ପୁରୀ,୧୮/୧୧ : ଆଜି ପୂର୍ବାହ୍ନରେ ଟାଉନ ହଲ୍ ପରିସରରେ ସମବାୟ କାର୍ଯ୍ୟାଳୟ ପକ୍ଷରୁ ପୁରୀ ଜିଲ୍ଲାସ୍ତରୀୟ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଯୋଗଦେଇ ଅର୍ଥନୀତି ସୁଦୃଢୀକରଣରେ ସମବାୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ ଓ ସଶକ୍ତ କରିବାରେ ସମବାୟ ସମିତିର ଭୂମିକା ସର୍ବଦା ଗୁରୁତ୍ୱ ବହନ କରି ଆସିଛି । କୃଷକମାନଙ୍କୁ ବିବିଧ ସରକାରୀ ଯୋଜନାରେ ସାମିଲ କରିବା, ସେମାନଙ୍କ ଆବଶ୍ୟକତା ଅନୁସାରେ କମ୍ ସୁଧରେ ଋଣ ପ୍ରଦାନ, ସେମାନଙ୍କ ଉତ୍ପାଦର ସଠିକ ବିକ୍ରି ବ୍ୟବସ୍ଥା ଉପରେ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପୂର୍ବରୁ ବ୍ୟବସାୟୀମାନେ କମ୍ ଦାମରେ ଚାଷୀମାନଙ୍କଠାରୁ ସେମାନଙ୍କ ଉତ୍ପାଦକ ନେଇ ଯାଉଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦକର ସଠିକ୍ ମୂଲ୍ୟ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯାଉଛି । ଯାହା ସେମାନଙ୍କ ହକ୍ ବୋଲି ଶ୍ରୀ ବେହେରା କହିଥିଲେ ।
ଉପ ଜିଲ୍ଲାପାଳ ରାଜ କିଶୋର ଜେନା ସମବାୟ ଆନ୍ଦୋଳନର ଇତିହାସ ସମ୍ପର୍କରେ ଆଲୋଚନା କରିବା ସହ ଧାନ ସଂଗ୍ରହ ସମୟରେ ନିରପେକ୍ଷତା ବଜାୟ ରଖିବା, ମଣ୍ଡି ଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରିବା, ପାକ୍ସ କୃଷକମାନଙ୍କୁ ସହଯୋଗ କରିବା ପାଇଁ ମତବ୍ୟକ୍ତ କରିଥିଲେ । ପୁରୀ ନିମାପଡ଼ା ସମ୍ମିଳିତ ବ୍ୟାଙ୍କର ସଭାପତି କିଶୋର କୁମାର ଛୋଟରାୟ ସମବାୟ ସମିତିକୁ ଅଧିକ କ୍ରିୟାଶୀଳ କରିବା, ସମସ୍ତଙ୍କ ସହଯୋଗ ନେବା, ନିର୍ବାଚିତ ସମବାୟ ପ୍ରତିନିଧିମାନଙ୍କୁ ଉପଯୁକ୍ତ ସମ୍ମାନ ଓ ପରାମର୍ଶ ନେବା ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଡିଆରସିଏସ ସୁନୀତା ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାବାର୍ଡ଼ର ଡିଡିଏମ ସସ୍ମିତା ପୃଷ୍ଟି, ବ୍ୟାଙ୍କ ସମୂହର ସିଇଓ ବନଶ୍ରୀ ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ହସ୍ତଶିଳ୍ପର ଉପ ନିର୍ଦ୍ଦେଶକ ବିଷ୍ଣୁ ପଦ ମାରାଣ୍ଡି, ଅତିରିକ୍ତ ମତ୍ସ୍ୟ ଅଧିକାରୀ ରମେଶଚନ୍ଦ୍ର ରାଉଳ ପ୍ରମୁଖ ଯୋଗଦେଇ ସମବାୟ ଆନ୍ଦୋଳନର ଆବଶ୍ୟକତା, ଆତ୍ମ ନିର୍ଭର ଭାରତ ପାଇଁ ସମବାୟର ଯୋଗଦାନ, କୃଷକ, ପାକ୍ସମାନଙ୍କର ସମସ୍ୟା, ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ।
ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଓ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ବିଭିନ୍ନ ସମବାୟ ସମିତିର କର୍ମକର୍ତ୍ତାମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସଂଚାଳକ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ ।