ନୂଆଦିଲ୍ଲୀ, ୯।୮: ଆମେରିକାରୁ ପ୍ରତିରକ୍ଷା ସାମଗ୍ରୀ କିଣିବା ଲାଗି ହୋଇଥିବା ଚୁକ୍ତି ପୂର୍ବଭଳି ଜାରି ରହିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଆଜି ଏହି ସୂଚନା ଦିଆଯାଇଛି । ଏଥିସହ ଟାରିଫ ବିବାଦକୁ ନେଇ ଆମେରିକାରୁ ପ୍ରତିରକ୍ଷା ଚୁକ୍ତି ଉପରେ ଭାରତ ରୋକ୍ ଲଗାଇଛି ବୋଲି ଯେଉଁ ଖବର ପ୍ରକାଶ ପାଇଛି ତାକୁ ମନ୍ତ୍ରଣାଳୟ ଖଣ୍ଡନ କରିଛି । କହିଛି ଏହା ମନଗଢ଼ା ଓ କପୋଳକଳ୍ପିତ । କ୍ରୟ ପ୍ରକ୍ରିୟାରେ ଅଗ୍ରଗତି ଘଟିଛି ଏବଂ ପୂର୍ବଭଳି ଜାରି ରହିବ । ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରତିରକ୍ଷା ଚୁକ୍ତି ଉପରେ ରୋକ୍ ଲଗାଇବା ପାଇଁ କୌଣସି ଲିଖିତ ଆଦେଶନାମା ଦିଆଯାଇନାହିଁ । ହୁଏତ ଟାରିଫ ବିବାଦ ତୁଟିବା ପରେ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇପାରେ । ଟାରିଫକୁ ନେଇ ଆମେରିକା ସହ କେନ୍ଦ୍ର ସରକାରଙ୍କ ଆଲୋଚନା ଜାରି ରହିବ । ଟାରିଫ ଓ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ସ୍ପଷ୍ଟତା ମିଳିବା ପରେ ପ୍ରତିରକ୍ଷା ଚୁକ୍ତି ଉପରେ କିଛି ନିଷ୍ପତ୍ତି ନିଆଯିବ । ଏଥିସହ ପ୍ରତିରକ୍ଷା ସାମଗ୍ରୀ କିଣା ପ୍ରକ୍ରିୟା ଆଗକୁ ବଢ଼ିବ ।
ପୂର୍ବରୁ ଖବର ସରବରାହ ସଂସ୍ଥା ରଏଟର୍ସ ୩ ଜଣ ଭାରତୀୟ ଅଧିକାରୀଙ୍କ ସୂତ୍ରକୁ ଉଦ୍ଧାର କରି କହିଥିଲା ଯେ, ଟାରିଫ ବିବାଦ କାରଣରୁ ଭାରତ ଆମେରିକାରୁ ନୂଆ ଅସ୍ତ୍ରଶସ୍ତ୍ର ଓ ବିମାନ କିଣା ଉପରେ ରୋକ୍ ଲଗାଇଛି । ପ୍ରତିରକ୍ଷା ଚୁକ୍ତି ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା ସପ୍ତାହରେ ଆମେରିକା ଯିବାର ଥିଲା । ତାଙ୍କର ଆମେରିକା ଗସ୍ତକୁ ମଧ୍ୟ ରଦ୍ଦ କରାଯାଇଛି । ସୂଚନାଯୋଗ୍ୟ ଯେ, ଏବେ ଆମେରିକା ଠାରୁ ଭାରତ ଆପାଚେ ଓ ଚିନୁକ ହେଲିକପ୍ଟର ସମେତ ପି-୮୧ ବିମାନ ଓ ଏମ୍କ୍ୟୁ-୯ ଡ୍ରୋନ କ୍ରୟ କରୁଛି । ଏଥିସହ ଆଗାମୀ ଦିନରେ ଷ୍ଟ୍ରାଇକର କମ୍ବାଟ ଭେହିକିଲ୍ ଏବଂ ଜାଭେଲିନ ଆଣ୍ଟି ଟ୍ୟାଙ୍କ ମିସାଇଲ କିଣିବାକୁ ଯୋଜନା କରିଛି ।