୨୬.୭୫ କୋଟି ଟଙ୍କାରେ ଆୟରଙ୍କୁ  କିଣିଥିଲା । ସେ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିଲେ । ମାତ୍ର  କିଛି ସମୟ ପରେ ଲକ୍ଷେ୍ନø ସୁପରଜାଏଣ୍ଟ୍‌ସ  ୨୭କୋଟି ଟଙ୍କାରେ ରିଷଭ ପନ୍ତଙ୍କୁ କିଣିଥିଲା ।  ପନ୍ତ ଆଇପିଏଲ୍‌ର ସବୁଠୁ ମହଙ୍ଗା ଖେଳାଳି  ଭାବେ ରେକର୍ଡ଼ ସ୍ଥାପନ କରିଥିଲେ ।  ନିଲାମରେ ପଞ୍ଜାବ କିଙ୍ଗ୍‌ସ ଆୟରଙ୍କୁ କିଣିବା ପରେ ସେ ଦଳର ନେତୃତ୍ୱ ନେବା  ଏକପ୍ରକାର ସ୍ପଷ୍ଟ ହୋଇଯାଇଥିଲା । କେବଳ  ଆନୁଷ୍ଠାନିକ ଭାବେ ଘୋଷଣା ବାକି ରହିଥିଲା । ଆୟର ଗତବର୍ଷ କୋଲକାତା  ନାଇଟ୍‌ ରାଇଡର୍ସକୁ ଆଇପିଏଲ୍‌ ଚାମ୍ପିଅନ୍‌  କରାଇଥିଲେ । ମାତ୍ର ନିଲାମ ପୂର୍ବରୁ  କୋଲକାତା ତାଙ୍କୁ ମୁକ୍ତ କରି ଦେଇଥିଲା ।  

ଆୟର ନିଲାମରେ ସାମିଲ ହେବାକୁ  ଚାହୁଁଥିବାରୁ ଦଳ ଏହି ନିଷ୍ପତ୍ତି ନେଇଥିଲା ।  ପୂର୍ବରୁ ଆୟରଙ୍କ ନେତୃତ୍ୱରେ ଦିଲ୍ଲୀ  କ୍ୟାପିଟାଲ୍ସ ୨୦୨୦ ସିଜନରେ ଫାଇନାଲ୍‌  ଖେଳି ରନର୍ସ ଅପ୍‌ ହୋଇଥିଲା । ଆୟର ୨୦୧୫ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ  ଆଇପିଏଲ୍‌ ପଦାର୍ପଣ କରିଥିଲେ । ୨୦୧୮ରେ  ସେ କ୍ୟାପିଟାଲ୍ସ ଦଳର ଅଧିନାୟକ ନିଯୁକ୍ତ  ହୋଇଥିଲେ । ସେ ୩ଟି ସଂସ୍କରଣରେ  ଦଳକୁ ପ୍ଲେ-ଅଫ୍‌ରେ ପହଞ୍ଚାଇବାରେ ସଫଳ  ହୋଇଥିଲେ । ସୂଚନାଯୋଗ୍ୟ, ଚଳିତ ଘରୋଇ  କ୍ରିକେଟ୍‌ ସିଜନରେ ଆୟରଙ୍କ ନେତୃତ୍ୱରେ  ମୁମ୍ବାଇ ସୟଦ ମୁସ୍ତାକ ଅଲି ଟ୍ରଫି ଚାମ୍ପିଅନ୍‌  ହୋଇଥିଲା । ସେ ଗୋଟିଏ ଶତକ ସହ  ମୋଟ ୩୪୫ରନ୍‌ ସଂଗ୍ରହ କରିଥିଲେ ।